ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭୂତ ଗାଁ

Published By : Prameya | February 12, 2025 10:13 AM

ଭାରତର ଆତ୍ମା ହେଲା ଗାଁ ଓ ଗାଁର ଆତ୍ମା ତା’ ନିଜ ଗାଁ ଲୋକ, ତା’ ମାଟି, ପବନ, ଐତିହ୍ୟ ଓ ରଙ୍ଗୀନ ସଂସ୍କୃତି । ଯେତେବେଳେ ଗାଁର ଆତ୍ମା ଚାଲିଯାଏ, ଗାଁ ସେତେବେଳେ ‘ଭୂତ’ ହେବା ସ୍ୱାଭାବିକ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସ୍ଥାନାନ୍ତରଣ ତ୍ୱରାନ୍ୱିତ ହେବାଫଳରେ ଭାରତୀୟ ଗ୍ରାମ ବ୍ୟବସ୍ଥା ଏବଂ ଏହାର ସମୃଦ୍ଧ ସାଂସ୍କୃତିକ ଢାଞ୍ଚାର ବିଘଟନ ଘଟୁଛି, ଯାହାଫଳରେ ଭାରତର ପ୍ରାଣ ‘ଗାଁ’ ଆଜି ‘ଭୂତ ଗାଁ’ରେ ପରିଣତ ହେବାରେ ଲାଗିଛନ୍ତି।

ଜଣେ ୬୦ରୁ ୬୫ ବୟସ୍କ ବୃଦ୍ଧ ସବୁଦିନ ଏକ ସ୍କୁଲ ଫାଟକ ପାଖରେ ବସି ପିଲାମାନଙ୍କୁ ସ୍କୁଲ ଯାଉଥିବାର ଓ ଆସୁଥିବାର ଦେଖୁଥାନ୍ତି । କେହି ଜାଣିନଥାନ୍ତି ସେ ବୃଦ୍ଧ ଜଣକ କିଏ, କେଉଁଠୁ ଆସିଛନ୍ତି ବା କାହିଁକି ସେ ସ୍କୁଲ ସାମ୍ନାରେ ବସୁଛନ୍ତି । ଆଜିକାଲି ଯେମିତି ନୂଆ ନୂଆ ଅପରାଧ ବଢ଼ିଚାଲିଛି, କାହା ଉପରେ ବିଶ୍ୱାସ କରିବା କଷ୍ଟ, ସେ ବୃଦ୍ଧ ହୋଇଥାନ୍ତୁ ବା ଯୁବକ । ସ୍କୁଲ କର୍ତ୍ତୃପକ୍ଷଙ୍କୁ ଟିକିଏ ସନ୍ଦେହ ହେବାରୁ ସେ ପୋଲିସକୁ ଏତଲା ଦେଲେ । ପୋଲିସ ଆସି ବୃଦ୍ଧଙ୍କୁ ସ୍କୁଲ ସାମ୍ନାରୁ ଉଠେଇ ନେଇ ହାଜତରେ ବନ୍ଦ କରିଦେଲେ । ବୃଦ୍ଧଙ୍କର ଘର କେଉଁଠାରେ ପଚାରିବାରୁ ସେ ଉତ୍ତର ଦେଲେ "ଭୂତ ଗାଁ’ । ତାହା ଶୁଣି ପୋଲିସ ମଧ୍ୟ କାବା ହୋଇଗଲେ । ଏମିତି ବି କିଛି ଗାଁ ଅଛି ଯାହାର ନାଁ "ଭୂତ ଗାଁ’! ହଁ, କାଳେ ହୋଇଥିବ ଭାବି ପୋଲିସ ବୃଦ୍ଧଙ୍କୁ ପଚାରିଲେ ଯେ ସେ କାହିଁକି ସ୍କୁଲ ସାମ୍ନାରେ ବସୁଥିଲେ । ବୃଦ୍ଧ ଜଣକ କହିଲେ- ମୁଁ ପାଖାପାଖି ୮-୧୦ ବର୍ଷ ହେବ ଛୋଟ ପିଲାଙ୍କୁ ଦେଖିନାହିଁ । ଦେଖିବି ବା କେମିତି? ଗାଁ ଛାଡ଼ି ସବୁ ପରିବାର ତ ସହରମୁହାଁ । ପିଲାଙ୍କୁ ଦେଖିବାକୁ ସ୍କୁଲ ଠାରୁ ଆଉ ଭଲ ଜାଗା ବା କ'ଣ ହେବ? 

ବୃଦ୍ଧଙ୍କ କଥା ଶୁଣି ପୋଲିସ ବୁଝି ପାରୁନଥାନ୍ତି ଯେ ବୃଦ୍ଧ ଜଣକ କ'ଣ କହୁଛନ୍ତି! ପଚାରି ବୁଝୁବୁଝୁ ଜାଣିପାରିଲେ ଯେ, ବୃଦ୍ଧ ଜଣକ କୌଣସି ଛୁଆଧରା ନୁହଁନ୍ତି କି କୌଣସି ଆତଙ୍କବାଦୀ ମଧ୍ୟ ନୁହଁନ୍ତି । ସିଏ ତ ଜଣେ ବିଚରା ବୃଦ୍ଧ, ଯିଏ କେବଳ ବୃଦ୍ଧମାନଙ୍କ ମଧ୍ୟରେ "ଭୂତ ଗାଁ’ରେ ରୁହନ୍ତି । ବିବିଧ ସଂସ୍କୃତି ଏବଂ ପରମ୍ପରାର ଭୂମି ଭାରତ । ଐତିହାସିକ ଭାବରେ ଭାରତର ଗାଁ ହିଁ ଏହାର ପରିଚୟ । ମହାତ୍ମା ଗାନ୍ଧୀ କହିଥିଲେ "ଭାରତର ଆତ୍ମା ତା'ର ଗ୍ରାମରେ ବାସ କରେ’ । ଗାଁରେ ବାସ କରୁଥିବା ଭାରତର ଆତ୍ମା କିନ୍ତୁ ସେତେବେଳେ ସଂକଟରେ ପଡ଼ିଯାଏ, ଯେତେବେଳେ ଗ୍ରାମବାସୀ ସହରବାସୀ ହେବାକୁ ବେଶୀ ପସନ୍ଦ କରନ୍ତି । ସାରା ଦେଶ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଳନରେ ଉତ୍ସବ ମୁଖରିତ ଥିଲା, ସେତେବେଳେ କେଉଁଠି ନା କେଉଁଠି ଏକ ଅଜଣା ଆତଙ୍କର ମଞ୍ଜି ରୋପଣ ହେଉଥିଲା, ଯେଉଁଠି ଭାରତବାସୀ ବିଦେଶବାସୀ ହେବାକୁ ଆକୃଷ୍ଟ ହେଉଥିଲେ, ଯାହାର ଫଳସ୍ୱରୂପ ଧୀରେ ଧୀରେ ଗାଁ ଲୋକଶୂନ୍ୟ ହେବାରେ ଲାଗିଛି ଓ ଦେଶରୁ ବ୍ରେନ୍‌ ଡ୍ରେନ୍‌ ହେବାରେ ଲାଗିଛି । 

ଭାରତର ଆତ୍ମା ହେଲା ଗାଁ ଓ ଗାଁର ଆତ୍ମା ତା’ ନିଜ ଗାଁ ଲୋକ, ତା’ ମାଟି, ପବନ, ଐତିହ୍ୟ ଓ ରଙ୍ଗୀନ ସଂସ୍କୃତି । ଯେତେବେଳେ ଗାଁର ଆତ୍ମା ଚାଲିଯାଏ, ଗାଁ ସେତେବେଳେ "ଭୂତ’ ହେବା ସ୍ୱାଭାବିକ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ସ୍ଥାନାନ୍ତରଣ ତ୍ୱରାନ୍ୱିତ ହେବାଫଳରେ ଭାରତୀୟ ଗ୍ରାମ ବ୍ୟବସ୍ଥା ଏବଂ ଏହାର ସମୃଦ୍ଧ ସାଂସ୍କୃତିକ ଢାଞ୍ଚାର ବିଘଟନ ଘଟୁଛି, ଯାହାଫଳରେ ଭାରତର ପ୍ରାଣ "ଗାଁ' ଆଜି "ଭୂତ ଗାଁ'ରେ ପରିଣତ ହେବାରେ ଲାଗିଛନ୍ତି । ଏହି ଘଟଣା କେବଳ ଗ୍ରାମୀଣ ଭାରତର ସାମାଜିକ ଏବଂ ଅର୍ଥନୈତିକ ଢାଞ୍ଚାକୁ ଦୁର୍ବଳ କରୁନାହିଁ, ବରଂ ଭାରତୀୟ ସଂସ୍କୃତି ଏବଂ ମାନବ ସଭ୍ୟତାର ଅସ୍ତିତ୍ୱ ଏବଂ ଅସ୍ମିତା ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ । ସହରର ଜାକଜମକ, ସୁବିଧା ସୁଯୋଗ ଏବଂ ଉନ୍ନତ ଜୀବନଧାରଣର ଲାଭ ହେତୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତରଣ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଚାଲିଛି । ୨୦୧୧ ଜନଗଣନା ଅନୁଯାୟୀ, ଭାରତରେ ୪୫୦ ନିୟୁତରୁ ଅଧିକ ଲୋକ ପ୍ରବାସୀ, ଯାହା ଜନସଂଖ୍ୟାର ପ୍ରାୟ ୩୭%  । ୨୦୧୭-୧୮ ଆର୍ଥିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ୯ ନିୟୁତ ଲୋକ ମୁଖ୍ୟତଃ କାର୍ଯ୍ୟ ଏବଂ ଶିକ୍ଷା ଉଦ୍ଦେଶ୍ୟରେ ନିଜ ଗାଁରୁ ସହରକୁ ପଳାୟନ କରନ୍ତି । ସହରରେ କାଳେ ପଇସା ଅଛି, ସ୍ୱାସ୍ଥ୍ୟସେବା ଓ ଉନ୍ନତ ଶିକ୍ଷାବ୍ୟବସ୍ଥା ଅଛି । 

ହେଲେ ଆମେ ଭୁଲିଯାଉଛନ୍ତି ଯେ, ଗାଁରେ ଭାରତର ଜୀବନ ଅଛି । ଜୀବନକୁ ଅବହେଳିତ ଅବସ୍ଥାକୁ ଠେଲିଦେଇ ବିପଦରେ ପକେଇଦେଲେ କେହି ଶାନ୍ତିରେ ରହିପାରିବେ ନାହିଁ । ଆଜିକାଲି ବଦଳୁଥିବା ମାନସିକତା ହେତୁ ଯୁବପିଢ଼ି ସହରରେ ମୂଲ ଲାଗିବାକୁ ପସନ୍ଦ କରୁଛନ୍ତି, ହେଲେ ନିଜ ମାଟିରେ ରାଜା ହେବାକୁ ମନ ବଳାଉ ନାହାଁନ୍ତି । ନିଜ ଗାଁ ଘର ଛାଡ଼ି ବସ୍ତିରେ ରହିବାକୁ ଇଚ୍ଛା କରୁଛନ୍ତି, ହେଲେ ଗାଁକୁ ଆଉ ପଚାରୁ ନାହାଁନ୍ତି । ନିଜ ବାପା ଦାଦାଙ୍କ ଜମିରେ ଚାଷ କରିବାକୁ ପସନ୍ଦ କରୁନାହାଁନ୍ତି, ହେଲେ ସହରରେ ଦାଦନ ଖଟିବାକୁ ପ୍ରାଥମିକତା ଦେଉଛନ୍ତି । କୃଷି, ଯାହା ଗ୍ରାମୀଣ ଭାରତର ମେରୁଦଣ୍ଡ, ସ୍ଥାନାନ୍ତରଣ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେଉଛି । ଯୁବକ ଏବଂ ସକ୍ଷମ ବ୍ୟକ୍ତିମାନେ ସହରକୁ ଯିବା ସହିତ କୃଷିକାର୍ଯ୍ୟ ହ୍ରାସ ପାଉଛି, ଫଳରେ ଅନୁର୍ବର ଜମି ବୃଦ୍ଧିପାଉଛି, କୃଷି ଉତ୍ପାଦକତା ହ୍ରାସ ପାଉଛି ଏବଂ ଖାଦ୍ୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଉଛି । ଯୁବପିଢ଼ିମାନଙ୍କ ଗ୍ରାମରୁ ବିଦାୟ ନେବାର ପରିଣାମ ସ୍ୱରୂପ ପାରମ୍ପରିକ ଜ୍ଞାନ ବ୍ୟବସ୍ଥା ଏବଂ ଅଭ୍ୟାସଗୁଡ଼ିକ ନଷ୍ଟ ହୋଇଯାଉଛି । ସ୍ୱଦେଶୀ କୃଷି କୌଶଳ, ଔଷଧୀୟ ଜ୍ଞାନ ଏବଂ କାରିଗରୀ ଧୀରେ ଧୀରେ ଅଦୃଶ୍ୟ ହେବାରେ ଲାଗିଛି । ଗାଁଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ରକ୍ଷକ, ଯେଉଁଥିରେ ଲୋକ ପରମ୍ପରା, ପର୍ବପର୍ବାଣି ଏବଂ ରୀତିନୀତି ଅନ୍ତର୍ଭୁକ୍ତ । ଦେଶାନ୍ତର ଗମନ ଏହି ସାଂସ୍କୃତିକ ଅଭିବ୍ୟକ୍ତିକୁ ବ୍ୟାହତ କରିଥାଏ, ଯାହାଫଳରେ ସେଗୁଡ଼ିକ ଧୀରେ ଧୀରେ ବିଲୋପ ହୋଇଯାଆନ୍ତି । 

