ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଆସନ୍ତୁ ସ୍ୱପ୍ନକୁ ସାକାର କରିବା

Published By : Prameya | February 26, 2025 11:11 AM

କିଶୋର ବୟସର ପିଲାମାନଙ୍କ ମଧ୍ୟରେ ମୁଁ ବେଶ୍‌ କିଛି ବର୍ଷ କଟାଇବାର ସୁଯୋଗ ପାଇଛି । ପିଲାମାନଙ୍କ ସହିତ ଆଲୋଚନା କଲାମାତ୍ରେ ଅଧିକାଂଶ ମେଧାବୀ ପିଲା ଉତ୍ସାହିତ ହୋଇ କହିପକାନ୍ତି ମୁଁ ବଡ଼ ହେଲେ ଡାକ୍ତର ହେବି । ସେତେବେଳେ ମୁଁ ଭାବେ ଏମାନଙ୍କର ବାପା ମାଆ ବୋଧେ ‘ମାନବ ସେବା ହିଁ ମାଧବ ସେବା’ ଉକ୍ତିଟିକୁ ପିଲାମାନଙ୍କୁ ପିଆଇ ଦେଇଛନ୍ତି ।

ଶ୍ରେଷ୍ଠତା ଯେ ସଂଘର୍ଷ ଅଥବା କଠୋର ପ୍ରତିଯୋଗିତାରୁ ହିଁ ପ୍ରାପ୍ତ ହୋଇଥାଏ, ଏହାକୁ ଆମେ ନିଃସନ୍ଦେହରେ ସ୍ୱୀକାର କରିବାକୁ ବାଧ୍ୟ । କାରଣ, ଅତୀତରେ ପୃଥିବୀର ଶ୍ରେଷ୍ଠ ପ୍ରାଣୀ ମଣିଷକୁ ନିଜର ଶ୍ରେଷ୍ଠତାକୁ ପ୍ରଦର୍ଶିତ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ ବା ପ୍ରତିଯୋଗିତା ଜାରି ରହିଛି । ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି ବିଷୟ ହେଉଛି ଅଳ୍ପ ପରିଶ୍ରମରେ ବିନା ପ୍ରତିଯୋଗିତାରେ ଅଧିକ ଧନ ଅର୍ଜନ କରିବା ସହିତ ସମ୍ପତ୍ତି ଠୁଳ କରିବାର ମନୋବୃତ୍ତି ଏବେ ଯୁବପିଢ଼ିଙ୍କ ମଧ୍ୟରେ ସ୍ପଷ୍ଟ ବାରି ହୋଇପଡ଼ୁଛି । ଯାହାର କୁପ୍ରଭାବ ଏବେ ସାମାଜିକ ସ୍ତରରେ ଭଲଭାବରେ ପ୍ରତିଫଳିତ ହେଉଛି । ଅନେକ ବିଦ୍ୱାନ ତଥା ପଦସ୍ଥ ବ୍ୟକ୍ତିବିଶେଷଙ୍କୁ ନିଜର ପଦମର୍ଯ୍ୟାଦା ସହିତ ଧନ, ମାନ ଉଭୟକୁ ହରାଇବାକୁ ପଡ଼ୁଛି। 

ତଥାପି ଏକ ଅନୁସନ୍ଧାନରୁ ଜଣାଯାଏ ଯେ, ଧନୀ ହେବାର ମୋହ ଏ ବେକାର ଲୋକ ଚରିତ୍ରର କଥା ନୁହେଁ, ବରଂ ଖ୍ରୀଷ୍ଟପୂର୍ବ ଚାରିହଜାର ବର୍ଷ ତଳୁ, ଅର୍ଥାତ୍‌ ଯେବେଠୁ ମାନବ ସଭ୍ୟତା ଆରମ୍ଭ ହେଲାଣି ସେବେଠାରୁ ଭବିଷ୍ୟତ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିବା ନିଶାରେ ମାନବ ଜାତି ଦିନକୁ ଦିନ ଅଧିକ ଦକ୍ଷ ଏବଂ ସଭ୍ୟ ହେବାରେ ଲାଗିଛି । ଅର୍ଥାତ୍‌ ସଞ୍ଚିତ ଧନ ସହିତ ଆୟର ପରିସୀମାକୁ ବଢ଼ାଇବାର କୌଶଳକୁ ଇତିମଧ୍ୟରେ ଅଧିକ ମାର୍ଜିତ କରିପାରିଛି । ଏହା ସହିତ ସଭ୍ୟ ମାନବର ହାରାହାରି ଆୟୁଷ ଏବେ ପଞ୍ଚାଅଶିକୁ ପାର୍‌ କରିସାରିଲାଣି ଏବଂ ଶତାୟୁଙ୍କ ସଂଖ୍ୟା ମଧ୍ୟ ପୃଥିବୀପୃଷ୍ଠରେ ବଢ଼ିବଢ଼ି ଚାଲିଛି । ଯାହା ମାନବ ସଭ୍ୟତାର ପ୍ରାରମ୍ଭ ସମୟରେ ମାତ୍ର କୋଡ଼ିଏରୁ ପଇଁତିରିଶି ବର୍ଷ ମଧ୍ୟରେ ସୀମିତ ଥିଲା ବୋଲି ଗବେଷଣାଲବ୍ଧ ତଥ୍ୟରୁ ଜଣାଯାଏ । ସମୟ ବଦଳିବା ସହିତ ସଭ୍ୟ ମାନବର ଧନ, ମାନ ସହ ଦୀର୍ଘାୟୁ ହେବାର ନିରବଚ୍ଛିନ୍ନ ଚେଷ୍ଟା ସର୍ବଦା ପ୍ରଶଂସାଯୋଗ୍ୟ । 

ସେହି କ୍ରମରେ ଆମ ଦେଶ ଭାରତବର୍ଷ ଏବେ ପୃଥିବୀର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶର ମାନ୍ୟତା ହାସଲ କରିବା ପରେ ଏବେ ସରକାରଙ୍କ ତରଫରୁ ଉନ୍ନତ ମାନର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ନୂଆ ନୂଆ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ତେଣୁ ଆମ ଦେଶର ଯୁବବର୍ଗମାନେ ଦେଶ ବିଦେଶର ଧନୀ, ମାନୀ ଲୋକମାନଙ୍କର ଜୀବନ ଶୈଳୀକୁ ଅନୁସରଣ କରିବାକୁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରି ଦେଉଛନ୍ତି । କିଏ ଖେଳକୁ ଆଧାର କରି ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ବୋଲି ମାନୁଛନ୍ତି ତ କିଏ ଭେନିସ୍‌ ଫୋଗେଟ୍‌, ହାର୍‌ଦିକ ପାଣ୍ଡେ, ସୁଶାନ୍ତ ସିଂଙ୍କୁ ଆଦର୍ଶ ବ୍ୟକ୍ତିତ୍ୱ ରୂପେ ଗ୍ରହଣ କରି ଖେଳକୁ ରୋଜଗାରର ମାଧ୍ୟମ ରୂପେ ଗ୍ରହଣ କରିବାକୁ ଆଶାରଖି ଖେଳପଡ଼ିଆକୁ ଖୋଜୁଛନ୍ତି ତ ଆଉ କିଏ ସୁନ୍ଦର ଶରୀର ଗଠନ ଏବଂ ସ୍ଫୂର୍ତ୍ତି ପାଇଁ ଉତ୍ତମ ପ୍ରଶିକ୍ଷକଙ୍କ ସହିତ ପ୍ରଶିକ୍ଷଣ କେନ୍ଦ୍ରକୁ ଖୋଜି ବୁଲୁଛନ୍ତି । ମାତ୍ର ଦୁଃଖର କଥା ହେଲା, ଏତେ ବିଶାଳ ଯୁବ ପ୍ରତିଭା ଥିବା ସତ୍ତେ୍ୱ ସେମାନଙ୍କର ଇଚ୍ଛା ବା ସ୍ୱପ୍ନକୁ ପୂରଣ କରିବା ପାଇଁ ଆବଶ୍ୟକ ସଂଖ୍ୟକ ଖେଳପଡ଼ିଆ, ତାଲିମପ୍ରାପ୍ତ ପ୍ରଶିକ୍ଷକ ଏବଂ ଖେଳ ସରଞ୍ଜାମର ଅଭାବ ଆମକୁ ଅଲିମ୍ପିକ୍‌ର ପଦକ ତାଲିକାର ପଛରେ ରହିବାକୁ ବାଧ୍ୟ କରୁଛି । 

