ଆଠଗଡ଼ ୨୫/୦୩: ଆଠଗଡ଼ ବନଖଣ୍ଡ ନରସିଂହପୁର ଉଭୟ ପୂର୍ବ ଏବଂ ପଶ୍ଚିମ ବନ ବିଭାଗ ଅଞ୍ଚଳର ଗ୍ରାମ ନିକଟରେ ବୁଲୁଛନ୍ତି ବଣୁଆ ମା’, ଛୁଆ ହାତୀ । ଭୟଭୀତ ଅବସ୍ଥାରେ ରହୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ହାତୀକୁ ଘଉଡ଼େଇବା ପାଇଁ ନାକେଦମ ବନ ବିଭାଗ କର୍ମଚାରୀ ।
ସୂଚନା ଅନୁଯାୟୀ, ନରସିଂହପୁର ପୂର୍ବ ବନ ବିଭାଗ ଅଧୀନରେ ଥିବା ପାଞ୍ଚଗୋଛିଆ ରଙ୍ଗଡ଼ାବ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ନବଜାତ ହାତୀ ଛୁଆ ସହିତ ଦନ୍ତା ଓ ମାଈ ହାତୀ ଚଳପ୍ରଚଳ କରୁଥିଲେ। ଗତ ଜାନୁୟାରୀ ୨୫ ତାରିଖରେ ଦନ୍ତା ହାତୀଟି ରଙ୍ଗଡ଼ାବ ନିକଟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିବା ପରେ ଗୋଠ ଛଡା ହୋଇ ଯାଇଥିଲା ମାଈ ହାତୀ । ଏହି ମାଈ ହାତୀଟି ତାର ଦୁଇ ମାସର ଛୁଆକୁ ଧରି ପାଞ୍ଚଗୋଛିଆ ପାତ୍ର ଭାଗ ଗ୍ରାମ ନିକଟରେ ଚଳ ପ୍ରଚଳ କରୁଥିଲା। କିନ୍ତୁ ଖାଦ୍ୟ ନଖାଇ ଦିନକୁ ଦିନ ମା’ ଓ ଛୁଆ ହାତୀ ଅସୁସ୍ଥ ହୋଇ ପଡିଥିଲେ।
ଏନେଇ ଖବର ପ୍ରସାରଣ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କପିଳାସରୁ ୪ ଜଣିଆ ବିଶେଷଜ୍ଞ ଦଳ ଆସି ଔଷଧ ଇଞ୍ଜେକ୍ସନ ଦେଇ ଚିକିତ୍ସା କରିବା ପରେ ଉଭୟ ମା’, ଛୁଆ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଉଭୟ ମା’, ଛୁଆ ହାତୀ ପାଞ୍ଚଗୋଛିଆ, ପାତ୍ରଭାଗ, ରଙ୍ଗଡ଼ାବ, ସାଗର ଆଦି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ନିକଟରେ ଆମ୍ବ ବଗିଚା, ଚାଷ ଜମି ନିକଟରେ ବୁଲୁଥିବା ଦେଖିବକୁ ମିଳୁଛି। ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ ହାତୀର ଗତିବିଧି ଉପରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।