ନୂଆଦିଲ୍ଲୀ, ୯।୦୨: ବର୍ତ୍ତମାନ ସାରା ବିଶ୍ୱରେ ହାଇଟେକ୍ ରୋଡ୍ ନିର୍ମାଣ କରୁଛନ୍ତି ସରକାର । ଯାହା ଯାତାୟତ ବ୍ୟବସ୍ଥାକୁ ସୁବିଧା ଓ ସହଜ କରେ । ଅନ୍ୟପଟେ ବିଶ୍ୱରେ ଅନେକ ଦୁର୍ଗମ ସ୍ଥାନ ମଧ୍ୟ ରହିଛି, ଯେଉଁଠାକୁ ଯାତ୍ରା କରିବା ସବୁଠୁ କାଠିକର ପାଠ ଓ ଖୁବ୍ ବିପଦଜନକ । ଆଜି ଆମେ ଠିକ୍ ଏଭଳି ଏକ ବିପଦପୂର୍ଣ୍ଣ ରାସ୍ତା ବିଷୟରେ କହିବୁ ଯାହା ଦିନରେ ମାତ୍ର ୨ ଘଣ୍ଟା ପାଇଁ ଦୃଶ୍ୟମାନ ହୁଏ ଓ ପରେ ଉଭାନ୍ ହୋଇଯାଏ । ତେବେ ଏହି ରାସ୍ତାଟି କେଉଁଠାରେ ରହିଛି ଏବଂ ରାସ୍ତାଟିର ଏଭଳି ବିଶେଷତା ପଛରେ ରହସ୍ୟ କ’ଣ ଆସନ୍ତୁ ଜାଣିବା ।
ଏହି ରାସ୍ତାଟି ଫ୍ରାନ୍ସର ଆଟଲାଣ୍ଟିକ୍ କୋଷ୍ଟରେ ଅବସ୍ଥିତ । ଯାହା ଦିନରେ ମାତ୍ର, ୨ ଘଣ୍ଟା ପାଇଁ ନଜର ଆସେ । ଏହାର ନାଁ ‘ପ୍ୟାସେଜ୍ ଡୁ ଗୋଇସ୍’ । ସ୍ଥାନୀୟ ଭାଷାରେ ଗୋଇସ୍ର ଅର୍ଥ ଜୋତାକୁ ଓଦା କରି ରାସ୍ତା ପାର୍ ହେବା । ମେନଲାଣ୍ଡରୁ ନୋଇରମୋଟିୟର ଆଇଲାଣ୍ଡକୁ ଯୋଡ଼େ ଏହି ରାସ୍ତା । ଏହାର ଲମ୍ୱ ୪.୫ କିଲୋମିଟର । ତେବେ ଏହି ସଡ଼କ ଦିନରେ କେବଳ ୧ରୁ ୨ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାଏ । ଅଧିକ ଜୁଆର ମାଡ଼ିଆସିବା ଯୋଗୁଁ ରାସ୍ତା ଚାରିପାଖେ ଥିବା ପାଣିର ସ୍ତର ଧିରେ ଧିରେ ବଢ଼ିବାକୁ ଲାଗେ । ପରେ ରାସ୍ତା ଉପରେ ପାଣିର ସୁଅ ଛୁଟିଥାଏ ।
ଏହି ସଡ଼କଟି ପାଣିରେ ଘେରରେ ରହିଛି । ଏଠାରେ ବିପଦଜନକ ସ୍ଥିତିରେ ରାସ୍ତା ପାର୍ ହେବାକୁ ପଡ଼େ । ଯେଉଁଥିପାଇଁ ପ୍ରତିବର୍ଷ ଅନେକ ଲୋକ ଦୁର୍ଘଟଣାର ଶିକାର ହୁଅନ୍ତି । ରାସ୍ତା ଉପରେ ଏହି ପାଣିର ଗଭୀରତା ୧.୩ରୁ ୪ ମିଟର ଯାଏ ରହିଥାଏ । ପୂର୍ବରୁ ଏଠାକୁ ଲୋକେ କେବଳ ବୋର୍ଟ ମାଧ୍ୟମରେ ହିଁ ଆସୁଥିଲେ । ୧୮୪୦ ମସିହାରେ କାର୍ ଓ ଘୋଡ଼ା ସାହାଯ୍ୟରେ ଲୋକେ ଏହି ରାସ୍ତା ଦେଇ ଯାତାୟତ କରିବା ଆରମ୍ଭ କଲେ । ୧୯୮୬ ମସିହା ପରଠୁ ଏହି ରାସ୍ତା ଉପରେ ଏକ ସ୍ୱତନ୍ତ୍ର ଦୌଡ଼ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଏ । ୧୯୯୯ରେ ଏହି ସଡ଼କକୁ ଫ୍ରାନ୍ସର ଚର୍ଚ୍ଚିତ ସାଇକେଲ ‘ରେସ୍ ଟୁର୍ ଡି ଫ୍ରାନ୍ସ’ ଭାବେ ବ୍ୟବହାର କରାଯାଇଥିଲା ।