ନୂଆଦିଲ୍ଲୀ: ଭାରତୀୟ ତାରକା ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହୋଇଛନ୍ତି । ମାତ୍ର ୧୦୦ ଗ୍ରାମ ଓଜନ ବଢ଼ିଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ବାହାର କରିଦିଆଯାଇଛି । ପ୍ରଥମ ଭାରତୀୟ ମହିଳା ରେସଲର ଯିଏକି ଫାଇାନଲରେ ପ୍ରବେଶ କରିଥିଲେ । ଆଜି ସକାଳ ପର୍ଯ୍ୟନ୍ତ ବି ଆଶା ଥିଲା ଭିନେଶ ଫୋଗାଟ ଗୋଲ୍ଡ ମେଡାଲ ଜିତିବେ । କିନ୍ତୁ ତାଙ୍କର ଓଜନ ୫୦ କେଜି ୧୦୦ ଗ୍ରାମ ହୋଇଯିବାରୁ ତାଙ୍କୁ ଅଲିମ୍ପିକ୍ସରୁ ଆଉଟ୍ ହେବାକୁ ପଡ଼ିଛି । ଏଥିପାଇଁ ଭିନେଶ ଫୋଗାଟ ଯେତିକି ଦୁଃଖିତ ତାଠୁ ଅଧିକ ଭାବବିହ୍ବଳ ଦେଶବାସୀ ।
୨୯ ବର୍ଷୀୟା ଭିନେଶ ଫୋଗାଟ୍ । ରାତିସାରା ଶରୀରର ଓଜନ କମ୍ କରିବା ପାଇଁ କରିଥିଲେ କସରତ । ଉଜାଗର ରହି ସାଇକ୍ଲିଂ କରିଥିଲେ । ନା କିଛି ଖାଇଥିଲେ ନା ପିଇଥିଲେ, ତାଙ୍କର ଗୋଟିଏ ଲକ୍ଷ ଥିଲା ଶରୀରର ଓଜନ ୫୦ କିଲୋ ଭିତରେ ରହିବା ଦରକାର । ଏପରିକି ତାଙ୍କ ଶରୀରର ଓଜନ ମଧ୍ୟ ୧୯୦୦ ଗ୍ରାମ କମ୍ ହୋଇଥିଲା । କିନ୍ତୁ ନିର୍ଦ୍ଧାରିତ ଓଜନରରୁ ମାତ୍ର ୧୦୦ ଗ୍ରାମ ଅଧିକ ହେବାରୁ ଭିନେଶ ଫୋଗାଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ବାହାର ହେବାକୁ ପଡ଼ିଛି । ଫୋଗାଟ ଅଲିମ୍ପିକ୍ସରୁ ଆଉଟ ହୋଇଯିବା ପରେ ଏବେ ପୂର୍ବତନ ଭାରତୀୟ ତାରକା ମହିଳା ବକ୍ସର ମେରି କମଙ୍କ କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଯିଏକି ଏଭଳି ସ୍ଥିତିରେ ୪ ଘଣ୍ଟା ଭିତରେ ଦୁଇ କିଲୋ ଓଜନ କମାଇଥିଲେ ।
୧୫ ଡିସେମ୍ବର ୨୦୧୮ରେ ପୋଲାଣ୍ଡରେ ଆୟୋଜିତ ସାଇଲେସିଆନ୍ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ମେରି କମ୍ ଅଂଶଗ୍ରହଣ କରିବାର ଥିଲା । ଆଉ ଏଥିପାଇଁ ୪ ଥର ବିଶ୍ବ ଚାମ୍ପିୟନ ମେରି କମ୍ଙ୍କୁ ଶରୀର ଓଜନ ୪୮ କିଲୋ ଭିତରେ ରହିବାର ଥିଲା । କିନ୍ତୁ ମୁକାବିଲା ଆରମ୍ଭ ହେବା ପୂର୍ବରୁ ମେରିକମ୍ଙ୍କ ଶରୀରର ଓଜନ ୫୦ କିଲୋଗ୍ରାମ ଥିବା ନେଇ ଜଣାପଡ଼ିଥିଲା । ଏପରି ଲାଗୁଥିଲା ଯେମିତି ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦିଆଯିବ । କିନ୍ତୁ ଏମିତି କିଛି ହେଲା ନାହିଁ । କାରଣ ମାତ୍ର ୪ ଘଣ୍ଟା ମଧ୍ୟରେ ମେରିକମ ୨ କେଜି ଓଜନ କମାଇ ଦେଇଥିଲେ । ଗୋଟିଏ ଘଣ୍ଟା କେବଳ ସ୍କିପିଂ କରିଥିଲେ ମେରିକମ ।
ଏନେଇ ମେରିକମ କହିଥିଲେ ଯେ, ‘ପୋଲାଣ୍ଡରେ ଆମର ଫ୍ଲାଇଟ୍ ଭୋର ପ୍ରାୟ ସାଢ଼େ ୩ରେ ଲ୍ୟାଣ୍ଡ କରିଥିଲା । ସେତେବେଳକୁ ମୋ ଶରୀରର ଓଜନ ନିର୍ଦ୍ଧରିତ ଓଜନ ଠାରୁ ୨ କେଜିରୁ ଅଧିକ ଥିଲା । ସକାଳ ସାଢ଼େ ୭ରେ ଓଜନ ହେବାର ଥିଲା । ତେଣୁ ମୋ ପାଖରେ ୪ ଘଣ୍ଟା ସମୟ ଥିଲା । ସ୍ଥିତି ଏମିତି ଥିଲା ଯେ, ଯଦି ଓଜନ କମ୍ କରିବି ତେବେ ଟୁର୍ଣ୍ଣାମେଣ୍ଟ ଖେଳିବି ନଚେତ ମୋତେ ଫେରିଯିବାକୁ ପଡ଼ିବ ।’ ଓଜନ କମାଇବାକୁ ନେଇ ମେରିକମ କହିଥିଲେ, ସେ ଗୋଟିଏ ଘଣ୍ଟା ସ୍କିପିଂ କରିଥିଲେ । ସେହି ମୁକାବିଲାରେ କେବଳ ଓଜନ କମାଇ ନଥିଲେ ମେରିକମ୍ ବରଂ କଜାକିସ୍ତାନର ଏଇଜେରିମ କାସାନାଏଭାଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ ।