ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ପୁଣି ଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ତାଙ୍କୁ ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ ନଚେତ୍ ସେ ସବୁକିଛି ଓଲଟାଇ ଦେବେ ବୋଲି କହିଛନ୍ତି ସିନ୍ଦେ । ଏକନାଥ ସିନ୍ଦେ କହିଛନ୍ତି, ସେ ଜଣେ କର୍ମୀ, ଜଣେ ସାଧାରଣ କର୍ମୀ, ବାଲାସାହେବ ଏବଂ ଦିଘେ ସାହେବଙ୍କ କର୍ମୀ, ସମସ୍ତଙ୍କୁ ଏହାକୁ ବୁଝି ଶିକ୍ଷା ପାଇବା ଉଚିତ । ୨୦୨୨ରେ ତାଙ୍କୁ ହାଲୁକା ଭାବେର ନିଆଯିବାରୁ ସେ ପରିସ୍ଥିତି ଓଲଟାଇ ଦେଇଥିଲେ ଏବଂ ସରକାର ବଦଳାଇ ଦେଇଥିଲେ ବୋଲି ସିନ୍ଦେ କହିଛନ୍ତି ।
ସେ କହିଛନ୍ତି ଯେ, ‘ଆମେ ସାଧାରଣ ଲୋକଙ୍କ ଇଚ୍ଛାରେ ସରକାର ଆଣିଲୁ, ଲୋକମାନେ ଚାହୁଁଥିବା ଡବଲ ଇଞ୍ଜିନ ସରକାର । ମୁଁ ସେତେବେଳେ ବିଧାନସଭାରେ କହିଥିଲେ ଯେ, ମୁଁ ଏବଂ ଦେବେନ୍ଦ୍ର ଫଡନବିସ୍ ୨୦୦ ରୁ ଅଧିକ ଆସନ ଜିତିବୁ ଏବଂ ୨୩୨ ଆସନରେ ଜିତିଲୁ । ତେଣୁ, ଯିଏ ଏହି ସଙ୍କେତକୁ ବୁଝିବାକୁ ଚାହେଁ, ସେ ଏହାକୁ ବୁଝି ନିଜର କାମ ଜାରି ରଖିବା ଉଚିତ।’
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ପାୱାର ସାହେବ (ଶରଦ ପାୱାର) ପୁରସ୍କାର ଦେଇଥିଲେ, ଜଣେ ମରାଠୀ ବ୍ୟକ୍ତି ଜଣେ ମରାଠୀ ବ୍ୟକ୍ତିଙ୍କୁ ପୁରସ୍କାର ଦେଇଥିଲେ । ମୋ ପରି କର୍ମୀଙ୍କୁ ରାଷ୍ଟ୍ର ଗୌରବ ପୁରସ୍କାର ଦିଆଯାଇଥିଲା । ଏହା ଅେନକଙ୍କ ମନେର ଇର୍ଷା ସୃଷ୍ଟି କରିଛି । ତୁମେ କେତେ ଜଳିବ, ଗୋଟିଏ ଦିନ ତୁମେ ପୋଡ଼ି ପାଉଁଶ ହୋଇଯିବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସିନ୍ଦେ । ଉଦ୍ଧବ ଠାକରେଙ୍କ ଆଡ଼କୁ ଇସାରା କରି ସିନ୍ଦେ କହିଛନ୍ତି, ସେ ପାୱାର ସାହେବଙ୍କୁ ଅପମାନିତ କରିଥିଲେ, ଯିଏ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ସାହିତ୍ୟିକମାନଙ୍କୁ ଦଲାଲ ବୋଲି କୁହାଯାଇଥିଲା ଏବଂ ଅପମାନିତ କରାଯାଉଥିଲା। ଏହା କ’ଣ ହେଉଛି, ସେ ସୁଧୁରିବେ କି ନାହିଁ ବୋଲି ସିନ୍ଦେ ପ୍ରଶ୍ନ କରିଛନ୍ତି ।
ସେପଟେ ଅନ୍ୟ ରାଜ୍ୟରେ ରମଜାନ ସମୟରେ ମୁସଲମାନମାନଙ୍କୁ ୧ ଘଣ୍ଟା ପୂର୍ବରୁ ଛୁଟି ଦିଆଯାଉଛି , ମହାରାଷ୍ଟ୍ର ସରକାର ମଧ୍ୟ ଏପରି କିଛି ଚିନ୍ତା କରୁଛନ୍ତି କି ବୋଲି ସିନ୍ଦେଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଏହାର ଜବାବରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ରମଜାନ ମାସରେ ୧ ଘଣ୍ଟା ପୂର୍ବରୁ ଛୁଟି ଦେବାର ଏପରି କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ ଆସିନାହିଁ ।
ଏକନାଥ ସିନ୍ଦେ କହିଛନ୍ତି ଯେ, ସେ ବିଦର୍ଭ ଗସ୍ତରେ ଅଛନ୍ତି। ସେ ନିର୍ବାଚନ ସମୟରେ ପ୍ରଚାର ପାଇଁ ଆସିଥିଲେ। ସେହି ସମୟରେ ମହାୟୁତିର ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତୁ ବୋଲି ସେଠାକାର ଜନତାଙ୍କୁ ଅପିଲ୍ କରିଥିଲେ । ତେଣୁ ସେ ଏଠାକୁ କୃତଜ୍ଞତା ଜଣାଇବାକୁ ଯାଇଛନ୍ତି । ସିନ୍ଦେ କହିଛନ୍ତି ଯେ, ମହାରାଷ୍ଟ୍ରର ଲୋକମାନେ ମହାୟୁତିକୁ ବଡ଼ ବିଜୟ ଦେଇଛନ୍ତି। ଆମର ଦାୟିତ୍ୱ ଆହୁରି ବଢ଼ିଯାଇଛି। ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଆସିଛି ବୋଲି ଏକନାଇ ସିନ୍ଦେ କହିଛନ୍ତି ।