ବେଦ ସମଗ୍ର ମାନବ ଜାତିକୁ ‘ମନୁର୍ଭବଃ’ ବା ‘ମଣିଷ ହୁଅ’ର ଶ୍ରେଷ୍ଠ ପରାମର୍ଶ ଦିଅନ୍ତି ଓ ‘କୃଣ୍ୱନ୍ତୋ ବିଶ୍ୱଂ ଆର୍ଯ୍ୟମ୍’ ବା ସମଗ୍ର ମାନବଜାତିକୁ ଆର୍ଯ୍ୟରେ ପରିଣତ କରିବାର ମହତ୍ ଉଦ୍ଦେଶ୍ୟ ପ୍ରକାଶ କରନ୍ତି । ନିଜ ମଧ୍ୟରେ ସମସ୍ତ ମାନବୀୟ ସତ୍ଗୁଣର ସମାବେଶ କରି ତଥା ସଭ୍ୟ, ସୁସଂସ୍କୃତ ଜୀବନଯାପନ ମାଧ୍ୟମରେ ନିଜର ତଥା ବିଶ୍ୱର କଲ୍ୟାଣ କରିବାପାଇଁ ଆମର ବେଦ-ପୁରାଣ ଉପଦେଶ ପ୍ରଦାନ କରନ୍ତି ।
ଦେଶର ଶିକ୍ଷାନଗରୀ ବା କୋଚିଂ ସେଣ୍ଟର ହବ୍ ରୂପେ ପରିଚିତ ରାଜସ୍ଥାନର କୋଟା ସହରରେ ଗତବର୍ଷ ୧୭ଜଣ ଛାତ୍ରଛାତ୍ରୀ କୋଚିଂ ନେବାବେଳେ ଆତ୍ମହତ୍ୟା କରିଥିଲେ । ଚଳିତ ବର୍ଷ ମେ’ ମାସ ସୁଦ୍ଧା ଏହି ସଂଖ୍ୟା ୧୪ରେ ପହଞ୍ଚି ସାରିଛି । ଗତ ମେ’ ୪ ତାରିଖରେ ନିଟ୍ ପରୀକ୍ଷାର କିଛିଘଣ୍ଟା ପୂର୍ବରୁ କୋଟାର ଗୋଟିଏ ହଷ୍ଟେଲରେ ଜଣେ ୧୭ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିଲେ । ସେହିଦିନ ଆଇ.ଆଇ.ଟି, ଖଡଗପୁରର ୨୨ବର୍ଷୀୟ ଛାତ୍ର ହଷ୍ଟେଲ କୋଠରିରେ ଆତ୍ମହତ୍ୟା କଲେ । ଏହି ଦୁଇଟି ଘଟଣାରେ ସ୍ୱତଃସଜ୍ଞାନ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ରାଜସ୍ଥାନ ସରକାର ଏଭଳି ଦୁଃଖଦ ଘଟଣାର ବାରମ୍ବାର ପୁନରାବୃତ୍ତି ଘଟିବାର କାରଣ ସଂପର୍କରେ ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ସରକାର ଏଭଳି ଏକ ସମ୍ବେଦନଶୀଳ ବିଷୟରେ କି ପଦକ୍ଷେପ ନେଇଛନ୍ତି ସେ ସଂପର୍କରେ ସ୍ପଷ୍ଟୀକରଣ ଲୋଡ଼ିଲେ ।
