ଭୁବନେଶ୍ୱର,୦୫/୦୯: ‘ମାଲିକ ପାଖରେ ରହୁଥିଲି । ଘରେ ସମସ୍ତଙ୍କ ସ୍ନେହ ପାଉଥିଲି । ସଭିଙ୍କ ସହ ଖେଳୁଥିଲି । ହେଲେ କ’ଣ ହେଲା କେଜାଣି ଆଜି ମୁଁ ପର ହୋଇଯାଇଛି । କେହି ମୋତେ ଖୋଜିବାକୁ ଆସୁନାହାନ୍ତି । କେଉଁଠି ଅଛି, ଖାଇଛି କି ନାହିଁ ସେ କଥା ମଧ୍ୟ ବୁଝୁନାହାନ୍ତି । ଏବେ ମୁଁ କାହା ପାଖରେ ରହିବି’ । କଥା ସିନା କହିପାରୁନି । ହେଲେ ହାବଭାବରୁ ମନର ବେଦନା ବୁଝିହେଉଥିଲା । ଏ ହେଉଛି ଏକ ବିଦେଶୀ କୁକୁରର କଥା । ବୁଧବାର ସ୍ଥାନୀୟ ୟୁନିଟ-୮ନମ୍ବର ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ଥିବା ଏକ ପାନ ଦୋକାନ ପାଖରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ ।
ସକାଳେ ଉକ୍ତ ପାନ ଦୋକାନ ପାଖରେ ଗୋଟିଏ ଧଳା ରୁମୁରୁମିଆ କୁକୁର ଶୋଇଥାଏ । କୁକୁରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ। ସମସ୍ତେ ତାକୁ ଦେଖି ଫଟୋ ଉଠାଉଥିଲେ । କିଏ ଚୁ...ଚୁ... କହି ବିସ୍କୁଟ ଦେଉଥିଲା, ତ କିଏ କେକ୍ ଯାଚୁଥିଲା । ହେଲେ କୁକୁରଟି କିଛି ଖାଉନଥିଲା । ଖାଲି କୁଁ କୁଁ ହେଉଥିଲା । କୁକୁରର ମାଲିକ କିଏ, ସେ କେଉଁଠୁ ଆସିଛି ତାହା ମଧ୍ୟ କେହି ଜାଣନ୍ତିନି । କୁକୁରକୁ ଉଦ୍ଧାର କରିଥିବା ସନ୍ଦୀପ ବାରିକଙ୍କ କହିବା କଥା, ମଙ୍ଗଳବାର ଅପରାହ୍ଣରେ ସେ ଫାୟାର ଷ୍ଟେସନ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କ ଗାଡ଼ି ଆଗକୁ ଏହି କୁକୁରଟି ଚାଲି ଆସିଲା । କିଛି ବୁଲା କୁକୁର ତାକୁ ଗୋଡ଼ାଉଥିଲେ । ସନ୍ଦୀପ ତାକୁ ଉଦ୍ଧାର କରି ନିଜ ସହ ଘେନିଆଣିଥିଲେ । ଘରେ ସନ୍ଦୀପ ତାକୁ ଖାଇବାକୁ ଯାଚିଥିଲେ । ହେଲେ କୁକୁରଟି କିଛି ଖାଇନଥିଲା । ରାତି ସାରା ସେ କାନ୍ଦୁଥିଲା । ନାଁ ଜଣାପଡ଼ିନଥିବାରୁ ତାକୁ ପପି ବୋଲି ଡାକୁଛି । ଦେହରେ କିଛି କ୍ଷତ ଚିହ୍ନ ଥିବାରୁ ପ୍ରଥମେ ତାକୁ ପଶୁ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ଇଞ୍ଜେକସନ ମଧ୍ୟ ଦେଇଥିଲେ । ହେଲେ ସେ ଏବେ ଭାରି ଗୁମ୍ ମାରି ବସୁଛି । ତେଣୁ ଯାହାର କୁକୁର ସେ ଆସି ନେଇଯିବାକୁ ସନ୍ଦୀପ ଅନୁରୋଧ କରିଛନ୍ତି ।