ବାସ୍ତବରେ ସାମାଜିକ କ୍ଷେତ୍ରରେ ଅଧିକ ବ୍ୟୟ ସମତୁଲ ବିକାଶ, ପ୍ରଗତି ସୁନିଶ୍ଚିତ କରିବାରେ ଏକ ମୌଳିକ ଭୂମିକା ଗ୍ରହଣ କରେ । ସାମାଜିକ ଖର୍ଚ୍ଚ ସମ୍ବଳ ପୁନଃବଣ୍ଟନ କରି ବିଭିନ୍ନ ଦୁଃସ୍ଥିତିର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସହାୟକ ହୋଇଥାଏ । ସାମାଜିକ କ୍ଷେତ୍ରରେ ନିବେଶ କେବଳ କଲ୍ୟାଣ ପାଇଁ ନୁହେଁ, ବରଂ ଅସମାନତା ହ୍ରାସ ପାଇଁ ଉଦ୍ଦିଷ୍ଟ ।
ଏକ ବଜେଟ ସଂପୂର୍ଣ୍ଣ ଭଲ ବା ଖରାପ ହୋଇପାରିବ ନାହିଁ । କାରଣ, ଲୋକଙ୍କ କିଛି ଦାବି ପୂରଣ ହେଲେ କିଛି ହେବନାହିଁ । ବ୍ୟୟ କରିବାର ସୀମା ରହିଛି । ଅବଶ୍ୟ ସମୟ ଅନୁସାରେ କିଛି ସଙ୍କଟମୟ ପରିସ୍ଥିତିକୁ ଛାଡ଼ିଦେଲେ ବଜେଟ୍ରେ ବ୍ୟୟ ବରାଦ ବୃଦ୍ଧି ପାଇଥାଏ । ଏଣୁ କିଛିନା କିଛି ଖର୍ଚ୍ଚ ନିଶ୍ଚୟ ହେବ । ମୁଦ୍ରାସ୍ଫୀତି ଯୋଗୁଁ ମଧ୍ୟ ନାମାଙ୍କନ ମୂଲ୍ୟରେ ବୃଦ୍ଧିପାଏ । ଉଦାହରଣ ସ୍ୱରୂପ, ୧୯୫୦-୫୧ରେ ବଜେଟର ଆକାର ମାତ୍ର ୩୫୭.୪୯ କୋଟି ଟଙ୍କା ଥିଲାବେଳେ ୨୦୨୫-୨୬ରେ ୫୦.୬୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ଅବଶ୍ୟ ମୋଟ୍ ଘରୋଇ ଉତ୍ପାଦ ବା ଜିଡିପି ଅନୁସାରେ ବ୍ୟୟ ବରାଦ ଉନ୍ନତ ଦେଶ ତୁଳନାରେ ବହୁତ କମ୍ ରହିଛି । କିନ୍ତୁ ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସାମାଜିକ କ୍ଷେତ୍ରରେ ବ୍ୟୟ ବରାଦ, ଯାହା ଆଶାନୁରୂପ ହୋଇନାହିଁ । ବାସ୍ତବରେ ସାମାଜିକ କ୍ଷେତ୍ରରେ ଅଧିକ ବ୍ୟୟ ସମତୁଲ ବିକାଶ, ପ୍ରଗତି ସୁନିଶ୍ଚିତ କରିବାରେ ଏକ ମୌଳିକ ଭୂମିକା ଗ୍ରହଣ କରେ ।
ସାମାଜିକ ଖର୍ଚ୍ଚ ସମ୍ବଳ ପୁନଃବଣ୍ଟନ କରି ବିଭିନ୍ନ ଦୁଃସ୍ଥିତିର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସହାୟକ ହୋଇଥାଏ । ସାମାଜିକ କ୍ଷେତ୍ରରେ ନିବେଶ କେବଳ କଲ୍ୟାଣ ପାଇଁ ନୁହେଁ, ବରଂ ମାନବ ପୁଞ୍ଜି ନିର୍ମାଣ, ଅସମାନତା ହ୍ରାସ, ପୁଷ୍ଟିହୀନତା ରୋକିବା ଏବଂ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଜରୁରି । ସାର୍ବଜନୀନ ନୀତି ଉପରେ ଧ୍ୟାନ ଦେଉଥିବା ଏକ ପ୍ରମୁଖ ଭାରତୀୟ ଥିଙ୍କ୍ଟ୍ୟାଙ୍କ୍ ସେଣ୍ଟର ଫର୍ ପଲିସି ରିସର୍ଚ୍ଚ (ସିପିଆର) କେନ୍ଦ୍ରର ସାମାଜିକ କ୍ଷେତ୍ର ଖର୍ଚ୍ଚର ଏକ ଆକଳନ କରିଛି । କେନ୍ଦ୍ର ସରକାରଙ୍କ ସାମାଜିକ କ୍ଷେତ୍ରର ଖର୍ଚ୍ଚକୁ ବିଚାରକୁ ନେଲେ ୧୬ଟି ମନ୍ତ୍ରଣାଳୟ- ଶିକ୍ଷା, ଯୁବ ବ୍ୟାପାର ଏବଂ କ୍ରଡ଼ା, ସଂସ୍କୃତି, ସ୍ୱାସ୍ଥ୍ୟ: ଆୟୁଷ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର, ଜଳଶକ୍ତି, ସୂଚନା ଏବଂ ପ୍ରସାରଣ, ଗ୍ରାମାଞ୍ଚଳ ବିକାଶ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ, ଜନଜାତି ବ୍ୟାପାର, ସଂଖ୍ୟାଲଘୁ ବ୍ୟାପାର, ଶ୍ରମ ଏବଂ ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଉଦ୍ୟୋଗିତା, ମହିଳା ଏବଂ ଶିଶୁ ବିକାଶ, ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବ୍ୟୟ ବରାଦର ସମ୍ମିଶ୍ରଣକୁ ବୁଝାଏ । କେନ୍ଦ୍ର ସରକାରଙ୍କ ମୋଟ୍ ଖର୍ଚ୍ଚ ୨୦୨୫-୨୬ ବଜେଟରେ ପୂର୍ବ ବର୍ଷର ସଂଶୋଧିତ ଅଟକଳ ଉପରେ ୭% ଏବଂ ମୂଳ ଅଟକଳ ଉପରେ ୫.୫% ବୃଦ୍ଧିପାଇଛି, ଯାହା ସମ୍ଭାବ୍ୟ ନାମାଙ୍କନ ଜିଡିପି (ବାସ୍ତବ ଜିଡିପି୍ମ ମୁଦ୍ରାସ୍ଫୀତି) ବୃଦ୍ଧି ୧୦.୧ ଧ ଠାରୁ କମ୍ । ସେହି ୭% ବୃଦ୍ଧିପାଇବା ସତ୍ତେ୍ୱ ଏହି ବୃଦ୍ଧି ସାମାଜିକ କ୍ଷେତ୍ର ଆବଣ୍ଟନରେ ସମାନୁପାତିକ ଭାବେ ପରିଲକ୍ଷିତ ହୋଇନାହିଁ ।
ଇଣ୍ଡିଆ ସ୍ପେଣ୍ଡ (ଅବନୀ କପୁର ଏବଂ ଶରଦ ପାଣ୍ଡେ) ଅନୁଯାୟୀ, ଗତ ଦଶନ୍ଧି ଧରି ମୋଟ୍ କେନ୍ଦ୍ର ସରକାରଙ୍କ ବ୍ୟୟରେ ସାମାଜିକ କ୍ଷେତ୍ରର ବ୍ୟୟର ଅଂଶ ସ୍ଥିର ରହିଛି । ୨୦୧୪- ୧୫ରେ ସାମାଜିକ କ୍ଷେତ୍ର ବାବଦ ବ୍ୟୟ ବଜେଟର ମୋଟ୍ ବ୍ୟୟ ଅଟକଳର ୨୨% ଏବଂ ଜିଡିପିର ୨.୯% ଥିଲା । ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ମୋଟ୍ ବଜେଟ୍ ବ୍ୟୟ ଅଟକଳର ହାରାହାରି ୨୧% ଏବଂ ଜିଡିପିର ୨.୮% ଥିଲା । ୨୦୧୯-୨୦ରୁ ୨୦୨୪-୨୫ ପର୍ଯ୍ୟନ୍ତ ହାରାହାରି ଏହା କେନ୍ଦ୍ର ବଜେଟ୍ରେ ଅଂଶ ଭାବେ ୨୧% ଏବଂ ଜିଡିପିର ୩.