ନୂଆଦିଲ୍ଲୀ,୧୬/୦୬: ଚୀନ୍ ସହ ଚାଲିଥିବା ବିବାଦ ଭାରତର ଇଲେକ୍ଟ୍ରୋନିକ୍ସ କମ୍ପାନିଗୁଡ଼ିକ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ଉକ୍ତ କାରଣରୁ ଗତ ୪ ବର୍ଷରେ ଭାରତୀୟ ଇଲେକ୍ଟ୍ରୋନିକ୍ସ କମ୍ପାନିଗୁଡ଼ିକୁ ୧୫୦୦ କୋଟି ଡଲାର (୧.୨୫ ଲକ୍ଷ କୋଟି)ର ଉତ୍ପାଦନ କ୍ଷତି ସହିବାକୁ ପଡ଼ିଛି ।
ଆଲୋଚ୍ୟ ସମୟରେ ପ୍ରାୟ ୧୦୦,୦୦୦ ନିଯୁକ୍ତି ସୁଯୋଗ ହାତଛଡ଼ା ହୋଇଛି । ଚୀନ୍ ନାଗରିକଙ୍କୁ ଭିସା ଜାରି କରିବାରେ ବିଳମ୍ବ ଏବଂ ଭାରତରେ କାର୍ଯ୍ୟ କରୁଥିବା ଚୀନ୍ କମ୍ପାନିଗୁଡ଼ିକର ଯାଞ୍ଚ ମଧ୍ୟରେ ଏହା ଦେଖିବାକୁ ମିଳିଛି । ବିଭିନ୍ନ ମନ୍ତ୍ରାଳୟଗୁଡ଼ିକୁ ପଠାଯାଇଥିବା ରିପୋର୍ଟରେ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ଶିଳ୍ପ ପ୍ରକାଶ କରିଛି ଯେ, ଭାରତ ୨୦୦ କୋଟି ଡଲାରର ଭାଲ୍ୟୁ ଆଡିସନ୍ କ୍ଷତି ସହିତ ୧୦୦୦ କୋଟି ଡଲାରର ରପ୍ତାନି ସୁଯୋଗ ବି ହରାଇଛି ।
ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନଙ୍କ କହିବାନୁସାରେ, ଚୀନ୍ ଅଧିକାରୀମାନଙ୍କ ୪,୦୦୦ରୁ ୫,୦୦୦ ଭିସା ଆବେଦନ ଭାରତ ସରକାରଙ୍କ ମଞ୍ଜୁରି ଅପେକ୍ଷାରେ ରହିଛି । ଫଳରେ ଦେଶରେ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ଶିଳ୍ପର ସମ୍ପ୍ରସାରଣ ଯୋଜନାରେ ବାଧା ସୃଷ୍ଟି ହୋଇଛି । ଭାରତ ସରକାର ୧୦ ଦିନ ମଧ୍ୟରେ ବିଜ୍ନେସ ଭିସା ଆବେଦନକୁ ମଞ୍ଜୁରି ଦେବା ପାଇଁ ଏକ ବ୍ୟବସ୍ଥା ରଖିଥିବା ସତ୍ତେ୍ୱ ଏହା ଦେଖିବାକୁ ମିଳୁଛି । ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଇଏ) ଏବଂ ମାନୁଫ୍ୟାକ୍ଚର୍ସ ଆସୋସିଏସନ୍ ଅଫ୍ ଇନ୍ଫର୍ମେଶନ୍ ଟେକ୍ନୋଲୋଜି(ଏମ୍ଏଆଇଟି) କେନ୍ଦ୍ର ସରକାରଙ୍କୁ ଚୀନ୍ ଅଧିକାରୀମାନଙ୍କ ପାଇଁ ଭିସା ମଞ୍ଜୁରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛି । ଏବେ ଏଥିରେ ମାସକରୁ ଅଧିକ ସମୟ ଲାଗୁଛି । ଶିଳ୍ପ ସୂତ୍ର ଅନୁସାରେ, ଚୀନ୍ ଅଧିକାରୀମାନଙ୍କ ଆବଶ୍ୟକତା ଟେକ୍ ଏବଂ ସ୍କିଲ୍ ଟ୍ରାନ୍ସଫର, ବିନିର୍ମାଣ ୟୁନିଟ୍ଗୁଡ଼ିକର ସ୍ଥାପନା ଏବଂ କାର୍ଯ୍ୟାରମ୍ଭ ଓ ରକ୍ଷଣାବେକ୍ଷଣ ଆଦି ପାଇଁ ରହିଛି । ଚୀନ୍ର ଉକ୍ତ କମ୍ପାନିଗୁଡ଼ିକର ଅଧିକାରୀମାନଙ୍କ ଭିସା ଆବେଦନ ବି ପଡ଼ିରହିଛି, ଯେଉଁମାନଙ୍କୁ ସ୍ଥାନୀୟ କମ୍ପାନିଗୁଡ଼ିକର ସହଯୋଗିତାରେ ଏଠାରେ ବିନିର୍ମାଣ ୟୁନିଟ୍ ବସାଇବା ପାଇଁ ଡକାଯାଇଛି । ଅଧିକାରୀମାନଙ୍କ ଆସିବାରେ ଅସୁବିଧା ଯୋଗୁ ପ୍ରକଳ୍ପ ଆଗେଇପାରୁନି । ଫଳରେ ଉତ୍ପାଦନ କ୍ଷତି ସହିତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଛି ।
