ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଜଳବାୟୁ ପରିବର୍ତ୍ତନ ସୂଚକାଙ୍କ ଓ ଭାରତ

Published By : Prameya | February 17, 2025 2:43 PM

ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନର  ଭୟଙ୍କର ପରିଣତି ଅନୁଭବ କରିବା  ପରେ ଜର୍ମାନର ତିନିଟି ସଂସ୍ଥା  ଜର୍ମାନୱାଚ୍‌, ନିଉ କ୍ଲାଇମେଟ୍‌  ଇନ୍‌ଷ୍ଟିଚ୍ୟୁଟ ଏବଂ କ୍ଲାଇମେଟ୍‌ ଆକ୍ସନ  ୨୦୦୫ ମସିହାରୁ ମିଳିତ ଭାବେ  ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରର ଜଳବାୟୁ  ପରିବର୍ତ୍ତନ କାର୍ଯ୍ୟଧାରା ସଂପର୍କରେ  ବାର୍ଷିକ ରିପୋର୍ଟ ପ୍ରକାଶ କରୁଛନ୍ତି ।

“ଗତବର୍ଷ ଭାରତ ଅକ୍ଷୟ ଶକ୍ତି ନୀତି ଏବଂ  ବିଶେଷକରି ବୃହତ ସୌର ପ୍ରକଳ୍ପ ଓ ଛାତ ଉପରେ  ସୌରପ୍ରକଳ୍ପ ଯୋଜନା ପ୍ରଣୟନରେ ଉଲ୍ଲେଖନୀୟ  ପ୍ରଗତି ହାସଲ କରିଛି । କିନ୍ତୁ ଏହି କ୍ଷେତ୍ରରେ ଆହୁରି  ଅଧିକ ଗୁରୁତ୍ୱ ପ୍ରଦାନ କରିବାର ଆବଶ୍ୟତା ରହିଛି ।  ଦେଶରେ ଶକ୍ତି ଦକ୍ଷତା ସୂଚକାଙ୍କର ପ୍ରଚଳନ ଆରମ୍ଭ  ହୋଇଛି, କିନ୍ତୁ ତାହା ସମସ୍ତ ପରିସରକୁ ସଂପ୍ରସାରିତ  ହୋଇପାରିନାହିଁ । ବୈଦ୍ୟୁତିକ ଯାନ, ବିଶେଷକରି  ଦୁଇଚକିଆ ଯାନ ନିର୍ମାଣରେ ଭାରତ ଦ୍ରୁତଗତିରେ  ଅଗ୍ରସର ହେଉଛି । ଏହିଭଳି ସକାରାତ୍ମକ ବିକାଶ ସତ୍ତେ୍ୱ  ଭାରତ କୋଇଲା ଉପରେ ଅଧିକ ନିର୍ଭରଶୀଳ ରହିଛି  ଏବଂ ଏଥିରୁ ପର୍ଯ୍ୟାୟକ୍ରମେ ଓହରି ଆସିବାର ଗତି  ଅତି ମନ୍ଥର ଅଟେ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ  କାର୍ଯ୍ୟଦକ୍ଷତା ସୂଚକାଙ୍କରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା  ଦଶଟି ରାଷ୍ଟ୍ର ମଧ୍ୟରୁ ଭାରତ ଅନ୍ୟତମ” । ଏହା ହେଉଛି  ୨୦୨୫ ମସିହା ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ  ସୂଚକାଙ୍କ ରିପୋର୍ଟର ଅଂଶବିଶେଷ । ସାରା ବିଶ୍ୱ  ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣତି  ଅନୁଭବ କରିବା ପରେ ଜର୍ମାନର ତିନିଟି ସଂସ୍ଥା  ଜର୍ମାନୱାଚ୍‌, ନିଉ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ ଏବଂ  କ୍ଲାଇମେଟ୍‌ ଆକ୍ସନ ୨୦୦୫ ମସିହାରୁ ମିଳିତ  ଭାବେ ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରର ଜଳବାୟୁ  ପରିବର୍ତ୍ତନ କାର୍ଯ୍ୟଧାରା ସଂପର୍କରେ ବାର୍ଷିକ  ରିପୋର୍ଟ ପ୍ରକାଶ କରୁଛନ୍ତି । 

୨୦୧୫ ମସିହା ପ୍ୟାରିସ  ଚୁକ୍ତିନାମା ଆଧାରରେ ବିଶ୍ୱ ତାପମାତ୍ରା ହ୍ରାସ ନିମନ୍ତେ  ସମସ୍ତ ରାଷ୍ଟ୍ର ଖସଡ଼ା ପ୍ରସ୍ତୁତ କରି ସେହି ଆଧାରରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହି ଦିଗରେ କେଉଁ ରାଷ୍ଟ୍ର  କେତେ ଅଗ୍ରଗତି କରିଛି, "ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ  ସୂଚକାଙ୍କ' ହେଉଛି ତାହାର ଏକ ତୁଳନାତ୍ମକ ରିପୋର୍ଟ ।  ଚାରୋଟି କ୍ଷେତ୍ରର ଆଧାରରେ ଏହାର ମୂଲ୍ୟାଙ୍କନ  କରାଯାଇଥାଏ: ଗ୍ରୀନହାଉସ୍‌ ନିର୍ଗମନ (୪୦%),  ଅକ୍ଷୟ ଶକ୍ତି ଉତ୍ପାଦନ(୨୦%), ଅକ୍ଷୟ ଶକ୍ତି ବ୍ୟବହାର  (୨୦%) ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ନିମନ୍ତେ  ଜାତୀୟ ନୀତି ନିର୍ଦ୍ଧାରଣ (୨୦%) । ୨୦୨୫ ମସିହା  ରିପୋର୍ଟରେ ଅନେକ ବିକଶିତ ରାଷ୍ଟ୍ରକୁ ବହୁ ପଛରେ  ରଖି ଭାରତ ସପ୍ତମ ସ୍ଥାନରେ ରହିଛି । ଏହି ରିପୋର୍ଟରେ  ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ୫୭, ଚୀନ ୫୫, ସାଉଦି  ଆରବ ୬୬, ଜାପାନ ୫୮, କାନାଡ଼ା ୬୨ । ପ୍ରଥମ ଦୁଇ  ସ୍ଥାନରେ ଅଛନ୍ତି ଡେନମାର୍କ ଏବଂ ସ୍ୱେଡେନ । କୌଣସି  ରାଷ୍ଟ୍ର ସମସ୍ତ ସୂଚକାଙ୍କ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରି  ସାମଗ୍ରିକ ଭାବେ ଅତି ଉଚ୍ଚ ମାନ ହାସଲ କରିନଥିବାରୁ  ରିପୋର୍ଟରେ ପ୍ରଥମ ତିନିଟି ସ୍ଥାନ ଖାଲି ରହିଛି । 