କିଶୋର ବୟସର ପିଲାମାନଙ୍କ ମଧ୍ୟରେ ମୁଁ ବେଶ୍‌ କିଛି ବର୍ଷ କଟାଇବା ସହିତ ସେମାନଙ୍କ ବିଜ୍ଞାନ ପଢ଼ାଇବାର ସୁଯୋଗ ପାଇଛି । ପିଲାମାନଙ୍କର ସ୍ୱପ୍ନକୁ ନେଇ ସେମାନଙ୍କ ସହିତ ଆଲୋଚନା କଲାମାତ୍ରେ ଅଧିକାଂଶ ମେଧାବୀ ପିଲା ଉତ୍ସାହିତ ହୋଇ କହିପକାନ୍ତି ମୁଁ ବଡ଼ ହେଲେ ଡାକ୍ତର ହେବି । ସେତେବେଳେ ମୁଁ ଚିନ୍ତା କରେ ଏମାନଙ୍କର ବାପା ମାଆ ବୋଧେ "ମାନବ ସେବା ହିଁ ମାଧବ ସେବା' ଭଳି ଉକ୍ତିଟିକୁ ପିଲାମାନଙ୍କୁ ପିଆଇ ଦେଇଛନ୍ତି । କିମ୍ବା ବିଜ୍ଞାନପ୍ରେମୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକଙ୍କ ଜରିଆରେ ଏଭଳି ସ୍ୱପ୍ନ ଦେଖୁଛନ୍ତି ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡ଼ୁଛନ୍ତି । ଖୁସିର କଥା ହେଲା, ଏବେ ଭାରତବର୍ଷରେ ବାସ କରୁଥିବା ଶତକଡ଼ା ତେର ଭାଗରୁ ଅଧିକ ବୟସ୍କଙ୍କ ସହିତ ସର୍ବସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆମ ଦେଶରେ ୭୦୩ଟି ମେଡିକାଲ କଲେଜ ଖୋଲିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ସେଥିରୁ ପ୍ରତିବର୍ଷ ପ୍ରାୟ ୧,୦୬,୩୩୩ ସଂଖ୍ୟକ ଡାକ୍ତର ଏମ୍‌.ବି.ବିଏସ୍‌ ଡିଗ୍ରୀ ଧରି ଜନସେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଡାକ୍ତର ପି.ଜି. କରୁଛନ୍ତି ତ ଆଉ କିଏ ସୁପର ସ୍ପେଶାଲିଷ୍ଟ ହେବାପାଇଁ ଗବେଷଣାରେ ମନୋନିବେଶ କରୁଛନ୍ତି । ଯାହା ଦେଶବାସୀଙ୍କୁ ଦୀର୍ଘାୟୁ କରିବା ସହିତ ପଡ଼ୋଶୀ ଦେଶର ରୋଗୀମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଆମ ଦେଶରେ ଚିକିତ୍ସା ସୁବିଧା ମିଳିପାରୁଛି । 

