ପୁରୀ, ୧୮/୦୩: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିମନ୍ତେ ଆବଶ୍ୟକ ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ସିପସରୁବାଲି ଓ ଷଣ୍ଢପୁର ମୌଜା ଅଞ୍ଚଳବାସୀଙ୍କ ଆପତ୍ତି, ଅଭିଯୋଗ ପ୍ରଭୃତି ଶୁଣିବା ନିମନ୍ତେ ପ୍ରଶାସନ ସ୍ଥିର କରିଥିବା ଜନଶୁଣାଣି ସମୟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥାଗିତ ରଖାଯାଇଛି । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହୁଥିବାରୁ ଜନଶୁଣାଣି ଆୟୋଜନ କରାଯାଇପାରୁନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ପରବର୍ତ୍ତୀ ସମୟରେ ଜନଶୁଣାଣି ନିମନ୍ତେ ସମୟ ଧାର୍ଯ୍ୟ ହେଲେ ଲୋକଙ୍କୁ ଅବଗତ କରାଯିବ ବୋଲି ସୂଚନା ଦିଆଯାଇଛି ।
ସୂଚନାଥାଉକି, ସୁପସରୁବାଲି ମୌଜା ନିମନ୍ତେ ଆସନ୍ତା ୨୧ ତାରିଖ ଓ ଷଣ୍ଢପୁର ନିମନ୍ତେ ଆସନ୍ତା ୨୬ ତାରିଖରେ ଜନଶୁଣାଣି ନିମନ୍ତେ ସମୟ ଧାର୍ଯ୍ୟ ହୋଇଥିଲା । ଚଳିତ ମାସ ୬ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପ୍ରକଳ୍ପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଶିପସରୁବାଲି ଓ ଷଣ୍ଢପୁର ମୌଜାରୁ ୨୨୧.୮୯୧ ଏକର ଘରୋଇ ଜମି ଅଧିଗ୍ରହଣ ହେବାକୁ ଯୋଜନା ରହିଛି । ବିମାନବନ୍ଦର ପ୍ରକଳ୍ପ ନିମନ୍ତେ ପ୍ରାୟ ୧୧୬୪.୭୫୪ ଏକର ଜମି ଆବଶ୍ୟକ ଥିବା ବେଳେ ଏଥିମଧ୍ୟରେ ୨୨୧.୮୯୧ ଏକର ଘରୋଇ ଜମି ରହିଛି । ବାକି ୯୪୨.୮୬୩ ସରକାରୀ ଜମି ରହିଛି ବୋଲି ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ପ୍ରକଳ୍ପ ନିମନ୍ତେ ଧାରା ୧୬ ଅନୁଯାୟୀ ପୁନଃର୍ବାସ ଓ ଥଇଥାନ ପ୍ରାବଧାନ ତଥା ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ପ୍ରାବଧାନ ଅନୁଯାୟୀ ଜମି ଅଧିଗ୍ରହଣ ନିମନ୍ତେ ଏହି ଜନଶୁଣାଣି ହେବ ।
ପୁରୀରେ ଶ୍ରୀଜଗନ୍ନାଥ ବିମାନବନ୍ଦର ପିପିପି ମୋଡ୍ରେ ପ୍ରତିଷ୍ଠା ନିମନ୍ତେ ଇଡ୍କୋ ପକ୍ଷରୁ ଅନ୍ତର୍ଜାତୀୟସ୍ତରରେ ଟେଣ୍ଡର ଆହ୍ୱାନ କରାଯାଇଛି । ସମୁଦ୍ରକୂଳକୁ ଲାଗି ଏହି ବିମାନବନ୍ଦର ହେଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ହଜାର ୨୦୩ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୪.୬ ମିଲିୟନ ଯାତ୍ରୀ ଯାତାୟତ କରିପାରିବା ଭଳି ବିମାନବନ୍ଦର କରାଯିବ । ତିନୋଟି ପର୍ଯ୍ୟାୟରେ ପ୍ରାୟ ୫ ହଜାର ୬୩୧ କୋଟି ଟଙ୍କା ଖର୍ଚ୍ଚରେ ବିମାନବନ୍ଦର ବିକାଶ ଯୋଜନା ରହିଛି । ଏହା ପର୍ଯ୍ୟଟନ ଓ ସ୍ଥାନୀୟ ଆର୍ଥିକ ବିକାଶ କରିବାରେ ବେଶ ସହାୟକ ହେବ ବୋଲି ଆଶା ରହିଛି । ପରିବେଶ ଅନୁମତି ବିମାନବନ୍ଦର ଲାଗି ସବୁଠାରୁ ବଡ଼ ପ୍ରସଙ୍ଗ । କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ଗସ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି । ଡିଏଫ୍ଓ ବିବେକ କୁମାର କହିଛନ୍ତି, ଏହି ଟିମ୍ କେବେ ଆସିବେ ସ୍ପଷ୍ଟ ହୋଇନି । ତେବେ ଶୀଘ୍ର ଆସିବାର ସମ୍ଭାବନା ରହିଛି