ପୃଷ୍ଠଭୂମି: ଗ୍ରୀନହାଉସ୍‌ ଗ୍ୟାସ୍‌ର ପ୍ରଭାବ କିପରି  ଜୀବଜଗତ ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରୁଛି, ସେ  ସଂପର୍କରେ ଆଲୋଚନା କରିବା ପୂର୍ବରୁ ଜଳବାୟୁ  ପରିବର୍ତ୍ତନର ପୃଷ୍ଠଭୂମି ଅନୁଶୀଳନ କରିବା । ଶିଳ୍ପ  ବିପ୍ଳବ ମାନବ ଇତିହାସର ଯୁଗାନ୍ତକାରୀ ଅଧ୍ୟାୟ ଭାବେ  ବିବେଚିତ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଂଲଣ୍ଡରେ  ଶିଳ୍ପଜଗତର ସୂତ୍ରପାତ ପରେ ମେସିନ ସହାୟତାରେ  ବ୍ୟାପକ ଉତ୍ପାଦନ ଆରମ୍ଭ ହେଲା । ତାହାର ପ୍ରଭାବ  ସମାଜର ପ୍ରତିଟି ଅଙ୍ଗକୁ ଅନ୍ତରଙ୍ଗ ଭାବେ ସ୍ପର୍ଶ କରିଥିଲା ।  ଅର୍ଥନୈତିକ ସ୍ଥିତି, ସାମାଜିକ ଚଳଣୀ ଓ ଜୀବନଚର୍ଯ୍ୟାରେ  ବ୍ୟାପକ ପରିବର୍ତ୍ତନ ଆସିଲା । ପରିବର୍ତ୍ତନର ସେହି  ଧାରାକୁ ବିଶିଷ୍ଟ ବିଦ୍ୱାନ ଅର୍ଣ୍ଣଲୋଡ୍‌ ଟୟନ୍‌ବୀ ୧୮୮୪ରେ  ପ୍ରକାଶିତ "ଲେକଚରସ୍‌ ଅନ୍‌ ଦି ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍‌  ଇନ୍‌ ଇଂଲଣ୍ଡ' ପୁସ୍ତକରେ "ଶିଳ୍ପ ବିପ୍ଳବ' ନାମରେ  ଅଭିହିତ କଲେ । ୧୭୭୬ ମସିହାରେ ପ୍ରକାଶିତ "ୱେଲ୍‌ଥ  ଅଫ୍‌ ନେସନ୍‌ସ' ପୁସ୍ତକରେ ଅର୍ଥନୀତିଜ୍ଞ ଆଦାମ ସ୍ମିଥ୍‌  ତାହାର ଚମତ୍କାର ଚିତ୍ର ପ୍ରଦାନ କରି ସାରିଥାନ୍ତି "ସଂଚୟ  ମାଧ୍ୟମରେ ନୁହେଁ, ବରଂ ଉତ୍ପାଦନଶୀଳ ଶ୍ରମ ଓ ବାଣିଜ୍ୟ  ଦ୍ୱାରା ସଂପତ୍ତି ସୃଷ୍ଟି ହୋଇଥାଏ' । କୃଷିଭିତ୍ତିକ ସମାଜରେ  ଧନ ଜମା କରିବା ପାଇଁ ସଂଚୟ ହିଁ ଥିଲା ଏକମାତ୍ର  ମାଧ୍ୟମ । କିନ୍ତୁ ଶିଳ୍ପ ବିପ୍ଳବ ଫଳରେ ମୁକ୍ତ ବାଣିଜ୍ୟ  ନିମନ୍ତେ ମୁକ୍ତ ବଜାରର ପ୍ରାଧାନ୍ୟ ବୃଦ୍ଧି ପାଇଲା । ଶିଳ୍ପ  କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ  ଆରମ୍ଭ ହେଲା । 

