ନରସିଂହପୁର,୨୬/୦୩: ନରସିଂହପୁର ବ୍ଲକ୍ଶିକ୍ଷା ବିଭାଗର ବ୍ୟବସ୍ଥାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଇତି ମଧ୍ୟରେ ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହୋଇଛି । ଏପ୍ରିଲ୍ ୧ ତାରିଖ ଠାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । କିନ୍ତୁ ବ୍ଲକ୍ ଅନ୍ତର୍ଗତ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ୨ହଜାର ୨୩୬ ଖଣ୍ଡ ବହି ମିଳିପାରିଲା ନାହିଁ । ଯାହା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାରୁ ପ୍ରକାଶ, ୨୦୨୪-୨୫ ଶିକ୍ଷା ବର୍ଷପାଇଁ ନରସିଂହପୁର ବ୍ଲକ୍ର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୯ ହଜାର ୭୩ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ୮୩ ହଜାର ୧୬୪ ଖଣ୍ଡ ବିଭିନ୍ନ ବହି ଆବଶ୍ୟକ । ସେଥିମଧ୍ୟରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ହଜାର ୨୩୬ ଜଣ ଛାତ୍ର ଛାତ୍ରୀ ବିନା ବହିରେ ପରୀକ୍ଷା ଦେଇଛନ୍ତି । ଅଷ୍ଟମ ଶ୍ରେଣୀର ୧୫୦ଟି ସାହିତ୍ୟ ବହି, ୧୩୫ ଟି ବ୍ୟାକରଣ, ୨୨୦ଟି ଇଂରାଜୀ ଷ୍ଟୋରୀ, ହିନ୍ଦୀ ୨୦ଟି, ସଂସ୍କୃତ ୧୫୬ଖଣ୍ଡ, ବୀଜଗଣିତ ୨୨୦ଖଣ୍ଡ, ଜ୍ୟାମିତି ୨୩୫ଖଣ୍ଡ, ହିନ୍ଦୀ ବ୍ୟାକରଣ ୨୦ଖଣ୍ଡ, ଇତିହାସ ୨୨୦ଖଣ୍ଡ ଓ ଭୂଗୋଳ ୨୨୦ ଖଣ୍ଡ ଏହିପରି ମୋଟ୍ ୨ ହଜାର୨୩୬ ଖଣ୍ଡ ବହି ମିଳିପାରିନାହିଁ । ଅନ୍ୟପକ୍ଷରେ କାର୍ଯ୍ୟାଳୟରେ ବହି ରଖିବା ପାଇଁ ଜାଗା ନଥିବାରୁ ନୂଆ ବହି ସବୁ ବ୍ଲକ୍ ଶିକ୍ଷା ବିଭାଗ କାର୍ଯ୍ୟାଳୟର ବାରଣ୍ଡାରେ ପଡ଼ି ନଷ୍ଟ ହେଉଛି । ଏନେଇ ବ୍ଲକ୍ଶିକ୍ଷା ଅଧିକାରୀ ପ୍ରକାଶ କୁମାର ମତ୍ତଗଜଙ୍କୁ ଫୋନ୍ କରିଥିଲେ ସୁଦ୍ଧା ସେ ଫୋନ୍ ଉଠାଇନଥିଲେ ।