ଜନଗଣନା ଏକ ସଂଘୀୟ ବିଷୟ ହୋଇଥିବାବେଳେ ‘କଲେକ୍ସନ ଅଫ୍ ଷ୍ଟାଟିଷ୍ଟିକାଲ ଆକ୍ଟ, ୨୦୦୮’ ରାଜ୍ୟ ତଥା ଏହାର ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ କ୍ଷମତା ଦେଇଥାଏ । ତେଣୁ କର୍ଣ୍ଣାଟକ ଏବଂ ବିହାର ପରି ଅନ୍ୟ ରାଜ୍ୟ ମଧ୍ୟ ଜାତି ସର୍ବେକ୍ଷଣ କରିପାରିବାର କ୍ଷମତା ପାଇଛନ୍ତି ।
କିଛି ରାଜନୈତିକ ଦଳମାନଙ୍କର ଜାତିଭିତ୍ତିକ ଜନଗଣନାକୁ ନେଇ ଦୈନନ୍ଦିନ ଚିତ୍କାର ଶୁଣିଲେ ମନେହୁଏ ଯେମିତି ଧର୍ମଭିତ୍ତିରେ ଥରେ ଦେଶ ବିଭାଜନ କରିଥିବା ତତ୍ତ୍ୱ ଆଜି ପୁଣି ଜାତିଭିତ୍ତିରେ ସମାଜକୁ ଖଣ୍ଡ ବିଖଣ୍ଡିତ କରିଦେବାର ପଣ ନେଇ ଜାଗ୍ରତ ହୋଇଗଲେ କି? କିନ୍ତୁ ଏହି ଚିତ୍କାର ପୁଣି ଜଣେ ସାଧାରଣ ନାଗରିକ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରାଏ³ ଯଥା- ଯଦି ସମାଜରେ ଆଜି ଚଷା, ଖଣ୍ଡାୟତ, କୁମ୍ଭାର, ଗଉଡ଼, ଭଣ୍ଡାରି, ଧୋବା, କଣ୍ଡରା, ପାଣ, ରାଢ଼ି, ଗୁଡ଼ିଆ ଓ ବ୍ରାହ୍ମଣ ଆଦି ଅନେକ ଜାତି ତିଷ୍ଠି ରହିଛି ଏବଂ ସେହି ଅନୁସାରେ ସେମାନେ ନିଜ ନିଜର କୌଳିକ ବୃତ୍ତି ସମ୍ପାଦନା କରିଚାଲିଛନ୍ତି ।
ଏହିସବୁ ଜାତି ମଧ୍ୟରେ ଆନ୍ତଃ-ଜାତି ବିବାହ ମଧ୍ୟ ସମ୍ଭବ ହୋଇପାରିନି । କିଛି ଜାତିଭିତ୍ତିରେ ମଧ୍ୟ ବିଭିନ୍ନ ସଂରକ୍ଷଣ ସୁବିଧା ଯୁଗ ଯୁଗ ଧରି ପାଇଆସୁଛନ୍ତି, ତେବେ ଜାତିଭିତ୍ତିକ ଜନଗଣନା ପାଇଁ ଏତେ କୁଣ୍ଠାବୋଧ କାହିଁକି? ଯଦି ଏଯାଏଁ ଜାତି ତିଷ୍ଠି ରହିଛି, ଏହାର ଗଣନା ମଧ୍ୟ ଜରୁରି । ସବୁ ତ ଜାତିଭିତ୍ତିରେ ହିଁ ଚାଲିଛି । ବିନା ଜାତିଭିତ୍ତିକ ନିର୍ଣ୍ଣୟ ତ କେବେ କେଉଁ ସରକାର ନେଇନାହିଁ ଆଜିଯାଏଁ ? ଜାତିଭିତ୍ତିରେ ଚାକିରି ମିଳୁଛି, ଜାତିଭିତ୍ତିରେ ଲୋକପ୍ରତିନିଧି ଚୟନ ହେଉଛନ୍ତି । ଜାତିପ୍ରଥା ଆଜି ଏକ ବାସ୍ତବତା । ପଶୁ, ପକ୍ଷୀ, ଗଛ, ବୃକ୍ଷ, ଗାଡ଼ି, ମଟର, ମନ୍ଦିର, ମସଜିଦ, ଗିର୍ଜା, ଗୁରୁଦ୍ୱାରା ଆଦି ଗଣନା କରାଯାଉଥିବା ସ୍ଥଳେ ଜାତି ଗଣନାରେ ଅସୁବିଧା କେଉଁଠି? ଏହି ପ୍ରସଙ୍ଗରେ ଅଧିକାଂଶ ଗଣମାଧ୍ୟମରେ ମଧ୍ୟ ବିତର୍କ ଚାଲିଛି ।