ରାଜ୍ୟ ସରକାରଙ୍କ ଓକିଲ ଏ ବିଷୟରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଛି ବୋଲି ଉତ୍ତର ରଖିଲେ । ଏସବୁ ସତ୍ତେ୍ୱ ପୁଣି ଗତ ମେ’ ୨୬ ତାରିଖରେ କୋଟାର ଗୋଟିଏ ହଷ୍ଟେଲରେ ଜାମ୍ମୁ-କାଶ୍ମୀରର ଜଣେ ୧୮ବର୍ଷୀୟା ଛାତ୍ରୀ ଅତ୍ମହତ୍ୟା କଲେ । ଅଦାଲତ ଓ ସରକାରଙ୍କ ହସ୍ତକ୍ଷେପରେ ଯେ ଏଭଳି ଦୁଃଖଦ ଘଟଣାର ଅନ୍ତ ହୋଇଯିବ, ଏହାର କୌଣସି ସମ୍ଭାବନା ପରିଲକ୍ଷିତ ହୁଏନାହିଁ । ସରକାର ତାଙ୍କର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଦେବେ ଯେ ଛାତ୍ରଛାତ୍ରୀମାନେ ଡାକ୍ତର ଓ ଇଞ୍ଜିନିୟରିଂ ପାଠ ପାଇଁ କଠିଣ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅତ୍ୟଧିକ ମାନସିକ ଚାପର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି । ତା’ପରେ କୋଚିଂ ସେଣ୍ଟର ଏବଂ ହଷ୍ଟେଲ ପରିଚାଳକମାନଙ୍କୁ କେତେକ ନିର୍ଦ୍ଦେଶାବଳୀ ଜାରି କରିଦେବେ ।
ପ୍ରଶ୍ନ ଉଠେ, ଏତିକିରେ ଏହି ସମସ୍ୟାର କ’ଣ ସମାଧାନ ହୋଇଯିବ? ଭବିଷ୍ୟତରେ ସବୁଦିନ ପାଇଁ ଏଭଳି ଦୁଃଖଦ ଘଟଣାର ଅନ୍ତ ଘଟିବ? ଏହାର ଉତ୍ତର ସ୍ପଷ୍ଟରୂପେ ହେବ- କଦାପି ନୁହେଁ, କାରଣ କର୍କଟ ଭଳି ରୋଗର ପ୍ରତିକାର ଯନ୍ତ୍ରଣା ଉପଶମ ଔଷଧ ଦ୍ୱାରା କଦାପି କରାଯାଇନପାରେ । ଗୋଟିଏ ରୋଗର ସଠିକ୍ ନିଦାନ କରି ସଠିକ୍ ଔଷଧ ମାଧ୍ୟମରେ ଏହାର ଚିକିତ୍ସା ନକଲେ ରୋଗର ନିବାରଣ ସମ୍ଭବ ନୁହଁ । ଆଜିର ଯୁବପିଢ଼ି, ମୁଖ୍ୟତଃ ଡାକ୍ତର-ଇଞ୍ଜିନିୟର ହେବାପାଇଁ ବା ଉଚ୍ଚ ସରକାରୀ ପଦପଦବି ଲାଭ ପାଇଁ ବ୍ୟାକୁଳ ହେଉଥିବା ଯୁବ ଛାତ୍ରଛାତ୍ରୀ ଅତ୍ୟଧିକ ନୈରାଶ୍ୟର ଶିକାର ହୋଇ ନିଜ ଜୀବନର ଅନ୍ତ କରିବାଭଳି ଯେଉଁ ଭୟଙ୍କର ନିଷ୍ପତ୍ତି ନେଉଛନ୍ତି ତାର କାରଣ କ'ଣ? ଡାକ୍ତର ଓ ଇଞ୍ଜିନିୟର ନହେଲେ ବା ଏଭଳି ଉଚ୍ଚ ପଦ ହାସଲ ନକଲେ ସେମାନଙ୍କର ଜୀବନ ବ୍ୟର୍ଥ ହୋଇଗଲା- ଏହି ବଦ୍ଧଧାରଣା ସେମାନଙ୍କ ମନରେ କିଏ ସୃଷ୍ଟି କରୁଛି?
କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯଦି ପ୍ରଶ୍ନ କରାଯାଏ- ତୁମର ଜୀବନର ଲକ୍ଷ୍ୟ କ’ଣ? ସେମାନେ ନିଦ୍ୱର୍ନ୍ଦ୍ୱରେ ଉତ୍ତର ଦିଅନ୍ତି- ଡାକ୍ତର ହେବି, ଇଞ୍ଜିନିୟର ହେବି, ପ୍ରଶାସକ ହେବି, ବ୍ୟାଙ୍କ ଅଫିସର ହେବି, ପ୍ରାଇଭେଟ କମ୍ପାନୀରେ କାମ କରିବି ଇତ୍ୟାଦି । ଏଭଳି ଉଦ୍ଦେଶ୍ୟ ରଖି ହିଁ ସେମାନେ ଶିକ୍ଷାଲାଭ କରିଥାନ୍ତି । ସେମାନଙ୍କର ପିତା-ମାତା, ଶିକ୍ଷକ-ଶିକ୍ଷୟିତ୍ରୀ, ଗୁରୁଜନବୃନ୍ଦ ଏବଂ ବାହ୍ୟ ପରିବେଶ ମଧ୍ୟ ସେମାନଙ୍କୁ ଏଭଳି ଉଚ୍ଚ ଲକ୍ଷ୍ୟ ରଖିଥିବାରୁ ପ୍ରଶଂସା କରିଥାନ୍ତି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଉପଦେଶ ଦିଅନ୍ତି, ଏଭଳିକି ସାହାଯ୍ୟ-ସହଯୋଗ ମଧ୍ୟ କରନ୍ତି । ପରିଣାମତଃ କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ବଦ୍ଧଧାରଣା ସୃଷ୍ଟିହୁଏ ଯେ, କେବଳ ଶିକ୍ଷାର ନୁହେଁ, ଜୀବନର ଉଦ୍ଦେଶ୍ୟ ହିଁ ଏଭଳି ଲକ୍ଷ୍ୟ ହାସଲରେ ସଫଳ ହେବା । ଏହି ଲକ୍ଷ୍ୟ ହାସଲ ନକଲେ ଜୀବନ ବ୍ୟର୍ଥ, ମୂଲ୍ୟହୀନ ହୋଇଯିବ । ତେଣୁ ସେମାନେ ଯେତେବେଳେ ହୃଦୟଙ୍ଗମ କରନ୍ତି ଯେ, ସେହି ଲକ୍ଷ୍ୟ ହାସଲ କରିବା ପାଇଁ ସେମାନେ ଅକ୍ଷମ, ସେତେବେଳେ ଜୀବନ ତ୍ୟାଗ ଭଳି ନିଷ୍ପତ୍ତି ସେମାନଙ୍କୁ ଉଦ୍ଭଟ ମନେ ହୁଏନାହିଁ ।
ବାସ୍ତବିକତା ଏହା ଯେ ଡାକ୍ତର, ଇଞ୍ଜିନିୟର, ଅଫିସର ଇତ୍ୟାଦି ଜୀବନ ନୁହେଁ, କେବଳ ଜୀବିକା ମାତ୍ର । ଏଭଳି ପଦ ଧାରଣ କରି ଜଣେ ବ୍ୟକ୍ତି କେବଳ ସମାଜରେ ଏକ ପରିଚୟ ସୃଷ୍ଟି କରିଥାଏ ଏବଂ ପରିବାରର ଭରଣପୋଷଣ ପାଇଁ ଯଥେଷ୍ଟ ଅର୍ଥ ଉପାର୍ଜନ କରିଥାଏ । ଏହାଦ୍ୱାରା ସେ ହୁଏତ ଅମାପ ସଂପତ୍ତି ଉପାର୍ଜନ କରିପାରେ, ବିରାଟ ଅଟ୍ଟାଳିକା ନିର୍ମାଣ କରିପାରେ, ମୂଲ୍ୟବାନ ଯାନବାହନ ଓ ସାମଗ୍ରୀ କିଣିପାରେ, ବିଦେଶ ଭ୍ରମଣ କରିପାରେ ଏବଂ ଅନେକ ଭୌତିକ ସୁଖ ହାସଲ କରିପାରେ । କିନ୍ତୁ ଏହି ଅର୍ଥବଳରେ ସେ କ’ଣ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ସତ୍ ଚରିତ୍ର, ସ୍ନେହ, ମମତା, ବନ୍ଧୁତା, ସମ୍ମାନ, ମର୍ଯ୍ୟାଦା, ସୁଖୀ ପରିବାର, ଶାନ୍ତ ବାତାବରଣ ଇତ୍ୟାଦିଙ୍କୁ କ୍ରୟ କରିପାରିବ? କଦାପି ନୁହେଁ, କାରଣ ଏସବୁ କୌଣସି ପଣ୍ୟ ସାମଗ୍ରୀ ନୁହେଁ ଯାହାକୁ କୌଣସି ଆର୍ଥିକ ମୂଲ୍ୟ ମାଧ୍ୟମରେ କ୍ରୟ କରାଯାଇପାରେ । ଏହିସବୁ ଗୁଣାବଳୀକୁ ନିଜର ଅନ୍ତଃକରଣରେ ଦୀର୍ଘକାଳୀନ, ସତତ ପ୍ରୟାସ, ପରିଶ୍ରମ ଓ ପୁରୁଷାର୍ଥ ମାଧ୍ୟମରେ ହିଁ କରାଯାଇପାରେ ।
ଜୀବିକା, ଜୀବନ ନୁହେଁ । ଏହା ଜୀବନର ଏକ ଅଙ୍ଗ, ଠିକ୍ ଯେଭଳି ହାତ, ଗୋଡ଼, ଆଖି, ନାକ ଇତ୍ୟାଦି ଶରୀରର ଗୋଟିଏ ଗୋଟିଏ ଅଙ୍ଗ। କୌଣସି ଗୋଟିଏ ଅଙ୍ଗକୁ ଶରୀର ଭାବିବା ଯେଭଳି ଭୁଲ୍, ଠିକ୍ ସେଭଳି ଜୀବିକାକୁ ଜୀବନ ଭାବିବା ସଂପୂର୍ଣ୍ଣ ଭୁଲ୍ । ଏହି ଭୁଲ୍ ଧାରଣାର ବଶବର୍ତ୍ତୀ ହୋଇ ଆମେ ଆହୁରି ଅନେକ ଭୁଲ୍ କରୁ । କେବଳ ଗୋଟିଏ ବିଷୟ ବା ଦିଗରେ ସାରା ଜୀବନ ଭ୍ରମିତ ଓ ମୋହିତ ହୋଇ ଆମେ ଜୀବନର ଆହୁରି ଅନେକ ମୂଲ୍ୟବାନ ଦିଗକୁ ସଂପୂର୍ଣ୍ଣ ଅବହେଳା କରିଦେଉ । ପରିଣାମତଃ, ଜୀବନର ବାସ୍ତବ ଉଦ୍ଦେଶ୍ୟରୁ ଆମେ ଦୂରେଇଯାଇ ପରବର୍ତ୍ତୀ କାଳରେ ଯନ୍ତ୍ରଣାଦାୟକ, ନୈରାଶ୍ୟପୂର୍ଣ୍ଣ ଜୀବନ ଯାପନ କରିଥାଉ ।
ମାନବ ଜୀବନ ଈଶ୍ୱରଙ୍କ ଶେଷ୍ଠ ଆଶୀର୍ବାଦ । ଲକ୍ଷ ଲକ୍ଷ ପ୍ରାଣୀଙ୍କ ମଧ୍ୟରୁ କେବଳ ମନୁଷ୍ୟକୁ ସ୍ରଷ୍ଟା, ବୁଦ୍ଧି ଓ ବିବେକ ପ୍ରଦାନ କରିଛନ୍ତି ଯାହାର ସଦୁପଯୋଗ ମାଧ୍ୟମରେ ସେ ନିଜର ସଂପୂର୍ଣ୍ଣ ଉନ୍ନତି କରି ନିଜର, ନିଜ ପରିବାର, ସମାଜ, ଦେଶ ଓ ବିଶ୍ୱର କଲ୍ୟାଣ ସାଧନ କରିପାରିବ । ନିଜର ଦୈହିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ମାଧ୍ୟମରେ ସେ ନିଜକୁ ମହାମାନବ ବା ଦିବ୍ୟପୁରୁଷରେ ପରିଣତ କରିପାରିବ । ବ୍ୟକ୍ତି ଜଣେ ସନ୍ତାନ, ପିତା-ମାତା, ବନ୍ଧୁ, ପତି-ପତ୍ନୀ, ନାଗରିକ ତଥା ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ରୂପେ ନିଜର ଭୂମିକା ଓ ଦାୟିତ୍ୱ ନିର୍ବାହ କରିଥାଏ । କିନ୍ତୁ ଦୁଃଖର କଥା, ନା ଆମର ଶିକ୍ଷାପଦ୍ଧତି, ନା ଆମର ପରିବାର, ନା ଆମର ସମାଜ ଏ ବିଷୟରେ ଆମକୁ ସଚେତନ କରାଇଥାନ୍ତି । ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଆମେ ଗଣିତ, ବିଜ୍ଞାନ, ସାହିତ୍ୟ, ଭୂଗୋଳ, ଇତିହାସ ଇତ୍ୟାଦି ବିଷୟରେ ତ ଜ୍ଞାନଲାଭ କରୁ । କିନ୍ତୁ ମାନବ ଜୀବନର ବାସ୍ତବ ତଥା ମହାନ ଉଦ୍ଦେଶ୍ୟ ସଂପର୍କରେ ବା ଜୀବନ ଯାପନର ସଠିକ୍ କଳା ବିଷୟରେ କୌଣସି ଶିକ୍ଷାଲାଭ କରିନଥାଉ ।
ମଣିଷ ଜୀବନର ମହାନ ତଥା ପୂର୍ଣ୍ଣ ଉଦ୍ଦେଶ୍ୟ ସଂପର୍କରେ କେବଳ ଭାରତୀୟ ସନାତନ, ବୈଦିକ ସଂସ୍କୃତି ଓ ପରମ୍ପରା ସଠିକ୍ ମାର୍ଗ ପ୍ରଦର୍ଶିତ କରିଥାଏ । ପଶ୍ଚିମୀ, ଭୌତିକ, ଭୋଗବାଦୀ ତଥା ଅର୍ଥସର୍ବସ୍ୱ ସଭ୍ୟତା ଓ ସଂସ୍କୃତ କେବଳ ଭୌତିକ ସୁଖ-ସମୃଦ୍ଧି ବିଷୟରେ ଶିକ୍ଷା ଓ ସଚେତନତା ପ୍ରଦାନ କରିଥାଏ । ସନାତନ ସଂସ୍କୃତି ହିଁ କେବଳ ମାନବର ସଂପୂର୍ଣ୍ଣ ଉନ୍ନତିର ମାର୍ଗ ପ୍ରଦର୍ଶନ କରିଥାଏ । ମାନବ ଜୀବନର ଚାରିଟି ପ୍ରମୁଖ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ ଲାଭ । ଏହାକୁ ପୁରୁଷାର୍ଥ ଚତୁଷ୍ଟୟ କୁହାଯାଏ । ଧର୍ମର ଅର୍ଥ ହେଲା- ଯାହା ଧରଣ କରେ ବା ଯାହା ପ୍ରାଣୀ ବା ବସ୍ତୁର ମୂଳ ସ୍ୱରୂପ ବା ସ୍ୱଭାବ । ମାନବର ଧର୍ମ ହେଲା ସତ୍ୟ, ନ୍ୟାୟ, ସ୍ନେହ, ପ୍ରେମ, କରୁଣା, ଦୟା, ଅହିଂସା, ଅପରିଗ୍ରହ, ଆତ୍ମ-ସମ, ଭ୍ରାତୃଭାବ ଇତ୍ୟାଦି ଗୁଣାବଳୀ ମାଧ୍ୟମରେ ନିଜର କର୍ତ୍ତବ୍ୟକର୍ମ ନିଷ୍ଠାପର ରୂପେ ଉଭୟ ସ୍ୱାର୍ଥ ଓ ପରମାର୍ଥ ପାଇଁ ସଂପାଦନ କରି ନିଜର ତଥା ସମାଜ, ଦେଶ ଓ ମାନବ ଜାତିର କଲ୍ୟାଣ କରିବା । ଅର୍ଥ ଓ କାମ ହେଲା ଭୌତିକ ସଂପତ୍ତି ଓ ସୁଖ ଯାହାକୁ କେବଳ ଧର୍ମ ମାର୍ଗର ଉପାର୍ଜନ ଓ ସେବନ କରିବା ଉଚିତ୍ । ଜୀବନର ପରିଶେଷ ଲକ୍ଷ୍ୟ ହେଲା ଧାର୍ମିକ, ଆଧ୍ୟାତ୍ମିକ, ସତ୍, ସାଧୁ ଓ ସଂଯମୀ ଜୀବନଯାପନ ମାଧ୍ୟମରେ ଈଶ୍ୱର ଉପଲବଧି କରି ମୋକ୍ଷପ୍ରାପ୍ତି ବା ପରମାତ୍ମାଙ୍କ ଠାରେ ବିଲୀନ ହୋଇ ଏହି ଜନ୍ମ-ମୃତ୍ୟୁ ରୂପକ କାଳଚକ୍ରରୁ ଆତ୍ମାକୁ ଉଦ୍ଧାର କରିବା ।
ଭାରତୀୟ ସଂସ୍କୃତି ମାନବ ଜୀବନକୁ ଚାରୋଟି ପ୍ରମୁଖ ଆଶ୍ରମ ବା ଭାଗରେ ବିଭକ୍ତ କରିଥାଏ- ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ । ଏହାକୁ ଚତୁରାଶ୍ରମ ବ୍ୟବସ୍ଥା କୁହାଯାଏ । ମାନବ ଜୀବନର ଆୟୁକୁ ପ୍ରାୟ ଶହେବର୍ଷ ଧରାଯାଇଥିଲା । ତେଣୁ ରୁକ୍ ବେଦ ଶ୍ଳୋକ ମାଧ୍ୟମରେ ଜ୍ୟେଷ୍ଠମାନେ କନିଷ୍ଠମାନଙ୍କୁ ଆଶୀର୍ବଚନରେ କହନ୍ତି- "ଶତଂ ଜୀବ ଶରଦୋବର୍ଧମାନଃ, ଶତଂ ହେମନ୍ତଂ ଶତଂ ବସନ୍ତାନ୍’, ଅର୍ଥାତ୍- "ତୁମେ ଶତାୟୁ ହୁଅ ଏବଂ ଶହେଟି ଶରତ, ହେମନ୍ତ ଓ ବସନ୍ତ ଅତିକ୍ରମ କର । ପ୍ରତ୍ୟେକ ଆଶ୍ରମ ପାଇଁ ୨୫ବର୍ଷ ପ୍ରଦାନ କରାଯାଇଥିଲା । ବ୍ରହ୍ମଚର୍ଯ୍ୟ ଆଶ୍ରମରେ କଠୋର ସମତା ଓ ପରିଶ୍ରମ ମାଧ୍ୟମରେ ବିଦ୍ୟାଧ୍ୟୟନପୂର୍ବକ ଶରୀର-ମନ-ବୁଦ୍ଧିକୁ ପବିତ୍ର, ସଶକ୍ତ ଓ ତେଜମୟ କରି ଗଢ଼ାଯାଇଥିଲା । ଗୃହସ୍ଥାଶ୍ରମରେ ଧର୍ମାଚରଣ ଅନୁଯାୟୀ ବୈବାହିକ ବା ଦାମ୍ପତ୍ୟ ଜୀବନଯାପନ ତଥା ସନ୍ତାନଜାତ ମାଧ୍ୟମରେ ପିତାମାତାଙ୍କ କର୍ତ୍ତବ୍ୟ ପାଳନ ତଥା ସାମାଜିକ ରୀତିନୀତି ପାଳନ କରାଯାଇଥିଲା । ଏହି ସମୟରେ ସଠିକ୍ ଉପାୟରେ ଅର୍ଥ ଉପର୍ଜନ ଓ କାମ ସେବନ କରିବାର ବ୍ୟବସ୍ଥା ଥିଲା । ବାନପ୍ରସ୍ଥ ଆଶ୍ରମରେ ଅର୍ଥ-କାମ ଭୋଗରୁ ଦୂରେଇଯିବାର ଅଭ୍ୟାସ ମାଧ୍ୟମରେ ସମାଜର ନିଃସ୍ୱାର୍ଥପର ସେବାପାଇଁ ସମୟ ବିନିଯୋଗ କରାଯାଉଥିଲା । ଶେଷରେ ସନ୍ନ୍ୟାସ ଆଶ୍ରମରେ ସାଂସାରିକ ମୋହମାୟା ପରିତ୍ୟାଗପୂର୍ବକ ଆଧ୍ୟାତ୍ମିକତା ଓ ଈଶ୍ୱରୋପଲବଧି ଉପଲକ୍ଷେ ଏକ ତପସ୍ୱୀ ଜୀବନଯାପନର ବ୍ୟାବସ୍ଥା ଥିଲା ।
ବେଦ ସମଗ୍ର ମାନବ ଜାତିକୁ "ମନୁର୍ଭବଃ’ ବା "ମଣିଷ ହୁଅ’ର ଶ୍ରେଷ୍ଠ ପରାମର୍ଶ ଦିଅନ୍ତି ଓ "କୃଣ୍ୱନ୍ତୋ ବିଶ୍ୱଂ ଆର୍ଯ୍ୟମ୍’ ବା ସମଗ୍ର ମାନବଜାତିକୁ ଆର୍ଯ୍ୟରେ ପରିଣତ କରିବାର ମହତ୍ ଉଦ୍ଦେଶ୍ୟ ପ୍ରକାଶ କରନ୍ତି । ନିଜ ମଧ୍ୟରେ ସମସ୍ତ ମାନବୀୟ ସତ୍ଗୁଣର ସମାବେଶ କରି ତଥା ସଭ୍ୟ, ସୁସଂସ୍କୃତ ଜୀବନଯାପନ ମାଧ୍ୟମରେ ନିଜର ତଥା ସମାଜ, ଦେଶ ଓ ବିଶ୍ୱର କଲ୍ୟାଣ କରିବାପାଇଁ ଆମର ବେଦ- ଶାସ୍ତ୍ର-ପୁରାଣ ଉପଦେଶ ପ୍ରଦାନ କରନ୍ତି । ପରିବାର, ସମାଜ ତଥା ରାଷ୍ଟ୍ରରେ ଆମେ କିଭଳି ଏକ ଆଦର୍ଶ ଜୀବନଯାପନ କରିପାରିବା ତାହା "ରାମାୟଣ’ ଆମକୁ ଶିକ୍ଷା ପ୍ରଦାନ କରିଥାଏ । କେଉଁସବୁ ଭୁଲ୍, ଅପରାଧମୂଳକ କାର୍ଯ୍ୟକୁ ଆମେ ପରିହାର କରିବା ଉଚିତ୍, ସେ ବିଷୟରେ "ମହାଭାରତ’ ଆମକୁ ସଚେତନ କରିଥାଏ । ତେଣୁ ସମୟ ଆସିଛି ଆମର ପରିବାର ଓ ଶିକ୍ଷାବ୍ୟବସ୍ଥା ମାନବ ନିର୍ମାଣ ଉଦ୍ଦେଶ୍ୟରେ ନିଜର ଦାୟିତ୍ୱ ନିର୍ବାହ କରିବାପାଇଁ । ପରିବାରରେ ପିତାମାତା ନିଜର ସନ୍ତାନସନ୍ତତିଙ୍କୁ ମାନବ ଜୀବନର ମହାନତା ସଂପର୍କରେ ଶିକ୍ଷିତ ଓ ସଚେତନ କରାନ୍ତୁ । ଶିକ୍ଷାଲାଭର ଉଦ୍ଦେଶ୍ୟ ଜ୍ଞାନଲାଭ, ଚାକିରିଲାଭ ନୁହେଁ । ଊଭୟେ ମିଳିତ ଭାବରେ ଶିଶୁ, କିଶୋର ଓ ଯୁବବର୍ଗଙ୍କୁ ଜୀବନ ଓ ଜୀବିକା ମଧ୍ୟରେ ପ୍ରଭେଦ ସଂପର୍କରେ ମଧ୍ୟ ସଚେତନ କରାନ୍ତୁ।