ନୂଆଦିଲ୍ଲୀ: ଶୁକ୍ରବାର ମଧ୍ୟରାତ୍ରରେ ଲେବାନନ ଉତ୍ତର ଇଜ୍ରାଏଲରେ ରକେଟ ମାଡ କରିବା ପରେ ଦୁଇ ଦେଶ ମଧ୍ୟରେ ଅସ୍ଥିରତା ବୃଦ୍ଧି ପାଇଛି। ଏହାର ଜବାବବେ ଇଜ୍ରାଇଲ ଲେବନାନ ଉପରେ ବ୍ୟାପକ ଆର୍ଟିଲାରୀ ଓ ବିମାନ ଆକ୍ରମଣ ଆରମ୍ଭ କରିଦେଇଛି। ଏହି ଘଟଣା ପରେ ଇସ୍ରାଏଲ ଓ ଆତଙ୍କୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ହୋଇଥିବା ଯୁଦ୍ଧବିରାମକୁ ସଙ୍କଟରେ ପକାଇଦେଇଛି। ପ୍ରାୟ ତିନି ମାସର ଶାନ୍ତି ପରେ ଏହି ନୂଆ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଆଉ ଏକ ଯୁଦ୍ଧ ଆଡକୁ ବାଟ କଢାଇ ନେଉଛି ବୋଲି ଖବର ସରବରାହ ସଂସ୍ଥା ରୟଟର୍ସ ରିପୋର୍ଟ ପ୍ରକାଶ କିରିଛି।
ଲେବାନନର ପ୍ରଧାନମନ୍ତ୍ରୀ ନାୱାଫ ସଲାମ ଏକ ବିବୃତିରେ ଚେତାବନୀ ଦେଇ କହିଛନ୍ତି ଯେ ଇଜ୍ରାଏଲର ଏହି ଆକ୍ରମଣ ଦେଶକୁ ଏକ ନୂଆ ଯୁଦ୍ଧ ଆଡକୁ ନେଇଯାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ସମସ୍ତ ସୁରକ୍ଷା ଓ ସାମରିକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି। କାରଣ ଯୁଦ୍ଧ ଓ ଶାନ୍ତି ବିଷୟରେ ନିଷ୍ପତ୍ତି ଲେବାନନ ନିଜେ ନେଇଥାଏ।"
ଅନ୍ୟପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସରାଏଲ କାଟ୍ଜ ଲେବନାନ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏଯାଏ କୌଣସି ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ତେବେ କିପରି ଏକ ରକେଟ ଲେବନାନ ସୀମାରୁ ଆସି ଇସ୍ରାଏଲ ଉପରେ ଆକ୍ରମଣ କଲା ତାହା ବୁଝାପଡୁନାହିଁ। ଏହା ଲେବନାନ ସରକାରଙ୍କ ଦାୟିତ୍ତ୍ୱ ହୀନତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ଗତକାଲି ହମାସ ପକ୍ଷରୁ ଇସ୍ରାଏଲ ସେନା ଉପରେ ଗୁଳି ବିନିମୟ କରାଯାଇଥିଲାବେଳେ ଯେମେନର ଆତଙ୍କୀ ସଂଗଠନ ହୁଇଥି ପକ୍ଷରୁ ମିସାଇଲ ମଧ୍ୟ ମାଡ କରାଯାଇଥିଲା। ଏହି ସଂଗଠନଗୁଡ଼ିକ ଇରାନ ସମର୍ଥିତ 'ଆକ୍ସିସ ଅଫ୍ ରେଜିଷ୍ଟାନ୍ସ'ର ଅଂଶ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଏକାସାଙ୍ଗରେ ଗାଜା, ଯେମେନ ଓ ଲେବାନନରୁ ରକେଟ ଆକ୍ରମଣ ହେବା ପରେ ଏହା ଇଜ୍ରାଏଲ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଗାଜାରେ ସାମରିକ ଅଭିଯାନ ପୁଣି ଆରମ୍ଭ ହେବା ପରେ ଇଜ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ବିରୋଧୀମାନଙ୍କ ଆକ୍ରମଣ ତୀବ୍ର ହୋଇଛି। ବିରୋଧୀ ନେତା ଆଭିଗ୍ଡୋର ଲିବରମ୍ୟାନ ନେତାନ୍ୟାହୁଙ୍କୁ "ଇଜରାଇଲର ସୁରକ୍ଷା ପାଇଁ ବିପଦ" ବୋଲି କହିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, "ଗୋଟିଏ ଦିନରେ ଗାଜା, ଯେମେନ ଓ ଲେବାନନରୁ ରକେଟ ଆକ୍ରମଣ। ଅକ୍ଟୋବର ୭ର ପ୍ରଧାନମନ୍ତ୍ରୀ ଇଜ୍ରାଏଲର ସୁରକ୍ଷା ପାଇଁ ଏକ ବିପଦ।"
ଏହି ପରିସ୍ଥିତି ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନୂଆ ଚିନ୍ତା ସୃଷ୍ଟି କରିଛି। ଆନ୍ତର୍ଜାତୀୟ ସମୁଦାୟ ଏହି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଆଲୋଚନା ଜାରି ରଖିଛି।