ପୁରୀ ୨୯/୦୭: ବହୁଚର୍ଚ୍ଚିତ ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲାର ତଦନ୍ତ ଫାଇଲ ନାଲି ଫିତା ତଳେ ବନ୍ଧା ପଡ଼ିଛି । ଏହି ଲୋମଟାଙ୍କୁରା ଘଟଣାକୁ ଆଜି ୨ ମାସ ପୂରିଛି । ହେଲେ ଏ ପର୍ଯ୍ୟନ୍ତ ଏଭଳି ମର୍ମନ୍ତୁଦ ଘଟଣାର ମୁଖ୍ୟ ଦୋଷୀ ଚିହ୍ନଟ ହୋଇପାରିନାହିଁ । ଘଟଣା ସମୟରେ ଡ୍ୟୁଟିରେ ଥିବା ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ ୪୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ଜୀବନ ଗଲା । ଡ୍ୟୁଟିରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିଲା । କିନ୍ତୁ ଦୋଷୀଙ୍କ ଉପରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଉକ୍ତ ଘଟଣାକୁ ପୂର୍ବତନ ସରକାର ଗୁରୁତର ଭାବେ ଗ୍ରହଣ କରି ଏସ୍ଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ ।
ଏସ୍ଆର୍ସି ପୁରୀ ଗସ୍ତରେ ଆସି ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଦୁଇ ଥର ସର୍କିଟ୍ ହାଉସ୍ଠାରେ ସିଧାସଳଖ ଅଭିଯୋଗ ଶୁଣିଥିଲେ । ଏପରିକି ସେହି ସମୟରେ ଗଣମାଧ୍ୟମକୁ ପଦେ କିଛି କହି ନଥିଲେ । ସମସ୍ତେ ଆଶା କରିଥିଲେ ଏସ୍ଆର୍ସି ତଦନ୍ତ ପରେ ଅବହେଳା ଅଧିକାରୀ ଓ ମୃତକଙ୍କ ପରିବାର ନ୍ୟାୟ ପାଇବେ । ମାତ୍ର ପରିତାପର ବିଷୟ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳିପାରିଲା ନାହିଁ । କୁମ୍ଭାରପଡ଼ା ଥାନା ପୁଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୫ଜଣଙ୍କ ମଧ୍ୟରେ ବାଣୁଆ ସହ ବାଣ ଯୋଗାଇବା ଓ ବାଣ ତିଆରିରେ ସହାୟତା କରିଥିବା ୪ ଜଣ ବ୍ୟକ୍ତି ରହିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ବାଣ ଆଣିବାକୁ କିଏ ନିର୍ଦ୍ଦେଶ ଦେବା ସହ ଟଙ୍କା ଦେଇଥିଲା ତାହା ଅନ୍ଧାରରେ ରହିଛି । ଏ ନେଇ ପୁଲିସ ନାଁ ପ୍ରଶାସନ କେହି ମୁହଁ ଖୋଲୁ ନାହାନ୍ତି ।
ଗତ ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହେଉଥିଲା ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା । ଏହି ଯାତ୍ରାକୁ ଦେଖିବାକୁ ଲାଗି ନରେନ୍ଦ୍ର ଚତୁଃପାଶ୍ୱର୍ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାତ୍ର ଏହାରି ମଧ୍ୟରେ ନରେନ୍ଦ୍ରରେ ଠାକୁର ଚାପ ଖେଳୁଥିବା ବେଳେ ଦଶତୁଠଠାରେ ବାଣ ଫୁଟା ଯାଉଥିଲା । ସେଠାରେ ମଧ୍ୟ ବହୁ ପରିମାଣର ବାଣ ମହଜୁଦ ରଖା ଯାଇଥିଲା । ଗୋଟିଏ ପରେ ଗୋଟିଏ ବାଣ ଫୁଟି ଥିଲା । ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ ଚାଲିଥିଲା । ବାଣ ଫୁଟାଇ ସମସ୍ତେ ଖୁସି ମନାଉଥିବା ବେଳେ ହଠାତ୍ ଚାଲି ଆସିଥିଲା କଳା ବାଦଲ । ଉପରୁ ନିଆଁ ଝୁଲ ଆସି ମହଜୁଦ ଥିବା ବାଣ ଉପରେ ପଡ଼ିଥିଲା । ଫଳରେ କେହି କିଛି ଜାଣିବା ପୂର୍ବରୁ ଘଟିଲା ବିସ୍ଫୋରଣ । ପ୍ରଚଣ୍ଡ ଶଦ୍ଦ ଶୁଣି ସ୍ଥାନୀୟ ବାସିନ୍ଦାମାନେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ । କେଉଁଠି କ’ଣ ହେଲା । ଏହି ବାଣ ବିସ୍ଫୋରଣରେ ଛୋଟ ଶିଶୁଙ୍କଠୁ ଆରମ୍ଭ କରି ମହିଳା, ପୁରୁଷ ୪୦ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁରୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ପୁରୀରେ ଚିକିତ୍ସା ନି ମିଳିବାରୁ ଭୁବନେଶ୍ୱର ଓ କଟକ ମେଡିକାଲକୁ ଗୁରୁତରମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ସବୁଠାରୁ ବଡ଼ କଥା ଥିଲା ସେଦିନ କାକଟପୁର ନିର୍ବାଚନମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଭି. କେ ପାଣ୍ଡିଆନ୍ଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରହିଥିଲା । ସେଥି ଲାଗି ଜିଲ୍ଲାର ସମସ୍ତ ମୁଖିଆ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ସେଠାରେ ମୁତୟନ ଥିଲେ । କିନ୍ତୁ ନରେନ୍ଦ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମର ସୁରକ୍ଷାକୁ ଭୁଲି ଯାଇ ଆବଶ୍ୟକ ମାଜିଷ୍ଟେଟ, ଅଗ୍ନିଶମ ଅଧିକାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇ ନଥିଲା । ଏପରିକି କେଉଁଠି କ’ଣ ହେଉଛି ତାହା ଦେଖିବାକୁ ବା ତାଗିଦ୍ କରିବାକୁ ନଥିଲେ । ଫଳରେ ବାଣ ବିସ୍ଫୋରଣରେ ଖଣ୍ଡିଆବନ୍ଧର ଗୋଟିଏ ପରିବାରର ୨ ଭାଇ ଓ ତାଙ୍କର ୨ଶିଶୁଙ୍କ ମୃତ୍ୟୁ ହୋଇଥିଲା । ମୋଟ ୧୭ଜଣଙ୍କ ମୃତକଙ୍କ ମଧ୍ୟରୁ କେବଳ ୧୩ଜଣ ଖଣ୍ଡିଆବନ୍ଧର । ଉକ୍ତ ଘଟଣା ପୁରୀ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା । କେବଳ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ରେଡ୍କ୍ରସ ପାଣ୍ଠିରୁ କିଛି ସହୟତା ରାଶି ଯୋଗାଇ ଦିଆଯାଇଥିଲା । ଯାହାକି ସମୁଦ୍ରକୁ ଶଙ୍ଖେ ।
ଏଭଳି ଦୁଃଖଦ ଘଟଣାରେ କେତେକ ପରିବାର ତାଙ୍କର ରୋଜଗାରିଆ ପୁଅକୁ ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି । ଶିଶୁଙ୍କୁ ହରାଇଥିବା ପରିବାରର ଆଖିରୁ ଲିଭିନି ଲୁହ । ତେବେ ଏହି ଅଘଟଣରେ ପ୍ରାଣ ହରାଇଥିବା ଓ କ୍ଷତିଗ୍ରସ୍ତ ପରିବାରକୁ କେବେ ନ୍ୟାୟ ମିଳିବ ତାକୁ ସମସ୍ତେ ଚାହିଁ ବସିଛନ୍ତି।