ପୁରୀ,୨୬/୦୩: ଶ୍ରୀମନ୍ଦିରସମ୍ମୁଖରେ ଭାସୁଥିଲା ନଳା ପାଣି । ସେହି ନଳାପାଣି ମାଡ଼ି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଯାଉଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଘଣ୍ଟାଘଣ୍ଟା ଧରି ଏଭଳି ସ୍ଥିତି ଲାଗିରହିଥିଲା । ମଙ୍ଗଳବାର ସକାଳେ ଏଭଳିଦୃଶ୍ୟ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିର ନିକଟରେ । ଶ୍ରେଷ୍ଠଧାମ ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ, ସୁନ୍ଦର ଓ ପବିତ୍ରତାରେ ପରିପୂର୍ଣ୍ଣ କରିବା ପାଇଁ ପବିତ୍ର ପୁରୀର ସ୍ଲୋଗାନ ଖୋଦ ଶ୍ରୀମନ୍ଦିର ସମ୍ମୁଖରେ ବିଫଳ ଅନୁଭବ ହୋଇଥିଲା। ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ସ୍ୱଚ୍ଛ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶ୍ରୀମନ୍ଦିର ସମ୍ମୁଖରେ ନଳା ପାଣି ଭାସିବା ଭକ୍ତଙ୍କ ମନକୁ କଷ୍ଟ ଦେଇଥିଲା ।
ନଳା ପାଣିକୁ ତୁରନ୍ତ ସଫା କରିବା ପାଇଁ ଭକ୍ତମାନେ ଦାବି କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ପିଏସ୍ଆଇଏଲ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖି ଥିଲା । ପରିକ୍ରମା ମାର୍ଗ ତଳ ଦେଇ ଯାଇଥିବା ନାଳ ଜାମ୍ ହୋଇଥିବାରୁ ପାଣି ଭାସୁଥାଇପାରେ ବୋଲି ସନ୍ଦେହ କରି ନଳାରୁ ପଙ୍କ କଢ଼ାଯାଇଥିଲା । ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଟ୍ୟାଙ୍କର ଯୋଗେ ପାଣି ପକାଇ ସିଂହଦ୍ୱାର ସମ୍ମୁଖରୁ ଏହି ନଳା ପାଣିକୁ ସଫା କରିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସଫେଇ ଦାୟିତ୍ୱ ଏକ ଘରୋଇ ସଂସ୍ଥା ନେଇଥିବାରୁ ଏହା ପୌରପାଳିକା ଅଧୀନରେ ଆସୁନାହିଁବୋଲି ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ନଳା ପାଣି ଭାସୁଥିବା ନେଇ ତାଙ୍କ ନିକଟକୁ ଅଭିଯୋଗ ଆସିବାପରେ ସେ ଏସମ୍ପର୍କ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାକୁ ଅବଗତ କରାଇଥିବା କହିଛନ୍ତି ।
ପିଏସ୍ଆଇଏଲ୍ ପରିଚାଳକ କିରଣ କୁମାର ଜେନା କହିଛନ୍ତି, ସୋମବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ମନ୍ଦିର ପାଖ ସାହିରୁ ବର୍ଷା ପାଣି ଗଡ଼ି ଏଠାରେ ଜମିଥିଲା । ଏହା ନଳା ପାଣି ନୁହେଁ । ତେବେକାଳେ ଏହା ନଳା ପାଣି ହୋଇଥିବ ବୋଲି ସନ୍ଦେହ କରି ଯନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଲାବଖୋଲି ନଳାରୁ ପଙ୍କ କଢ଼ାଯାଇଛି । ନିକଟରେ ହୋଇଥିବା ବର୍ଷାରେ ପୁରୀ ବଡ଼ଦାଣ୍ଡରେ କୁଢ଼କୁଢ଼ ପଙ୍କ ଭାସୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସୋମବାର ରାତିରେ ହୋଇଥିବା ବର୍ଷାରେ ମଧ୍ୟ କେତେକ ସ୍ଥାନରେ ନଳାରୁ କଢ଼ାଯାଇ ଦାଣ୍ଡରେ ଥୁଆଯାଇଥିବା ପଙ୍କ ଭାସିଥିଲା । ବର୍ଷା ଯୋଗୁ ବଳଗଣ୍ଡି ସମେତ ବଡ଼ଦାଣ୍ଡର ଅନ୍ୟ କେତେକ ସ୍ଥାନରେ ପାଣି ଜମିବା ସ୍ଥିତି ଉପୁଜିଥିଲା ।
ସୂଚନାଥାଉକି, ପୁରୀ ପୌରାଞ୍ଚଳରଜଳ ନିଷ୍କାସନ ବ୍ୟବସ୍ଥାକୁ ଉନ୍ନତ କରିବାପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସମୁଦାୟ ୫ କୋଟି ଟଙ୍କା ମଞ୍ଜୁର ହୋଇଛି । ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ସ୍ୱତନ୍ତ୍ର ଡ୍ରେନେଜ୍ ମାଷ୍ଟର ପ୍ଲାନ ପାଇଁ ୨କୋଟି ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବର୍ଷା ଋତୁରେ ପୌରାଞ୍ଚଳରେ ହେଉଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ସ୍ଥାନଗୁଡ଼ିକୁ ଚିହ୍ନଟ କରି ତା’ର ପ୍ରତିକାରନିମନ୍ତେ ଚଳିତ ଆର୍ଥିକ ବର୍ଷରେ ପୁରୀକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।