ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ନିର୍ବାଚନରେ ଅର୍ଥ ଓ ବାହୁବଳ

ଡ. ସନ୍ତୋଷ କୁମାର ମହାପାତ୍ର/୨୯।୫: ୧୮ତମ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହୋଇଥିଲା ଏବଂ ଜୁନ୍‌ ୧ ସୁଦ୍ଧା ଶେଷ ହୋଇ ୫୪୩ଜଣ ସଦସ୍ୟଙ୍କୁ ୭ଟି ପର୍ଯ୍ୟାୟରେ ଚୟନ କରାଯିବ ଏବଂ ଫଳାଫଳ ଜୁନ୍‌ ୪ରେ ଘୋଷଣା କରାଯିବ । ନିର୍ବାଚନକୁ ଗଣତନ୍ତ୍ରର ଏକ ମହାପର୍ବ ଭାବେ ଅନେକ ଅଭିହିତ କରୁଛନ୍ତି । ଆମ ମତରେ ନିର୍ବାଚନ ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ଗଣତନ୍ତ୍ରକୁ କେବଳ ଭୋଟ ଦେବାର ଅଧିକାର ମଧ୍ୟରେ ସୀମିତ ରଖିବା ଅନୁଚିତ୍‌ । ଜଣେ ସାଧାରଣ ବ୍ୟକ୍ତି ବା ଜଣେ ପ୍ରଖ୍ୟାତ ବୁଦ୍ଧିଜୀବୀ ଆଜି ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ସ୍ୱପ୍ନରେ ବି ଭାବି ପାରୁନି । ଏପରିକି ସାଧାରଣ ୱାର୍ଡ ମେମ୍ବର ହେବା ଏକ ଦୁଃସ୍ୱପ୍ନ । କିଛିଦିନ ତଳେ ନିର୍ବାଚନ ଆୟୋଗକୁ ‘ମୋ ଭୋଟ୍‌ ମୋ ସ୍ୱର' ୨୦୨୪ ଲୋକସଭା ନିର୍ବାଚନ ପାଇଁ ମିଶନ, ଏକ ଭିଡିଓ ବାର୍ତ୍ତାରେ ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ କହିଛନ୍ତି ଯେ ନାଗରିକ ଭାବରେ ସମ୍ବିଧାନ ଆମକୁ ଅନେକ ଅଧିକାର ଦେଇଥାଏ, କିନ୍ତୁ ଏହା ମଧ୍ୟ ଆଶା କରେ ଯେ, ଆମେ ଆମର କର୍ତ୍ତବ୍ୟ ଠିକ୍‌ଭାବେ ପାଳନ କରୁ । ସାଧାରଣ ନିର୍ବାଚନରେ ଭୋଟ୍‌ ଦେବାର ସୁଯୋଗକୁ ହାତଛଡ଼ା ନକରିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରି କହିଛନ୍ତି, କାରଣ ସାମ୍ବିଧାନିକ ଗଣତନ୍ତ୍ରରେ ଏହା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ । ଆମେ ତାଙ୍କ ମତକୁ ସମ୍ପୂର୍ଣ୍ଣରୂପେ ସମର୍ଥନ କରୁଛୁ । ଜଣେ ଭୋଟ ଦେବାର ଅଧିକାରକୁ ଠିକ୍‌ଭାବେ ବ୍ୟବହାର କରିବା ଉଚିତ୍‌ । କିନ୍ତୁ ଜଣେ ଭୋଟରଙ୍କ ପାଇଁ ଜଣେ ଭଲ, ସଚ୍ଚୋଟ, ଦକ୍ଷ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାର ବିକଳ୍ପ ହ୍ରାସ ପାଉଛି । 

