ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଗପହଣ୍ଡିରେ ଭୁଶୁଡ଼ୁଛି ସୂର୍ଯ୍ୟଙ୍କ ଗଡ଼, ବିଜେପିରେ ବାର ଭାଇ ଆଖଡ଼ା, ଫାଇଦା ନେବାକୁ ଗୋଟି ଚାଳନା କରୁଛି କଂଗ୍ରେସ

ବ୍ରହ୍ମପୁର ୦୨/୦୩( ପ୍ରହଲ୍ଲାଦ ସାହୁ): ଗଞ୍ଜାମରେ ୧୩ଟି ନିର୍ବାଚନମଣ୍ଡଳୀରୁ ଗୋଟିଏ କଂଗ୍ରେସ ଓ ଅନ୍ୟ ୧୨ଟି ବିଜେଡି ହାତରେ ରହିଛି । ବିଜେଡି ସମସ୍ତ ଆସନ ପୋଛି ନେବ ନା ଆଉ କିଛି ଆସନ ହାତରୁ ଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିଶେଷ ଭାବେ ଏବେ ଫୋକସ୍‌କୁ ଆସିଛି ଦିଗପହଣ୍ଡି ନିର୍ବାଚନମଣ୍ଡଳୀ । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଡ଼ ଥିଲା ଦିଗପହଣ୍ଡି । ଗତ ସେପ୍ଟେମ୍ବର ୨ରେ ତାଙ୍କର ପରଲୋକ ପରେ ଏବେ ଗଡ଼ ସମ୍ଭାଳିବାକୁ ପୁଅ ବିପ୍ଲବ ପାତ୍ର ଅଣ୍ଟା ଭିଡ଼ିଛନ୍ତି । ସୂର୍ଯ୍ୟ ପାତ୍ରଙ୍କ ଅବର୍ତ୍ତମାନରେ ଅନେକ ନେତା ଏବେ ତାଙ୍କ ପୁଅ ବିପ୍ଲବ ପାତ୍ରଙ୍କଠାରୁ ଦୂରେଇ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିର ସୁଯୋଗ ନେଇ ଏଠାରେ ବିଜେପି ଫାଇଦା ନେବ ବୋଲି କୁହାଯାଉଥିଲା । ହେଲେ ଦିଗପହଣ୍ଡିରେ ବିଜେପି ସାଂଗଠନିକ ଶକ୍ତି ମୋଟାମୋଟି ଭଲ ଥିବା ସତ୍ତେ୍ୱ ଅଧା ଡଜନ ବିଧାୟକ ପ୍ରାର୍ଥୀ ଆଶାୟୀ । ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏବେ ଏଠାରେ ଫାଇଦା ନେବାକୁ ଗୋଟି ଚାଳନା କରୁଛି।

ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ର ମୋହନାରୁ ୧୯୯୦ରୁ ୨୦୦୪ ପର୍ଯ୍ୟନ୍ତ ୪ ଥର ବିଧାୟକ ହୋଇଥିଲେ । ୨୦୦୯ରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ହେବା ପରେ ସେ ଏଠାରୁ ବିଧାୟକ ହୋଇଆସୁଥିଲେ । ସେ ଅସୁସ୍ଥ ହେବା ପରେ ପୁଅ ବିପ୍ଲବ ପାତ୍ର ଦିଗପହଣ୍ଡି ରାଜନୀତି ମଙ୍ଗ ଧରିଥିଲେ । ବିପ୍ଲବଙ୍କୁ କିଛି ପୁରୁଣା ନେତା ଗ୍ରହଣ କରିପାରିନାହାନ୍ତି । ତଥାପି ବାପାଙ୍କ ଗଡ଼ ରକ୍ଷା କରିବାକୁ ସେ ଉଦ୍ୟମ ଚଳାଇଛନ୍ତି । ହେଲେ ଏଠାରେ ସୂର୍ଯ୍ୟଙ୍କ ଡାହାଣ ହାତ କୁହାଯାଉଥିବା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ବିପିନ ପ୍ରଧାନ ଖୋଲାଖୋଲି ବିପ୍ଲବଙ୍କୁ ବିରୋଧ କରିଥିଲେ । ବ୍ଲକ୍‌ ଅଧ୍ୟକ୍ଷା ଉପନିର୍ବାଚନରେ ବିପ୍ଲବଙ୍କୁ ଚେକ୍‌ ଦେଇଥିଲେ । ତାଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଏହାପରେ ବି ସେ ବିପ୍ଲବଙ୍କୁ ବିରୋଧ କରି ଆସୁଛନ୍ତି । ଷୋଳଖଣ୍ଡ ଗୋପାଳ ସମାଜ ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ସହ ଥିଲେ । ଏବେ ସେମାନେ ବି ବିପ୍ଲବଙ୍କୁ ବିରୋଧ କରି ଗୋପାଳ ସମାଜରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଗୋପାଳ ସମାଜର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ହୋଇଥିଲା । ଯଦି ବିଜେଡିରୁ ଟିକଟ ନ ମିଳେ ତାହେଲେ ସମାଜ ପକ୍ଷରୁ ଜଣକୁ ସ୍ୱାଧୀନ ପ୍ରାର୍ଥୀ ଦିଆଯିବ ବୋଲି କହିଛନ୍ତି ଦିଗପହଣ୍ଡି, ଚିକିଟି ଓ ସାନଖେମୁଣ୍ଡି ତାଲୁକା ସଭାପତି ମନୋରଞ୍ଜନ ଗୌଡ଼ । ବିଜେଡିରେ ସ୍ଥିତି ଏଭଳି ଥିବାବେଳେ ବିଜେପି ଗୋଳିଆ ପାଣିରେ ଫାଇଦା ନେବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ହେଲେ ବିଜେପିର ଏଠାରୁ ମାଳମାଳ ଆଶାୟୀ ରହିଛନ୍ତି । ଗତ ସାଧାରଣ ନିର୍ବାଚନରେ ପିଙ୍କି ପ୍ରଧାନ ଏଠାରୁ ପ୍ରାର୍ଥୀ ଥିଲେ । ଚଳିତଥର ବି ସେ ପ୍ରାର୍ଥୀ ହେବା କୁହାଯାଉଥିବା ବେଳେ ନିକଟରେ ବିଜେପିରେ ଯୋଗ ଦେଇଥିବା ଯୋଗୀ ଦେବଦତ୍ତ ମେକାପ୍‌, ଚିନ୍ମୟାନନ୍ଦ ମହନ୍ତ, ଶ୍ରୀକାନ୍ତ ପାଢ଼ୀ, ସିଦ୍ଧାନ୍ତ ଗଙ୍ଗଦେବ, ଉତ୍ତମ ପାଣିଗ୍ରାହୀ ଟିକଟ ଆଶାୟୀ ଥିବା ଚର୍ଚ୍ଚାକୁ ଆସୁଛି । ସଂଖ୍ୟାଧିକ ଆଶାୟୀ ରହିଲେ ଅଲଗା ଅଲଗା ସଂଗଠନ ହେବ । ସମସ୍ତେ ଗୋଟିଏ ସଂଗଠନରେ ବାନ୍ଧି ହୋଇ ରହିପାରିବେ ନାହିଁ । ଯାହାଫଳରେ ବିଜେପି ମଧ୍ୟ ଏହି ସ୍ଥିତିର କୌଣସି ପ୍ରକାର ଫାଇଦା ନେଇପାରିବ ନାହିଁ ବୋଲି କୁହାଯାଉଛି । 

ସେପଟେ ଏବେଠୁ ଗୋଟି ଚାଳନା ଆରମ୍ଭ କରିଦେଇଛି କଂଗ୍ରେସ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଦିଗପହଣ୍ଡିରେ ବେଶ ଦବ୍‌ଦବା ରହିଛି । ଦିଗପହଣ୍ଡିକୁ ନେଇ ସେ ଗୋଟି ଚାଳନା କରୁଥିବା କୁହାଯାଉଛି । ସେଠାରେ କଂଗ୍ରେସରୁ ସାକା ସୁଜିତ, ବିକାଶ ପଶୁପାଳକ ଏବଂ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଛି । ଏହି ୩ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଥିଲେ ବି ସାନଖେମୁଣ୍ଡି ବିଧାୟକ ସମର୍ଥିତ ପ୍ରାର୍ଥୀ ହିଁ ଏଠାରୁ ଲଢ଼ିବେ ବୋଲି କୁହାଯାଉଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.