ଖ୍ରୀଷ୍ଟପୂର୍ବ ୧୦୦୦ରୁ ୫୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ବିଳମ୍ବିତ ବୈଦିକ ସମାଜରେ ବର୍ଣ୍ଣଗୁଡ଼ିକ ଉତ୍ପନ୍ନ ହୋଇଥିଲା । ପ୍ରଥମ ତିନିଟି ଗୋଷ୍ଠୀ, ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟଙ୍କର ଅନ୍ୟ ଭାରତ-ୟୁରୋପୀୟ ସମାଜ ସହିତ ସମାନତା ଥିବାବେଳେ ଶୁଦ୍ରଙ୍କ ଯୋଗ ବୋଧହୁଏ ଉତ୍ତର ଭାରତର ବ୍ରାହ୍ମଣୀୟ ଉଦ୍ଭାବନ ଅଟେ । ପ୍ରାଥମିକ ଭାବରେ ଜାତି ଜନଗଣନା ଭାରତରେ ଜାତିଭିତ୍ତିକ ଭେଦଭାବ ଏବଂ ଅସମାନତାକୁ ଠିକ୍ ଢଙ୍ଗରେ ବୁଝିବା ଏବଂ ଏହାର ସମାଧାନ କରିବାରେ ସାହାଯ୍ୟ କରିବ । ଜାତି ଉପରେ ଆଧାରିତ ନୀତିଗୁଡ଼ିକର କାର୍ଯ୍ୟକାରିତାକୁ ଉନ୍ନତ କରିବାରେ ମଧ୍ୟ ଏହା ସାହାଯ୍ୟ କରିବ । ଜାତିଭିତ୍ତିକ ଭେଦଭାବ ଏବଂ ମାର୍ଜିନାଇଜେସନର ଭାରତରେ ଏକ ଇତିହାସ ରହିଛି । ଜନଗଣନା ଦ୍ୱାରା ସମାଜରେ ତିଷ୍ଠି ରହିଥିବା ଅସମାନତାର ପରୀକ୍ଷାମୂଳକ ପ୍ରମାଣ ପ୍ରଦାନ ପାଇପାରିବା, ଯାହା ସରକାର ଏବଂ ନାଗରିକ ସମାଜକୁ ସାମାଜିକ ନ୍ୟାୟ ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ହସ୍ତକ୍ଷେପ କରିବାକୁ ସକ୍ଷମ ହେବା ସହିତ ଏକ ଡିଜାଇନ୍ ପ୍ରସ୍ତୁତ କରିହେବ। ଭାରତରେ ପ୍ରଥମେ ୧୮୭୨ ମସିହାରେ ଭାଇସ୍ରୟ ମାୟୋଙ୍କ ଅଧୀନରେ ପ୍ରଥମ ଜନଗଣନା କରାଯାଇଥିଲା ।
୧୮୮୧ରୁ ୧୯୩୧ ମଧ୍ୟରେ ବ୍ରିଟିଶ ଭାରତରେ ହୋଇଥିବା ସେନ୍ସସ୍ ସମସ୍ତ ଜାତିର ଗଣନା କରିଥିଲା । କିନ୍ତୁ ସ୍ୱାଧୀନତା ପରେ ୧୯୫୧ ମସିହାରେ କରାଯାଇଥିବା ପ୍ରଥମ ଜନଗଣନାରେ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ ଯେ, ଜନଗଣନା ସମୟରେ କୌଣସି ଜାତିର ଉଲ୍ଲେଖ ନକରାଯିବା ପାଇଁ । ତଥାପି, ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି)ଙ୍କ ପାଇଁ ଏକ ବ୍ୟତିକ୍ରମ କରାଯାଇଥିଲା, ଯାହାକି ୧୯୫୧ ପରଠାରୁ ପ୍ରତ୍ୟେକ ଜନଗଣନାରେ ସେମାନଙ୍କ ଜାତି ଉଲ୍ଲେଖ କରାଯାଇଥିଲା । ଅର୍ଥାତ୍, ପରେ ଭାରତ ସରକାର ୧୯୫୧ରୁ ୨୦୧୧ ପର୍ଯ୍ୟନ୍ତ କେବଳ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଜାତି ତଥ୍ୟ ଗଣନା କରି ପ୍ରକାଶ କଲେ । ଏହା ଧର୍ମ, ଭାଷା ଏବଂ ସାମାଜିକ-ଅର୍ଥନୈତିକ ସ୍ଥିତି ସହିତ ଜଡ଼ିତ ତଥ୍ୟ ମଧ୍ୟ ପ୍ରକାଶ କରିଥିଲା । ୧୯୬୧ ମସିହାରେ ଭାରତ ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲା ଯେ, ଯଦି ରାଜ୍ୟମାନେ ନିର୍ଦ୍ଦିଷ୍ଟ "ଓବିସି' ତାଲିକା ପ୍ରସ୍ତୁତ କରିବାକୁ ଚାହୁଁଥାନ୍ତି ତେବେ ସେମାନେ ନିଜସ୍ୱ ସର୍ଭେ କରିପାରିବେ । କିନ୍ତୁ ସେତେବେଳେ କେନ୍ଦ୍ରରେ ଓବିସି ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା ।
ଯଦିଓ ଜାତି ଜନଗଣନା ବିରୋଧରେ ଏକାଧିକ ମତ ଆସେ, ଯଥା- ସାମାଜିକ ଭାବରେ ଜାତି ଜନଗଣନା ଏକ ବିଭାଜନକାରୀ ତଥ୍ୟ ଯାହା ସମାଜରେ ଗୋଷ୍ଠୀକନ୍ଦଳକୁ ଉସୁକାଇବାରେ ମୁଖ୍ୟ ଭୂମିକା ସାବ୍ୟସ୍ତ ହୋଇଥାଏ, ଏହା ସତ୍ତେ୍ୱ ୧୯୫୧ ପରଠାରୁ ଏସ୍ସି ଏବଂ ଏସ୍ଟିର ଜନଗଣନା ଏହି ଜାତି କିମ୍ବା ଜନଜାତି ମଧ୍ୟରେ କୌଣସି ବିବାଦ ସୃଷ୍ଟି କରିନାହିଁ । ଆହୁରି ମଧ୍ୟ ଭାରତର ଜନଗଣନା ଧର୍ମ, ଭାଷା ଏବଂ ଅଞ୍ଚଳକୁ ଗଣନା କରେ ଯାହା ମଧ୍ୟ ଜାତି ପରି ବିଭାଜନକାରୀ । ଏହା ସଂରକ୍ଷଣ ବୃଦ୍ଧି ପାଇଁ ଚାହିଦାକୁ ଇନ୍ଧନ ଦେବ । ଅପରପକ୍ଷେ, ଜାତି-ଜନଗଣନା ତଥ୍ୟର ଉପଲବ୍ଧତା ଜାତିଗୋଷ୍ଠୀର ମନମୁଖୀ ଦାବିକୁ ତଥା ସରକାରଙ୍କ ଦ୍ୱାରା ନିଷ୍ପତ୍ତି ନେବାକୁ ରୋକିବାରେ ସାହାଯ୍ୟ କରିବ । ମାରାଠା, ପଟିଦାର, ଜାଟ୍ କିମ୍ବା ସଂରକ୍ଷଣ ପାଇଁ ଖଣ୍ଡାୟତ ଭଳି ଅନ୍ୟ କୌଣସି ଗୋଷ୍ଠୀର ଦାବିକୁ ସମାଧାନ କରିବାରେ ସକ୍ଷମ ହେବା କଷ୍ଟସାଧ୍ୟ ହୋଇପାରେ ।
