ବନ୍ଧୁତା ଓ ଈର୍ଷାପରାୟଣତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଏବେ ବୁଝିଲା ପୁରୁଷୋତ୍ତମ । ସେତେବେଳକୁ ତା'ର ବୟସ ଷାଠିଏ ହେଇଯାଇଥିଲା । ଏ ପରିଣତ ବୟସରେ ଉପନୀତ ହୋଇ ସେ ଯେତେବେଳେ ପରଶ୍ରୀକାତରତା ଉପଲବ୍ଧି କଲା ତା' ଭିତରେ ଏକ ବିଦ୍ରୋହ ଭାବ ଜାତହେଲା । ସେ କ୍ଷୁବ୍ଧ ହେଲା ଓ ବନ୍ଧୁତା ଶବ୍ଦର ଅର୍ଥକୁ ଏକୁଟିଆ ବସି ବସି ବିଶ୍ଳେଷଣ କରିବାକୁ ଲାଗିଲା । ଏତିକି ବେଳେ ମନେପଡ଼ିଲା ଗୋଟିଏ ଗ୍ରୀକ୍ ସାହିତ୍ୟର ଅମର କୃତି । ସେଥିରେ "ପିଥିୟାସ ଓ ଡେମନ' ନାମରେ ଦୁଇ ବନ୍ଧୁଙ୍କ ଆନ୍ତରିକତା ପ୍ରାଞ୍ଜଳ ଭାବେ ବର୍ଣ୍ଣିତ ହୋଇଥାଏ । ସେମାନଙ୍କ ରାଜ୍ୟରେ "ଡାଇନୋସିୟସ' ନାମକ ଜଣେ କ୍ରୁର ଶାସକ ରାଜୁତି କରୁଥାଏ । ତା' ବିରୋଧରେ ପିଥିୟାସ ଖୋଲାଖୋଲି ସମାଲୋଚନା କରିବାକୁ ଆରମ୍ଭ କଲା । କୁମନ୍ତବ୍ୟ ସବୁ ଶୁଣି ଡାଇନୋସିୟସ କ୍ରୋଧରେ ପିଥିୟାସକୁ ଫାଶୀ ଦଣ୍ଡାଦେଶ ଦେଇଦେଲା । ଫାଶୀ ଦିନ ଉପଗତ ହେଲା ।
ପିଥିୟାସ ବିନତି କଲା, ମୋତେ କିଛି ସମୟ ଦିଆଯାଉ । ମୁଁ ଘରୁ ଦେଖା କରି ପଳେଇ ଆସିଲେ ପଛେ ଫାଶୀ ଦେବ । ତାକୁ ସନ୍ଦେହ କରି ଡାଇନୋସିୟସ ସର୍ତ୍ତ ରଖିଲା, ଅନ୍ୟ ଜଣଙ୍କୁ ଯଦି ତା' ବଦଳରେ ଜାମିନ ରଖାଯିବ ତେବେ ଅନୁମତି ଦିଆଯାଇପାରିବ । ନଚେତ୍ ନାହିଁ । ସର୍ତ୍ତ ଅନୁଯାୟୀ, ପିଥିୟାସ ନଫେରିଲେ ଜାମିନଦାରକୁ ଫାଶୀ ଦିଆଯିବ । ମରିବା ପାଇଁ କିଏ ବା ରାଜି ହେବ? ହେଲେ ପିଥିୟାସର ପ୍ରିୟ ବନ୍ଧୁ ଡେମନ ପାଖରେ ଆସି ଦେବଦୂତ ପରି ଛିଡ଼ ହୋଇଗଲା । କଥା ରହିଲା ନିର୍ଦ୍ଦିଷ୍ଟ ସମୟାନ୍ତରେ ପିଥିୟାସ ନଆସିଲେ ଡେମନର ମୁଣ୍ଡ ଯିବ । କିନ୍ତୁ ଏଭଳି ଘଟିନଥିଲା । ବନ୍ଧୁତାର ଚରମ ଉଦାହରଣ ସେ ଉପକଥାଟିରେ ଦର୍ଶେଇ ଦିଆଯାଇଥିଲା । ଅନେକ ବାଧାବିଘ୍ନ ସହି ପିଥିୟାସ ଯଥାସମୟର ଅବ୍ୟବହିତ ପୂର୍ବରୁ ଫାଶୀଖୁଣ୍ଟ ପାଖରେ ଉପସ୍ଥିତ ହୋଇଯାଇଥିଲା ଏବଂ ଡେମନକୁ ମୁକୁଳେଇ ଦେଇଥିଲା ।
