ପ୍ରମୂଖ ଖବର
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ପାନ୍‌ର ଅପବ୍ୟବହାର କରି ଋଣ ନେଉଛନ୍ତି ଠକ, ଅନାବଶ୍ୟକ ସ୍ଥାନରେ କାର୍ଡ ତଥ୍ୟ ନ ଦେବାକୁ ପରାମର୍ଶ

ନୂଆଦିଲ୍ଲୀ, ୧୯।୬: ପର୍‌ମାନେଣ୍ଟ ଆକାଉଣ୍ଟ ନମ୍ବର ବା ପାନ୍‌ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଏହାର ବ୍ୟବହାର କେବଳ ଟିକସ ସହ ଜଡ଼ିତ କାର୍ଯ୍ୟ ପାଇଁ ନୁହେଁ ବରଂ ପରିଚୟପତ୍ର ଭାବେ ବି ବ୍ୟବହାର ହୋଇଥାଏ । କିଛି ଦିନ ହେବ ଲୋକଙ୍କ ପାନ୍‌ କାର୍ଡର ଦୁରୂପଯୋଗ ହେଉଥିବା ମାଳ ମାଳ ଖବର ଆସୁଛି । ଏବେ ସ୍କାମରମାନେ ମୃତକ, ଚାଷୀ ଏବଂ ମହିଳାଙ୍କ ସହ ପାନ୍‌ ଜାଲିଆତି କରୁଥିବା ଜଣାପଡ଼ିଛି । ସେମାନଙ୍କ କାର୍ଡ ତଥ୍ୟ ବ୍ୟବହାର କରି ଋଣ ନେଉଛନ୍ତି । ଭଲ ସିବିଲ୍‌ ସ୍କୋର୍‌ ଦେଖି ଖୁସି ନ ହେବାକୁ ବିଶେଷଜ୍ଞମାନେ ମତ ଦିଅନ୍ତି । ସେମାନେ ଆଶଙ୍କା କରୁଛନ୍ତି ଯେ, ହୁଏତ ସ୍କାମର୍‌ ବ୍ୟକ୍ତିବିଶେଷଙ୍କ ପାନ୍‌ କାର୍ଡର ଦୁରୂପଯୋଗ କରି ଋଣ ନେଉଛନ୍ତି ଏବଂ ନିୟମିତ ଭାବେ କିସ୍ତି ଦେଉଛନ୍ତି । ଏହା ସଂପୃକ୍ତ ବ୍ୟକ୍ତିଙ୍କ ସିବିଲ୍‌ ସ୍କୋର୍‌ ବଢ଼ାଉଥାଇପାରେ । ନିକଟରେ ମୁମ୍ବାଇର ଜଣେ ମହିଳା ନିଜ ପାନ୍‌ର କଥିତ ଦୁରୂପଯୋଗ ପାଇଁ ଆୟକର ଟାକ୍ସ ଆପିଲେଟ୍‌ ଟ୍ରିବ୍ୟୁନାଲ(ଆଇଟିଏଟି) ନିକଟରେ ମାମଲା କରିଛନ୍ତି । କାରଣ ଜଣେ ଟିକସ ଅଧିକାରୀ ଜାଣିବାକୁ ପାଇଥିଲେ ଯେ, ଉକ୍ତ ମହିଳା ୨୦୧୦-୧୧ରେ ୧.୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ବିକ୍ରି କରିଥିଲେ ଏବଂ ଏହାକୁ ନିଜର ଆୟ ଭାବେ ଦର୍ଶାଇଥିଲେ । 