ଅନେକ ଆଞ୍ଚଳିକ ଭାଷା ଏବଂ ଉପଭାଷା ଯାହା ଭାରତର ସାଂସ୍କୃତିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ, ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଗମନ ହେତୁ ଆଜି ବିପଦରେ । ଭାରତୀୟ ଗାଁଗୁଡ଼ିକ ପାରମ୍ପରିକ ଭାବେ ସମନ୍ୱିତ ସମ୍ପ୍ରଦାୟ ଭାବେ ରହିଆସୁଛନ୍ତି, ଯେଉଁଠାରେ ସାମାଜିକ ସମ୍ପର୍କ ଏବଂ ସାମୂହିକ ନିଷ୍ପତ୍ତି ନେବାର ବିକାଶ ଘଟିଥାଏ । ହେଲେ ସ୍ଥାନାନ୍ତରଣ ଏହି ଢାଞ୍ଚାଗୁଡ଼ିକୁ ବ୍ୟାହତ କରି ଗୋଷ୍ଠୀଗତ ବନ୍ଧନକୁ ଦୁର୍ବଳ କରିଥାଏ ଏବଂ ସ୍ଥାନୀୟ ଶାସନରେ ଅଂଶଗ୍ରହଣକୁ ମଧ୍ୟ ହ୍ରାସ କରିଥାଏ । ଗୋଟିଏ ପାଖରେ ଗାଁ ‘ଭୂତ ଗାଁ' ହେବାବେଳେ ଅନ୍ୟ ପାଖରେ ସହରାଞ୍ଚଳଗୁଡ଼ିକ ଅତ୍ୟଧିକ ଜନସଂଖ୍ୟାର ଶିକାର ହେଉଛନ୍ତି, ଯାହା ଅପରିକଳ୍ପିତ ସହରୀକରଣ, ବସ୍ତିବାସିନ୍ଦା ବିସ୍ତାର ଏବଂ ସମ୍ବଳ ସଙ୍କଟର କାରଣ ହେଉଛି । ମିଳିତ ଜାତିସଂଘ ଆକଳନ ଅନୁଯାୟୀ ଭାରତର ସହରାଞ୍ଚଳ ଜନସଂଖ୍ୟା ୨୦୧୮ ମସିହାରେ ୪୬୧ ନିୟୁତରୁ ୨୦୫୦ ମସିହା ସୁଦ୍ଧା ୮୭୭ ନିୟୁତ ହେବ । ଗ୍ରାମାଞ୍ଚଳରୁ ପ୍ରବାସୀଙ୍କ ବିପୁଳ ପ୍ରବାହ ଏହି ସମସ୍ୟାକୁ ଆହୁରି ତ୍ୱରାନ୍ୱିତ କରୁଛି । ଗାଁ ଛାଡ଼ି ସହରକୁ ଆସୁଥିବା ଶ୍ରମିକଙ୍କ ଆଗମନ, ଚାକିରି, ଘର, ବିଦ୍ୟାଳୟ ସୁବିଧା ଇତ୍ୟାଦି ପାଇଁ ପ୍ରତିଯୋଗିତା ବୃଦ୍ଧିକରେ । ଅଧିକ ଜନସଂଖ୍ୟା ପ୍ରାକୃତିକ ସମ୍ବଳ, ସୁବିଧା ଏବଂ ସେବା ଉପରେ ଅତ୍ୟଧିକ ଚାପ ପକାଇଥାଏ । ଅନେକ ପ୍ରବାସୀ ସମ୍ପୂର୍ଣ୍ଣ ଅଶିକ୍ଷିତ ହୋଇଥିବାରୁ ଅଧିକାଂଶ ଚାକିରି ପାଇଁ ଅଯୋଗ୍ୟ ହୋଇଥାନ୍ତି, ଯାହାଫଳରେ ଅଳ୍ପ ବେତନରେ ସେମାନେ କାମ କରିବାକୁ ବାଧ୍ୟ ହୁଅନ୍ତି, ଯାହାଫଳରେ ଦାରିଦ୍ର‌୍ୟ ସେମାନଙ୍କୁ ଏକ ସାଧାରଣ ଏବଂ ସୁସ୍ଥ ଜୀବନଯାପନ କରିବାରେ ଅସମର୍ଥ କରିଦିଏ । 

