ନର୍ଥ ଆରିଜୋନା ବିଶ୍ୱବିଦ୍ୟାଳୟରେ ଗୋଟିଏ ସମ୍ମିଳନୀରେ ଭାଷଣ ଦେବାବେଳେ ଗେଟ୍ସ କାର୍ଯ୍ୟ ଓ ଜୀବନ ମଧ୍ୟରେ ଭାରସାମ୍ୟ ସଂପର୍କରେ ଏହା ଉଲ୍ଳେଖ କରିଥିଲେ । ବିନା ବିରତିରେ ଚାକିରିଆଙ୍କୁ ଅଫିସ୍ କାର୍ଯ୍ୟରେ ଦୀର୍ଘସମୟ ଧରି ନିୟୋଜିତ କରିବା ଏକ ଅଣବୈଜ୍ଞାନିକ ଚିନ୍ତାଧାରା ଓ ଅଜ୍ଞାନବଶତଃ କ୍ରୁରତାର ଲକ୍ଷଣ । କର୍ମଚାରୀଙ୍କୁ ଅନ୍ୟମନସ୍କତା ଓ ବିରାଗ ଜାତ କରେ, ଯାହାକି ବର୍ଜନୀୟ ।
ବିଲ୍ ଗେଟ୍ସ (ଜନ୍ମ ୧୯୫୫, ସିଏଟେଲ, ଯୁକ୍ତରାଷ୍ଟ୍ର ଆମେରିକା) ଜଣେ ବିଶ୍ୱବିଦିତ ଆକର୍ଷଣୀୟ ବ୍ୟକ୍ତିତ୍ୱ । ୧୯୭୫ ମସିହାରେ ସେ ସର୍ବପ୍ରଥମ ସଫ୍ଟୱେର କମ୍ପାନୀ ମାଇକ୍ରୋଫ୍ଟ ପ୍ରତିଷ୍ଠା କରିଥିଲେ । ପର୍ସନାଲ କମ୍ପ୍ୟୁଟର କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ଏହି ଆମେରିକୀୟ ବ୍ୟବସାୟୀ ଜଣକ ୧୯୮୭ ମସିହାରୁ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି । ତେବେ ସେ କେବଳ ଜଣେ ଧନାଢ଼୍ୟ ବ୍ୟକ୍ତି ନଥିଲେ, ପରୋପକାର ପାଇଁ ମଧ୍ୟ ଉଚ୍ଚ ପ୍ରଶଂସିତ । ବିଶ୍ୱସ୍ତରରେ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ୨୦୦୦ ମସିହାରେ ସେ ପତ୍ନୀ ମିଲିଣ୍ଡାଙ୍କ ସହ ଗେଟ୍ସ ଫାଉଣ୍ଡେସନର ଶୁଭାରମ୍ଭ କଲେ, ଯାହା ପୃଥିବୀର ତୃତୀୟ ବୃହତ୍ତମ ଦାତବ୍ୟ ଅନୁଷ୍ଠାନ ଭାବେ ସ୍ୱୀକୃତ । ଏତାଦୃଶ ବିଭିନ୍ନ ସଫଳତା ପାଇଁ ସେ ସ୍ୱନାମଧନ୍ୟ ହୋଇଥିଲେ ସୁଦ୍ଧା ଦୀର୍ଘ ୨୭ବର୍ଷର ଦାମ୍ପତ୍ୟ ଜୀବନ ନିର୍ବାହ କରିବା ପରେ ମିଲିଣ୍ଡାଙ୍କୁ ୨୦୨୧ରେ ଛାଡ଼ପତ୍ର ଦେବାରୁ କଟୁ ସମାଲୋଚନାର ଶିକାର ହେଲେ । ପୁଣି ପରିଣତ ବୟସରେ ୨୦୨୩ରେ ପାଉଲା ହାର୍ଡ ନାମ୍ନୀ ଜଣେ ବିଧବାଙ୍କ ସହ ତାଙ୍କ ଡେଟିଂ ବିଷୟ ଚର୍ଚ୍ଚାକୁ ଆସିଥିଲା ।
ଅବଶ୍ୟ ସେ ମୁକ୍ତକଣ୍ଠରେ ପରେ ସ୍ୱୀକାର କରିଥିଲେ ଯେ, ମିଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବାରୁ ସେ ଅତିଶୟ ଦୁଃଖୀ । ଏହି ଭୁଲ୍ ସକାଶେ ସେ ଅତ୍ୟଧିକ ଅନୁଶୋଚିତ । ହୁଏତ ଜଣେ ଭାବିପାରେ ଯେ, ଗେଟ୍ସ ବିପୁଳ ସମ୍ପତ୍ତି ଉପାର୍ଜନ କରିଥିବାରୁ ସିନା ପରେ ଦାନ କରିବାକୁ ସମର୍ଥ ହେଲେ । ତେବେ ପ୍ରଥମେ ପ୍ରଶ୍ନ ଉଠିବ- ସେ ଏତେ ଧନ ରୋଜଗାର କଲେ କେମିତି? ଏହି ପରିପ୍ରେକ୍ଷୀରେ ଅନ୍ୟ ଯେଉଁ ଜଣେ ମାର୍କିନ ବ୍ୟକ୍ତି ଆମ ବିଚାରକୁ ଆସୁଛନ୍ତି ସିଏ ହେଉଛନ୍ତି ଏଲୋନ ମସ୍କ (ଜନ୍ମ: ୧୯୭୧) । ସେ ସଂପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଫେବ୍ରୁଆରୀ ୨୦୨୫ର ଫୋର୍ବସର ହିସାବ ଅନୁଯାୟୀ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୯୭ ଆମେରିକୀୟ ବିଲିଅନ ଡଲାର । ଟେସଲା, ସ୍ପେସ୍ ଏକ୍ସ, ଟ୍ୱିଟର ଇତ୍ୟାଦି ବ୍ୟାବସାୟିକ ସଂଗଠନର ମାଲିକ ମସ୍କ ସଂପ୍ରତି ବିଶ୍ୱର ସର୍ବୋଚ୍ଚ ଧନୀ ବୋଲି କେତେକ ସୂତ୍ରରୁ ପ୍ରକାଶ । ଏହି ଉଚ୍ଚତମ ସୋପାନରେ ପହଞ୍ଚିବା ପାଇଁ ମସ୍କଙ୍କ ମନ୍ତ୍ର ତାଙ୍କ ବିଭିନ୍ନ ବକ୍ତବ୍ୟରୁ ମିଳେ । ୨୦୧୮ରେ ତାଙ୍କ କମ୍ପାନିର କର୍ମଚାରୀମାନଙ୍କୁ ସପ୍ତାହରେ ୧୨୦ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଟ୍ୱିଟରକୁ ୨୦୨୨ରେ ନିଜ ହାତକୁ ନେବାପରେ ସେ ଏତାଦୃଶ ଦୀର୍ଘସମୟ ଧରି ଦୈନିକ ଖଟିବାକୁ ଆଦେଶ ଦେବା ସହ ଚେତାଇ ଦେଇଥିଲେ ଯେ, ଯଦି କର୍ମଚାରୀମାନେ ଦୀର୍ଘସମୟ ଧରି କାମ ନକରନ୍ତି, ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବ । ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ରାଷ୍ଟ୍ରପତିତ୍ୱ କାଳରେ ତାଙ୍କୁ ଡିଓଜିଇ (ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି)ର ମୁଖ୍ୟଭାବେ ନିଯୁକ୍ତି ଦିଆଗଲା । ସେ ପ୍ରଚଳିତ ସରକାରୀ ଚାକିରିଆଙ୍କ କର୍ମସଂସ୍କୃତି