ପୁରୀ,୦୪/୧୨: ନାବାଳିକାକୁ ଦୁଷ୍କର୍ମ କରି ବନ୍ଧାହେଲେ ଜଣେ ଜେଲ୍ ଫେରନ୍ତା ବାବାଜୀ । ଅଭିଯୁକ୍ତ ବାବାଜୀ ଜଣକ ବଳିଆପଣ୍ଡା ଥାନା ଅଧୀନ ରାଘବମହାରାଜ୍ ଲେନ୍ର ଅଭୟ ଦାସ (୫୦) । ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ତାକୁ ଗିରଫ କରିଛି । ରବିବାର ତାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି ।
ଅଭିଯୋଗ ହୋଇଛି ଯେ, ୧୭ ବର୍ଷିୟା ନାବାଳିକାକୁ ଅଭୟ ଭୟଭୀତ କରାଇଥିଲା । ଶାରୀରୀକ ସମ୍ପର୍କ ନରଖିଲେ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ୫୦ ବର୍ଷିୟ ବାବାଜୀ ଜଣକ ନାବାଳିକାକୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ନାବାଳିକା ଏବେ ୯ ମାସର ଗର୍ଭବତୀ । ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ କେହି ଜାଣି ପାରିନଥିଲେ । ଜଣାପଡ଼ିବା ପରେ ଏନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଦଫା ୩୭୬, ୫୦୬ ଆଇପିସି ଓ ୬ ପୋକ୍ସୋ ଆକ୍ଟ ବଳରେ ମାମଲା (୧୮୬/୨୬) ରୁଜୁ କରିଥିଲା । ପୂର୍ବରୁ ଅଭୟ ଜଣେ ବ୍ୟକ୍ତିଙ୍କୁ ଗରମ ତେଲ ଫିଙ୍ଗି ହତ୍ୟା ଉଦ୍ୟମ କରିଥିବା ପୁଲିସ କହିଛି । ଏହି ମାମଲାରେ ସେ ଜେଲ୍ ଯାଇ ଜାମିନ୍ରେ ଫେରିଥିଲା ବୋଲି କହିଛନ୍ତି ଆଇଆଇସି ସସ୍ମିତା ବେହେରା ।