ଆଜିର ଯୁଗ ହେଇଥିଲେ, ପିଥିୟାସ କଦାପି ଫେରିନଥାଆନ୍ତା ଘରୁ । ଆପେ ବଞ୍ଚିଲେ ବାପର ନାଁ । ଆଉ କିଏ ମଲା ଗଲା, କ'ଣ ମିଳିବ ସେଥିରୁ । ବନ୍ଧୁତାର ଏହି ଚରମ ନିଦର୍ଶନକୁ ହୃଦୟଙ୍ଗମ କରି ଡାଇନୋସିୟସ ସ୍ତମ୍ଭୀଭୂତ ହୋଇଯାଇଥିଲା । ତତ୍ପରେ ସେ ତା'ର ହୁକୁମନାମାକୁ ବଦଳେଇ ଦେଇଥିଲା ଏବଂ ପିଥିୟାସ ଓ ଡେମନକୁ ଅନୁରୋଧ କରିଥିଲା, ତାକୁ ବନ୍ଧୁରୂପେ ଗ୍ରହଣ କରିବାକୁ । ପୁରୁଷୋତ୍ତମ ଭଳି ଅନେକ ଲୋକ ଅଛନ୍ତି ଆଜିର ସମାଜରେ, ଯେଉଁମାନେ ମିଛ ଭରସାରେ କାଳ କାଟନ୍ତି ଯେ, ତାଙ୍କର ବନ୍ଧୁ ସାହାଯ୍ୟ କରିବାକୁ କେଭେଁ କାର୍ପଣ୍ୟ କରିବନାହିଁ । ମାତ୍ର ସାଙ୍ଗର ପରଶ୍ରୀକାତରତା ଲକ୍ଷ୍ୟ କଲା ପରେ ଭାବନ୍ତି, ଏ ମିଛ ଆଶ୍ୱାସନା ନେଇ ସମାଜରେ ତିଷ୍ଠିବା କେଡ଼େ କଷ୍ଟ ସତେ! ଆଜି ବନ୍ଧୁତ୍ୱର ଅସଲ ନିର୍ଯ୍ୟାସ ଚାଖିଲା ପରେ ସେ ବୁଝିଲା, ସତରେ କେମିତି ଷାଠିଏ ବର୍ଷ ଲାଗିଗଲା କଳାମୁଣ୍ଡିଆକୁ ଚିହ୍ନିବା ପାଇଁ । ନିରୋଳାରେ ବସିଥିବାବେଳେ ସେ ଇଂରାଜୀ ଆପ୍ତବାକ୍ୟଟାକୁ ତେଣୁ ରୂପାନ୍ତରିତ କରିବାକୁ ଚେଷ୍ଟା କଲା । ସ୍ୱଗତୋକ୍ତି କଲା ପରି ସେ ଉଚ୍ଚାରଣ କଲା- A friend in need is a friend indeed.
ଭାବିଲା, ପ୍ରକୃତରେ ଏହାକୁ ଯିଏ ପ୍ରଥମେ କହିଛି ସେ କେତେ ଅଭିଜ୍ଞତା, କେତେ ଅନୁଚିନ୍ତା, କେତେ ଅନୁଭବକୁ ତର୍ଜମା କରିନଥିବ! ମଣିଷର ଚରିତ୍ରକୁ ତନ୍ନତନ୍ନ କରି ବୁଝିନଥିଲେ ଏତଦ୍ସମ ଆପ୍ତବାକ୍ୟଟିଏ ଗଢ଼ିବା କ'ଣ ସହଜ? ସଂପ୍ରତି ସମାଜ କିନ୍ତୁ ଅବିଶ୍ୱାସ, ଅନାସ୍ଥା, ଅସହିଷ୍ଣୁତା ଉପରେ ପର୍ଯ୍ୟବସିତ । ଛକାପଞ୍ଝା ଉପରେ ଚାଲିଛି ଦୁନିଆ । ପରର ଚେର କାଟିବା, ଅନ୍ୟକୁ ଅସୁବିଧାରେ ପକେଇବା, ସାଙ୍ଗକୁ ଗାତରେ ପକେଇ ମଜା ଦେଖିବା ହେଲା ଏବେର ଗତାନୁଗତିକତା । ତେଣୁ ଉପରୋକ୍ତ ବାକ୍ୟଟିର ନୂତନ ସଂସ୍କରଣ ଏମିତି ହେଲେ ଠିକ୍ ହେବ- - A friend not in need is not a friend indeed.
