ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସଂକ୍ଷେପିତ ଶବ୍ଦ ଓ ଇମୋଜି (emoji)

Published By : Prameya | February 22, 2025 11:23 AM

କିଛି ଦିନ ତଳେ ପୁଅର ଘରକୁ ଫେରିବା ବିଳମ୍ବ ହେବାରୁ ତା’ ଆସିବାର ସମୟ ଜାଣିବାପାଇଁ ତାକୁ ଫୋନ୍‌ କରିଥିଲି । କିନ୍ତୁ ଏକ୍ସଟ୍ରା କ୍ଲାସ ଚାଲିଥିବା ହେତୁ ସେ ପ୍ରତ୍ୟୁତ୍ତର ନଦେଇ ମେସେଜ କରିଥିଲା । ହେଲେ ମେସେଜଟିକୁ ଦେଖି ମୁଁ କିଛି ବୁଝି ପାରିନଥିଲି । କାରଣ, ମେସେଜଟି ଥିଲା କିଛି ଇଂରାଜୀ ଅକ୍ଷରର ସମାହାର । ଯେଉଁଥିରେ ନଥିଲା କୌଣସି ସ୍ୱର ବର୍ଣ୍ଣ (vowel) । ଯଥା (ttyl), ଭାବିଲି ଭୁଲ୍‌ରେ ବୋଧେ କିଛି ଅଧାଗଢ଼ା ଶବ୍ଦ ପଠେଇ ଦେଇଛି । ପୁନର୍ବାର ମୁଁ ମେସେଜ କଲି କ’ଣ କିଛି କହିଲୁନି? ପୁଣି ସେହିଭଳି ଅଧାଗଢ଼ା ଶବ୍ଦ । ଏଥର ମୁଁ ନିଶ୍ଚିତ ହେଲି ଯେ, ଅଜାଣତର ନୁହେଁ ଏହାର କିଛି ଗୁପ୍ତ ଅର୍ଥ ଅଛି ବୋଲି । ହେଲେ ଜାଣିବି କିପରି । ସାନପୁଅକୁ ଏହାର ପୂର୍ଣ୍ଣରୂପଟି ବିଷୟରେ ପଚାରିବାରୁ ଜଣାପଡ଼ିଲା ଯେ, talk to you later । ମାନେ- ପରେ କଥା ହେଉଛି । ଅନୁମାନ କଲି ଯେ, ସେ କ୍ଲାସ୍‌ରେ ଅଛି ବୋଲି, ତେଣୁ କେତେବେଳେ ସରିବ ବୋଲି ପଚାରିଲି । ପୁଣି ଉତ୍ତରରେ ଆସିଲା ‘idk’, ‘ig after 1hour’ । ମାନେ- I don't know, I guess after1hour  (ମୁଁ ଜାଣିନାହିଁ, ଆଶା କରୁଛି ଏକ ଘଣ୍ଟା ପରେ) । 