ବିପକ୍ଷେ ବିଷୋଦ୍ଗାର କଲେ । ଏମାନେ ସପ୍ତାହାନ୍ତ ଛୁଟି ଉପଭୋଗ କରିବା ଯୋଗୁଁ ପ୍ରଶାସନ ଘୋର ଅବହେଳିତ ହେଉଛି । ସେ କର୍ମଚାରୀଙ୍କ ଛଟେଇ ସପକ୍ଷରେ ଯୁକ୍ତି ବାଢ଼ିଲେ । ପ୍ରଶାସନକୁ କର୍ମଠ ଓ ସକ୍ରିୟ କରିବାକୁ ସେ ଗୋଟିଏ କମିଟି ଗଠନ କରିଛନ୍ତି, ଯାହା ଦୈନିକ ୧୭ଘଣ୍ଟା କାମ କରୁଛି । ମସ୍କଙ୍କ ମତ ଯେ, ବର୍ତ୍ତମାନ ସରକାରୀ କର୍ମଚାରୀମାନେ ସପ୍ତାହରେ ମାତ୍ର ୪୦ଘଣ୍ଟା କାମ କରୁଛନ୍ତି । ମସ୍କ ସପ୍ତାହାନ୍ତ ଛୁଟିର ସଂପୂର୍ଣ୍ଣ ଉଚ୍ଛେଦ ଚାହୁଁଛନ୍ତି । ତତ୍ସହ ପ୍ରତି ସପ୍ତାହରେ ୧୨୦ଘଣ୍ଟା କାର୍ୟ୍ୟ ପାଇଁ ନିୟମ ପ୍ରଣୟନ କରି ନୂତନ କର୍ମସଂସ୍କୃତି ପ୍ରଚଳନ ପାଇଁ ସେ ଆଗ୍ରହୀ । (ଦ୍ରଷ୍ଟବ୍ୟ: ବାଙ୍ଗାଲୋର ଟାଇମ୍ସ, ୭ ଫେବ୍ରୁଆରୀ ୨୦୨୫) ।
ଏଥିରୁ ସ୍ପଷ୍ଟ ହୁଏ ଯେ, ପରିଶ୍ରମ ଯେତେ କଠୋର ହେବ ସମୃଦ୍ଧି ପାଇଁ ସେତେ ରାସ୍ତା ଉନ୍ମୁକ୍ତ କରିବ । ବର୍ତ୍ତମାନ ଆମେ ବିଲ୍ ଗେଟ୍ସଙ୍କ ଜୀବନୀ ପ୍ରତି ଦୃଷ୍ଟି ଦେବା । ସେ ଗୋଟିଏ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଜଣେ ବିଖ୍ୟାତ ଆଇନଜୀବୀ ଥିଲେ । ଗେଟ୍ସ ଭଲ ପାଠ ପଢ଼ୁଥିଲେ । ନାସନାଲ ମେରିଟ୍ ସ୍କଲାର ଭାବେ ସ୍କୁଲଶିକ୍ଷା ସମାପ୍ତ କରି ୧୯୭୩ରେ ଗଣିତ ଓ କମ୍ପ୍ୟୁଟର ସାଇନ୍ସ ବିଷୟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଦାଖିଲା ହେଲେ । କିନ୍ତୁ ମାତ୍ର ଦୁଇବର୍ଷ ପରେ ଅଧାରୁ ପାଠ ଛାଡ଼ିଦେଇ ପଲ୍ ଏଲୋନଙ୍କ ସହ ମାଇକ୍ରୋସଫ୍ଟ ଆରମ୍ଭ କଲେ, ଯାହା ତାଙ୍କୁ ପରିଶେଷରେ ଅପାର ସୌଭାଗ୍ୟ ଆଣିଦେଲା । ମନରେ କୌତୂହଳ ଜାତ ହୁଏ ଯେ, ଜଣେ ପାଠ ଛାଡ଼ିଥିବା ପିଲା ଏମିତି ଅସାଧାରଣ ସଫଳତା ପାଇବା ପଛରେ ରହସ୍ୟ କ’ଣ ହେଇପାରେ? ଦୀର୍ଘ ୨୫ବର୍ଷ ଧରି ୨୦୦୦ ମସିହା ପର୍ୟ୍ୟନ୍ତ ଗେଟ୍ସ ମାଇକ୍ରୋସଫ୍ଟ କମ୍ପାନିର ସିଇଓ ଥିଲେ ।
ଏହି ଅବଧିରେ ତାଙ୍କ କାର୍ୟ୍ୟପ୍ରଣାଳୀ ପ୍ରାୟତଃ ଏଲୋନ ମସ୍କଙ୍କ ପନ୍ଥା ଅନୁସରଣ କରିବା ପରି ଜଣାପଡ଼ିବ । ଗେଟ୍ସ ସେତେବେଳେ ପ୍ରତିମୁହୂର୍ତ୍ତରେ କେବଳ ନିଜ କମ୍ପାନି ବିଷୟ ଭାବୁଥିଲେ । ଏଥିପାଇଁ ନିରନ୍ତର କାର୍ୟ୍ୟସୂଚୀ ଅଗ୍ରିମ ସ୍ଥିର କରି କଡ଼ାକଡ଼ି ଭାବେ ତାହା କାର୍ୟ୍ୟାନ୍ୱିତ କରୁଥିଲେ । ଏହି ଅବିଶ୍ରାନ୍ତ କାର୍ୟ୍ୟଧାରା ଯୋଗୁଁ ସେ ମୁହୂର୍ତ୍ତେ ସୁଦ୍ଧା ମନୋରଞ୍ଜନ ପାଇଁ ସୁଯୋଗ ପାଉନଥିଲେ । କେବଳ ନିଜ ପାଇଁ ଏମିତି କଠିନ ପରିଶ୍ରମ କରୁନଥିଲେ, ତାଙ୍କ କମ୍ପାନିର କର୍ମଚାରୀଙ୍କୁ ମଧ୍ୟ ଏମିତି ଅବିରତ କାର୍ୟ୍ୟରେ ଲଗାଉଥିଲେ । ଏପରିକି ରାତି ଦୁଇଟା ବେଳେ ନିଦ୍ରାଳୁ ଥିବା ଚାକିରିଆମାନଙ୍କୁ କାମ ପାଇଁ ଅନୁରୋଧ କରିବାକୁ ପଶ୍ଚାତ୍ପଦ ହେଉନଥିଲେ । ସେମାନଙ୍କ ଅସନ୍ତୋଷ ପ୍ରତି ତାଙ୍କ ନିଘା ନଥିଲା । ତେବେ ୨୦୧୭ ମସିହାରେ ସାମ୍ବାଦିକ ଚାର୍ଲି ରୋଜିଙ୍କ ସହ ଏକ ସାକ୍ଷାତକାର ବେଳେ ସେ ଯାହା କହିଲେ ତାହା ଚମକପ୍ରଦ । ଏହି ଇଣ୍ଟରଭ୍ୟୁ ବେଳେ ତାଙ୍କ ସହ ଅନ୍ୟ ଜଣେ ଯଶସ୍ୱୀ ଆମେରିକୀୟ ଧନବାନ ନିବେଶକ ଓ ଉଦ୍ଯୋଗୀ ୱାରେନ ବଫେଟ (ଜନ୍ମ ୧୯୩୦) ଥିଲେ, ଯିଏକି ଫେବ୍ରୁଆରୀ ୨୦୨୫ରେ ଫୋର୍ବସ ବିଲିୟନେଆର ତାଲିକାରେ ଷଷ୍ଠ ସ୍ଥାନ ମଣ୍ଡନ କରିଥିଲେ । ତାଙ୍କ ସହ ପୂର୍ବରୁ ଦୀର୍ଘ ୩୦ବର୍ଷ ଧରି ଗେଟ୍ସଙ୍କ ବନ୍ଧୁତା ଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଗରୁ ସେମାନେ ନିଜ କାର୍ୟ୍ୟପଦ୍ଧତି ନେଇ କେବେ ଆଲୋଚନା କରିନଥିଲେ । ବହୁ ବିଳମ୍ବରେ ବଫେଟଙ୍କ କାର୍ୟ୍ୟଶୈଳୀ ବିଷୟରେ ଗେଟ୍ସ ଅବଗତ ହେଲେ । ସେତେବେଳେ ସେ ଜାଣିଲେ ଯେ, ବର୍ଷ ବର୍ଷ ଧରି କାର୍ୟ୍ୟସୂଚୀରେ ବଫେଟଙ୍କ ଅନେକ ତାରିଖ ଫାଙ୍କା ଥିଲା । ସେଇ ଦିନମାନଙ୍କରେ ସେ କମ୍ପାନିର ବୋଝକୁ ମୁଣ୍ଡରୁ ପୂରା ଓହ୍ଲାଇ ହାଲୁକା ଭାବେ ଦିନମାନ ଉପଭୋଗ କରୁଥିଲେ ।
