ନିଆଳି,୨୩/୦୩: ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁର ଆତଙ୍କ ସୃଷ୍ଟି ହେଲାଣି । ଦୀର୍ଘଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆକ୍ରମଣରେ ୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ନିଆଳି ଥାନା ଅଧୀନ ଦେବୀ କନ୍ଦଳ ଦୀପାଞ୍ଚଳ ରାଣୀଓଳା ପଞ୍ଚାୟତ ଅଳତଳଙ୍ଗ ଗ୍ରାମରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଶୁକ୍ରବାର ରାତିରେ ଅଳତଳଙ୍ଗ ଗାଁର ବିଷ୍ଣୁ ବେହେରାଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୮ଟି ବଡ଼ ମେଣ୍ଢାଙ୍କୁ ଆକ୍ରମଣ କରି ସେମାନଙ୍କ ଅନ୍ତବୁଜୁଳା କାଢ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ ଗୁହାଳରେ ୮ଟି ମେଣ୍ଢା ମରି ପଡ଼ିଥିବା ବିଷ୍ଣୁ ଦେଖିଥିଲେ । ଶନିବାର ଛୁଟି ଥିବାରୁ ସରକାରୀ କର୍ମଚାରୀ ଘଟଣା ସ୍ଥଳକୁ ଆସି ନଥିଲେ । ରାଣୀଓଳା ସରପଞ୍ଚ ତ୍ରିନାଥ ମହାନ୍ତି ଘଯଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଷ୍ଣୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ । ଖବର ପାଇ କସର୍ଦ୍ଦା ଆର୍ଆଇ ଲାଡର ଚତ୍ରା ଘଟଣା ସ୍ଥଳରେ ପହଞ୍ଚି ମୃତ ମେଣ୍ଢା ଗୁଡ଼ିକୁ ଦେଖିଥିଲେ । ସୋମବାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନା ଥାଉ କି, ୨୦୨୩ ଜୁଲାଇ ୧୬ରେ ଏହି ଥାନା ଅଧୀନ ଅଲଣା ପଞ୍ଚାୟତ ଓଳାଂଶ ଗ୍ରାମର ନିକୁଞ୍ଜ ସାହୁଙ୍କର ୭ଟି ମେଣ୍ଢା ଓ ଗୋଟିଏ ବାଛୁରୀକୁ ଅଜଣା ଜନ୍ତୁ ଆକ୍ରମଣ କରି ମାରି ଦେଇଥିଲା । ଏହି ଘଟଣାର ୨୦ ମାସ ପରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ବିଷ୍ଣୁଙ୍କ ୮ଟି ମେଣ୍ଢା ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳର ମେଣ୍ଢା ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।