ଏହିଭଳି ସଂକ୍ଷେପିତ ଶବ୍ଦ ବା ଅକ୍ଷରର ସମାହାର ଦେଖି ଭାବିଲି ଏମିତି ବୋଧେ ନୂଆ ପ୍ରଚଳନ କିଛି ହୋଇଛି । ଅବଶ୍ୟ ଭଲ । ସ୍ୱଳ୍ପ ସମୟରେ ଅନେକ ଭାବ ପ୍ରକାଶ କରିହେଉଛି । ହେଲେ ଏସବୁ ଜାଣୁଛନ୍ତି କିପରି । କେଉଁଠୁ, କ’ଣ ଏହାପାଇଁ କିଛି ଶବ୍ଦକୋଷ ଅଛି କି ବୋଲି ପୁଅକୁ ପ୍ରଶ୍ନ କଲି । ନା ନା ଶବ୍ଦକୋଷରେ ନୁହେଁ, ଆମ ‘GenZ, Gen alpha’ମାନଙ୍କ ପାଇଁ ଏସବୁ ସାଧାରଣ । ତୁମେମାନେ ଜାଣିପାରିବ ନାହିଁ । କିଛି ସମୟ ପାଇଁ ମୋତେ ଲାଗିଲା ମୁଁ ଯେମିତି କୋଉ ଭଟ୍ଟ ଅମଳର । ନିରବ ହୋଇ ଭାବିଲି ଯେ, ଯୁଗ ସହିତ ତାଳଦେଇ ଚାଲିବାକୁ ହେଲେ ନିଜକୁ ସମୟ ଅନୁସାରେ ଢଳିବାକୁ ପଡ଼ିବ । ତା’ପରେ casap ଏମିତି କିଛି ଅକ୍ଷର ମୁଁ ମଧ୍ୟ ଟାଇପ୍‌ କରି ପୁଅ ପାଖକୁ ପଠେଇଦେଲି । ମାନେ- call as soon as possible । ପୁଅ ସେପଟରୁ ତାଳି ମାରିବାର ଚିତ୍ରଟିଏ ପଠାଇଲା, ଯାହାକୁ ଇମୋଜି କୁହାଯାଏ । ଆହୁରି ମଧ୍ୟ ଶିଖିବାକୁ ପାଇଲି ଯେମିତିକି FYI- for your information, Btwby the way ଇତ୍ୟାଦି ଇତ୍ୟାଦି । ସତରେ ଏହା କୌତୁକଭରା ହେବା ସହିତ ଅଦ୍ଭୁତ ମଧ୍ୟ । ପଶୁ, ପକ୍ଷୀ, ଫୁଲ, ଫଳ, ବିଭିନ୍ନ ହସ୍ତମୁଦ୍ରା, ନାନାଦି ମୁଖଭଙ୍ଗୀ, ଭିନ୍ନ ଭିନ୍ନ ରଙ୍ଗର ହୃଦୟର ଚିହ୍ନ ଆଦି ପ୍ରୟୋଗ ଦ୍ୱାରା ମଧ୍ୟ ନିଜର ମନକଥା ବ୍ୟକ୍ତ କରାଯାଇପାରେ । 

ଏହି କୌତୁକପ୍ରଦ ଇମୋଜିର ଉଦ୍ଭାବନ କେବେ, କିଏ ଓ କାହିଁକି ହୋଇଥିଲା ସେ ବିଷୟରେ ଜାଣିବାକୁ ଚେଷ୍ଟା କଲି । ସର୍ବପ୍ରଥମେ ୧୯୯୯ ମସିହାରେ ଜନୈକ ଜାପାନୀ ଚିତ୍ରକର ସିଗେଟାକା କୁରିଟାଙ୍କ ଦ୍ୱାରା ଏହା ଉଦ୍ଭାବନ ହୋଇଥିଲା । "ଇମୋଜି’ ଶବ୍ଦଟି ଚିତ୍ର ଓ ଅକ୍ଷର ପାଇଁ ପ୍ରଯୁଜ୍ୟ ଜାପାନୀ ଶବ୍ଦରୁ ଉଦ୍ଧୃତ ହୋଇଛି । ଏହାକୁ ମୋବାଇଲ୍‌ ଇଣ୍ଟରନେଟ ପାଇଁ ହିଁ ସଂରଚିତ କରାଯାଇଛି । ସର୍ବପ୍ରଥମେ ୧୭୬ଟି ଇମୋଜି ସୃଷ୍ଟି କରାଯାଇଥିଲା, ଯାହାକି ଶାବ୍ଦିକ ଭାଷା ପ୍ରୟୋଗ ବଦଳରେ ଅଧିକ ମଜାଦାର ଭାବେ ସରଳ ଓ ସଂକ୍ଷେପରେ ନିଜର ଭାବ ପ୍ରକାଶ କରିବା, ଅଥବା ସୂଚନା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହାର ବହୁଳ ପ୍ରଚାର, ପ୍ରସାର ଓ ବ୍ୟବହାର ଖୁବ୍‌ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଥିଲା । ଏତଦବ୍ୟତୀତ GIF (graphics interchange format)ର ମଧ୍ୟ ବହୁଳ ବ୍ୟବହାର ହେଉଛି । ଏହା ଜଣେ ଆମେରିକୀ କମ୍ପୁଟର ବୈଜ୍ଞାନିକ steve wilhiteଙ୍କ ବୁଦ୍ଧିମତ୍ତାର ନିଦର୍ଶନ । ଗତିଶୀଳ ଚିତ୍ର ମାଧ୍ୟମରେ ଅପର ପକ୍ଷକୁ ବାର୍ତ୍ତା ଦିଆଯାଇପାରୁଛି । ଏହାଦ୍ୱାରା ବିରସ ମନରେ କ୍ଷଣିକ ମଧ୍ୟରେ ଉନ୍ମାଦ ଭରିଯାଉଛି । ସତରେ ଲାଗୁଛି ଯେମିତି ଆମେମାନେ ସମୟ ସହିତ ଯୁଦ୍ଧ କରି ଆଗକୁ ବଢ଼ିଯିବା ପାଇଁ ଜିଦ୍‌ ଧରି ବସିଛୁ । 

