ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ

ଲଣ୍ଡନ,୨୩/୦୫: ବ୍ରିଟେନରେ ଆସନ୍ତା ଜୁଲାଇ ୪ରେ ସାଧାରଣ ନିର୍ବାଚନ ହେବ ।  ପ୍ରଧାନମନ୍ତ୍ରୀ ରିଷି ସୁନକ ବୁଧବାର ରାତିରେ ଏହି ଘୋଷଣା କରିଛନ୍ତି । ବ୍ରିଟେନରେ ଶୀଘ୍ର ନିର୍ବାଚନ ହୋଇପାରେ ବୋଲି ପୂର୍ବରୁ କଳ୍ପନାଜଳ୍ପନା ଲାଗି ରହିଥିଲା । ଆସନ୍ତା ସପ୍ତାହରେ ସଂସଦ ଭଙ୍ଗ କରାଯିବ । ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଶୀଘ୍ର ସୁନକ ଏ ନେଇ କିଙ୍ଗ୍‌ ଚାର୍ଲ୍ସଙ୍କୁ ଭେଟିବାକୁ ଯାଇପାରନ୍ତି । ବୁଧବାର ସୁନକ  କ୍ୟାବିନେଟ ବୈଠକ ଡକାଇବା ପରେ ଏହି ଚର୍ଚ୍ଚା  ଜୋର ଧରିଥିଲା । ପରେ ୪୪ ବର୍ଷୀୟ ସୁନକ  ଡାଉନିଂ ଷ୍ଟ୍ରିଟ୍‌ ଅଫିସ୍‌ ବାହାରକୁ ଆସି ନିର୍ବାଚନ  ତାରିଖ ଘୋଷଣା କରିଥିଲେ । ଏହ ଅବସରରେ  ସେ ବିରୋଧୀ ଲେବର ପାର୍ଟିକୁ ଟାର୍ଗେଟ କରିଥିଲେ ।  

ସୁନକ କହିଥିଲେ, ଲେବର ପାର୍ଟି ଦେଶର  ଅର୍ଥବ୍ୟବସ୍ଥାକୁ ବିପଦରେ ପକାଇଦେବ । ଶାସକ  କଞ୍ଜରଭେଟିଭ ପାର୍ଟି ଦେଶର ଭବିଷ୍ୟତ ସୁରକ୍ଷିତ  ରଖିବା ପାଇଁ ଉଦ୍ୟମ ଜାରି ରଖିଛି । ଦ୍ୱିତୀୟ  ବିଶ୍ୱଯୁଦ୍ଧ ପରଠାରୁ ଗତ ୫ ବର୍ଷ ଦେଶ ପାଇଁ ବେଶ  ଆହ୍ୱାନପୂର୍ଣ୍ଣ ଥିଲା । ଆଗାମୀ ଦିନରେ ଜନତାଙ୍କ  ପ୍ରତ୍ୟେକ ଭୋଟ ପାଇଁ ସଂଘର୍ଷ କରିବୁ । ଆମ  ପାଖରେ ଭବିଷ୍ୟତ ପାଇଁ ସ୍ପଷ୍ଟ ଯୋଜନା ରହିଛି ।  ତେବେ ପ୍ରାକ୍‌ ନିର୍ବାଚନ ଆକଳନ ଅନୁସାରେ ଏବେ  ବିରୋଧୀ ଲେବର ପାର୍ଟି ଶାସକ କଞ୍ଜରଭେଟିଭ  ପାର୍ଟିଠାରୁ ଅଧିକ ମଜଭୁତ ସ୍ଥିତିରେ ରହିଛି ।  

୨୦୨୨ ଅକ୍ଟୋବରରେ ସୁନକ ବ୍ରିଟେନର ସବୁଠୁ  ଯୁବ ପ୍ରଧାନମନ୍ତ୍ରୀ ହୋଇଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ  ହେବାରେ ସେ ପ୍ରଥମ ବ୍ରିଟିଶ-ଭାରତୀୟ ମଧ୍ୟ ।  ତାଙ୍କ ପୂର୍ବରୁ ଲିଜ୍‌ ଟ୍ରସ ପ୍ରଧାନମନ୍ତ୍ରୀ ଥିଲେ ।  ଟ୍ରସ୍‌ଙ୍କ କାର୍ଯ୍ୟକାଳ ମାତ୍ର ୪୯ ଦିନ ପାଇଁ ଥିଲା ।  ଟ୍ରସ୍‌ଙ୍କ ସରକାରରେ ସୁନକ ଅର୍ଥମନ୍ତ୍ରୀ ଥିଲେ ।  ଗତ ୧୪ ବର୍ଷ ହେଲା କଞ୍ଜରଭେଟିଭ ପାର୍ଟି  କ୍ଷମତାରେ ରହିଛି । ପୃଥକ  ସର୍ଭେ ଅନୁସାରେ, ଲେବର  ପାର୍ଟିର ସ୍ଥିତି ମଜଭୁତ  ରହିଛି । ଗତ ମାର୍ଚ୍ଚରେ  ଆସିଥିବା ଇପ୍‌ସୋସ୍‌  ପୋଲ୍‌ରେ ସୁନକଙ୍କୁ ୩୮  ରେଟିଂ ମିଳିଥିଲା, ଯାହା କି  ସବୁଠୁ ଖରାପ ଥିଲା।  ବ୍ରିଟେନ ହାଉସ୍‌ ଅଫ୍‌ କମନ୍ସରେ ମୋଟ ୬୫୦  ଆସନ ରହିଛି । ସରକାର ଗଢ଼ିବା ପାଇଁ ୩୨୬ ସିଟ୍‌  ଆବଶ୍ୟକ । ଆସନ୍ତା ନିର୍ବାଚନରେ କଞ୍ଜରଭେଟିଭ  ପାର୍ଟିକୁ କେବଳ ୧୫୫ ସିଟ୍‌ ମିଳିବ ବୋଲି ୟୁଗଭ୍‌  ପୋଲ୍‌ରେ କୁହାଯାଇଥିଲା । ୨୦୧୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ୩୬୫ ଆସନ  ହାସଲ କରିଥିଲେ । ହେଲେ ଏଥର ବିରୋଧୀ  ଲେବର ପାର୍ଟିକୁ ୪୦୩ ସିଟ୍‌ ମିଳିପାରେ ଆକଳନ  କରାଯାଉଛି । 

ବ୍ରିଟେନ ନିୟମ ଅନୁଯାୟୀ, ସଂସଦର ପ୍ରଥମ  ବୈଠକର ୫ ବର୍ଷ ପରେ ସଂସଦ ଭଙ୍ଗ ହୁଏ ।  ଆସନ୍ତା ଡିସେମ୍ବରରେ ଚଳିତ ସଂସଦର ୫ମ ବର୍ଷ  ପୂରଣ ହୋଇଥାନ୍ତା । ସଂସଦ ଭଙ୍ଗ ହେବା ପରେ  ନିର୍ବାଚନ ପ୍ରସ୍ତୁତି ପାଇଁ ୨୫ କାର୍ଯ୍ୟଦିବସ ମିଳିଥାଏ ।  ଏହା ଅନୁସାରେ ୨୦୨୫ ଜାନୁଆରୀ ୨୮ ସୁଦ୍ଧା  ବ୍ରିଟେନରେ ନିର୍ବାଚନ ଶେଷ ହୋଇଥାନ୍ତା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.