ନୂତନ ମେସିନର ଉଦ୍ଭାବନ ସହିତ  ନୂତନ ଶକ୍ତି-ଉତ୍ସ ଯଥା: କୋଇଲା, ଷ୍ଟିମ ଇଞ୍ଜିନ, ବିଜୁଳି,  ପେଟ୍ରୋଲିୟମର ବ୍ୟବହାର ବୃଦ୍ଧି ପାଇବାକୁ ଲାଗିଲା ।  ଶିଳ୍ପ ବିପ୍ଳବ, ଏହା ଚିନ୍ତା କରିବା ମାତ୍ରେ କାରଖାନାର  ଚିମିନିରୁ ନିର୍ଗତ ହେଉଥିବା କଳାଧୂଆଁର ଚିତ୍ର ଆମ  ଆଖିଆଗରେ ଝଲସି ଉଠେ । ବିଷାକ୍ତ ଗ୍ୟାସ୍‌ ନିର୍ଗମନର  ବୃଦ୍ଧି ଘଟିବାରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନରେ  ବ୍ୟାପକ ପରିବର୍ତ୍ତନ ଆସିଲା । ଜଳ ପ୍ରଦୂଷଣ ସହିତ  ପ୍ରାକୃତିକ ସଂପଦର ହ୍ରାସ ଘଟିଲା । ପ୍ରଦୂଷଣ ଫଳରେ  ବୃକ୍ଷଲତା, ଜୀବଜନ୍ତୁ ଏବଂ ସେମାନଙ୍କର ବାସସ୍ଥଳୀ ଧ୍ୱଂସ  ପାଇବାକୁ ଲାଗିଲା । କ୍ରମଶଃ ଶିଳ୍ପ ବିପ୍ଳବର ଭୟଙ୍କର  ପରିଣତି ସାମ୍‌ନାକୁ ଆସିଲା । ପ୍ରମୁଖ ହେଉଛି ବିଶ୍ୱ  ତାପମାନ ବୃଦ୍ଧି ଏବଂ ତାହା ଫଳରେ ପରିବେଶ ଅବକ୍ଷୟ  ଏବଂ ଜଳବାୟୁ ପରିବର୍ତ୍ତନର ଧ୍ୱଂସକାରୀ ସଙ୍କେତ । ଗ୍ରୀନହାଉସ ଗ୍ୟାସ ଓ ତାହାର ପ୍ରଭାବ: ପାଣିପାଗ  ହେଉଛି ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନରେ ବାୟୁମଣ୍ଡଳର ସ୍ଥିତି  ଏବଂ ଜଳବାୟୁ ହେଉଛି ସେହି ସ୍ଥାନର ଦୀର୍ଘକାଳୀନ  ପାଣିପାଗର ହାରାହାରି ପରିସ୍ଥିତି । ଦୀର୍ଘମିଆଦି ସୂତ୍ରରେ  ତାପମାତ୍ରା ଓ ପାଣିପାଗରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ  ହିଁ "ଜଳବାୟୁ ପରିବର୍ତ୍ତନ' ନାମରେ ଅଭିହିତ । 

ବିଶ୍ୱ  ତାପମାତ୍ରା ବୃଦ୍ଧି ଏକ ପର୍ଯ୍ୟାୟଭିତ୍ତିକ ପ୍ରକ୍ରିୟା । କିନ୍ତୁ  ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଏହା ଅସ୍ୱାଭାବିକ ହାରରେ  ବୃଦ୍ଧି ପାଇଛି । ୧୭୫୦ ମସିହାରେ ବିଶ୍ୱ ତାପମାନ  ଥିଲା ୧୩.୪୨ଂ ସେଲସିୟସ, ୧୮୫୦ ମସିହାରେ  ୧୩.୬ଂ, ୧୯୬୦ ମସିହାରେ ୧୩.୯୮ଂ । କିନ୍ତୁ ୨୦୨୪  ମସିହାରେ ଏହା ୧୫.୧୦ଂ ସେଲସିୟସକୁ ବୃଦ୍ଧିପାଇଛି ।  ଏହା ହିଁ ହେଉଛି ତାପମାନ ବୃଦ୍ଧିର ଅସ୍ୱାଭାବିକ ଲକ୍ଷଣ  ଏବଂ ଏହାର ଭୟଙ୍କର ପରିଣତି ହେଉଛି- ଜଳବାୟୁ  ପରିବର୍ତ୍ତନ । ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ସନ୍ତୁଳିତ  ଆଲୋକ ଓ ଉତ୍ତାପ ବଳରେ ପୃଥିବୀରେ ଜୀବନଧାରଣ  ସମ୍ଭବ ହୋଇଛି । ଦିନରେ ସୂର୍ଯ୍ୟରଶ୍ମିରେ ପୃଥିବୀ ଉତ୍ତପ୍ତ  ହୁଏ ଏବଂ ରାତିରେ ଥଣ୍ଡା ହେଲେ ସେହି ଉତ୍ତାପ ପୁନଶ୍ଚ  ବାୟୁମଣ୍ଡଳକୁ ଫେରିଯାଏ । କିନ୍ତୁ ବାୟୁମଣ୍ଡଳରେ ଥିବା  କାର୍ବନ ଡାଇଅକ୍ସାଇଡ, ମିଥେନ୍‌, ଓଜୋନ୍‌, ନାଇଟ୍ରସ୍‌  ଅକ୍ସାଇଡ୍‌ ଆଦି ଗ୍ରୀନହାଉସ୍‌ ଗ୍ୟାସଗୁଡ଼ିକ ପୃଥିବୀପୃଷ୍ଠକୁ  ବହଳ ଭାବରେ ଆଚ୍ଛାଦିତ କରି ରଖୁଥିବାରୁ ବାୟୁମଣ୍ଡଳର  ଉତ୍ତାପ ପ୍ରତ୍ୟାବର୍ତ୍ତନ କରିନପାରି ପୁନଶ୍ଚ ପୃଥିବୀପୃଷ୍ଠକୁ ଫେରିଆସେ । ଫଳରେ ପୃଥିବୀର ତାପମାନ କ୍ରମଶଃ  ବୃଦ୍ଧି ପାଇଥାଏ । ପୃଥିବୀପୃଷ୍ଠରେ ପହଞ୍ଚୁଥିବା  ସୌରଶକ୍ତିର ପ୍ରାୟ ଅଧା ହେଉଛି ଅବଲୋହିତ ବିକିରଣ  (ଇନ୍‌ଫ୍ରାରେଡ୍‌ ରେଡିଏସନ୍‌) । ଏହି ଅବଲୋହିତ  ବିକିରଣ ନିମନ୍ତେ ଆମେ ସୂର୍ଯ୍ୟରଶ୍ମିର ଉଷ୍ମତା ଅନୁଭବ କରିପାରୁ । ବାୟୁମଣ୍ଡଳର ଗ୍ରୀନହାଉସ୍‌ ଗ୍ୟାସଗୁଡ଼ିକ  ବାୟୁମଣ୍ଡଳରୁ ଅବଲୋହିତ ବିକିରଣ ଶୋଷଣ କରି  ଗ୍ରୀନହାଉସ୍‌ ପ୍ରଭାବ ସୃଷ୍ଟି କରିଥାଏ । 

ଗ୍ରୀନହାଉସ୍‌ ଗ୍ୟାସ୍‌  ପରିମାଣ ବୃଦ୍ଧିହେଲେ ପୃଥିବୀପୃଷ୍ଠ ଅଧିକ ଉତ୍ତପ୍ତ  ହୁଏ । ଗ୍ରୀନହାଉସ୍‌ ଗ୍ୟାସ୍‌ର ପ୍ରାୟ ୮୦% ଅଙ୍ଗାରକାମ୍ଳ,  ୧୧% ମିଥେନ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ତୁଳନାରେ  ମିଥେନର ସାନ୍ଧ୍ରତା କମ୍‌ ହେଲେ ମଧ୍ୟ ଏହାକୁ ପ୍ରଭାବଶାଳୀ  ଗ୍ରୀନହାଉସ୍‌ ଗ୍ୟାସ୍‌ ଭାବେ ବିବେଚନା କରାଯାଏ, କାରଣ  