ଯୁଗ ଅନୁସାରେ ମଣିଷର ଆୟୁଷ ଯେତେ କ୍ଷୀଣ ହେଲେ ମଧ୍ୟ ସେହି ସମୟକୁ ସେ ତା’ ହାତମୁଠାରେ ଜାବୁଡ଼ି ଧରି ତାର ସଠିକ୍‌ ଉପଯୋଗ କରିବାକୁ ଚେଷ୍ଟା କରିଚାଲିଛି । ନୂତନ ଚିନ୍ତାଧାରାକୁ ସଫଳତାର ରଙ୍ଗରେ ରଙ୍ଗାୟିତ କରୁଛି । କିନ୍ତୁ ଏହି ସଂକ୍ଷେପିତ ଅକ୍ଷର ଓ ଇମୋଜି ବ୍ୟବହାରରେ ଏକ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ, ଯଦି ଏହା ବିଷୟରେ ସମ୍ୟକ ଧାରଣା ନଥିବ । ଏଥିରେ ଥିବା ବିଭିନ୍ନ ଢଙ୍ଗର ମୁଖଭଙ୍ଗୀ ଭିନ୍ନ ଭିନ୍ନ ଉଦ୍ଦେଶ୍ୟମୂଳକ ଓ ବିଭିନ୍ନ ରଙ୍ଗର ହୃଦୟର ଚିହ୍ନଗୁଡ଼ିକର ଅର୍ଥ ମଧ୍ୟ ଭିନ୍ନ । ଯେପରିକି ରକ୍ତବର୍ଣ୍ଣ ହୋଇଥିଲେ ତାହା ପ୍ରେମଭାବକୁ ସୂଚାଇଥିବା ବେଳେ ନାରଙ୍ଗୀ ରଙ୍ଗ ସ୍ନେହ, ଆଦର, ବନ୍ଧୁତ୍ୱକୁ ଦର୍ଶାଏ । ହଳଦୀ ରଙ୍ଗ ଖୁସି, ସକାରାତ୍ମକ ଭାବକୁ ପ୍ରଦର୍ଶିତ କରୁଥିବାବେଳେ ସବୁଜ ରଙ୍ଗ ପ୍ରକୃତି ସହିତ ସମ୍ପର୍କକୁ ସୂଚିତ କରେ । କଳା ରଙ୍ଗ ଦୁଃଖ, ଅନ୍ଧକାରକୁ ବୁଝାଉଥିବା ବେଳେ ଶ୍ୱେତବର୍ଣ୍ଣର ହୃଦୟ ଚିହ୍ନ ଶାନ୍ତି, ମୈତ୍ରୀକୁ ବୁଝାଏ । ଆହୁରି ମଧ୍ୟ ଅନେକ କିଛି ଜାଣିବାର ଅଛି । ତେଣୁ କେଉଁ ସ୍ଥାନ ବା ପ୍ରସଙ୍ଗରେ କେଉଁ ସାଙ୍କେତିକ ଚିହ୍ନ ପ୍ରୟୋଗର ଆବଶ୍ୟକତା ଅଛି ତାହାକୁ ବ୍ୟବହାର କରିବା ପୂର୍ବରୁ ଭଲଭାବରେ ଜାଣିନେବା ଉଚିତ୍‌ । ନଚେତ୍‌ ଭୁଲ୍‌ ବୁଝାମଣାର ଶିକାର ହେବାକୁ ମଧ୍ୟ ପଡ଼ିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.