ଦାରିଦ୍ର‌୍ୟରେ ବଢୁଥିବା ପିଲାମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ, ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ ସୁବିଧା ମିଳିନଥାଏ । ସହରଗୁଡ଼ିକରେ ବସ୍ତିବାସିନ୍ଦାଙ୍କ ସଂଖ୍ୟା ବୃଦ୍ଧିପାଇବା ଫଳରେ ଅସ୍ୱାସ୍ଥ୍ୟକର ପରିସ୍ଥିତି, ଅପରାଧ, ପ୍ରଦୂଷଣ ଆଦି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ବେଳେବେଳେ ପ୍ରବାସୀମାନେ ଶୋଷଣର ଶିକାର ମଧ୍ୟ ହୋଇଥାନ୍ତି । ଏହା ସତ୍ତେ୍ୱ ମଧ୍ୟ ଗାଁ ଛାଡ଼ି ସହରକୁ ଯିବା ନିଶା ଅତି ଜୋର୍‌ । ଆଜିକାଲି ସମସ୍ତେ ଶିକ୍ଷିତ ଓ ସମସ୍ତଙ୍କୁ ସହରରେ ଚାକିରି ଦରକାର । ଚାକିରି କ'ଣ ଧନ ଉପାର୍ଜନର ଏକମାତ୍ର ପନ୍ଥା, ଯାହା କେବଳ ସହରରେ ଉପଲବ୍ଧ? ଏକ ସମାନ ସନ୍ତୁଳିତ ଜନସଂଖ୍ୟା ବଣ୍ଟନ ନିମନ୍ତେ ଏବଂ ସ୍ଥାୟୀ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ସାମଗ୍ରିକ ଅଭିବୃଦ୍ଧି ଲାଗି ଭାରତର ଗାଁଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣ ଅତି ଜରୁରି ଅଟେ । ଗ୍ରାମୀଣ ଉଦ୍ୟୋଗ, କୃଷିଭିତ୍ତିକ ଖାଦ୍ୟ ପ୍ରକ୍ରିୟାରଣ ଉଦ୍ୟୋଗ ଏବଂ ଡିଜିଟାଲ ଏକୀକରଣ ଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ୍‌ ଗ୍ରାମ ଉଦ୍ୟୋଗିତା କାର୍ଯ୍ୟକ୍ରମ ଏହି ଦିଗରେ ଏକ ସୁନ୍ଦର ପଦକ୍ଷେପ । ଜୈବିକ ଏବଂ ପ୍ରାକୃତିକ କୃଷି, ଜଳସେଚନ ଭିତ୍ତିଭୂମି ଏବଂ କୃଷକ ସମବାୟ ସମିତିରେ ନିବେଶ ଗ୍ରାମୀଣ ଜୀବିକା ନିର୍ବାହକୁ ପୁନର୍ଜୀବିତ କରିପାରିବ । ଗ୍ରାମପଞ୍ଚାୟତକୁ ସଶକ୍ତ କରିବା ଏବଂ ସ୍ଥାନୀୟ ଶାସନରେ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦ୍ୱାରା ଗୋଷ୍ଠୀ ସଂରଚନାର ପୁନଃନିର୍ମାଣ ହୋଇପାରିବ ଏବଂ ସ୍ଥାନାନ୍ତରଣ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇପାରିବ । ଗ୍ରାମାଞ୍ଚଳର ଆବଶ୍ୟକତା ଅନୁଯାୟୀ ଗୁଣାତ୍ମକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରିବା ଦ୍ୱାରା ଗ୍ରାମାଞ୍ଚଳର ଯୁବକମାନେ ବିନା ସ୍ଥାନାନ୍ତରରେ ସୁଯୋଗ ଖୋଜିବାରେ ସକ୍ଷମ ହୋଇପାରିବେ । 