୩% ଥିଲା । ଅବଶ୍ୟ ମହାମାରୀ ସମ୍ବନ୍ଧୀୟ ଖର୍ଚ୍ଚ ୨୦୨୦-୨୧ରେ ଏହାକୁ ବୃଦ୍ଧି କରାଇଥିଲା । ୨୦୨୦- ୨୧ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ମନରେଗା ବାବଦ ବ୍ୟୟ ସାମାଜିକ କ୍ଷେତ୍ର ଖର୍ଚ୍ଚକୁ ସର୍ବକାଳୀନ ସର୍ବାଧିକ ସ୍ତରକୁ ନେଇଥିଲା । ସେହିବର୍ଷ ତାହା ବଜେଟ୍ ବ୍ୟୟ ଅନୁସାରେ ୩୦% ଏବଂ ଜିଡିପିର ୫.୩%କୁ ବୃଦ୍ଧି ପାଇଥିଲା । ୨୦୨୧-୨୨ରେ ଏହା ମୋଟ ବଜେଟ୍ ବ୍ୟୟର ୨୪% ଏବଂ ଜିଡିପିର ୩.୮% ଥିଲା, ଯାହା ୨୦୨୦-୨୧ ପରେ ଦ୍ୱିତୀୟ ସର୍ବାଧିକ । ସେବେଠାରୁ ଏହି ଅଂଶ କ୍ରମଶଃ ହ୍ରାସପାଇଛି । ୨୦୨୩-୨୪ରେ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ମୋଟ୍ ବ୍ୟୟ ଅଟକଳରେ ୧୭% ଓ ଜିଡିପିର ୨.୮% ଥିଲା, ଯାହା ୨୦୧୪-୧୫ ସ୍ତର ତୁଳନାରେ ସାମାନ୍ୟ କମ୍ । ୨୦୨୪-୨୫ରେ ସାମାଜିକ କ୍ଷେତ୍ରର ଅଂଶ ମୋଟ୍ ବଜେଟ୍ ବ୍ୟୟର ୧୭% ଏବଂ ଜିଡିପିର ୨.୪%କୁ ହ୍ରାସ ପାଇଥିଲା, ଯାହା ଗତ ଦଶନ୍ଧିରେ ସର୍ବକାଳୀନ ସର୍ବନିମ୍ନ । ୨୦୨୫-୨୬ରେ ଏହା ମୋଟ୍ ବ୍ୟୟ ଅଟକଳର ୧୯% ହେବ ବୋଲି ଆକଳନ କରାଯାଇଛି ।
ଓଇସିଡି ସାମାଜିକ ବ୍ୟୟ ଡାଟାବେସ୍ ଅନୁଯାୟୀ, ୩୪ଟି ଦେଶର ସାମାଜିକ କ୍ଷେତ୍ର ଉପରେ ହାରାହାରି ସାର୍ବଜନୀନ ଖର୍ଚ୍ଚ ଗତ ବହୁବର୍ଷ ଧରି ଜିଡିପିର ପ୍ରାୟ ୨୧% ରହିଛି । ୨୦୨୨ରେ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ଜିଡିପି ଅନୁସାରେ ଫ୍ରାନ୍ସରେ ସର୍ବାଧିକ ୩୧.୬% ଥିଲା । ଭାରତ ସରକାରଙ୍କ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ (କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବରେ) ଜିଡିପିର ୮%ରୁ କମ୍ । ଯେହେତୁ ବିକଶିତ ଦେଶଗୁଡ଼ିକର ମୁଣ୍ଡପିଛା ଜିଡିପି ଭାରତ ଅପେକ୍ଷା ବହୁତ ଅଧିକ, ତେଣୁ ବିକଶିତ ଦେଶଗୁଡ଼ିକରେ ମୁଣ୍ଡପିଛା ସାମାଜିକ କ୍ଷେତ୍ର ଖର୍ଚ୍ଚ ମଧ୍ୟ ବହୁ ଅଧିକ । ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ମାଗଣାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଅତ୍ୟନ୍ତ ଜରୁରି । ଶିକ୍ଷା ପାଇଁ ଖର୍ଚ୍ଚ ୨୦୨୪-୨୫ ବଜେଟ୍ରେ ୧,୨୦,୭୨୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସଂଶୋଧିତ ଆକଳନରେ ୧,୧୪,୦୫୪ କୋଟି ଟଙ୍କାକୁ ହ୍ରାସପାଇଛି । ୨୦୨୫-୨୬ରେ ୧,୨୮,୬୫୦ କୋଟି ଟଙ୍କାକୁ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବାବଦରେ ଗତବର୍ଷ ବଜେଟରେ ୭୩,୦୦୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ, ଏହି ବଜେଟରେ ୭୮,୫୭୨ କୋଟି ଟଙ୍କାକୁ ବୃଦ୍ଧିପାଇଛି । ଶିକ୍ଷା କ୍ଷେତ୍ରରେ ଜିଡିପି ଅନୁସାରେ କେନ୍ଦ୍ର ସରକାରଙ୍କ ବ୍ୟୟ ୨୦୧୪-୧୫ରେ ୦.୫୫ ଥିଲାବେଳେ କ୍ରମଶଃ ହ୍ରାସ ପାଇଚାଲିଛି । ଅବଶ୍ୟ ୨୦୨୦-୨୧ରେ ୦.୪୨%କୁ ବୃଦ୍ଧି ପାଇଥିଲା । ଏହା କ୍ରମଶଃ ହ୍ରାସପାଇ ୨୦୨୪-୨୫ରେ ୦.୩୫% ହୋଇଛି । ୨୦୨୫-୨୬ରେ ୦.୩୬% ହେବ ବୋଲି ଆକଳନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ମିଶିକି ଜିଡିପିର ୩ରୁ ୪% ପାଖାପାଖି ରହୁଛି । କିନ୍ତୁ କୋଠାରୀ କମିଶନ ଅନୁସାରେ ଏହା ସର୍ବନିମ୍ନ ୬% ରହିବା ଉଚିତ୍ ।
ବିଶ୍ୱରେ ଏହା ହାରାହାରି ୪.୪% ହୋଇଥଲାବେଳେ, ଆମେରିକା ୬%, ଚୀନ ୬.୧୩%, ଜର୍ମାନୀ ୪.୬%, ଜାପାନ ୭.୪୩%, କ୍ୟୁବା ୧୧.୫. ଫ୍ରାନ୍ସ ୫.୪%, ଚୀନ ୪.୦ ରହିଛି । ଗବେଷଣା ଓ ବିକାଶ କ୍ଷେତ୍ରରେ ବ୍ୟୟ ବରାଦ ଭାରତରେ ଜିଡିପିର ମାତ୍ର ୦.୭%, ଯାହା ବହୁତ୍ କମ୍ । ବିଶ୍ୱରେ ଏହା ହାରାହାରି ୧.୮% । ଆମେରିକା ୨.୯%, ସ୍ୱିଡେନ ୩.୨%, ଇସ୍ରାଇଲ ୪.୫%, ସ୍ୱିଜରଲାଣ୍ଡ ୩.୪% ରହିଛି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ମଧ୍ୟ ୨୦୨୪-୨୫ରେ ୯୦,୯୬୯ କୋଟି ଟଙ୍କା ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସଂଶୋଧିତ ଅଟକଳରେ ୮୯,୯୭୪ କୋଟି ଟଙ୍କାକୁ ହ୍ରାସପାଇଛି । କିନ୍ତୁ ୨୦୨୫-୨୬ରେ ଏହା ସାମାନ୍ୟ ବୃଦ୍ଧିପାଇ ୯୯,୮୫୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଡିପି ଅନୁସାରେ କେନ୍ଦ୍ର ସରକାରଙ୍କ ବ୍ୟୟ ୨୦୧୪-୧୫ରେ ୦.୨୫ ଥିଲାବେଳେ ୨୦୨୦-୨୧ରେ ୦.୪୧% ଛୁଇଁଥିଲା । ଏହା କ୍ରମଶଃ ହ୍ରାସପାଇ ୨୦୨୪- ୨୫ରେ ୦.୨୫% ହୋଇଛି । ୨୦୨୫-୨୬ରେ ୦.୨୭% ହେବ ବୋଲି ଆକଳନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟର ବ୍ୟୟ ମିଶିଲେ ଜିଡିପିର ୧.୩୫ରୁ ୧.୯% ପାଖାପାଖି ରହୁଛି । ଏଥିରେ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଜାତୀୟ ସ୍ୱାସ୍ଥ୍ୟ ନୀତି ଅନୁସାରେ ଏହା ଜିଡିପିର ୨.୫% ରହିବା କଥା ।
ସାମାଜିକ କ୍ଷେତ୍ର ବ୍ୟୟ ସହିତ ଖାଦ୍ୟ ଓ ଅନ୍ୟାନ୍ୟ ସବ୍ସିଡିଜନିତ ବ୍ୟୟବରାଦ ଅଧିକ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟ ସବ୍ସିଡି ବୃଦ୍ଧି କରିବା ଜରୁରି, କାରଣ ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥା ଅନୁଯାୟୀ ୫୫.୬% ଭାରତୀୟ ସୁସ୍ଥ ଖାଦ୍ୟ ପାଇବାରୁ ବଞ୍ଚିତ ଏବଂ ୧୩% ଅପପୁଷ୍ଟିର ଶିକାର ହୋଇଛନ୍ତି । କିନ୍ତୁ ଉଭୟ ଖାଦ୍ୟ ଓ ସାର ସବ୍ସିଡି ପରିମାଣ ବଜେଟ୍ ବ୍ୟୟ ଅଟକଳ ହ୍ରାସ ପାଉଛି । ସାର ସବ୍ସିଡି ପାଇଁ ଆବଣ୍ଟନ ଯାହା ୨୦୨୨-୨୩ରେ ୨,୫୧,୩୩୯ କୋଟି ଟଙ୍କା ଥିଲା ତାହା ୨୦୨୪-୨୫ର ସଂଶୋଧିତ ଅଟକଳରେ ୧,୭୧,୨୯୯ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା । ୨୦୨୫-୨୬ରେ ୧,୬୭,୮୮୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି, ଖାଦ୍ୟ ସବ୍ସିଡି ବାବଦ ବ୍ୟୟବରାଦ । ୨୦୨୫-୨୬ରେ ୨,୦୩,୪୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୦-୨୧ରେ ୫,୪୧.୩୩୦ କୋଟି ଟଙ୍କା ଥିଲା । ପେଟ୍ରୋଲିୟମ ସବ୍ସିଡି ପରିମାଣ ଯାହା ୨୦୨୦-୨୧ରେ ୩୮,୪୫୫ କୋଟି ଟଙ୍କା ଥିଲା ତାହା ୨୦୨୪-୨୫ରେ ୧୪,୭୦୦ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୫-୨୬ରେ ୧୧,୯୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସରକାର ୨୦୨୫- ୨୬ରେ ଖାଦ୍ୟ, ସାର ଏବଂ ପେଟ୍ରୋଲିୟମ ସବ୍ସିଡି ପାଇଁ ୩.୮୩ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି, ଯାହା ଚଳିତ ଆର୍ଥିକ ବର୍ଷର ସଂଶୋଧିତ ଆକଳନ ସହିତ ପ୍ରାୟ ସମାନ । ୨୦୨୦-୨୧ରେ ଏହା ୭,୦୭,୭୦୭ କୋଟି ଟଙ୍କା ହେବ ବାଲି ଆକଳନ କରଯାଇଥିଲା ।
