ୱାଶିଂଟନ ଡିସି, ୨୨/୦୩: ଦେଶର ଶିକ୍ଷା ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତ ଏକ ଆଦେଶନାମାରେ ସେ ସ୍ୱାକ୍ଷର କରିଛନ୍ତି । କହିଛନ୍ତି ଆମେରିକାରେ ବହୁଦିନ ହେଲା ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରାଯାଇପାରୁ ନାହିଁ । ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଆମେରିକା ଶିକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଛି । କିନ୍ତୁ ସଫଳତା କଥା ଆସିଲେ ଅନ୍ୟ ଦେଶ ତୁନଳାରେ ପଛରେ ରହିଛି । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାରେ ବିଭାଗ ଫେଲ ହୋଇଛି । ତେଣୁ ଏହାକୁ ସବୁଦିନ ପାଇଁ ବନ୍ଦ କରାଯିବ ।
ହ୍ୱାଇଟ୍ ହାଉସ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଗତ ୪ ଦଶକରେ ଶିକ୍ଷା ବିଭାଗ ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ୧୯୭୯ରୁ ଆମେରିକା ଶିକ୍ଷା ବିଭାଗ ୩ ଟ୍ରିଲିୟନ ଡଲାର (ପ୍ରାୟ ୨୫୯ ଲକ୍ଷ କୋଟି ଟଙ୍କା) ରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି । ଏହା ସତ୍ତେ୍ୱ ୧୩ ବର୍ଷ ବୟସର ପିଲାମାନଙ୍କ ଗଣିତ ଓ ପଢ଼ାପଢ଼ି ସମ୍ପୂର୍ଣ୍ଣ ଦୁର୍ବଳ ରହିଛି । ଚତୁର୍ଥ ଶ୍ରେଣୀରେ ପ୍ରତି ୧୦ରୁ ୬ ଜଣ ପିଲା ଏବଂ ଅଷ୍ଟମ ଶ୍ରେଣୀର ପ୍ରାୟ ତିନି-ଚତୁର୍ଥାଂଶ ପିଲା ଗଣିତ କରିପାରୁନାହାନ୍ତି । ସେହିଭଳି ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୭ ଜଣ ଠିକ୍ ଭାବେ ବହି ପଢ଼ିପାରୁନାହାନ୍ତି । ଚତୁର୍ଥ ଶ୍ରେଣୀର ପ୍ରାୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ବହି ପଢ଼ିବାରେ ବିଫଳ ହୋଇଛନ୍ତି ।
୨୦୨୪ରେ ଶିକ୍ଷା ବିଭାଗର ବଜେଟ ଥିଲା ୨୩୮ ବିଲିୟନ ଡଲାର (ପ୍ରାୟ ୨୦.୦୫ ଲକ୍ଷ କୋଟି ଟଙ୍କା) । ଯାହାକି ଦେଶର ମୋଟ ବଜେଟର ୨ ପ୍ରତିଶତ । ଶିକ୍ଷା ବିଭାଗ ପାଖରେ ବର୍ତ୍ତମାନ ୪,୪୦୦ କର୍ମଚାରୀ ଅଛନ୍ତି । ଅନ୍ୟ ସମସ୍ତ ବିଭାଗ ତୁଳନାରେ ଏମାନଙ୍କ ସଂଖ୍ୟା ସବୁଠାରୁ କମ୍ । ଟ୍ରମ୍ପଙ୍କ କହିବାନୁଯାୟୀ ଶିକ୍ଷା ବିଭାଗ କୌଣସି ବ୍ୟାଙ୍କ ନୁହେଁ । ତେଣୁ ଏହାର କାର୍ଯ୍ୟ ଅନ୍ୟ କୌଣସି ବିଭାଗକୁ ଦିଆଯିବ । ବିଶେଷକରି ରାଜ୍ୟ ଓ ସ୍ଥାନୀୟ ସମୁଦାୟକୁ ଏହାର ଦାୟିତ୍ୱ ବର୍ତ୍ତମାନ ଦିଆଯିବ । ତେବେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଖର୍ଚ୍ଚ ଓ ଅନୁଦାନ ପୂର୍ବଭଳି ଜାରି ରହିବ ବୋଲି ଟ୍ରମ୍ପ କହିଛନ୍ତି । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷା ବିଭାଗ ଐତିହାସିକ ବୋଲି ବର୍ଣ୍ଣନା କରିଛି ।