ନୂଆଦିଲ୍ଲୀ: ବ୍ରିଟେନର ଅନ୍ୟତମ ପ୍ରମୁଖ ବିମାନ ବନ୍ଦର ମଧ୍ୟରେ ଥିବା ହିଥ୍ରୀ ବିମାନ ବନ୍ଦର ଆଜି ବନ୍ଦ ରହିଛି। ନିକଟରେ ଥିବା ଏକ ପାୱାର ଷ୍ଟେସନରେ ଭୟଙ୍କର ନିଆଁ ଲାଗିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରକୁ ବନ୍ଦ କରାଯାଇଛି। ପଶ୍ଚିମ ଲଣ୍ଡନର ଏହି ପ୍ରମୁଖ ପାୱାର ଷ୍ଟେସନରେ ନିଆଁ ଲାଗିବା ପରେ ଏହାର ଆଖପାଖ ଅଞ୍ଚଳରେ ଥିବା ହଜାରହଜାର ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ବିମାନ ବନ୍ଦର କତ୍ତୃପକ୍ଷ ସୂଚନା ଜାରି କରି କହିଛନ୍ତି ଯେ “ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେ ଶୁକ୍ରବାର ବିମାନବନ୍ଦର ବନ୍ଦ କରିଛୁ। ଏହାଛଡା ଆମ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ଏଣୁ ବିମାନରେ ଯାତ୍ରା କରି ଗନ୍ତବ୍ୟସ୍ଥଳକୁ ଯାଉଥିବା ଯାତ୍ରୀମାନେ ଅନ୍ୟ ବିକଳ୍ପ ବାଛନ୍ତୁ।”
ଲଣ୍ଡନ ଅଗ୍ନିଶମ ବିଭାଗ ସୂଚନା ଦେଇ କହିଛି ଯେ ୧୦ଟି ଫାୟାର ଇଞ୍ଜିନ ଓ ୭୦ ଜଣ ଅଗ୍ନିଶମ କର୍ମଚାରୀ ମିଶି ନିଆଁକୁ ଆୟତ କରିଥିଲେ। ଲାଗିଥିବା ନିଆଁ ଏତେ ଭଯଙ୍କର ଥିଲା ଯେ ଅନେକ ଦୁରରୁ ଏହାର ଧୂଆଁ ଦେଖାଯାଉଥିଲା। ଯାହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ଏହି ଦୁର୍ଘଟଣା ଘଟିବା ପରେ ଲଣ୍ଡନରେ ଥିବା ୧୬,୩୦୦ରୁ ଅଧିକ ଘରେ ବିଦ୍ୟୁତ ଯୋଗାଣରେ ବାଧା ଉପୁଜିଛି ବୋଲି ବିଦ୍ୟୁତ ବିଭାଗ ଖବର ପ୍ରଦାନ କରିଛି। ଗୁରୁବାର ଦିନ ରାତ୍ରି ପାଖାପାଖି ୧୧ଟା ୨୩ ମିନିଟରେ ଏହି ନିଆଁ ଲାଗିଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି। ତେବେ ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ୨୧ ମାର୍ଚ୍ଚ ରାତି ୧୧ଟା ୫୯ ମିନିଟ ଯାଏଁ ବିମାନ ବନ୍ଦର ବନ୍ଦ ରହିବ ବୋଲି ବିମାନ ବନ୍ଦର କତ୍ତୃପକ୍ଷ ଘୋଷଣା କରିଛନ୍ତି।
ଆପଣଙ୍କୁ ଜଣାଇରଖୁ ଯେ ହିଥ୍ରୋ ବିମାନ ବନ୍ଦର ଦୁନିଆର ସବୁଠୁ ବ୍ୟସ୍ତବହୁଳ ବିମାନ ବନ୍ଦର ଭିତକରୁ ଅନ୍ୟତମ। ଗତ ବର୍ଷ ମୋଟ୍ ୫ କୋଟିରୁ ଅଧିକ ଯାତ୍ରୀ ଏହି ବିମାନ ବନ୍ଦର ଦେଇ ଯାତ୍ରା କରିଥିବା ନେଇ ସୂଚନା ରହିଛି। ତେବେ ଆଜି ବିମାନ ବନ୍ଦର ବନ୍ଦ ରହିବାରୁ ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।