ତଥାପି ଆହୁରି ଅଧିକ ମେଡିକାଲ କଲେଜ ସହିତ ସୁଦକ୍ଷ ପ୍ରଫେସରଙ୍କର ଆବଶ୍ୟକତା ରହିଛି । ଫଳରେ ପିଲାମାନଙ୍କର ସ୍ୱପ୍ନକୁ ପୂରଣ କରିବାପାଇଁ ସେମାନଙ୍କର ଅଭିଭାବକମାନେ ବିଦେଶରେ ରଖି ପିଲାଙ୍କୁ ଉଚ୍ଚଶିକ୍ଷିତ କରିବା ଭଳି ମୋହରେ ପଡ଼ି କଷ୍ଟ ପାଉଛନ୍ତି । ନିଜ ଦେଶରେ ରହି ଉଚ୍ଚଶିକ୍ଷିତ ହେବାପାଇଁ ଆଶା ରଖିଥିବା ଆଉ କେତେକ ମେଧାବୀ ଛାତ୍ରଛାତ୍ରୀ ଏବେ ପାଠ ସହିତ ଅଧିକ ଧନ ଉପାର୍ଜନ କରିବା ନିଶାରେ ଅର୍ଥସର୍ବସ୍ୱ ନୀତିକୁ ଆପଣେଇ ବଡ଼ ସହରରେ ସୌଖିନ ଘର କିଣିବାର ସ୍ୱପ୍ନକୁ ନେଇ ବିଭୋର ହୋଇଉଠୁଛନ୍ତି । ତା’ ସହିତ ଯୋଡ଼ି ହୋଇଯାଉଛି ଧନୀ ହେବାର ପ୍ରଭାବ । ଆଗାମୀ ପିଢ଼ିର ଏଭଳି କାର୍ଯ୍ୟଶୈଳୀରେ ଚିନ୍ତିତ ବୟସ୍କ ବ୍ୟକ୍ତିମାନେ ଘରେ ବସି କେତେବେଳେ ଶିକ୍ଷାରେ ସଂସ୍କାର ଆଣିବାକୁ ଦାବି କରୁଛନ୍ତି ତ କେତେବେଳେ ମହାପୁରୁଷଙ୍କ ଜୀବନଚର୍ଯ୍ୟା ସହିତ ସେମାନଙ୍କର ବଳିଦାନକୁ ଆଗାମୀ ପିଢ଼ିମାନେ ମନେପକାନ୍ତୁ ବୋଲି ଆଶାପୋଷଣ କରୁଛନ୍ତି । କିନ୍ତୁ ଯୁବପିଢ଼ିଙ୍କ ମନରେ ଏବେ ଧନୀ ଖେଳାଳି, ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀଙ୍କର ଧନ ସମ୍ପତ୍ତି ସହିତ ଗୌତମ ଆଦାନୀ, ମୁକେଶ ଆମ୍ବାନୀ, ରତନ ଟାଟାଙ୍କର ନାମ ସର୍ବାଗ୍ରେ ସ୍ଥାନ ପାଉଛି । ମାତ୍ର ସେମାନଙ୍କର ଶିକ୍ଷା, କାର୍ଯ୍ୟଦକ୍ଷତା, ସର୍ବୋପରି ନିଷ୍ଠା ଯେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ ହେବା ଉଚିତ ଏହାକୁ ଅଧିକାଂଶ ଭୁଲିଯାଉଛନ୍ତି । କଠିନ ପ୍ରତିଯୋଗିତାରେ ହାରି ଯାଉଥିବା ପିଲାମାନଙ୍କ ମଧ୍ୟରୁ କିଏ ପ୍ରଶାସକଙ୍କୁ ଦାୟୀ କରୁଛନ୍ତି ତ କିଏ ଦୁର୍ବଳ ନେତୃତ୍ୱକୁ ଦାୟୀ କରୁଛନ୍ତି । 

ପ୍ରକୃତରେ ଯୁବ ପ୍ରତିଭାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷ ଶିକ୍ଷକ, ଉତ୍ତମ ପ୍ରଶିକ୍ଷକ ଏବଂ ନିଃସ୍ୱାର୍ଥପର ନିରୀକ୍ଷକଙ୍କୁ ନିଯୁକ୍ତି ଦିଆଗଲେ ଆମ ଦେଶର ଭବିଷ୍ୟ ପିଢ଼ିମାନେ ନିଜ ଦେଶର ମର୍ଯ୍ୟାଦାକୁ ଶିଖରକୁ ନେଇଯିବା ସହିତ ଏକ ଦୁର୍ନୀତିମୁକ୍ତ ସମାଜ ଗଢ଼ିବାରେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତେ । ଜଣେ ଶିକ୍ଷୟିତ୍ରୀ ହିସାବରେ ଏଭଳି ଅନେକ ଚିନ୍ତା ମୋ ମନ ମଧ୍ୟରେ ଉଙ୍କିମାରୁଥିବା ବେଳେ ଏଇ ନିକଟରେ ଭଦ୍ରକର ଏକ ବେସରକାରୀ ଇଂରାଜୀ ମାଧ୍ୟମ ହାଇସ୍କୁଲର ବାର୍ଷିକ ଉତ୍ସବରେ ଅତିଥି ହିସାବରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଇଲି । ପୁରସ୍କାର ବିତରଣ ପରେ ତୁମର ସ୍ୱପ୍ନ କ'ଣ ବୋଲି ପଚାରି ଦେଲା ମାତ୍ରେ ସେହି ଗୋଟିଏ ଉତ୍ତର ଆସିଲା ଡାକ୍ତର ହେବି । ଅନ୍ୟ କେତେଜଣଙ୍କର ଉତ୍ତର ଥିଲା ସୁବିଧା ମିଳିଲେ ଭଲ ଖେଳାଳି ହୋଇ ପ୍ରଚୁର ଧନ ରୋଜଗାର କରିବି । କିଏ ହିରୋ ହେବ ତ କିଏ ବିଜିନେସ୍‌ କରିବ । ମୋଟାମୋଟି ଭାବରେ ଖୁବ୍‌ଶୀଘ୍ର ଜଣେ ଜଣେ ଧନୀ ବ୍ୟକ୍ତିରେ ପରିଣତ ହୋଇ ଅନ୍ୟମାନଙ୍କୁ ରୋଜଗାରର ସୁବିଧା କରିଦେବେ । ପିଲାମାନଙ୍କର ସ୍ପପ୍ନ ସେମାନଙ୍କର ଆଶା ଆକାକ୍ଷାଂ ବିଷୟରେ କେତେଜଣ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ନେଇ ଆଳାପ ଆଲୋଚନା ଚାଲିଲା । ନବମ ଶ୍ରେଣୀରେ ପ୍ରଥମ ହୋଇଥିବା ଛାତ୍ରଟି ନିଜର ସ୍ୱପ୍ନ ବିଷୟରେ କହିଲା ଯେ, ମୁଁ ବଡ଼ ହେଲେ ପୃଥିବୀର ଶ୍ରେଷ୍ଠ ଧନୀ ବ୍ୟକ୍ତି ଏଲେନ୍‌ ମସ୍କଙ୍କ ଭଳି ହେବି । ଅନ୍ୟ ଜଣେ ଛାତ୍ର କହିଲା ମୁଁ ମୁମ୍ବେଇରେ ରହି ସ୍ୱତନ୍ତ୍ର ଟ୍ରେନିଂ ନେବାପରେ ସିନେମାରେ ଅଭିନୟ କରିବି ଏବଂ ଶାହାରୁଖଙ୍କ ଭଳି ବର୍ଷକୁ ଦେଢ଼ଶହରୁ ଦୁଇଶହ କୋଟି ଟଙ୍କା ରୋଜଗାର କରିବି । 

ବ୍ୟାଡମିଣ୍ଟନରେ ରୁଚି ରଖିଥିବା ଶୁଭ୍ରା ନାମ୍ନୀ ଜଣେ ଛାତ୍ରୀ ବ୍ୟାଡମିଣ୍ଟନ ଖେଳିବା ପାଇଁ କଟକର ସ୍ପୋର୍ଟସ ହଷ୍ଟେଲରେ ରହି ପ୍ରାକ୍ଟିସ କରିବ ବୋଲି ହସି ହସି କହିବା ସହିତ ପ୍ରଶ୍ନ କଲା- ଆମ ଦେଶରେ କାହିଁକି ଚାଇନାର ନେସନାଲ ଷ୍ଟାଡିୟମ ଭଳି ସୁନ୍ଦର ଷ୍ଟାଡିୟମ୍‌ ହୋଇପାରୁନାହିଁ? କିମ୍ବା ତାଙ୍କ ଦେଶର ଖେଳାଳିମାନେ ଯେତେ ସଂଖ୍ୟକ ପଦକ ହାସଲ କରିପାରୁଛନ୍ତି ଆମ ଦେଶର ଖେଳାଳିମାନେ କାହିଁକି ପଛରେ ରହିଯାଉଛନ୍ତି? ପିଲାଟିର ନମ୍ରତାଭରା କଥୋପକଥନ ସହିତ ତା'ର ସ୍ୱପ୍ନକୁ ନେଇ ଅଭିଭାବକମାନେ ମୋବାଇଲ୍‌ ଫୋନ୍‌କୁ ଦୋଷ ଦେବାବେଳେ ଆଉ କେତେଜଣ ସରକାରୀ କଳର ଉଦାସୀନତା ସହିତ ଭ୍ରଷ୍ଟାଚାରକୁ ଦୋଷ ଦେଇ ପିଲାମାନଙ୍କୁ ଆକଟ କରିବାକୁ ଯାଇ କହିଲେ "ତୁମେ ଯେଉଁ ଦେଶରେ ଜନ୍ମ ହୋଇଛ ସେହି ଦେଶର ଉନ୍ନତି କଥା ଚିନ୍ତା କର । ଆମ ଦେଶର ମହାପୁରୁଷମାନଙ୍କର ତ୍ୟାଗ ଏବଂ ତାଙ୍କର ବଳିଦାନ, ସର୍ବୋପରି ଦେଶପ୍ରେମକୁ ମନେପକାଅ । ଆମ ଦେଶରେ କ'ଣ ନାହିଁ? ଗୁଜରାଟରେ ପୃଥିବୀର ସବୁଠାରୁ ବଡ଼ "ନରେନ୍ଦ୍ର ମୋଦି' କ୍ରିକେଟ ଷ୍ଟାଡିୟମ୍‌ ଏବେ ତିଆରି ସରିଲା । ଏହା ବ୍ୟତୀତ ଆହୁରି ବାଉନଟି କ୍ରିକେଟ୍‌ ଷ୍ଟାଡିୟମରେ ଜାତୀୟ, ଅନ୍ତର୍ଜାତୀୟ ଖେଳ ଖେଳାଯାଉଛି । ଗ୍ରାମାଞ୍ଚଳରେ ଖେଳପଡ଼ିଆର ପ୍ରସ୍ତୁତି ସହିତ ମିନି ଷ୍ଟାଡିୟମର ସଂଖ୍ୟା ମଧ୍ୟ ଢେର୍‌ ବଢ଼ିଛି। 

ମାତ୍ର ଦୁଃଖର କଥା ହେଲା, ରକ୍ଷଣାବେକ୍ଷଣର ଅଭାବ ସହିତ ଉଚ୍ଛୃଙ୍ଖଳତା ଆମ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଛି । ଆମ ଭଳି କେତେ ଜଣ ଅତିଥି, ଅଭିଭାବକଙ୍କ କଥାରେ ସମ୍ମତି ଜଣାଇଲୁ ଏବେ ବିଜ୍ଞାନର ରାଜୁତି ଚାଲିଥିଲାବେଳେ କୃଷିକାର୍ଯ୍ୟଠାରୁ ଆରମ୍ଭକରି ଖେଳକୁଦ ପାଇଁ ପ୍ରସ୍ତୁତ କରାଯାଉଥିବା ପ୍ରଶିକ୍ଷଣ କେନ୍ଦ୍ର, ଚିକିତ୍ସା କେନ୍ଦ୍ର ସବୁ ଯେଭଳି ଯନ୍ତ୍ରପାତି ଏବଂ କମ୍ଫ୍ୟୁଟର ବିନା ଅଚଳ ହୋଇପଡ଼ୁଛି । ଅନ୍‌ଲାଇନ୍‌ରେ ଦଳ ଦଳ ପ୍ରଶିକ୍ଷକ ତାଙ୍କର ଟ୍ରେନିଂ କାର୍ଯ୍ୟକ୍ରମକୁ ପ୍ରଚାର କରୁଛନ୍ତି । ଏହିଭଳି ଅବସ୍ଥାରେ ଆମ ଗ୍ରାମାଞ୍ଚଳରେ ବଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନ ସହିତ ଅଭିଯୋଗର ତାଲିକା ବୁଦ୍ଧିଜୀବୀକୁ କଷ୍ଟ ଦେଉଛି । ସେମାନଙ୍କର ଭବିଷ୍ୟତର ଦାୟିତ୍ୱକୁ କେବଳ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ଇଚ୍ଛାଶକ୍ତି ହିଁ ବୁଝିପାରିବେ ବୋଲି ମୋର ମତକୁ ଦୃଢ଼ ଭାବରେ ଉପସ୍ଥାପନ କରି ସେଦିନ ଆମେ କଟକକୁ ଫେରିଆସିଲୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.