ଭୁବନେଶ୍ଵର, ୨୬/୦୩ : କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ୍। ପ୍ରଶ୍ନକାଳରେ ବିଧାନସଭାରେ ଘଣ୍ଟ ବାଡ଼େଇବାରୁ ୭ ଦିନ ପାଇଁ ଗୃହରୁ ନିଲମ୍ଵିତ କଲେ ବାଚସ୍ପତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ସସପେଣ୍ଡ୍ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ଵେ ତାରା ଓ ରମେଶ ଘଣ୍ଟ ପିଟିଥିଲେ। ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସପେଣ୍ଡ୍ ହୋଇଛନ୍ତି। କଂଗ୍ରେସର ମୋଟ ୧୪ ଜଣ ବିଧାୟକ ସସପେଣ୍ଡ୍ ହୋଇଛନ୍ତି।
ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଥିଲା। ଯାହାକୁ ବିରୋଧ କରି କଂଗ୍ରେସ ନେତା ଓ କର୍ମୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାତିସାରି ଧାରଣାରେ ବସିଥିଲେ। ବୁଧବାର ବିଧାନସଭା ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଠିକ୍ ଏହି ସମୟରେ ବିଜେଡ଼ି ବିଧାୟକମାନେ ଗେଟ୍ ଭାଙ୍ଗି ବାହାରକୁ ଆସିଥିଲେ, ଆଉ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ନେଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ହେଲେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରି ହେପାଜତକୁ ନେଇଥିଲା।
ବିଧାନସଭାରେ ହାଇଡ୍ରାମା: ଗେଟ୍ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
ବୁଧବାର ବିଧାନସଭା ପରିସରରେ ଏକପ୍ରକାର ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଯାହାକୁ ନେଇ ଅନେକ କଂଗ୍ରେସ ନେତା କହିଛନ୍ତି ଯେ, ନିର୍ବାଚିତ ବିଧାୟକମାନଙ୍କର ସ୍ୱରକୁ ରାଜ୍ୟ ସରକାର ଚାପିବାକୁ ଉଦ୍ୟମ କରୁଛନ୍ତି। ଯାହାର ଜବାବ ଆଗାମୀ ଦିନରେ ଜନତା ଦେବେ।