ପ୍ରସଙ୍ଗକ୍ରମେ ମନକୁ ପ୍ରଶ୍ନଟିଏ ଆସୁଛି । ପ୍ରକୃତରେ କ’ଣ ଈର୍ଷା, ଅସୂୟା, ଅସହିଷ୍ଣୁତା ଏବେ ବଢ଼ିଯାଇଛି? ଆଗରୁ ନଥିଲା? ସମାଜକୁ ପରଖିଲେ ଲାଗେ ଅସହିଷ୍ଣୁତା ଆଗରୁ ଥିଲା, ଏବେ ବି ଅଛି । ପୁରାଣରେ କର୍ଣ୍ଣ ଓ ଅର୍ଜୁନ ଭିତରେ, ଦୁଃଶାସନ ଓ ଭୀମ ଭିତରେ, ଦୁର୍ଯ୍ୟୋଧନ ଓ ପାଣ୍ଡବ ଭିତରେ ଅସରନ୍ତି ଈର୍ଷା, ଦ୍ୱେଷର ଦାବାନଳ ଅହରହ ଜଳୁଥିଲା । ଏହି କାରଣରୁ ରାମାୟଣରେ ବାଳୀ ବଧ ହେଇଥିଲା । ସୂର୍ପଣଖାର ନାକ କଟିଥିଲା । କୈକେଇର ଚକ୍ରାନ୍ତରେ ରାମ ଅଯୋଧ୍ୟା ସିଂହାସନରେ ବସିପାରିନଥିଲେ । ଦାସୀ ମନ୍ଥରାର ମନ୍ଦବୁଦ୍ଧି କୌଶଲ୍ୟା ପାଇଁ କାଳ ହୋଇଥିଲା । ଏପରି ଦୃଷ୍ଟାନ୍ତ ଇତିହାସରେ ମଧ୍ୟ କମ୍ ନାହିଁ । ରାଜା ଜୁଲିୟସ ସିଜର ବନ୍ଧୁ ବ୍ରୁଟସ୍ ଦ୍ୱାରା ମରିଥିଲେ । ଆଉରଙ୍ଗଜେବ ହାତରେ ତିନି ଭାଇ ପ୍ରାଣ ହରାଇଥିଲେ । ପିତା ଶାହାଜାହାନ କାରାଗାରରେ ଅନ୍ତିମ ଜୀବନ କାଟିଥିଲେ । ଏଥିରୁ ପ୍ରତୀତ ହୁଏ ଯେ, ପରଶ୍ରୀକାତରତା ଯୁଗ ଯୁଗ ଧରି ବ୍ୟଥିତ କରିଆସୁଅଛି ମଣିଷ ପ୍ରାଣକୁ । କେତେବେଳେ ଏ ମନ୍ଦ କ୍ରିୟାଟି ମନରେ ଜାଗ୍ରତ ହେବ କେହି କହିପାରିବେନାହିଁ । ମନେହୁଏ ଏହା ଏକ ପ୍ରକୃତିଗତ ପ୍ରକ୍ରିୟା । କୁସଂସ୍କାରଗତ ଆଚରଣ । ଯିଏ ମିତ୍ର ଥାଏ ସେହି ବ୍ୟକ୍ତି ଛୁରା ଭୁସେ । ଅଳ୍ପଦିନ ତଳେ ଖବରକାଗଜରେ ସମ୍ବାଦଟିଏ ଆସିଥିଲା ।
ଜଣେ ବ୍ୟକ୍ତି ଘର କିଣିବେ ବୋଲି ଚାଳିଶ ଲକ୍ଷ ନେଇ ବିଲଡର ପାଖକୁ ଗଲେ । ସାଙ୍ଗରେ ଅନ୍ୟ ଜଣେ ବାଲ୍ୟବନ୍ଧୁକୁ ନେଲେ । ହେଲେ ସେ ଟଙ୍କାକୁ କୌଣସି କାରଣବଶତଃ ବିଲଡରକୁ ଦେଇପାରିଲେନାହିଁ । ସନ୍ଧ୍ୟା ହୋଇଯାଇଥିଲା । ବ୍ୟାଙ୍କରେ ବି ଟଙ୍କାକୁ ରଖିପାରିଲେନାହିଁ । ଫେରିଆସିଲେ ଘରକୁ । ସାଥୀ ଜଣଙ୍କ ତାଙ୍କୁ ଘରେ ଛାଡ଼ି ନିଜ ଘରକୁ ଫେରିଯିବାକୁ ଉପକ୍ରମ କରନ୍ତେ, ବ୍ୟକ୍ତି ଜଣଙ୍କ ମାନବିକତା ଦୃଷ୍ଟିରୁ ତାଙ୍କୁ ରାତ୍ରିଭୋଜନ କରି ଯିବାକୁ ଘର ଭିତରକୁ ଡାକି ଆଣିଲେ । ଏଇଠି ଭୁଲ୍ ହେଇଗଲା ତାଙ୍କର । ରାତ୍ରୀ ବଢ଼ିବା ସହିତ ବାଲ୍ୟବନ୍ଧୁର ଲୋଭ ବୃଦ୍ଧି ପାଇବାକୁ ଲାଗିଲା । ସାଙ୍ଗର ସଂପଦ, ସ୍ୱାଚ୍ଛନ୍ଦ୍ୟ ସହ୍ୟ ହେଲାନାହିଁ । ଶେଷରେ ସାଥୀଜଣଙ୍କ ପ୍ରବଳ ଲୋଭର ବଶବର୍ତ୍ତୀ ହୋଇ ପନିକି ସହାଯ୍ୟରେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରି ଟଙ୍କା ଧରି ଚମ୍ପଟ ମାରିଲା ରାତି ଅଧରେ । ଆକସ୍ମିକ ଲୋଭ, ତତ୍ସହିତ ଈର୍ଷା ସାଥୀ ଜଣଙ୍କୁ ଏପରି ଘାରିଥିଲା ଯେ, ସେ ଦୁଇଟି ଲୋକକୁ ମାରିବା ସକାଶେ ପଶ୍ଚାତ୍ପଦ ହେଇନଥିଲା । ଯିଏ ବନ୍ଧୁ ଥିଲା ସେ ଘଡ଼ିକରେ ଶତ୍ରୁ ବନିଗଲା । ଏତାଦୃଶ କେତେଗୁଡ଼ିଏ କାରଣରୁ ଆଜିକାଲି "ବନ୍ଧୁତା' ଶବ୍ଦଟିକୁ ଲୋକେ ଆଉ ବେଶୀ ଗୁରୁତ୍ୱ ଦେଉନାହାନ୍ତି । ଶବ୍ଦଟି ପ୍ରତି ସନ୍ଦେହ ଓ ଆଶଙ୍କା ଜନ୍ମୁଛି ଅକାରଣରେ ।
ମୁହଁରେ ବନ୍ଧୁ କହୁଥିଲେ ବି ଅନ୍ତରରେ ଗାଳି କରୁଛନ୍ତି ଅନେକ ଲୋକ । ଦେଖାହେଲେ, ହସୁଥିଲେ ବି ଭିତରେ ଭିତରେ ରୁକ୍ଷ ହୋଇଯାଉଛନ୍ତି ସେମାନେ । କଥା ହେଉଥିଲେ ବି ଅନ୍ୟମନସ୍କ ହୋଇପଡୁଛନ୍ତି ମଧ୍ୟାନ୍ତରରେ । ଲକ୍ଷ୍ୟ କରାହେଉଛି, ଆଜିକାଲି ମିଶିବାରେ ଆନ୍ତରିକତା ଆସୁନାହିଁ । ସାଥୀ ହେବାରେ ସ୍ୱଚ୍ଛତା ରହୁନାହିଁ । ସାହାଯ୍ୟ କରିବାରେ ବଦାନ୍ୟତା ପ୍ରକଟ ହେଉନାହିଁ । ଯଦ୍ୱାରା ମଣିଷ ଦିନକୁ ଦିନ ଖାପଛଡ଼ା ହେଇଯାଉଛି । ଅବିଶ୍ୱାସୀ ମନେ ହେଉଛି, ସ୍ୱାର୍ଥାନ୍ୱେଷୀ ଲାଗୁଛି । ଏଇ ପରିପ୍ରେକ୍ଷୀରେ ବିନା ଦ୍ୱିଧାରେ କହିବାକୁ ପଡୁଛି- ଗ୍ରୀକ ମିଥ୍ରେ ବର୍ଣ୍ଣିତ "ପିଥିୟାସ' ଚରିତ୍ରଟିର ପ୍ରଭାବ ସତେ ଆଉ ନାହିଁ । ମରିଯାଇଛି ଆଜିର ସମାଜ ପାଇଁ ସେ ।