ଏହାର ପ୍ରତିଟି ଅଣୁରେ ଅଙ୍ଗାରକାମ୍ଳ ତୁଳନାରେ ୨୮ଗୁଣ  ଅଧିକ ତାପ ସୃଷ୍ଟି ହୋଇଥାଏ । ଗ୍ରୀନହାଉସ୍‌ ଗ୍ୟାସ୍‌  ନିର୍ଗମନର ପ୍ରମୁଖ ଉତ୍ସ ହେଉଛି କାରଖାନାରୁ ନିର୍ଗତ  ଧୂଆଁ, ବିଦ୍ୟୁତ ଉତ୍ପାଦନ ଏବଂ ପରିବହନ ନିମନ୍ତେ  କୋଇଲା ଓ ପେଟ୍ରୋଲିୟମ ଆଦି ଇନ୍ଧନର ବ୍ୟବହାର ।  

ବିକାଶ ନାମରେ ସବୁଜ ବନାନୀ ଧ୍ୱଂସ ହେବା ଫଳରେ  ପରିବେଶରେ ଅଙ୍ଗାରକାମ୍ଳ ପରିମାଣ ସହିତ ବିଶ୍ୱ  ତାପନ ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନର  ପ୍ରଭାବରେ ଅସ୍ୱାଭାବିକ ମରୁଡ଼ି, ଜଳସଙ୍କଟ, ବନ୍ୟା ଓ  ସମୁଦ୍ର ପତନ ବୃଦ୍ଧି ସହିତ ପର୍ବତ ହିମବାହ ସଙ୍କୁଚିତ  ଏବଂ ଗ୍ରୀନଲାଣ୍ଡ ଓ ଆଣ୍ଟାର୍କଟିକାରେ ସ୍ୱାଭାବିକ ଠାରୁ  ଅଧିକ ବେଗରେ ବରଫ ତରଳିବା ଆରମ୍ଭ ହୋଇଛି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବିଶ୍ୱ ଅର୍ଥନୀତିରେ ଘୋର ସଙ୍କଟ  ଦେଖାଦେଇଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ପ୍ରତି  ଏକଡିଗ୍ରୀ ସେଲସିୟସ ତାପମାନ ବୃଦ୍ଧି ନିମନ୍ତେ ବିଶ୍ୱ  ଜିଡିପିରେ ୧୨% ହ୍ରାସ ଘଟୁଛି । ୨୦୨୪ ମସିହାରେ ବିଶ୍ୱ  ଜିଡିପି ୧୧୦ ଟ୍ରିଲିୟନ ଡଲାର । ଯଦି ଜଳବାୟୁ ସ୍ୱାଭାବିକ  ଥାଆନ୍ତା, ଆଜି ବିଶ୍ୱ ଜିଡିପି ୧୫୦ ଟ୍ରିଲିୟନ ଡଲାରରେ  ଉପନୀତ ହୋଇଥାନ୍ତା । 

ତେଣୁ ବିଶ୍ୱ ତାପମାନ ହ୍ରାସ ନିମନ୍ତେ ବ୍ୟାପକ  ଉଦ୍ୟମ ଆରମ୍ଭ ହେଲା । ଏ ଦିଗରେ ବଳିଷ୍ଠ ପଦକ୍ଷେପ  ହେଉଛି- ୨୦୧୫ ମସିହାରେ ମିଳିତ ଜାତିସଂଘ  ଆନୁକୂଲ୍ୟରେ ସ୍ୱାକ୍ଷରିତ "ପ୍ୟାରିସ ଚୁକ୍ତିନାମା' । ଏଥିରେ  ଧାର୍ଯ୍ୟ ହେଲା- ଶିଳ୍ପ ବିପ୍ଳବ ପୂର୍ବସ୍ତର ତୁଳନାରେ  ବିଶ୍ୱ ତାପମାନକୁ ୧.