ଉକ୍ତ ସାକ୍ଷାତକାର ବେଳେ ଗେଟ୍ସ ଅନୁତପ୍ତ ହେଇ ଜାଣିଥିଲେ ଯେ, ଯଦି ବଫେଟଙ୍କ ଠାରୁ ଏହି ବିଷୟଟି ଆଗରୁ ଜାଣିଥାନ୍ତେ ତେବେ ସେ ତାଙ୍କ ପୂର୍ବ କଠିନ କାର୍ୟ୍ୟବିଧି ପରିତ୍ୟାଗ କରି ମନକୁ ପ୍ରଫୁଲ୍ଲ ରଖିଥାନ୍ତେ । ବଫେଟଙ୍କ ନୀତି ଅଧିକ ଫଳପ୍ରଦ ଓ ଏଥିଯୋଗୁଁ ତାଙ୍କ ସମ୍ପତ୍ତି ଆହରଣ କରିବାରେ କୌଣସି ପ୍ରକାରେ କ୍ଷତି ପହୁଞ୍ଚାଇ ପାରିନଥାନ୍ତା । ବୋଧହୁଏ ପତ୍ନୀ ମିଲିଣ୍ଡାଙ୍କ ଛାଡ଼ପତ୍ର ଘଟଣାର ବେଦନା ଅପେକ୍ଷା ପୂର୍ବର କାର୍ୟ୍ୟଜନିତ ଦୀର୍ଘକାଳୀନ ଚାପର ଦୁର୍ଦ୍ଦଶା ଅଧିକ ଗୁରୁତର ଓ ଗମ୍ଭୀର । ଅନେକ ସମୟରେ ନିଯୁକ୍ତିଦାତାମାନଙ୍କ ମନରେ ଗୋଟିଏ ଧାରଣା ଥାଏ ଯେ, ଅଧସ୍ଥନ କର୍ମଚାରୀମାନଙ୍କୁ ଯେତେ ଅଧିକ ସମୟ କାର୍ୟ୍ୟବ୍ୟସ୍ତତା ମଧ୍ୟରେ ନିବଦ୍ଧ କରାଯିବ ସେମାନଙ୍କ କମ୍ପାନି ସେତେ ଲାଭବାନ ହେବ । ଏହାର ସତ୍ୟତା ପରୀକ୍ଷା କରିବାକୁ ୨୦୧୪ରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏକ ଅନୁଧ୍ୟାନ କରିଥିଲା । ସେଥିରୁ ଜଣାଗଲା ଯେ, ବାଧ୍ୟବାଧକତାରୁ ସପ୍ତାହରେ ୭୦ଘଣ୍ଟା କାର୍ୟ୍ୟ କଲେ ଯେଉଁ ସୁଫଳ ମିଳେ, ୫୫ଘଣ୍ଟା ମନ ଲଗାଇ ଆଗ୍ରହର ସହ କାମ କଲେ ସେଭଳି ପରିଣାମ ପ୍ରାପ୍ତହୁଏ । ବାସ୍ତବିକ ଅଧିକ ଚାପଗ୍ରସ୍ତ ହେଲେ ଫଳ ବିପରୀତ ହୁଏ । (ଦ୍ରଷ୍ଟବ୍ୟ: ‘ବହୁ ଆଗରୁ ୱାରେନ ବଫେଟଙ୍କଠାରୁ ମୁଁ ଏହି ଶିକ୍ଷା ପାଇବା କଥା’ । ସିଏନ ବିସି, ୨୪ ମେ ୨୦୨୪) । ନର୍ଥ ଆରିଜୋନା ବିଶ୍ୱବିଦ୍ୟାଳୟରେ ଗୋଟିଏ ସମ୍ମିଳନୀରେ ଭାଷଣ ଦେବାବେଳେ ଗେଟ୍ସ କାର୍ୟ୍ୟ ଓ ଜୀବନ ମଧ୍ୟରେ ଭାରସାମ୍ୟ ସଂପର୍କରେ ଏହା ଉଲ୍ଳେଖ କରିଥିଲେ । ବିନା ବିରତିରେ ଚାକିରିଆଙ୍କୁ ଅଫିସ୍ କାର୍ୟ୍ୟରେ ଦୀର୍ଘସମୟ ଧରି ନିୟୋଜିତ କରିବା ଏକ ଅଣବୈଜ୍ଞାନିକ ଚିନ୍ତାଧାରା ଓ ଅଜ୍ଞାନବଶତଃ କ୍ରୁରତାର ଲକ୍ଷଣ । କର୍ମଚାରୀଙ୍କୁ ଅନ୍ୟମନସ୍କତା ଓ ବିରାଗ ଜାତ କରେ, ଯାହାକି ବର୍ଜନୀୟ ।