ନୂଆଦିଲ୍ଲୀ: ଋଷର କାମଚଟକାରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରେକର୍ଡ କରାଯାଇଛି । ଏହି ବନାଶକାରୀ ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗର ଭିତରେ ରହିଛି । ସମୁଦ୍ର ତଳରୁ ମାତ୍ର ୧୯ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ପରେ ସମୁଦ୍ରରେ ଉଚ୍ଚ ଜୁଆରମାନ ସୃଷ୍ଟି ହୋଇଛି । ସମୁଦ୍ର ଉପକୂଳବର୍ତ୍ତୀ ଦେଶ ଋଷ୍, ଜାପାନ, ଆମେରିକା, ନ୍ୟୁଜିଲାଣ୍ଡ ଭଳି ଦେଶକୁ ସୁନାମୀ ପ୍ରଭାବିତ କରିଛି । ସୁନାମୀ ଯୋଗୁ ଜାପାନ ବିଶେଷ ଭାବେ ପ୍ରଭାବିତ ହୋଇଛି । ଜାପାନ ମୌସୁମୀ ବିଭାଗ ଅନୁଯାୟୀ, ସମୁଦ୍ରରେ ୬୦ ସେଣ୍ଟିମିଟର ବା ଦୁଇ ଫୁଟ୍ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଜାପାନର ହୋକାଇଡୋର ପୂର୍ବତଟର ନେମୁରୋ ପର୍ଯ୍ୟନ୍ତ ସୁନାମୀ ଜୁଆର ପହଞ୍ଚିଛି । ପ୍ରଶାନ୍ତ ମହାସାଗରରେ ଆସିଥିବା ସୁନାମୀରେ ଜାପାନର ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।
ପରମାଣୁ ପ୍ଲାଣ୍ଟ ପର୍ଯ୍ୟନ୍ତ ସୁନାମୀ ଆସିଛି:
ଜାପାନର ପ୍ରଶାନ୍ତ ମହାସାଗର ତଟରେ ସୁନାମୀ ମାଡ଼ ହୋଇଛି । ଏହାଛଡ଼ା ଉତ୍ତର ହକ୍କାଇଡୋରୁ ନେଇ ଦକ୍ଷିଣ ଓ୍ବାକାୟାମା ପ୍ରାନ୍ତ ପର୍ଯ୍ୟନ୍ତ ଘରଗୁଡ଼ିକୁ ଖାଲି କରାଯାଇଛି । ଜାପାନର ପାଣିପାଗ ବିଭାଗ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ସୁନାମୀ ଜୁଆର ୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠୁଛି । ତେଣୁ ଏହା ଜନବସତି ଆଡ଼କୁ ମାଡ଼ି ଆସିବ ବୋଲି ଆଶଙ୍କା କରାଯାଉଛି । ଏହାଛଡ଼ା ସମୁଦ୍ର ଜୁଆର ଜାପାନର କେଫୁକୁଶିମା ନ୍ୟୁକ୍ଲିୟର ପ୍ଲାଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ସୁମାନୀ ବିପଦ ଦେଖି ପୂର୍ବରୁ କର୍ମଚାରୀ ମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ୨୦୧୧ରେ ଆସିଥିବା ୯.୦ ତୀବ୍ରତା ବିଶିଷ୍ଟ ସୁନାମୀ ଫୁକୁଶିମା ଦାଇଚ୍ ପ୍ଲାଣ୍ଟକୁ ବିଶେଷ ଭାବେ କ୍ଷତି ପହଞ୍ଚାଇଥିଲା ।
ସୁନାମୀ ସଂକଟରୁ ବାହାରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶାବା ଲଗାତାର ଅଧିକାରୀମାନଙ୍କ ସଂପର୍କରେ ରହିଛନ୍ତି । ଜରୁରୀସେବାରେ ନିୟୋଜିତ ହୋଇଥିବା ଟିମ୍ ଆଲର୍ଟରେ ରହିଛନ୍ତି । କୌଣସି ପରିସ୍ଥିତିରେ ଲୋକଙ୍କ ଜୀବନକୁ ପ୍ରଥମ ପ୍ରାଥମିକତା ପ୍ରଥମେ ଦିଆଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ।