ଭୁବନେଶ୍ୱର, ୨୭।୭: ପାଟିକୁ ସୁଆଦିଆ ଲାଗିବା ପାଇଁ ରୋଷେଇରେ ଆପଣ ଯେଉଁ ଲୁଣ ବ୍ୟବହାର କରୁଛନ୍ତି, ଏହା ଆପଣଙ୍କ ଜୀବନ ବି ନେଇପାରେ । ଏକଥା ଆମେ କହୁନୁ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHO । ଏହି ରିପୋର୍ଟ କୁହାଯାଇଛି ଯେ, ମଣିଷ ସ୍ୱାସ୍ଥ୍ୟ ପାଇଁ କାଳ ସାଜୁଛି ଲୁଣ । ଆଇସିଏମ୍ଆର୍ ଦ୍ୱାରା କରାଯାଇଥିବା ସମୀକ୍ଷା ଅନୁସାରେ, ଖାଦ୍ୟ ଥାଳିରେ ଅତିରିକ୍ତ ଲୁଣ ଡାକିଆଣୁଛି ନିଃଶବ୍ଦ ମହାମାରୀ ।
ଗାଁ ପଖାଳରୁ ନେଇ ସହରୀ ଖାଦ୍ୟ ପିଜ୍ଜା ଲୁଣ ବିନା ଏସବୁ ଖାଦ୍ୟର ସ୍ୱାଦ ଫିକା । ଖାଦ୍ୟରେ ଯେତେ ପ୍ରକାରର ତେଲ ମସଲା ଥାଉ ନା କାହିଁକି ଲୁଣର ଅନୁପାତ ସାମାନ୍ୟ ଏପଟ ସେପଟ ହେଲେ ସଂପୂର୍ଣ୍ଣ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ । ଆମ ଶରୀର ପାଇଁ ଅନ୍ୟାନ୍ୟ ଭିଟାମିନ ଓ ଖଣିଜ ପଦାର୍ଥ ପରି ଲୁଣ ମଧ୍ୟ ବେଶ୍ ଜରୁରୀ । କିନ୍ତୁ, ଅତ୍ୟଧିକ ଲୁଣ ଖାଇବା କାରଣରୁ ସଂପ୍ରତି ସୃଷ୍ଟି ହେଉଛି ଏକ ବିପତ୍ତି । ଭାରତୀୟମାନେ ଅଧିକ ଲୁଣ ଖାଇ ବିପଦ ଡାକିଆଣୁଛନ୍ତି ! ଏନେଇ ରିପୋର୍ଟ ଦେଇଛି ‘ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ’ ବା ICMR । ICMR ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲଜିର ବୈଜ୍ଞାନିକମାନେ ଜଣାଇଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ନିର୍ଦ୍ଧାରିତ ମାନ ତୁଳନାରେ ଅଧିକାଂଶ ଭାରତୀୟ ପ୍ରତିଦିନ ଅଧିକ ଲୁଣ ଖାଆନ୍ତି । ଏଥିସହ ଲୁଣ ପ୍ରିୟ ଲୋକମାନଙ୍କ ପାଇଁ ବିକଳ୍ପ ଅଭ୍ୟାସ ତିଆରି କରିବାର ପରାମର୍ଶ ଦେଇଛନ୍ତି ICMRର ବିଶେଷଜ୍ଞମାନେ । ICMRର ରିପୋର୍ଟରେ କୁହାଯାଇଛି ଯେ, ଦୀର୍ଘଦିନ ଧରି ଅତିରିକ୍ତ ଲୁଣ ଖାଇଲେ ହାଇପରଟେନସନ୍, ହୃଦ୍ରୋଗ ବୃଦ୍ଧି ପାଇବାର ଆଶଙ୍କା ଖୁବ୍ ଅଧିକ । ଏପରିକି ଏକା ସାଙ୍ଗରେ କିଡ୍ନି ଏବଂ ମସ୍ତିଷ୍କରେ ରକ୍ତକ୍ଷରଣ ସମସ୍ୟା ମଧ୍ୟ ଦେଖାଦେଇପାରେ ।
