ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଏସ୍‌ସିବିରେ ଶିଶୁ ବଦଳ ମାମଲା: ହାଇକୋର୍ଟଙ୍କ ଉଦ୍‌ବେଗ, ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ନୋଟିସ୍

Published By : Prameya | March 25, 2025 11:38 AM

କଟକ,୨୫/୦୩: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ (ଏସ୍‌ସିବି)ରେ ଶିଶୁ ବଦଳକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ  କରିଛନ୍ତି । ହାଇକୋର୍ଟ କହିଛନ୍ତି, ସରକାରୀ ମେଡିକାଲ୍‌ ଉପରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ରହିଥାଏ । କିନ୍ତୁ ଯେତେବେଳେ ଏହି ଭରସା ତୁଟିଯାଏ ସେତେବେଳେ କେବଳ ଏହି ହସ୍ପିଟାଲ୍‌ର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠେନି ପୂରା ଅନୁଷ୍ଠାନ ଉପରେ ଥିବା ବିଶ୍ୱାସ  ଦୋହଲିଯାଏ । ତେଣୁ ଏଭଳି ଏକ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ଏସ୍‌ସିବି  ଅଧୀକ୍ଷକଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୨ ତାରିଖ ସୁଦ୍ଧା ଅଧୀକ୍ଷକ ଏହା ଉପରେ ଜବାବ ରଖିବେ । ରତନା ବେହେରାଙ୍କ ପକ୍ଷରୁ ଆଗତ ମାମଲାର  ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

୨୦୨୫ ଫେବ୍ରୁଆରୀ ୧୦ରେ ଆବେଦନକାରୀଙ୍କ ପତ୍ନୀ ଏସ୍‌ସିବିର ସ୍ତ୍ରୀ ରୋଗ ଓ  ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ୧୧ ତାରିଖ ସକାଳେ ତାଙ୍କର ଶିଶୁ କନ୍ୟା ଜନ୍ମ  ନେଇଥିଲା । ଜନ୍ମ ସମୟରେ ଶିଶୁ କନ୍ୟା ସୁସ୍ଥ ଥିଲା । ପରିବାର ଲୋକେ ଶିଶୁ କନ୍ୟାର  ଫଟୋ ମଧ୍ୟ ଉଠାଇଥିଲେ । କିଛି ସମୟ ପରେ ଶିଶୁ କନ୍ୟା ଅସୁସ୍ଥ ଥିବା ଦର୍ଶାଇ ଡାକ୍ତର  ଆଇସିୟୁରେ ଭର୍ତ୍ତି କରିବା ସହ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଥିଲେ । ୧୨ ତାରିଖ  ସକାଳେ ଶିଶୁ କନ୍ୟାର ଜେଜେମା ଦେଖିବାକୁ ଆଇସିୟୁକୁ ଯାଇଥିଲେ । ଡାକ୍ତରଖାନା  କର୍ମଚାରୀ ଶିଶୁ କନ୍ୟାକୁ ମୃତ ଦର୍ଶାଇବା ସହ ତତ୍‌କ୍ଷଣାତ୍‌ ମୃତଦେହ ହସ୍ତାନ୍ତର  କରିଥିଲେ । ଏଥିସହ ମହାନଦୀ ପଠାରେ ମୃତଦେହ ପୋତିଦେବାକୁ କହିଥିଲା ।  ମୃତ ଶିଶୁର ଶରୀର କପଡ଼ାରେ ଢାଙ୍କି ହୋଇ ରହିଥିଲା । ଶିଶୁକୁ ପୋତିବା ସମୟରେ  ମୁହଁ ଦେଖିବା ପରେ ଏହା ତାଙ୍କ ଶିଶୁ କନ୍ୟା ନୁହେଁ ବୋଲି ସେମାନେ ଜାଣିଥିଲେ ।  କିଛି ସମୟ ପରେ ସେମାନେ ପୁନର୍ବାର ଉକ୍ତ ସ୍ଥାନକୁ ଯାଇ ବାଲି ଖୋଳି ଦେଖିଥିଲେ  ହେଲେ ମୃତଦେହ ନଥିଲା କେବଳ କପଡ଼ା ମିଳିଥିଲା । ଏସ୍‌ସିବିରେ ତାଙ୍କ ଶିଶୁ  ବଦଳ କରାଯାଇଥିବା ନେଇ ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା । ପରେ ସେମାନେ ମଙ୍ଗଳାବାଗ ଥାନାଧିକାରୀ,  କଟକ ଡିସିପି ଓ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ସବୁଠୁ  ନିରାଶ ହୋଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ  ମାମଲାକୁ ବିଚାର ନିମନ୍ତେ ଗ୍ରହଣ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍‌ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.