ନୂଆଦିଲ୍ଲୀ,୨୨/୦୩: ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନ୍ଫୋର୍ସମେଣ୍ଟ (ଆଇସିଇ) ହେପାଜତରେ ବର୍ତ୍ତମାନ ୨୯୫ ଜଣ ଅବୈଧ ପ୍ରବାସୀ ଭାରତୀୟ ଅଛନ୍ତି । ଆମେରିକା ସେମାନଙ୍କୁ ଖୁବଶୀଘ୍ର ଭାରତକୁ ପଠାଇଦେବ । ସେମାନଙ୍କୁ ଦେଶ ଛାଡିବା ଲାଗି ଚୂଡାନ୍ତ ଆଦେଶନାମା ଜାରି କରାଯାଇଛି । କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି । ଏହି ଭାରତୀୟଙ୍କ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । କିନ୍ତୁ ବର୍ତ୍ତମାନ ଆମେରିକାରେ କେତେ ସଂଖ୍ୟକ ଅବୈଧ ପ୍ରବାସୀ ଭାରତୀୟ ରହୁଛନ୍ତି ସେହି ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଗତ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏପର୍ଯ୍ୟନ୍ତ ୩୮୮ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇ ସାରିଲେଣି । ଟ୍ରମ୍ପଙ୍କ ପ୍ରଥମ ପାଳି (୨୦୧୭-୨୧) ରେ ୬ ହଜାର ଅବୈଧ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ପଠାଇ ଦିଆଯାଇଥିଲା । ଜୋ ବାଇଡେନଙ୍କ ଶାସନ (୨୦୨୧-୨୫) ସମୟରେ ୩,୬୨୫ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ପଠାଯାଇଥିଲା ।