ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଏଠାରେ ଏକ ଦୋକାନରେ ଜଣେ ୫୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ପୁରୁଷ ଏବଂ ତାଙ୍କ ୨୪ ବର୍ଷୀୟ ଝିଅଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତିଙ୍କ ନାମ ପ୍ରଦୀପକୁମାର ପଟେଲ ବୋଲି ଜଣାପଡ଼ିଛି। ସେ ତାଙ୍କ ଝିଅ ସହିତ ଭର୍ଜିନିଆର ପୂର୍ବ ତଟର ଆକୋମାକ୍ କାଉଣ୍ଟିର ଲ୍ୟାଙ୍କଫୋର୍ଡ ହାଇୱେରେ ଏକ ଦୋକାନରେ କାମ କରୁଥିଲେ । ଏହି ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଘଟଣାଟି ମାର୍ଚ୍ଚ ୨୦ ସକାଳ ପ୍ରାୟ ସାଢେ ୫ଟାରେ ଆକୋମାକ୍ କାଉଣ୍ଟି ସେରିଫ୍ଙ୍କ କାର୍ଯ୍ୟାଳୟରେ ଘଟିଛି । ଗୁଳି ବାଜିବା ପରେ ପୀଡିତ ମାନେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଉଭୟଙ୍କୁ ବାପା ଏବଂ ଝିଅ ଭାବରେ ଚିହ୍ନଟ କରାଯାଇଛି।
ଭର୍ଜିନିଆ ପୋଲିସ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି। ଗୁଳିଚାଳନା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଦୋକାନ ମାଲିକ ପରେଶ ପଟେଲ ନିଶ୍ଚିତ କରିଛନ୍ତି ଯେ ଉଭୟ ପୀଡିତ ତାଙ୍କ ପରିବାରର ସଦସ୍ୟ ।