ନୂଆଦିଲ୍ଲୀ: ଇରାନ୍ରେ ନତାଞ୍ଜ ପରମାଣୁ ପ୍ଲାଣ୍ଟ ପାଖରେ ଗୁରୁବାର ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହାକୁ ନେଇ ସମଗ୍ର ବିଶ୍ବରେ ଏବେ ହଇଚଇ ସୃଷ୍ଟି ହୋଇଛି । ବାଦରୁଦ କ୍ଷେତ୍ରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି କ୍ଷେତ୍ର ଇରାନ୍ର ମୁଖ୍ୟ ୟୁରାନିୟମ ପ୍ଲାଣ୍ଟ ନତାଞ୍ଜ ପାଖରୁ ମାତ୍ର ୨୬ କିଲୋମିଟର ଦୂରରେ ଅବସ୍ଥିତି । ସେପଟେ ଏହାର କିଛି ଘଣ୍ଟା ପରେ ପୁଣି ଥରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଥିବା ଜଣାପଡ଼ିଛି । ଭୂମିକମ୍ପ ପ୍ରଭାବରେ ବହୁ ଦୋକାନ ଭାଙ୍ଗିରୁଜି ଯାଇଛି । କିନ୍ତୁ ମୃତାହତ ନେଇ କୌଣସି ଖବର ମିଳିନାହିଁ ।
ଏସବୁ ଭିତରେ ପରମାଣୁ କେନ୍ଦ୍ରର କୌଣସି କ୍ଷତି ହୋଇନାହିଁ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି । ଅନ୍ୟପଟେ, ଇରାନ୍ ପରମାଣୁ ବୋମା ତିଆରି କରିଦେଲା କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଅନ୍ତର୍ଜାତୀୟ ପରାମଣୁ ଶକ୍ତି ଏଜେନ୍ସି (ଆଇଏଇଏ) ଇରାନ୍ ପାଖରେ ଯୁଦ୍ଧାସ୍ତ୍ର ଗ୍ରେଡ୍ ୟୁରାନିୟମ୍ ଭଣ୍ଡାର ଥିବା ନେଇ କହିଥିଲା । ଏଜେନ୍ସି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ପରମାଣୁ ଯୁଦ୍ଧାସ୍ତ୍ର ନିର୍ମାଣ କରିବା ଲାଗି ଆବଶ୍ୟକ ୟୁରାନିୟମର ଭଣ୍ଡାର ରଖିଛି ଇରାନ୍ ।
ଏହାରି ମଧ୍ୟରେ, ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଗାମୀ ସପ୍ତାହରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି । ଯଦି ଇରାନ୍ ପରାମଣୁ ଅସ୍ତ୍ର ତିଆରି କରୁଥିବା ନେଇ ଖବର ସତ ପ୍ରମାଣିତ ହୁଏ, ତେବେ ଏହା ଦୁନିଆ ପାଇଁ ସବୁଠାରୁ ବଡ଼ ସୁରକ୍ଷା ସଙ୍କଟ ସାଜିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଦୀର୍ଘ ବର୍ଷ ଧରି ଇରାନ୍ର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରିଆସିଛି ଇସ୍ରାଏଲ । ଏପରିକି ଇରାନ୍ର ପରମାଣୁ ଠିକଣାରେ ସାଇବର ଆକ୍ରମଣ କରିଛି ଏବଂ ଗୁପ୍ତ ମିଶନ ମଧ୍ୟ କରିଛି । ଏହା ସହ ଇରାନ୍ର ଏସ-୩୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ଇସ୍ରାଏଲ ଆକ୍ରମଣ କରିଛି ।
ଏବେ ନତାଞ୍ଜ ପାଖରେ ଭୂମିକମ୍ପ କିମ୍ବା ବିସ୍ଫୋରଣ ନେଇ ଖବର ଆସିବା ପରେ ଏହା ଆମେରିକା ଏବଂ ଇସ୍ରାଏଲ ପାଇଁ ବିପଦର ଘଣ୍ଟି ହୋଇପାରେ । ଯଦି ଇରାନ୍ ପରମାଣୁ ବୋମା ପରୀକ୍ଷଣ କରିଥାଏ ତେବେ ଏହା ଦୁନିଆ ପାଇଁ ବିପଦ ସାଜିପାରେ । ଏହାଳ ସହ ଆମେରିକା ଏବଂ ଇସ୍ରାଏଲ ପାଇଁ ଇରାନ୍ ମୁଣ୍ଡବିନ୍ଧାର କାରଣ ପାଲଟିବ ।