କୃଷିକୁ ଲାଭଜନକ କରିବା ପାଇଁ କୃଷି ଜଙ୍ଗଲ ପ୍ରବର୍ତ୍ତନ କରିବା ସହିତ ସମ୍ବଳ ସଂରକ୍ଷଣ ଏବଂ ସ୍ଥାୟୀ ଚାଷ ଏବଂ ବନୀକରଣରେ ଗାଁର ଅଂଶଗ୍ରହଣକୁ ଉତ୍ସାହିତ କରିବା ଦ୍ୱାରା ସ୍ଥାନାନ୍ତରଣ ହ୍ରାସ ହୋଇପାରିବ । ଗ୍ରାମୀଣ ଜୀବନଧାରଣ ମାନ ବୃଦ୍ଧି ପାଇଁ ସଡ଼କ, ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନିବେଶ, ଡିଜିଟାଲ ପ୍ଲାଟଫର୍ମ ନିର୍ମାଣ କରିବା, ଯେଉଁଠି କୃଷକ ଏବଂ କାରିଗରମାନେ ସେମାନଙ୍କ ଉତ୍ପାଦକୁ ସିଧାସଳଖ ସହରାଞ୍ଚଳ ବଜାରକୁ ବିକ୍ରି କରିପାରିବେ, ସ୍ଥାୟୀ ସ୍ଥାନାନ୍ତରଣ ବିନା ଉନ୍ନତ ସୁଗମ୍ୟତାକୁ ସୁନିଶ୍ଚିତ କରିବା, ଯୋଗାଣ ଶୃଙ୍ଖଳାରେ ସ୍ୱଚ୍ଛତା ବଜାୟ ରଖି ଉତ୍ପାଦ ପାଇଁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା, ଉଚ୍ଚ ମୂଲ୍ୟର ଫସଲ, ଔଷଧୀୟ ଉଦ୍ଭିଦ କିମ୍ବା ବାଉଁଶ ଓ ହଳଦୀ ପରି ନଗଦ ଫସଲ ଉତ୍ପାଦନରେ କୃଷକମାନଙ୍କୁ ମାର୍ଗଦର୍ଶନ କରିବା ଦ୍ୱାରା ଗ୍ରାମରୁ ସହରକୁ ଜନସଂଖ୍ୟାର ପ୍ରବାହକୁ ସୀମିତ କରାଯାଇପାରିବ । 

ସ୍ଥାନୀୟ ପ୍ରଶାସନ ଏବଂ ଗୋଷ୍ଠୀ ନିର୍ମାଣକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ପ୍ରକଳ୍ପରେ ଯୁବକମାନଙ୍କୁ ନିୟୋଜିତ କରିବା ପାଇଁ ପରିଷଦ ଗଠନ କରିବା ଓ ସିଲେଇ, ଖାଦ୍ୟ ପ୍ରକ୍ରିୟାକରଣ କିମ୍ବା ହସ୍ତଶିଳ୍ପ ପାଇଁ ସମବାୟ ସମିତି ଗଠନ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରି ନିୟମିତ ଆୟ ସୁନିଶ୍ଚିତ କରିବା, ବିଲୁପ୍ତ ହୋଇଯାଉଥିବା ଆମ ଗାଁକୁ ସୁନ୍ଦର ଓ ସୁରକ୍ଷିତ ରଖିପାରିବ । ଭୂତ ପାଲଟି ଯାଉଥିବା ଗାଁକୁ ପୁନର୍ଜୀବିତ କରିବା ପାଇଁ ପରମ୍ପରାକୁ ନବସୃଜନ ସହିତ ମିଶ୍ରଣ କରିବାର ଆବଶ୍ୟକତା ରହିଛି । ଗ୍ରାମଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ଆକର୍ଷଣୀୟ, ସାଂସ୍କୃତିକ ଦୃଷ୍ଟିରୁ ଜୀବନ୍ତ ଏବଂ ସାମାଜିକ ଭାବେ ସହାୟକ କରି, ଆମେ ଆମ ଗାଁକୁ "ଭୂତ ଗାଁ' ହେବାରୁ ରକ୍ଷା କରିପାରିବା ଓ ଗାଁଗୁଡ଼ିକୁ ସ୍ଥାୟୀ ବିକାଶର ଇଞ୍ଜିନରେ ପରିଣତ କରି ଗ୍ରାମୀଣ ଭାରତର ଅସ୍ତିତ୍ୱ ଏବଂ ଅସ୍ମିତାକୁ ସଂରକ୍ଷିତ ରଖିପାରିବା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.