ତଥାପି ଭାରତ ଭଳି ଏକ ବିବିଧ ଭାଷାଭାଷୀ ପରମ୍ପରା ସାଂସ୍କୃତିକ ଦେଶ ପାଇଁ ଜାତିଭିତ୍ତିକ ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଅନୁଭବ ହୁଏ । ପ୍ରଥମେ ଜାତିଭିତ୍ତିକ ଜନଗଣନା ଏକ ସାମାଜିକ ଜରୁରି । ଜାତିପ୍ରଥା ଭାରତରେ ଏକ ମୂଳ ସାମାଜିକ ନିର୍ମାଣ ଭାବରେ ଜାରି ରହିଛି । ଭାରତର ସାହି ବସ୍ତି ସବୁ ଜାତି ଆଧାରରେ ପୃଥକ ପୃଥକ ଭାବରେ ବସିଆସିଛି । ଜାତି ଉପନାମ (ସରନେମ), ବିଭିନ୍ନ ଚିହ୍ନ ଓ ପୋଷାକ ପରିଧାନରୁ ଉଚ୍ଚ ଜାତି ଓ ନୀଚ ଜାତି କୁହାଯାଉଥିବା ନାଗରିକ ବାରି ହୋଇପଡ଼ନ୍ତି ଆଜି ମଧ୍ୟ । ନିର୍ବାଚନ ପାଇଁ ପ୍ରାର୍ଥୀ ଏବଂ ମନ୍ତ୍ରୀଙ୍କ ଚୟନ ଜାତିଗତ ବିଚାର ଦ୍ୱାରା ଜାରି ରହିଛି ।
ଏହା ମଧ୍ୟ ଏକ ଆଇନଗତ ଜରୁରି ଅଟେ । ସାମାଜିକ ନ୍ୟାୟର ସାମ୍ବିଧାନିକ-ବାଧ୍ୟତାମୂଳକ ନୀତି ଯେଉଁଥିରେ ନିର୍ବାଚନମଣ୍ଡଳୀରେ ସଂରକ୍ଷଣ, ଶିକ୍ଷା ଏବଂ ଜନନିଯୁକ୍ତି ଅନ୍ତର୍ଭୁକ୍ତ ଜାତିଭିତ୍ତିକ ବିସ୍ତୃତ ତଥ୍ୟ ବିନା ଠିକ୍ ଢଙ୍ଗରେ ଅନୁସରଣ କରାଯାଇପାରିବ ନାହିଁ । ଏହା ମଧ୍ୟ ଏକ ପ୍ରଶାସନିକ ଜରୁରି । ଅଣସଂରକ୍ଷିତ ଜାତିର ଭୁଲ୍ ଅନ୍ତର୍ଭୁକ୍ତିକୁ ଏବଂ ଯୋଗ୍ୟ ଜାତିର ବହିଷ୍କାରକୁ ଏଡ଼ାଇବା କିମ୍ବା ସଂଶୋଧନ କରିବା ଏବଂ ସଂରକ୍ଷିତ ବର୍ଗରେ ଅଳ୍ପ କେତେକ ପ୍ରାଧାନ୍ୟ ଜାତିଙ୍କୁ ରକ୍ଷା କରିବା ପାଇଁ ବିସ୍ତୃତ ଜାତିଭିତ୍ତିକ ତଥ୍ୟ ଆବଶ୍ୟକ ହୋଇଥାଏ । ଏକ ସଂରକ୍ଷିତ ବର୍ଗ ମଧ୍ୟରେ ଉପ-ବର୍ଗୀକରଣ ଜାତି ଏବଂ "କ୍ରିମି ଲେଆର' ପାଇଁ ଆୟ ମାନଦଣ୍ଡ ନିର୍ଣ୍ଣୟ କରିବା ପାଇଁ ଏହା ମଧ୍ୟ ଆବଶ୍ୟକ । ଏହା ଏକ ନୈତିକ ଆବଶ୍ୟକତା ମଧ୍ୟ । ବିସ୍ତୃତ ଜାତିଭିତ୍ତିକ ତଥ୍ୟର ଅନୁପସ୍ଥିତି ଉଚ୍ଚ ଜାତିର ଏକ କୋଟେରୀକୁ ଦେଶର ସମ୍ପତ୍ତି, ଆୟ ଏବଂ କ୍ଷମତାର ଏକ ସିଂହଭାଗ ଅକ୍ତିଆର କରିବାରେ ସାହାଯ୍ୟ କରିଥାଏ ।