ଦୈନିକ ୫ ଗ୍ରାମ୍ର ଲୁଣ ଖାଇବାକୁ ପରାମର୍ଶ ଦେଇଥାଏ WHO । ମାତ୍ର ମିଳିଥିବା ରିପୋର୍ଟ ଅନୁସାରେ, ସହରୀ ଭାରତୀୟମାନେ ପ୍ରତିଦିନ ହାରାହାରି ୯.୨ଗ୍ରାମ୍ ଲୁଣ ଖାଇଥାଆନ୍ତି । ଯେଉଁଠାରେ ଗ୍ରାମୀଣ ଭାରତୀୟମାନେ ଦିନକୁ ୫.୬ ଗ୍ରାମ୍ ଲୁଣ ଖାଆନ୍ତି । ସହରବାସୀ ପ୍ରାୟତଃ ଫାଷ୍ଟଫୁଡ୍ ଓ ପ୍ୟାକେଜ୍ ଖାଦ୍ୟ ଉପରେ ଅଧିକ ନିର୍ଭରଶୀଳ । ଅଧିକ ଦିନ ସଂରକ୍ଷଣ ଓ ସ୍ୱାଦ ବଢ଼ାଇବା ପାଇଁ ଏହି ଖାଦ୍ୟ ଗୁଡ଼ିକରେ ଅଧିକ ପରିମାଣର ଲୁଣର ବ୍ୟବହାର କରାଯାଇଥାଏ । ତେଣୁ ଏହି ଖାଦ୍ୟଗୁଡ଼ିକରେ ଅଧିକ ପରିମାଣର ସୋଡିୟମ୍ ରହିଥାଏ । ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ପ୍ରାୟତଃ ବାହାରେ ଖାଇବା ଯୋଗୁଁ ସହରୀ ଭାରତୀୟ ଅଜାଣତରେ ଅଧିକ ଲୁଣ ଖାଇଥାନ୍ତି । ଫ୍ରେଞ୍ଚ ଫ୍ରାଇଜ୍, ବର୍ଗର୍, ପିଜ୍ଜା, ବିଭିନ୍ନ ପ୍ରକାରର ଚିପ୍ସ ଓ କୁର୍କୁରେ ଚିଲିଫ୍ଲେକ୍ସ ସହ ଅଧିକ ଲୁଣର ବ୍ୟବହାର ମଧ୍ୟ କରାଯାଇଥାଏ । ସ୍ୱାଦ ପାଇଁ ରୋଷେୟାମାନେ ମଧ୍ୟ ଖାଦ୍ୟରେ ଅତ୍ୟଧିକ ପରିମାଣର ଲୁଣ ବ୍ୟବହାର କରିଥାନ୍ତି । ଏହାବ୍ୟତୀତ ଅନ୍ୟ ଏକ ଅନୁସନ୍ଧାନରୁ ସ୍ପଷ୍ଟ ଭାବରେ ଜଣାପଡ଼ିଛି ଯେ, ଗ୍ରାମୀଣ ଭାରତୀୟଙ୍କ ଅପେକ୍ଷା ସହରୀ ଭାରତୀୟଙ୍କୁ ଲୁଣିଆ ଓ ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ପସନ୍ଦ ।
ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ର ତଥ୍ୟ ଅନୁସାରେ, ଲୁଣ ଖାଇବା ପ୍ରତି ଆଗ୍ରହର ଏକ ବଡ଼ କାରଣ ହେଉଛି ହରମୋନ ଅସନ୍ତୁଳନ । ଆଲ୍ଡୋଷ୍ଟେରନ୍ ନାମକ ଏକ ହରମୋନ ରହିଛି, ଯାହାର ସନ୍ତୁଳନ ବିଗିଡ଼ିଗଲେ ଲୁଣ ଖାଇବାର ଇଚ୍ଛା ଅଧିକ ହୁଏ । ଏହି ହରମୋନର ସନ୍ତୁଳନ ବିଗିଡ଼ିଗଲେ ରକ୍ତଚାପ ବୃଦ୍ଧି ପାଏ, ଶରୀରରେ ପୋଟାସିୟମ୍ର ମାତ୍ରା ମଧ୍ୟ ବୃଦ୍ଧି ପାଏ, କିଡ୍ନି ସମସ୍ୟା ମଧ୍ୟ ଦେଖାଦେଇପାରେ । ତେବେ ହରମୋନ ଭାରସାମ୍ୟ ବିଗିଡ଼ିବାରେ ଅନ୍ୟ କାରଣ ମଧ୍ୟ ରହିଛି । ଯେମିତିକି ଅନିଦ୍ରା ସମସ୍ୟା ଥିଲେ ‘ସଲ୍ଟ କ୍ରେଭିଂ’ ବୃଦ୍ଧି ପାଇପାରେ । ଯେଉଁମାନଙ୍କ ଶରୀରରୁ ଅତ୍ୟଧିକ ଝାଳ ନିର୍ଗତ ହୁଏ, ସେମାନଙ୍କର ଲୁଣିଆ ଖାଦ୍ୟ ପ୍ରତି ଆକର୍ଷଣ ଅଧିକ ଥାଏ । ମାନସିକ ଚାପ ବା ଉଦ୍ବେଗରୁ ମଧ୍ୟ ଲୁଣିଆ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ଗୋଟିଏ ପଟେ ସାଧାରଣ ଲୁଣ ଖାଇବା ଉପରେ ବିଶେଷଜ୍ଞ ଅଙ୍କୁଶ ଲଗାଇଥିବା ବେଳେ ଅନ୍ୟପକ୍ଷେ ହିମାଲୟାନ ପିଙ୍କ ସଲ୍ଟ, ସେଲ୍ଟିକ୍ ସଲ୍ଟ ଆଦିର ବ୍ୟବହାର ବଢ଼ିବାରେ ଲାଗିଛି । କିନ୍ତୁ ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ପ୍ରକାରର ଫ୍ୟାନ୍ସି ଲୁଣର ବ୍ୟବହାରକୁ ନେଇ ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଚିନ୍ତା ପ୍ରକଟ କରିଛନ୍ତି । ଗୋଟେ ଚାମଚ ସାଧାରଣ ଲୁଣ ତୁଳନାରେ ଗୋଟେ ଚାମଚ ଫ୍ୟାନ୍ସି ସଲ୍ଟରେ ଅଧିକ ସୋଡିୟମ୍ ଥାଏ । ଅଧିକ ପରିମାଣର ସୋଡିୟମ୍ ହୃଦରୋଗ, ଷ୍ଟ୍ରୋକ୍ ଭଳି ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ାଇଥାଏ ।
ଲୁଣ ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଜାରି କରିଛି WHO । ଏହି ମାର୍ଗଦର୍ଶିକା ଅନୁସାରେ, ଦୈନିକ ଶରୀରକୁ ଯାଉଥିବା ସୋଡିୟମର ପରିମାଣ ୨ ଗ୍ରାମ୍ରୁ ବି କମ୍ ରହିବା ଦରକାର । ସାଧାରଣ ଲୁଣର ୫ଗ୍ରାମ୍ରେ ଥାଏ, ୨ ଗ୍ରାମ୍ ସୋଡିୟମ । WHO ବିଶେଷଜ୍ଞମାନେ ସାରା ବିଶ୍ୱରେ ହେଉଥିବା ଲୁଣ ସମ୍ବନ୍ଧୀୟ ୨୬ଟି ଗବେଷଣା ଏବଂ ସମୀକ୍ଷାର ତଥ୍ୟ ବିଶ୍ଳେଷଣ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଗବେଷଣା ଭାରତରେ ହୋଇଛି । ସେହି ସମସ୍ତ ଗବେଷଣାରେ ସାମିଲ ଥିଲେ ୩୫ ହଜାର ଲୋକ । ସେମାନଙ୍କ ଉପରେ ୨ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥିଲା । ଗବେଷଣା ଅନୁସାରେ, ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ ଯେ, ସାଧାରଣ ଲୁଣ ଖାଇବାର ଅଭ୍ୟାସ ବଦଳିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣକୁ ଆସିପାରୁଛି । ମାରାତ୍ମକ ସ୍ତରକୁ ଯାଇନଥିବା ଷ୍ଟ୍ରୋକ୍ର ଆଶଙ୍କା ୧୦ ପ୍ରତିଶତ କମିଛି । ହୃଦ୍ରୋଗରେ ମୃତ୍ୟୁହାର ସଂଖ୍ୟା ମଧ୍ୟ ୨୩ ପ୍ରତିଶତ କମିଛି ।