ବହୁସଂଖ୍ୟକ ଅପରାଧୀ, ଧନୀ, କର୍ପୋରେଟ, କଳାଟଙ୍କାର ଧାରକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଦେଖିବାକୁ ମିଳିଥାଏ । ଅପରାଧୀମାନେ ନିର୍ବାଚନରେ ସକ୍ରିୟ ହେବା, ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକଙ୍କ ଆତ୍ମବିଶ୍ୱାସକୁ କ୍ଷୁଣ୍ଣ କରିଥାଏ । ଉଦାହରଣ ସ୍ୱରୂପ, ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆରଏସ୍‌) ଏବଂ ନ୍ୟାସନାଲ ଇଲେକ୍ସନ୍‌ ୱାଚ୍‌ ସେପ୍ଟେମ୍ବର ୨୦୨୩ରେ ଲୋକସଭା ଏବଂ ରାଜ୍ୟସଭାର ୭୭୬ଟି ଆସନ ମଧ୍ୟରୁ ୭୬୩ଟି ସାଂସଦଙ୍କ ଆଫିଡେଭିଟ୍‌ ବିଶ୍ଳେଷଣ କରିଥିଲେ । ପ୍ରାୟ ୩୦୬ (୪୦%) ସାଂସଦ ନିଜ ନାମରେ ଅପରାଧିକ ମାମଲା ରହିଛି ବୋଲି ଘୋଷଣା କରିଥିଲେ । ପ୍ରାୟ ୧୯୪ (୨୫% ) ସାଂସଦମାନେ ହତ୍ୟା, ହତ୍ୟା କରିବାର ଉଦ୍ୟମ, ଅପହରଣ, ମହିଳାଙ୍କ ପ୍ରତି ଅପରାଧ ସମେତ ସାଙ୍ଘାତିକ ଅପରାଧିକ ମାମଲାରେ ଜଡ଼ିତ ବୋଲି ଘୋଷଣା କରିଛନ୍ତି । ଉପରୋକ୍ତ ମଧ୍ୟରୁ ୩୨ଜଣ ସାଂସଦ "ହତ୍ୟା ଉଦ୍ୟମ' (ଆଇପିସି ଧାରା ୩୦୭) ମାମଲାରେ ଜଡ଼ିତ ବୋଲି ଘୋଷଣା କରିଥିବାବେଳେ ୨୧ଜଣ ସାଂସଦ ମହିଳାଙ୍କ ବିରୋଧରେ କରିଥିବା ଅପରାଧରେ ସଂପୃକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ୨୧ଜଣଙ୍କ ମଧ୍ୟରୁ ଚାରିଜଣ ସାଂସଦ ବଳାତ୍କାର ସମ୍ବନ୍ଧୀୟ ମାମଲାରେ ସଂପୃକ୍ତି କଥା ଘୋଷଣା କରିଛନ୍ତି (ଆଇପିସି ଧାରା ୩୭୬) । ପୁନଶ୍ଚ ଲୋକସଭା ଏବଂ ରାଜ୍ୟସଭାର ସାଂସଦଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୩୮.୩୩ କୋଟି ଏବଂ ୫୩ଜଣ ବା (୭%) ବିଲିୟନେୟାର ଅଟନ୍ତି । ରାଜ୍ୟସଭାକୁ ସୃଜନାତ୍ମକ ଲୋକ ଜ୍ଞାନୀ, ବିଦ୍ୱାନ ବା ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ନିର୍ବାଚିତ କରାନଯାଇ ନିର୍ବାଚନରେ ହାରିଥିବା ବ୍ୟକ୍ତିଙ୍କୁ ଥଇଥାନ କରାଯାଉଛି । 