୫ରୁ ୨ ଡିଗ୍ରୀ ସେଲସିୟସ ହ୍ରାସ  ନିମନ୍ତେ ସମସ୍ତ ରାଷ୍ଟ୍ର ଉଦ୍ୟମ କରିବେ ଏବଂ ବିକଶିତ  ରାଷ୍ଟ୍ରମାନେ ଏଥିନିମନ୍ତେ ଆର୍ôଥକ ସହାୟତା ପ୍ରଦାନ  କରିବେ । ବିଡମ୍ବନା, ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ  ଶପଥ ଗ୍ରହଣ କରିବା ପରେ ବିଶ୍ୱର ସର୍ବଶକ୍ତିଶାଳୀ ଏବଂ  ଦ୍ୱିତୀୟ ସର୍ବାଧିକ ଗ୍ରୀନହାଉସ୍‌ ଗ୍ୟାସ୍‌ ନିର୍ଗମନ କରୁଥିବା  ରାଷ୍ଟ୍ର (ପ୍ରଥମ-ଚୀନ) ଏହି ଚୁକ୍ତିନାମାରୁ ଓହରି ଯିବାପାଇଁ  ନିଷ୍ପତ୍ତି ନେଇଛି । କିନ୍ତୁ ବିଶ୍ୱ ତାପମାନ ହ୍ରାସ କ୍ଷେତ୍ରରେ  ଭାରତ ନିରନ୍ତର ଉଦ୍ୟମ ଜାରି ରଖି ଜଳବାୟୁ ପରିବର୍ତ୍ତନ  କାର୍ଯ୍ୟଦକ୍ଷତା ସୂଚକାଙ୍କରେ ଅଗ୍ରଣୀ ତାଲିକାରେ ରହିଛି ।  

୨୦୨୩ ମସିହାରେ ଜାପାନକୁ ଅତିକ୍ରମ କରି ଭାରତ,  ବିଶ୍ୱର ତୃତୀୟ ବୃହତ ସୌରଶକ୍ତି ଉତ୍ପାଦନକାରୀ  ରାଷ୍ଟ୍ରର ମାନ୍ୟତା ହାସଲ କରିଛି: ପ୍ରଥମ-ଚୀନ,  ଦ୍ୱିତୀୟ-ଆମେରିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆମନ୍ତ୍ରଣ କ୍ରମେ "୨୮ତମ ଜଳବାୟୁ ପରିବର୍ତ୍ତନ  ରାଷ୍ଟ୍ର ସମ୍ମିଳନୀ (କୋପ୍‌-୩୩)' ୨୦୨୮ ମସିହାରେ  ଭାରତରେ ଅନୁଷ୍ଠିତ ହେବ । ଆଶା କରାଯାଏ, ସେହି  ସମୟ ସୁଦ୍ଧା ଭାରତ ୫୦୦ ଗିଗାୱାଟ ଜୀବାଶ୍ମ ଇନ୍ଧନମୁକ୍ତ  ସ୍ୱଚ୍ଛ ଓ ସବୁଜ ଶକ୍ତି ଉତ୍ପାଦନରେ ସମର୍ଥ ହୋଇ ୫୦%  ଗ୍ରୀନହାଉସ୍‌ ଗ୍ୟାସ୍‌ ନିର୍ଗମନ ହ୍ରାସ କରିବା ସହିତ ୨୦୩୦ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟରେ ଉପନୀତ ହୋଇପାରିବ । ଏହି  ଧାରା ଅବ୍ୟାହତ ରହିଲେ ୨୦୩୦ ମସିହା ସୁଦ୍ଧା ଭାରତ  "ବିଶ୍ୱ ସୌରଶକ୍ତି ରାଜଧାନୀ'ରେ ପରିଣତ ହୋଇ  ୨୦୭୦ ମସିହା ସୁଦ୍ଧା "ଶୂନ୍ୟ ଗ୍ରୀନହାଉସ ନିର୍ଗମନ ସ୍ତର  ହାସଲ କରିପାରିବ । ଏହି ଲକ୍ଷ୍ୟ ଆମ ଜୀବନଧାରାରେ  ରୂପାନ୍ତରିତ ହୋଇପାରିଲେ ଭବିଷ୍ୟ ପିଢ଼ିଙ୍କୁ ଆମେ ଏକ  ସବୁଜ ସୁନ୍ଦର ବିଶ୍ୱ ଉପହାର ଦେଇପାରିବା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.