ଗ୍ରାମୀଣ ଗରିବ ପାଇଁ ମନରେଗା ହେଉଛି ଜୀବନରେଖା । କିନ୍ତୁ ମନରେଗା ପାଇଁ ଆବଶ୍ୟକ ଅର୍ଥ ଆବଣ୍ଟନ କରାଯାଉନାହିଁ । ୨୦୨୪-୨୫ରେ ୮୬ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଥିଲାବେଳେ ୨୦୨୫-୨୬ରେ ତାହାହିଁ ରହିଛି । ଏହା ୨୦୨୩- ୨୪ରେ ୮୯,୧୫୪ କୋଟି ଟଙ୍କା ହେବ ବୋଲି ଆକଳନ କରଯାଇଥିଲା । ଏହା ବୃଦ୍ଧି ନହେବା କେବଳ ଗ୍ରାମୀଣ ଗରିବଙ୍କ ଉପରେ ଏକ ନିଷ୍ଠୁର ଆଘାତ ନୁହେଁ, ଏହା ସେମାନଙ୍କର ୧୦୦ ଦିନ କାମ ପାଇଁ ଆଇନଗତ ଅଧିକାର ଉପରେ ସିଧାସଳଖ ଆକ୍ରମଣ । କୃଷକମାନଙ୍କ ପାଇଁ ସେମାନଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ଦାବି ପୂରଣ କୃଷି ସଂକଟ ଏବଂ କୃଷକ ଆତ୍ମହତ୍ୟାର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ ଏହି ବଜେଟ ସୂଚାଉଛି ଯେ, ସରକାର କୃଷକମାନଙ୍କର ଏହି ଏମ୍.ଏସ୍.ପି ଦାବିକୁ ଗୁରୁତ୍ୱ ଦେଇନାହାଁନ୍ତି । ସେହିପରି ଗ୍ରାମୀଣ ବିକାଶ ବ୍ୟୟବରାଦ ମାତ୍ର ୮.୩% ବୃଦ୍ଧିପାଇଛି । ଗ୍ରାମୀଣ ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ଜଳଶକ୍ତି ଯୋଜନା ବାବଦରେ ବ୍ୟୟବରାଦ ଯାହା ୨୦୨୪-୨୫ରେ ୯୮,୭୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା ତାହା ସଂଶୋଧିତ ଆକଳନରେ ୫୧,୫୫୮ କୋଟି ଟଙ୍କାକୁ ହ୍ରାସପାଇଛି । ଗୃହ ଓ ସହର ବ୍ୟାପାର ବ୍ୟୟବରାଦ ୨୦୨୪-୨୫ରେ ୮୨,୫୭୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ସଂଶୋଧିତ ଅଟକଳରେ ୬୩,୬୭୦ କୋଟି ଟଙ୍କାକୁ ହ୍ରାସପାଇଛି । ସେହିପରି ୨୦୨୫-୨୬ ପାଇଁ ବଜେଟରେ ମହିଳା, ଶିଶୁ କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁଙ୍କ ପାଇଁ ମୋଟ୍ ଖର୍ଚ୍ଚ ଆଶାଜନକ ନୁହେଁ । ଏଣୁ ସାମାଜିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟୟ ବୃଦ୍ଧିପାଇବା ଜରୁରି ।