ଆଇସିଇଏ ପ୍ରକାଶ କରିଛି ଯେ, ଘରୋଇ ଭାଲ୍ୟୁ ଆଡିସନ୍(ଡିଭିଏ) ଯୋଜନା ଉପରେ ବଡ଼ ପ୍ରଭାବ ପଡ଼ିଛି । ଯେତେବେଳେ ମୋବାଇଲ ପାଇଁ ପିଏଲ୍ଆଇ ଯୋଜନା ୨୦୨୦-୨୧ରେ ଆରମ୍ଭ କରାଯାଇଥିଲା, ସେତେବେଳେ ଆଶା କରାଯାଉଥିଲା ଯୋଗାଣ ଶୃଙ୍ଖଳ ଚୀନ୍ରୁ ହଟିଯିବ । କିନ୍ତୁ ଏହି ଗତିରୋଧ ଏବଂ ଭାରତ ସହ ସୀମା ବିନିମୟ କରୁଥିବା ଦେଶଗୁଡ଼ିକର ନିବେଶକୁ ଅନିବାର୍ଯ୍ୟ ଯାଞ୍ଚ ପରିସରଭୁକ୍ତ କରାଯିବା ନିଷ୍ପତ୍ତି କାରଣରୁ ସପ୍ଲାଏ ଚେନ୍ ଟ୍ରାନ୍ସଫରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଆଇସିଇଏ ଆପଲ, ଓପୋ, ଭିଭୋ, ଡିକ୍ସନ ଟେକ୍ନୋଲୋଜିଜ୍ ଏବଂ ଲାଭା ଭଳି ମୋବାଇଲ ବ୍ରାଣ୍ଡ୍ ଓ ନିର୍ମାତାମାନଙ୍କ ପ୍ରତିନିଧିତ୍ୱ କରୁଛି । ଆଇସିଇଏ ଅନୁମାନ କରିଛି ଯେ, ଯଦି ଭାରତ ଏବଂ ଚୀନ୍ ମଧ୍ୟରେ ବ୍ୟବସାୟିକ ଗତିବିଧି ସ୍ୱାଭାବିକ ହୋଇଥାନ୍ତା, ତେବେ ଭାରତୀୟ କମ୍ପାନିଗୁଡ଼ିକର ଭ୍ୟାଲ୍ୟୁ ଆଡିସନ୍ ବର୍ତ୍ତମାନର ୧୮%ରୁ ବଢ଼ି ୨୨-୨୩% ହୋଇଥାନ୍ତା । ଏହାଦ୍ୱାରା ଘରୋଇ ମୋବାଇଲ ଫୋନ୍ ଇକୋସିଷ୍ଟମ୍ ବାର୍ଷିକ ୧୫,୦୦୦ କୋଟି ଟଙ୍କାର ଅତିରିକ୍ତ ଡିଭିଏ ଯୋଡ଼ିଥାନ୍ତା ।
ଆଇସିଇଏର ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ରୁ କୁହନ୍ତି, ଏକ ସନ୍ତୁଳିତ ସମାଧାନ ଆଶା ରହିଛି । ଏହାଦ୍ୱାରା ଉଦ୍ୟୋଗର ଚିନ୍ତା ଦୂର ହେବ ଏବଂ ତା’ସହିତ ରାଷ୍ଟ୍ରୀୟ ସୁରକ୍ଷା ହିତରେ ସନ୍ତୁଳନ ଜାରି ରହିବ । ସେ ଆହୁରି କହିଛନ୍ତି ଯେ, କୌଣସି ଦେଶ ଆଗରେ ମୁଣ୍ଡ ନୁଆଇଁବାକୁ ଶିଳ୍ପ କହୁନାହିଁ କିନ୍ତୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ, ଆତ୍ମନିର୍ଭରତାର ରାସ୍ତା ଚୀନ୍ର ଦବ୍ଦବାଯୁକ୍ତ ଭାଲ୍ୟୁ ଚେନ୍ ଉପରେ ନିର୍ଭର କରେ।
ସେ କହିଛନ୍ତି ଯେ, ଭାରତ ଅନେକ ମାତ୍ରାରେ କ୍ଷତିକୁ ଭରଣା କରିପାରିଛି ଏବଂ ଏହାର ପ୍ରତିସ୍ଫର୍ଦ୍ଧା ବଢ଼ିଛି । ଏହାସତ୍ତେ୍ୱ ଭାରତକୁ ଭିଏତ୍ନାମ, ମାଲେସିଆ ଏବଂ ମେକ୍ସିକୋ ଭଳି ଦେଶ ତୁଳନାରେ ନୂଆ ପ୍ରକାର କ୍ଷତି ଉଠାଇବାକୁ ପଡୁଛି ।