ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଜୁଲାଇରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌, ଫୋକସ୍‌ରେ ରହିବ ପରବର୍ତ୍ତୀ ପିଢ଼ି ସଂସ୍କାର, ନିଯୁକ୍ତି

ନୂଆଦିଲ୍ଲୀ, ୧୨/୦୬ : ଗଠନ ହୋଇଛି ନୂଆ ସରକାର । ଏଥିସହିତ ଜୁଲାଇ ପ୍ରଥମାର୍ଦ୍ଧରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଉପସ୍ଥାପନ କରିପାରନ୍ତି । ଆଗାମୀ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏଥିରେ ପ୍ରତିଫଳିତ ହୋଇପାରେ । ଫୋକସ୍‌ରେ ରହିପାରେ ପରବର୍ତ୍ତୀ ପିଢ଼ି ସଂସ୍କାର ଏବଂ ନିଯୁକ୍ତି । ନୂଆ ସରକାରରେ ନର୍ଥ ବ୍ଲକ୍‌କୁ ଫେରିଛନ୍ତି ସୀତାରମଣ । ପୁନଃ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଛନ୍ତି । ସଂସ୍କାର ଜାରି ରଖି ଏକ ସମାବେଶୀ ବଜେଟ୍‌ ପ୍ରସ୍ତୁତିକୁ ପ୍ରାଥମିକତା ଦେଇପାରନ୍ତି ଅର୍ଥମନ୍ତ୍ରୀ । ସୀତାରମଣଙ୍କ ପ୍ରଥମ ଲକ୍ଷ୍ୟ ରହିବ ଉଚ୍ଚ ଅଭିବୃଦ୍ଧି ହାରକୁ ବଜାୟ ରଖିବା । ନିରନ୍ତର ଅଭିବୃଦ୍ଧି ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ଏଜେଣ୍ଡାରେ ରହିପାରେ । ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)କୁ ବ୍ୟବସ୍ଥିତ କରିବା ସହ ଟିକସ ଅନୁପାଳନ ପ୍ରକ୍ରିୟାକୁ ସରଳ କରିବା ଅର୍ଥମନ୍ତ୍ରୀଙ୍କ ପ୍ରାଥମିକତା ରହିବ । 

୨୦୨୩-୨୪ ଆର୍ଥିକବର୍ଷରେ ଭାରତ ୮.୨%ର ଆକର୍ଷଣୀୟ ଅଭିବୃଦ୍ଧି ହାସଲ କରିଛି । ଏଥିସହିତ ଏହା ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି । ବର୍ତ୍ତମାନ ଫୋକସ୍‌ ରହିବ ବିକଶିତ ଭାରତ ଉପକ୍ରମରେ ଦେଶକୁ ଆହୁରି ଅଭିବୃଦ୍ଧି ଆଡ଼କୁ ଅଗ୍ରସର କରାଇବା । ନିଯୁକ୍ତି ଏବଂ ଘରୋଇ ନିବେଶ ଉପରେ ଅଧିକ ଗୁରୁତ୍ୱ ଦେବେ ନୂଆ ସରକାର । ଗତ ଫେବ୍ରୁଆରୀରେ ଅର୍ଥମନ୍ତ୍ରୀ ସୀତାରମଣ ଭୋଟ୍‌ ଅନ୍‌ ଆକାଉଣ୍ଟ ବଜେଟ୍‌ ଉପସ୍ଥାପନ କରିଥିଲେ । ଏଥିରେ ସେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ଜିଡିପିର ୫.୧% ଅନୁମାନ କରିଥିଲେ । ମେଣ୍ଟ ସରକାରରେ ଆର୍ଥିକ ଚାପକୁ ପରିଚାଳନା କରି ଗ୍ରାମୀଣ ସମସ୍ୟା ଦୂର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ଆହ୍ୱାନ ରହିବ । ଦ୍ୱିତୀୟ ପାଳି ପାଇଁ ସୋମବାର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ତୁରନ୍ତ ବାଦ ସୀତାରମଣ ୨୮ ରାଜ୍ୟଙ୍କୁ ଟିକସ ଭାଗ ଆକାରରେ ୧,୩୯,୭୫୧ କୋଟି ଟଙ୍କା ହନ୍ତାନ୍ତର କରିଛନ୍ତି । ଏହି ପାଣ୍ଠିକୁ ରାଜ୍ୟଗୁଡ଼ିକ ସେମାନଙ୍କ ବିକାଶ ଏବଂ ପୁଞ୍ଜି ବ୍ୟୟ ଦିଗରେ ଖର୍ଚ୍ଚ କରିପାରିବେ । 

ସୋମବାର ସଂନ୍ଧ୍ୟାରେ ନବଗଠିତ କ୍ୟାବିନେଟ୍‌ ବୈଠକ ପରେ ପରେ ଅର୍ଥମନ୍ତ୍ରୀ ସୀତାରମଣ ଅର୍ଥ ସଚିବ ଟି.ଭି. ସୋମନାଥନ ଏବଂ ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ଙ୍କୁ ଭେଟି ରାଜ୍ୟଗୁଡ଼ିକର ଅର୍ଥନୈତିକ ଏବଂ ବିତ୍ତୀୟ ଅବସ୍ଥାର ସମୀକ୍ଷା କରିଥିଲେ । ମୋଦି ସରକାରରେ ସୀତାରମଣ ବଡ଼ ବଡ଼ ପୋର୍ଟଫୋଲିଓ ସମ୍ଭାଳିଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ୱ ସହିତ ସେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱ ସମ୍ଭାଳିଛନ୍ତି । ଅର୍ଥମନ୍ତ୍ରୀ ଭାବେ ପାରଦର୍ଶିତା ଦେଖାଇଛନ୍ତି । ତେବେ ବର୍ତ୍ତମାନ ଅର୍ଥ ମନ୍ତ୍ରାଳୟ ସହ ସେ ମଧ୍ୟ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିବେ । ଅର୍ଥ ମନ୍ତ୍ରାଳୟରେ ନିଜ ପୂର୍ବ କାର୍ଯ୍ୟକାଳରେ ସୀତାରମଣ କୋଭିଡ୍‌ ମୁକାବିଲା ଦିଗରେ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ଆଣି ଅର୍ଥବ୍ୟବସ୍ଥାକୁ ବଳ ଦେଇଥିଲେ । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ସ୍କିମ୍‌ ଆଣି ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହ ଅର୍ଥନୈତିକ ବିକାଶ ଦିଗରେ ଅନେକ ବଡ଼ ପଦକ୍ଷେପ ଘୋଷଣା କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.