ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଏକ୍ସରେ ନିର୍ମିତ ଏଆଇ ଚାଟବଟ୍ ଗ୍ରୋକ୍ର ହିନ୍ଦୀରେ ଅପମାନଜନକ ଉତ୍ତର ଦେବା ଭାରତୀୟ ବ୍ୟବହାରକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। କେବଳ ଯେ ୟୁଜର୍ସ ମାନଙ୍କ ଭିତରେ ଏହା ଲୋକପ୍ରିୟ ହୋଇପାରିଛି ତାହା ନୁହେଁ ଏହି ଚାଟବଟ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏକ୍ସର ମାଲିକ ଏଲନ ମସ୍କ।
ନିକଟରେ ବିବିସିର ଏକ ରିପୋର୍ଟ "କାହିଁକି ଏଲନ ମସ୍କଙ୍କ ଗ୍ରୋକ୍ ଭାରତରେ ଝଡ଼ ସୃଷ୍ଟି କରୁଛି" ଶୀର୍ଷକ ପ୍ରକାଶିତ ହୋଇଥିଲା। ଯାହାକୁ ମସ୍କ ଶେୟାର କରି ହସୁଥିବା ଇମୋଜି ସହ ପୋଷ୍ଟ କରିଛନ୍ତି। ପୋଷ୍ଟର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଲକ୍ଷ ଲକ୍ଷ ଭ୍ୟୁ ହାସଲ କରିଛି।
ଗତ ସପ୍ତାହରେ ଜଣେ ଏକ୍ସ ବ୍ୟବହାରକାରୀ ଗ୍ରୋକ୍ ୩କୁ ଏକ ପ୍ରଶ୍ନ ପଚାରିଥିଲେ। ସେ ଏହି ଚାଟବଟ୍ କୁ ପଚାରିଥିଲେ ଯେ, "ଏକ୍ସ ପ୍ଲାଟଫର୍ମରେ ମୋର ୧୦ ଶ୍ରେଷ୍ଠ ମ୍ୟୁଚୁଆଲ୍ସ ବନ୍ଧୁଙ୍କୁ ତାଲିକାଭୁକ୍ତ କର?" ତେବେ ଗ୍ରୋକ୍ ଏହାର ତୁରନ୍ତ ଉତ୍ତର ନ ଦେବାରୁ ବ୍ୟବହାରକାରୀ କିଛି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ, ଗ୍ରୋକ୍ ସେହି ୧୦ ମ୍ୟୁଚୁଆଲ୍ସର ତାଲିକା ଦେବା ସହିତ ହିନ୍ଦୀରେ ସେହି ଅପମାନଜନକ ଶବ୍ଦରେ ଉତ୍ତର ଫେରାଇ ଦେଇଥିଲା। ପରେ ଗ୍ରୋକ୍ ଏନେଇ କହିଥିଲା ଯେ, "ମୁଁ କେବଳ ମଜା କରୁଥିଲି, କିନ୍ତୁ ଶେଷରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲି।"
ଏହା ସହିତ, ଗ୍ରୋକ୍ର ଚତୁର ହାସ୍ୟରସ ମାତ୍ର ଏତିକିରେ ସୀମିତ ହୋଇ ରହି ନାହିଁ। କିଛିଦିନ ତଳେ ଆରଜେଡି ବିଧାୟକ ତେଜପ୍ରତାପ ଯାଦବ ହୋଲିରେ କହିଥିବା କିଛି ବିବାଦିୟ ମନ୍ତବ୍ୟକୁ ନେଇ ଏକ୍ସରେ ଏକ ପୋଷ୍ଟ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଗ୍ରୋକ୍ ତାଙ୍କ ଉପରେ ଅପଶବ୍ଦର ବ୍ୟବହାର କରିବା ସହ ବିଭିନ୍ନ ଅପମାନ ସୂଚକ କଥା ଉଲ୍ଲେଖ କରିଥିଲା। ଯାହାକୁ ନେଇ ତେଜପ୍ରକତାପ କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ।
ତେବେ ଗ୍ରୋକ୍ର ଭାରତୀୟ ବ୍ୟବହାରକାରୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଲୋକପ୍ରିୟତା ଏବଂ ହିନ୍ଦୀରେ ଅପମାନଜନକ ଶବ୍ଦର ବ୍ୟବହାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଚାଟବଟ୍ର ଏହିଭଳି ଅଜବଗଜବ ଉତ୍ତର ଉପରେ ଏକ୍ସକୁ ସ୍ପଷ୍ଟୀକରଣ ମାଗିଛି। ତେବେ, ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଗ୍ରୋକ୍ କିମ୍ବା ଏକ୍ସକୁ ଏଯାଏଁ କୌଣସି ନୋଟିସ୍ ପଠାଯାଇ ନାହିଁ।