ତେବେ ଅଶିକ୍ଷିତ ଏବଂ କ୍ୟାନ୍‌ସର ରୋଗୀ ହେବା କାରଣରୁ ମହିଳା ଆୟକର ନୋଟିସ୍‌ର ଉତ୍ତର ଦେଇପାରି ନ ଥିଲେ । ଏହା ପରେ ଶୁଣାଣି ବେଳେ ମହିଳାଙ୍କ ଓକିଲ କହିଲେ, ସମ୍ପତ୍ତି ପଞ୍ଜୀକରଣରେ ତାଙ୍କର ପାନ୍‌ର ଦୁରୂପଯୋଗ କରାଯାଇଛି । ଏଭଳି ଅନେକ ଜାଲିଆତି ମାମଲା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଊଷା ସୋନିଙ୍କ ମୃତ୍ୟୁର ଏକ ଦଶକ ପରେ ତାଙ୍କୁ ୭.୫ କୋଟି ଟଙ୍କାର ଆୟ କର ନୋଟିସ୍‌ ଜାରି କରାଯାଇଥିଲା । ସେହିଭଳି ରାଜସ୍ଥାନର ଏକ ଛୋଟ ଦୋକାନୀ ନନ୍ଦ ଲାଲ ୧୨.୨ କୋଟି ଟଙ୍କାର ଆୟକର ନୋଟିସ୍‌ ପାଇବା ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି । ଏସବୁ ମାମଲାରେ ପାନ୍‌ କାର୍ଡର ଦୁରୂପଯୋଗ ହୋଇଥିବା ଜଣାପଡ଼ିଛି । 

ବିଶେଷଜ୍ଞଙ୍କ ମତରେ, ପାନ୍‌ ଜାଲିଆତିରୁ ବଞ୍ଚିବା ପାଇଁ କାହାକୁ ପାନ୍‌ର ତଥ୍ୟ ପ୍ରଦାନ କରିବା ଉଚିତ ନୁହେଁ । ସରକାରୀ ଗାଇଡ୍‌ଲାଇନ୍ସ ଅନୁସାରେ, ଯେଉଁଠି ପାନ୍‌ ତଥ୍ୟ ପ୍ରଦାନ କରିବା ଜରୁରୀ, ସେଠାରେ ହିଁ ଏ ତଥ୍ୟ ସେୟାର କରିବା ଦରକାର । ସିବିଡିଟି ଅନୁସାରେ, ବର୍ତ୍ତମାନ ପାନ୍‌ ଡାଟାବେସ୍‌ରେ ୭୦ କୋଟିରୁ ଅଧିକ ଲୋକ ଅଛନ୍ତି । ଏହାକୁ ଆଧାର ସହ ଲିଙ୍କ୍‌ କରାଯାଇଛି, ଯଦ୍ଦ୍ୱାରା ଏହାର ଦୁରୂପଯୋଗ ହୋଇପାରିବ ନାହିଁ । ପାନ୍‌ କାର୍ଡ ଠକେଇରୁ ବଞ୍ଚିବା ପାଇଁ ଟିକସଦାତାଙ୍କୁ ସପ୍ତାହ ବ୍ୟବଧାନରେ ନିଜର ଆନୁଆଲ ଇନ୍‌ଫର୍ମେଶନ୍‌ ଷ୍ଟେଟ୍‌ମେଣ୍ଟ(ଏଆଇଏସ୍‌)କୁ ଯାଞ୍ଚ କରିବା ଦରକାର । ଏଆଇଏସ୍‌ରେ କୌଣସି ଭୁଲ ଏଣ୍ଟ୍ରି ଦେଖିଲେ ତୁରନ୍ତ ଏଆଇଏସ୍‌ ସିଷ୍ଟମ୍‌ରେ ଫିଡ୍‌ବ୍ୟାକ୍‌ ଦେବା ଉଚିତ ଏବଂ ଭୁଲ ଏଣ୍ଟ୍ରିକୁ ଚିହ୍ନଟ କରାଯିବା ଜରୁରୀ । ଯଦି ଏହି ତ୍ରୁଟିଗୁଡ଼ିକୁ ସଂଶୋଧନ କରା ନ ଯାଏ ତେବେ ପୁଲିସ୍‌ରେ ଏଫ୍‌ଆଇଆର୍‌ ଦେବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.