କଟକ,୨୫/୦୩: ଦରଘାବଜାର ଥାନା ଅଞ୍ଚଳର ଜଣେ ପ୍ରତିଷ୍ଠିତ ମହିଳା ଡାକ୍ତରଙ୍କୁ ବ୍ଲାକ୍ମେଲ୍ ଓ ସେକ୍ସଟର୍ସନ୍ ଜାଲରେ ଛନ୍ଦି ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଘଟଣାରେ ଗିରଫ। ନାଇଜେରୀୟ ସାଇବର ଠକ ଅଭିଯୁକ୍ତ ଜେଜେ ରେମଣ୍ଡ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ। ଶତାଧିକ ବ୍ଲାକ୍ମେଲ୍ ଘଟଣାର ଖୋଳତାଡ଼ କରିବ ପୋଲିସ । ଆଜି ରେମଣ୍ଡର ଆର୍ଥିକ କାରବାର ନେଇ ଜେରା କରିବା ସହ ଅଧିକ ତଥ୍ୟ ଉଗାରିବ ଦରଘାବଜାର ଥାନା ପୋଲିସ।
ଗିରଫ ପରେ ଅଭିଯୁକ୍ତ ରେମଣ୍ଡ୍ର ଅପରାଧିକ ପୃଷ୍ଠଭୂମି ସ୍ପଷ୍ଟ ଜଣା ପଡ଼ିନଥିଲା । ସମୟ ଅଭାବରୁ ତାକୁ ଅଧିକ ସମୟ ଜେରା କରାଯାଇ ପାରିନଥିଲା । ଏପରିକି ତାର ଫୋନ୍ ଓ ଲାପ୍ପଟ୍ର ତଥ୍ୟ ମଧ୍ୟ ଯାଞ୍ଚ୍ କରାଯାଇନି । ଗୁରୁତ୍ୱପୂର୍ଣ୍ଣ ହେଉଛି, ମହିଳାମାନଙ୍କ ନକଲି ଏଡିଟେଡ୍ ଫଟୋକୁ ବ୍ୟବହାର କରି ବ୍ଲାକ୍ମେଲ୍ ଓ ଧମକଚମକ ଦେଇ ସେ ହଡ଼ପ କରୁଥିବା ମୋଟା ଅଙ୍କର ଅର୍ଥକୁ କେଉଁଠି ରଖୁଥିଲା ଓ କିଭଳି ଖର୍ଚ୍ଚ କରୁଥିଲା ସେ ବିଷୟ ମଧ୍ୟ ଜଣାପଡ଼ିନି । ତେଣୁ ଠକ ରେମଣ୍ଡ୍ଠାରୁ ଏସବୁ ତଥା ଓକାଳିବା ପାଇଁ ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଦରଘାବଜାର ଥାନା ପୁଲିସ କୋର୍ଟରେ ପ୍ରାର୍ଥନା କରିଥିଲା । କୋର୍ଟରେ ୭ ଦିନିଆ ରିମାଣ୍ଡ ମଗାଯାଇଥିଲା । ମାତ୍ର ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏହି କ୍ରମରେ ମଙ୍ଗଳବାର ଜେଜେ ରେମଣ୍ଡକୁ ଚୌଦ୍ୱାର ଜେଲ୍ରୁ ଅଣାଯାଇଛି ।
ମାମଲାର ତଦନ୍ତ ସହ ତାକୁ ଜେରା କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଜୋନ୍ ଏସିପି, ଥାନା ଅଧିକାରୀ, ସ୍ପେସାଲ୍ ସ୍କ୍ୱାଡ୍ ସହିତ ସାଇବର ଥାନାର ବରିଷ୍ଠ ଅଧିକାରୀଙ୍କୁ ଏ ଟିମ୍ରେ ସାମିଲ କରାଯାଇଛି । ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । ସବୁ ତଥ୍ୟ ପ୍ରମାଣ ଡିଜିଟାଲ୍ ଓ ବୈଷୟିକ । ତେବେ ସେଗୁଡ଼ିକୁ ଖୋଜି ବାହାର କରିବା ଓ ଅଭିଯୁକ୍ତ ମୁହଁରୁ ସତ ଉଗାରିବ ପୁଲିସ ପାଇଁ ସହଜ ହୋଇନପାରେ । ଏପରିକି ପେସାଦାର ସାଇବର ଠକମାନେ ମଧ୍ୟ ସହଜରେ କିଛି ତଥ୍ୟ ଦେଇନଥାନ୍ତି । ତେଣୁ ଜେରା ପରେ ପ୍ରକୃତ ତଥ୍ୟ-ପ୍ରମାଣ ବାହାର କରିବାକୁ ସମୟ ଲାଗିବ ବୋଲି କଟକ ପୁଲିସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ଜେଜେ ରେମଣ୍ଡ୍ର ଗିରଫଦାରି ନେଇ ଜାତୀୟ ସାଇବର ପୋର୍ଟାଲରେ କଟକ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଜେଜେ ରେମଣ୍ଡ୍ ଦ୍ୱାରା ଠକେଇ ବା ସେକ୍ସଟର୍ସନ୍ର ଶିକାର ହୋଇଥିବା ମହିଳାମାନେ କଟକ ପୁଲିସ ସହିତ ଯୋଗାଯୋଗ କରିପାରିବେ । ଏମିତିକି ଅନ୍ୟ ରାଜ୍ୟର ପୁଲିସ ପାଖରେ ଏଭଳି ଅଭିଯୋଗ ଥିଲେ ମଧ୍ୟ କଟକ ପୁଲିସ ସହ ସମ୍ପର୍କ କରିପାରିବେ । ଅଭିଯୁକ୍ତ ରେମଣ୍ଡ୍ ସହିତ ଭାରତର ବିଭିନ୍ନ ପ୍ରାନ୍ତର କିଛି ଲୋକ ସାମିଲ ଥିବା ପୁଲିସ ଅନୁମାନ କରୁଛି । ଖାସ୍ କରି ମହିଳାଙ୍କଠାରୁ ଟଙ୍କା ନେବା ପାଇଁ କିଛି ଲୋକଙ୍କ ଆକାଉଣ୍ଟକୁ ଜେଜେ ରେମଣ୍ଡ୍ ଭଡ଼ାରେ ଆଣିଥିବା ପୁଲିସ ଆଶଙ୍କା କରୁଛି । ପରେ ସେହି ଟଙ୍କାକୁ ତା ଦେଶର ଆକାଉଣ୍ଟକୁ ସେ ପଠାଉଥିବା ଅନୁମାନ କରାଯାଉଛି । ତେବେ ରିମାଣ୍ଡରେ ଆସିବା ପରେ ‘ସେକ୍ସର୍ଟସନ୍’ ର୍ୟାକେଟ୍ ପରିଚାଳନା ବିଷୟରେ ଅଧିକ ତଥ୍ୟ ପୁଲିସ ହାତରେ ଲାଗିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଦରଘାବଜାର ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କ ସହ ସାଇବର ଠକ ଜେଜେ ରେମଣ୍ଡ୍ ସୋସିଆଲ୍ ମିଡିଆରେ ବନ୍ଧୁତା ସ୍ଥାପନ କରି ତାଙ୍କ ଅସଲି ଫଟୋକୁ ନଗ୍ନ ଭାବେ ଏଡିଟ୍ କରି ବ୍ଲାକ୍ମେଲ୍ କରିଥିଲା । ଶେଷରେ ମହିଳା ଡାକ୍ତର ଲୋକଲଜ୍ଜାରେ ଆତ୍ମହତ୍ୟାର ପନ୍ଥା ବାଛି ନେଇଥିଲେ । ଏହି ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରି ଦିଲ୍ଳୀରୁ ଆଣିଛି ।