ଏସ୍ସି ଏବଂ ଏସ୍ଟି ପରି ସମ୍ବିଧାନରେ ମଧ୍ୟ ଶିକ୍ଷା (ଧାରା ୧୫-୪) ଏବଂ ସାଧାରଣ ନିଯୁକ୍ତି (ଧାରା ୧୬-୪)ରେ ଓବିସି ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି । ମଣ୍ଡଳ ଆୟୋଗର ସୁପାରିସ କାର୍ଯ୍ୟକାରୀ ହେବାପରେ ଓବିସିମାନେ କେନ୍ଦ୍ର ସରକାର ଏବଂ ଏହାର କାର୍ଯ୍ୟରେ ମଧ୍ୟ ସଂରକ୍ଷଣ ଉପଭୋଗ କରୁଛନ୍ତି । ଇନ୍ଦିରା ସାହାନି ମାମଲାରେ (୧୯୯୨) ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୯୩୧ ଜନଗଣନାକୁ ଆଧାର କରି ଓବିସି ତାଲିକାକୁ ପର୍ଯ୍ୟାୟକ୍ରମେ ସଂଶୋଧନ କରାଯିବା ଉଚିତ । କିନ୍ତୁ ଓବିସିଗୁଡ଼ିକର ଏସ୍ସି ଏବଂ ଏସ୍ଟି ପରି ସାଂସଦ ଏବଂ ବିଧାୟକଙ୍କ ପାଇଁ ନିର୍ବାଚନମଣ୍ଡଳୀରେ ସଂରକ୍ଷଣ ନାହିଁ । କିନ୍ତୁ ୭୩ତମ ଏବଂ ୭୪ତମ ସଂଶୋଧନ ପରେ (୧୯୯୩), ସମ୍ବିଧାନ କେବଳ ଏସ୍ସି ଏବଂ ଏସ୍ଟି ପାଇଁ ନୁହେଁ ବରଂ ଓବିସି ପାଇଁ (ଧାରା ୨୪୩, ଡି-୬) ଏବଂ (୨୪୩ ଟି-୬) ପଞ୍ଚାୟତ ତଥା ପୌରପାଳିକା ସଂସ୍ଥାରେ ନିର୍ବାଚନମଣ୍ଡଳୀରେ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛି । ଏଥିପାଇଁ ଓବିସିର ଜାତିଭିତ୍ତିକ, କ୍ଷେତ୍ରଭିତ୍ତିକ ଜନଗଣନା ତଥ୍ୟ ଏକାନ୍ତ ଆବଶ୍ୟକ। ତେଣୁ ଅନ୍ତତଃ ୨୦୦୧ ଜନଗଣନାରେ ଭାରତ ସରକାର ଓବିସିଗୁଡ଼ିକୁ ଗଣନା କରିବା ଉଚିତ୍ ଥିଲା, କିନ୍ତୁ ତାହା ମଧ୍ୟ ହେଲାନାହିଁ ।
ଯେତେବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟ ସ୍ଥାନୀୟ ସଂସ୍ଥାକୁ ନିର୍ବାଚନରେ ଓବିସି ପାଇଁ ସଂରକ୍ଷଣ ଲାଗୁ କରିବାକୁ ଚେଷ୍ଟା କରିଥିଲେ, ଜାତିଭିତ୍ତିକ ତଥ୍ୟ ନଥିବାରୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଓବିସିଗୁଡ଼ିକର ତଥ୍ୟ ଅଭାବରୁ ରହିତାଦେଶ ଜାରି କରିଦେଲେ । ଦେଶର ଗୋଟିଏ ବାହୁ "ନ୍ୟାୟପାଳିକା' ସଂରକ୍ଷଣକୁ ସମର୍ଥନ କରିବା ପାଇଁ ଜାତିଭିତ୍ତିକ ତଥ୍ୟ ଆବଶ୍ୟକ କରୁଥିବାବେଳେ ଅନ୍ୟଟି "କାର୍ଯ୍ୟନିର୍ବାହୀ' ସମାନ ତଥ୍ୟ ଗଣନାକୁ ନ୍ୟାୟପାଳିକାର ବାହାନା ଦେଇ ଏଡ଼ାଇ ଯାଇଛନ୍ତି । ଅବଶ୍ୟ ଓବିସି, ଏସ୍ସି ଏବଂ ଏସ୍ଟି ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ପାଇଁ ୧୦% ସଂରକ୍ଷଣ ୨୦୨୨ ମସିହାରେ, ତଥ୍ୟର ଅନୁପସ୍ଥିତି ସତ୍ତେ୍ୱ ସୁପ୍ରିମକୋର୍ଟ ଏହାକୁ ସମର୍ଥନ କରିଥିଲେ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ସଂରକ୍ଷଣକୁ ଦୃଷ୍ଟିରେ ରଖି ଜନଗଣନା ବର୍ତ୍ତମାନ ଉଚ୍ଚ ଜାତି ସମେତ ସମସ୍ତ ଜାତି ଗଣନା କରିବା ଉଚିତ୍ ।
ଜନଗଣନା ଏକ ସଂଘୀୟ ବିଷୟ ହୋଇଥିବାବେଳେ "କଲେକ୍ସନ ଅଫ୍ ଷ୍ଟାଟିଷ୍ଟିକାଲ ଆକ୍ଟ, ୨୦୦୮' ରାଜ୍ୟ ତଥା ଏହାର ସ୍ଥାନୀୟ ସଂସ୍ଥାଗୁଡିକୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ କ୍ଷମତା ଦେଇଥାଏ । ତେଣୁ କର୍ଣ୍ଣାଟକ ଏବଂ ବିହାର ପରି ଅନ୍ୟ ରାଜ୍ୟ ମଧ୍ୟ ଜାତି ସର୍ବେକ୍ଷଣ କରିପାରିବାର କ୍ଷମତା ପାଇଛନ୍ତି । ଜନଗଣନାର ଏକ ଅଂଶ ଭାବରେ ଜାତି ଗଣନା କରିବାକୁ ଭାରତ ସରକାରଙ୍କ ଅନିଚ୍ଛା ଆଇନଗତ ଭାବରେ ଅପରିହାର୍ଯ୍ୟ ଏବଂ ପ୍ରାଶାସନିକ ଦୃଷ୍ଟିରୁ ଠିକ୍ ନୁହେଁ ।
ଭାରତକୁ ଜାତିପ୍ରଥାରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ସ୍ୱେଚ୍ଛାକୃତ ଭାବରେ ଇଣ୍ଟରକାଷ୍ଟ ବିବାହକୁ ଗ୍ରହଣ କରିନେବାକୁ ପଡ଼ିବ, ବିଶେଷକରି ଉଚ୍ଚ ଜାତିଙ୍କଠାରୁ ପ୍ରୟାସ ଆରମ୍ଭ ହେବା ଉଚିତ । ଦ୍ୱିତୀୟରେ, ସରନେମ୍ ବା ଉପନାମ ଲେଖାକୁ ପରିସମାପ୍ତ କରାଯାଉ । ତୃତୀୟରେ, ଜାତି ନୁହେଁ କେବଳ ବେଦ ମନ୍ତ୍ର ପାଠରେ ଡିଗ୍ରୀଧାରୀଙ୍କୁ ମନ୍ଦିରରେ ପୂଜାପାଠ କରିବାକୁ ନିଯୁକ୍ତି ଦିଆଯାଉ । ଚତୁର୍ଥରେ, ସବୁ ପ୍ରକାର ଜାତିଭିତ୍ତିକ ସଂରକ୍ଷଣକୁ ଉଚ୍ଛେଦ କରାଯାଉ । ଏତିକି ହାସଲ ନହେଲା ପର୍ଯ୍ୟନ୍ତ ଯେହେତୁ ଜାତି ଅଛି, ତେଣୁ ଏହାର ଗଣନା ଦରକାର ।