ଯାହାର ଅଧିକ ଅର୍ଥ ଅଛି, ସେ ସୁଯୋଗ ପାଇଛି । ୧୮ତମ ଲୋକସଭା ନିର୍ବାଚନରେ ଅପରାଧୀ ଏବଂ ଧନୀ ବ୍ୟକ୍ତିମାନଙ୍କୁ ମଧ୍ୟ ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦେଇଛନ୍ତି । ନିର୍ବାଚନର ପ୍ରଥମ ୪ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୮୭୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୦୬ଜଣ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଥିବାବେଳେ ପ୍ରାର୍ଥୀଙ୍କ ସମ୍ପତ୍ତିର ହାରାହାରି ମୂଲ୍ୟ ପ୍ରାୟ ୫କୋଟି ଟଙ୍କା ରହିଛି । ପୁନଶ୍ଚ ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ଆଇନ ପ୍ରଣୟନ ହୋଇଛି, ଯାହା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ନକରି ୨୦୨୯ରେ କାର୍ଯ୍ୟକାରୀ ହେବାର କଥା କୁହାଯାଉଛି । କିନ୍ତୁ ମୋଟ୍‌ ଉପରେ ସବୁ ଦଳରୁ ଯେତିକି ମହିଳା ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି, ତାହା ମୋଟ୍‌ ପ୍ରାର୍ଥୀଙ୍କର ମାତ୍ର ୧୦% । ଏହା ସୂଚାଉଛି ମହିଳାଙ୍କ ସଶକ୍ତିକରଣ ପାଇଁ କାହାର ନିଘା ନାହିଁ । ଗୋଟିଏ ପ୍ରଶ୍ନ ମନକୁ ଆସେ ଯେ, ରାଜନୈତିକ ଦଳମାନେ ଏତେ ସଂଖ୍ୟକ ଅପରାଧୀଙ୍କୁ କାହିଁକି ଟିକେଟ ଦେଉଛନ୍ତି? କାରଣ ଅପରାଧିକ ମାମଲା ଥିଲେ ମଧ୍ୟ ତାହାର ନକାରାତ୍ମକ ପ୍ରଭାବ ନିର୍ବାଚନ ଫଳ ଉପରେ ଆଦୌ ପଡ଼େନାହିଁ । ଅପରପକ୍ଷେ, ଏଡିଆରଏସ ରିପୋର୍ଟରେ କୁହାଯାଇଛି ଯେ, ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କର ସ୍ୱଚ୍ଛ ରେକର୍ଡ ଥିବା ପ୍ରାର୍ଥୀଙ୍କ ଅପେକ୍ଷା ନିର୍ବାଚନ ଜିତିବାର ସମ୍ଭାବନା ଅଧିକ ରହିଛି । 

ବୋଧହୁଏ, ଗଣତନ୍ତ୍ର ଉପରେ ସବୁଠାରୁ ଭୟାନକ ଓ କ୍ଷତିକାରକ ଆକ୍ରମଣ ହେଉଛି ନିର୍ବାଚନରେ ଟଙ୍କାର ବହୁଳ ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ଅସହାୟତା । ନିର୍ବାଚନ ବିନା ଗଣତନ୍ତ୍ର ବିଷୟରେ କଳ୍ପନା କରିବା ଅସମ୍ଭବ ହୋଇଥିବାବେଳେ, ପ୍ରଚୁର ଆର୍ଥିକ ସମ୍ବଳ, ଏପରିକି କଳାଟଙ୍କା ବିନା ନିର୍ବାଚନରେ ଅବତୀର୍ଣ୍ଣ ହେବା ମଧ୍ୟ ଅସମ୍ଭବ । ମେ ମାସ ୧୯ ତାରିଖ ସୁଦ୍ଧା ନିର୍ବାଚନ ପ୍ରଚାର ସମୟରେ ଯେତିକି ସୁନା, ରୁପା, ମଦ, ଡ୍ରଗ୍‌ସ, କଳାଟଙ୍କା ଓ ସମ୍ପତ୍ତି ଆଦି ଜବତ ହୋଇଛି ତାହାର ମୂଲ୍ୟ ୮୮୮୯ କୋଟି ଟଙ୍କା । "ଦି ଇକୋନୋମିଷ୍ଟ' ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ କେବଳ ଭାରତର ଇତିହାସରେ ନୁହେଁ, ବିଶ୍ୱର ସବୁଠାରୁ ଏକ ମହଙ୍ଗା ନିର୍ବାଚନ ପ୍ରକ୍ରିୟା । ଅଣ-ଲାଭ ବ୍ୟବସାୟୀ ସଂଗଠନ ସେଣ୍ଟର ଫର ମିଡିଆ ଷ୍ଟଡିଜ୍‌ (ସିଏମ୍‌ଏସ୍‌)ର ଚେୟାରମ୍ୟାନ ଏନ. ଭାସ୍କରା ରାଓ ଦାବି କରିଛନ୍ତି ଯେ, ଆନୁମାନିକ ଖର୍ଚ୍ଚ ୧.୨୦ଲକ୍ଷ କୋଟିରୁ ୧.୩୫ଲକ୍ଷ କୋଟି ଟଙ୍କା ହେବ । ୧୯୯୮ ନିର୍ବାଚନରେ ମାତ୍ର ୯୯୮କୋଟି ଟଙ୍କା ବ୍ୟୟ ହୋଇଥିଲାବେଳେ ୨୦୧୯ରେ ୬୦,୦୦୦କୋଟି ଟଙ୍କା ହୋଇଥିଲା । ୨୦୧୯ରେ ୯୧.୨କୋଟି ଭୋଟର ଥିଲାବେଳେ ୨୦୨୪ରେ ୯୬.୮କୋଟି ଭୋଟରକୁ ବୃଦ୍ଧିପାଇଛି । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଭୋଟର ବାବଦରେ ବ୍ୟୟ ୨୦୧୯ରେ ପ୍ରାୟ ୭୦୦ଟଙ୍କା ଥିଲାବେଳେ ୨୦୨୪ରେ ୧୨୪୦ ଟଙ୍କାକୁ ବୃଦ୍ଧିପାଇଛି । ୨୦୧୯ରେ ପ୍ରତି ଭୋଟରଙ୍କ ପକେଟକୁ ମୋଟ୍‌ ବ୍ୟୟର ୨୦ରୁ ୨୫% ଯାଇଛି । ଏହି ବୃଦ୍ଧି ଭୋଟ୍‌ ଜିତିବା ପାଇଁ କେତେ ଖର୍ଚ୍ଚ ହେଉଛି ତାହା ଦର୍ଶାଏ । 

ଏଥିରେ ଦଳୀୟ ବ୍ୟୟ ଓ ପ୍ରାର୍ଥୀଙ୍କ ହାରାହାରି ବ୍ୟୟ କ୍ରମଶଃ ହ୍ରାସପାଇଲା ବେଳେ କର୍ପୋରେଟମାନଙ୍କ ବ୍ୟୟ ବୃଦ୍ଧି ପାଉଛି । ୨୦୧୪ରେ କର୍ପାରେଟମାନଙ୍କ ବ୍ୟୟ ମୋଟ୍‌ ବ୍ୟୟର ୩୩% ହୋଇଥିଲାବେଳେ, ୨୦୧୯ରେ ଏହା ୭୦% ହୋଇଥିଲା । କୌଣସି ବ୍ୟକ୍ତି ବା କମ୍ପାନୀ ବିନା ସ୍ୱାର୍ଥରେ କୌଣସି ରାଜନେତା ବା ଦଳକୁ ଏକପଇସା ଦେବନାହିଁ । ଟଙ୍କାଟିଏ ଦେଲେ, ୧୦୦୦ ଟଙ୍କାର ସୁବିଧା ନେବ । ଏଣୁ "କଷ୍ଟ ଅଫ୍‌ ଡେମୋକ୍ରେସି'ର ଲେଖକ ଦେବେଶ କାପୁର ଏବଂ ମିଲନ୍‌ ବୈଷ୍ଣବଙ୍କ ଅନୁଯାୟୀ, ଗଣତନ୍ତ୍ରର ବା ନିର୍ବାଚନଜନିତ ଖର୍ଚ୍ଚ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । କାରଣ କେବଳ ପ୍ରଚୁର ଅର୍ଥର ବ୍ୟୟ ଦୃଷ୍ଟିରୁ ନୁହେଁ ବରଂ ରାଜନୈତିକ ଆଚରଣ ଉପରେ ଅର୍ଥର ସୁଦୂରପ୍ରସାରୀ ପ୍ରଭାବ ଥିବାରୁ । ପୂର୍ବତନ ସେଣ୍ଟ୍ରାଲ ଭିଜିଲାନ୍‌ସ କମିଶନର ଏନ. ଭିଟାଲ ମେ ୨୦୧୨ରେ କହିଥିଲେ ଯେ, ରାଜନୀତି ଟଙ୍କାର ଏକ ଖେଳ ହୋଇପାରିଛି ଏବଂ ଏକ ପରିସ୍ଥିତି ଆସିଛି ଯେତେବେଳେ କେବଳ ଟଙ୍କା, କ୍ଷମତା ଥିବା ବ୍ୟକ୍ତି ନିର୍ବାଚନରେ ଜିତିବେ । ନିକଟ ଅତୀତରେ ସଚ୍ଚୋଟ ରାଜନେତାଙ୍କୁ ଖୋଜିବା ଏକ ଶାକାହାରୀ ବାଘ ଖୋଜିବା ସହିତ ସମାନ । ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ପ୍ରଶାସନିକ ତଥା ରାଜନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ସେ କହିଥିଲେ । 

ଘୋର ବାସ୍ତବତା ହେଉଛି ଯେ, ରାଜନୀତି ହେଉଛି ଜଣେ ଧନୀ ବ୍ୟକ୍ତିଙ୍କ ଖେଳ ବା ଅର୍ଥର ଖେଳ ଏବଂ ନିର୍ବାଚନ ପ୍ରକ୍ରିୟାରେ ଗରିବ, ସଚ୍ଚୋଟ ଏବଂ ଭଲ ଲୋକ କ୍ୱଚିତ୍‌ କୌଣସି ସ୍ଥାନ ପାଇଥାନ୍ତି । ସମସ୍ତେ ରାଜନୀତିରେ ପ୍ରବେଶ କଲେ ଦେଶସେବା କଥା କହୁଛନ୍ତି, କିନ୍ତୁ ଦେଶସେବା ପାଇଁ କ’ଣ ରାଜନୀତି ଏକ ମାଧ୍ୟମ ? ଜଣେ ନୀତି ବା ଅନୀତିରେ ପ୍ରଚୁର ଅର୍ଥର ଅଧିକାରୀ ହେଲାପରେ ବା ଚାକିରିରୁ ଅବସର ନେବାପରେ ବା ସେଲିବ୍ରିଟି ଭାବେ ପରିଗଣିତ ହେଲାପରେ ବା ବଡ଼ ବଡ଼ କମ୍ପାନୀର ମାଲିକ ହେଲାପରେ ରାଜନୀତିରେ ପ୍ରବେଶ କରି କ୍ଷମତା ବଜାୟ ରଖିବାକୁ ନିର୍ବାଚନରେ ଅବତୀର୍ଣ୍ଣ ହେଉଛନ୍ତି । କାରଣ କ୍ଷମତା ଥିଲେ ଧନ, ଯଶ, ପ୍ରତିପତ୍ତି ଅତି ସହଜରେ ମିଳିଯିବ । ଲୋକ ପଛରେ ଧାଇଁବେ । ଏଣୁ ଆଜି ରାଜନୀତି ଏକ ନିବେଶ ବା ଉଦ୍ୟୋଗୀ କାର୍ଯ୍ୟକଳାପ ହୋଇଛି । ଜଣେ କମ୍ପାନୀଟିଏ ଖୋଲିଲେ ଲାଭ ପାଇଁ ସବୁଦିନ ସଂଘର୍ଷ କରିବାକୁ ପଡ଼େ । କିନ୍ତୁ ରାଜନୀତି କଲେ ତିନିମାସ ଖଟିଲେ ଯଦି ସଫଳ ହେବ, ତେବେ ଭବିଷ୍ୟତ ଖୁସିରେ କଟିବ ଏବଂ କୌଣସି ଚିନ୍ତା ନାହିଁ । 

ଏପରିକି ଏକ ବଡ଼ ରାଜନୈତିକ ଦଳର ସଦସ୍ୟ ହେଲେ ସଂଘଜନିତ ସୁବିଧା ଓ ଲୋକଙ୍କ ସହିତ ମିଶିବାଜନିତ ସୁବିଧା ମିଳେ । ବଡ଼ ପ୍ଲାଟଫର୍ମ ମିଳେ । ଲୋକ ଚିହ୍ନନ୍ତି । ସ୍ୱାସ୍ଥ୍ୟ ଭଲ ରହେ ଏବଂ କୌଣସି ଅଫିସରେ କାର୍ଯ୍ୟ ପଡ଼ିଲେ ସହଜରେ ହୋଇଯାଏ । ଡାକ୍ତର ପାଖକୁ ଗଲେ ଅଧିକ ଗୁରୁତ୍ୱ ମିଳେ ।   ତେଣୁ, ଆଜି ରାଜନୀତିର ଅର୍ଥ ହେଉଛି: କଳେ ବଳେ ଦ୍ୱାରା ନିର୍ବାଚନ ଜିତିବା । ବାସ୍ତବରେ ରାଜନୀତି ହେଉଛି ଏକ ମହାନ କାର୍ଯ୍ୟ, କିନ୍ତୁ ଏହା ଆଜି ସଂପୂର୍ଣ୍ଣ କଳୁଷିତ । ମୂଲ୍ୟବୋଧ, ମାନବିକତା, ନୀତି ଓ ନୈତିକତାର ସ୍ଥାନ ଆଉ ନାହିଁ । ଜନତାଙ୍କ ସେବା କଥା କହିଲାବେଳେ ବାସ୍ତବରେ ଏହା କ୍ଷମତା ହାସଲ କରିବାର ଏକ ବଡ଼ ମାଧ୍ୟମ ସାଜିଛି । ଆଜିର ରାଜନୀତିରେ ରାଜନେତାମାନେ ଯେପରି ଦଳ ପରିବର୍ତ୍ତନ କରୁଛନ୍ତି ଏବଂ ଟିକେଟ ମଧ୍ୟ ପାଉଛନ୍ତି ଏବଂ ଜିତିଲା ପରେ ଦଳ ପରିବର୍ତ୍ତନ କରୁଛନ୍ତି ତାହା ଚିନ୍ତାଜନକ । ରାଜନୈତିକ ଆଦର୍ଶ, ଚିନ୍ତାଧାରାକୁ ଗୁରୁତ୍ୱ ନଦେଇ କ୍ଷମତା ହାସଲ କରିବାକୁ ଲୋକମାନେ ଏକ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି । ଯେତେବେଳେ ସେମାନେ ଗୋଟିଏ ଦଳରେ ଟିକେଟ ପାଇବାରେ ବିଫଳ ହୁଅନ୍ତି, ସେମାନେ ଅନ୍ୟ ଦଳରେ ଟିକେଟ ପାଇବା ଆଶାରେ ଦଳ ବଦଳାଉଛନ୍ତି । ଟିକେଟ ମଧ୍ୟ ପାଉଛନ୍ତି ଏବଂ ଜିତୁଛନ୍ତି ମଧ୍ୟ । ଯଦି ତୁମେ ଟିକେଟ୍‌ ପାଇବ ନାହିଁ, ନିଶ୍ଚିତ କର ଯେ ତୁମର ଜୀବନସାଥୀ କିମ୍ବା ପିଲା ବା ସମ୍ପର୍କୀୟମାନେ ପାଇବେ । ଏହା ସତ୍ତେ୍ୱ ରାଜନୀତିରେ ଭଲ ଲୋକ ଅଛନ୍ତି । ଭଲ ଲୋକ ମଧ୍ୟ ରାଜନୀତି କରିବାକୁ ଚାହାଁନ୍ତି । 

କିନ୍ତୁ ରାଜନୀତି ଅତ୍ୟଧିକ ବ୍ୟକ୍ତିକୈନ୍ଦ୍ରିକ ହେବା, ଅର୍ଥର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ଏବଂ ଦଳର ଚିନ୍ତାଧାରା ସହିତ ଖାପ ଖୁଆଇ ଚଳିବାରେ ଅସାମର୍ଥ୍ୟ ତଥା ଦଳର ତଥା ଦଳୀୟ ନେତାଙ୍କ ଭୁଲ୍‌ ସପକ୍ଷରେ କହିବାକୁ ପଡୁଥିବାରୁ ଭଲ ଲୋକ ଦୂରେଇ ଯାଉଛନ୍ତି । ସେଥିପାଇଁ ଚେନ୍ନାଇରେ ଏପ୍ରିଲ ୨୮, ୨୦୨୪ରେ ରାକେଶ ଏଣ୍ଡୋମେଣ୍ଟ ବକ୍ତୃତା ପ୍ରଦାନ କରି ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏସ୍‌. ମୁରଲିଧର କହିଛନ୍ତି ଯେ "ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଅତ୍ୟାଚାରୀମାନେ ନିର୍ବାଚିତ ହୁଅନ୍ତି । ଏହାପରେ ସେମାନଙ୍କ କାର୍ଯ୍ୟ ଗଣତନ୍ତ୍ର ଏବଂ ଶାସନର ପରିହାସ କରେ । ଏଣୁ ନିର୍ବାଚନରେ ସଂସ୍କାର ଆବଶ୍ୟକ, ରାଜନୀତିରେ ଅବସର ବୟସ ରହିବା ଉଚିତ । ଜଣେ କେତୋଟି ଟର୍ମ ରହିବ ତାହାର ସୀମା ନିର୍ଦ୍ଧାରଣ ହେବା ଉଚିତ । ଆମେରିକାରେ ଜଣେ ଦୁଇଥରରୁ ଅଧିକ ରାଷ୍ଟ୍ରପତି ହୋଇପାରିବ ନାହିଁ ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.