ପୁରୁଣା ଘରେ ସମସ୍ତେ ଛାଡ଼ି ଚାଲିଗଲା ପରେ ସେ ଏକା ଏକା । ଅର୍ଥାତ୍ ଦରଜା ବନ୍ଦ । ପୁଣି ପିଲାମାନଙ୍କ ଘରେ ମଧ୍ୟ ଦରଜା ବନ୍ଦ । ଏହି ବନ୍ଦ କୋଠରି ଭିତରେ ସ୍ୱୟଂକ୍ରିୟ ବନ୍ଦୀଶାଳାରେ ଜୀବନ ବିତେ । ଏଥକୁ ଆଉ ଏକ ନୂଆ ଘର ଦରକାର ହୁଏ।
ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବରେ ମନ... ଗୀତଟିକୁ ତର୍ଜମା କଲେ ନିଶ୍ଚେ ନୂଆ ଘର ତୋଳିଥିବା ମଣିଷଟି ମଧ୍ୟ କାଳକ୍ରମେ ପୁରୁଣା ହୋଇଯାଏ । ସେହି ପୁରୁଣା ମଣିଷଟି ପୁରୁଣା ଘରକୁ ବେଶୀ ବେଶୀ ଭଲ ପାଉଥାଏ ସେତେବେଳେ ପର୍ଯ୍ୟନ୍ତ, ଯେତେବେଳେ ପର୍ଯ୍ୟନ୍ତ ଘରର ସମସ୍ତ ସଦସ୍ୟଙ୍କ ବା କିଛି ନୂଆ ପୁରୁଣା ସଦସ୍ୟଙ୍କ ଉପସ୍ଥିତି ଜାହିର ହେଉଥାଏ । ମାତ୍ର ସେ ଯେତେବେଳେ ଏକାକୀ ହେଇଯାଏ ଏବଂ ନିଜର ଲୋକମାନେ ବାଧ୍ୟବାଧକତାରେ ହେଉ ବା ସ୍ୱଇଚ୍ଛାରେ ହେଉ, ଅନ୍ୟତ୍ର ବସବାସ କରନ୍ତି, ସେତେବେଳେ ଏହି ପୁରୁଣା ଘରଟି ଖାଁ ଖାଁ ଲାଗେ । କହିବା ବାହୁଲ୍ୟ, ପତ୍ନୀ କିମ୍ବା ପତି କେହି ବି ସ୍ୱର୍ଗଗାମୀ ହେଲେ ପୁରୁଣା ଲୋକଟି ବେସାହାରା ହୋଇପଡ଼େ। ସ୍ମୃତି ବିଜଡ଼ିତ ପୁରୁଣା ଘରକୁ ସେ ଛାଡ଼ିବାକୁ ନାରାଜ। କିନ୍ତୁ ବାର୍ଦ୍ଧକ୍ୟଜନିତ ଅସହାୟତା ଦୃଷ୍ଟିରୁ ସେ ଦୂରରେ ରହୁଥିବା ପିଲାମାନଙ୍କ ପାଖକୁ ଯିବାକୁ ବାଧ୍ୟ ହୁଅନ୍ତି । ସେଠାରେ କେଇଦିନ ରହିବା ପରେ ଅଚିହ୍ନା ସହର, ଅଜଣା ଜାଗାରେ, ନା ପୁରୁଣା ବନ୍ଧୁ, ନା ସାଥୀ ସହୋଦର ଥାଆନ୍ତି ସମୟ କାଟିବାକୁ । ପୁଅ ବୋହୂ ଅବା ଝିଅ ଜୋଇଁ କର୍ମକ୍ଷେତ୍ରକୁ ଯାଆନ୍ତି ତଥା ନାତି ନାତୁଣୀ ତାଙ୍କର ପାଠଶାଳାକୁ। ଏଠାରେ ସେ ମଧ୍ୟ ଏକା ଏକା ବହୁ ସମୟ ଭାବାନ୍ତରରେ ବିତାଏ । ପୁରୁଣା ଘରେ ସମସ୍ତେ ଛାଡ଼ି ଚାଲିଗଲା ପରେ ସେ ଏକା ଏକା । ଅର୍ଥାତ୍ ଦରଜା ବନ୍ଦ । ପୁଣି ପିଲାମାନଙ୍କ ଘରେ ମଧ୍ୟ ଦରଜା ବନ୍ଦ । ଏହି ବନ୍ଦ କୋଠରି ଭିତରେ ସ୍ୱୟଂକ୍ରିୟ ବନ୍ଦୀଶାଳାରେ ଜୀବନ ବିତେ।
ଏଥକୁ ଆଉ ଏକ ନୂଆ ଘର ଦରକାର ହୁଏ । ଯେଉଁଠାରେ ମୁକ୍ତ ବିହଙ୍ଗ ପରି ଉଡ଼ିପାରୁଥିବ, ସାଥୀ ସଙ୍ଗାତଙ୍କ ସହ କଥା ହେଉଥିବ, ସୁଖ ଦୁଃଖ ବାଣ୍ଟିପାରୁଥିବ, ରୁଚି ବଖାଣି ପାରୁଥିବ ଏବଂ ଭୁଲିବାକୁ ସକ୍ଷମ ହେଉଥିବ ପୀଡ଼ାକୁ, ସ୍ମୃତିକୁ ତଥା ଦୁଃଖକୁ । ଏଥକୁ ନୂଆ ଘର ମିଳିଯାଏ । ତାହା ଆଜିକାଲିର ବୃଦ୍ଧାଶ୍ରମ ବା ଜରାଶ୍ରମ । ପିଲାମାନେ ଦାୟିତ୍ୱରୁ ମୁକ୍ତ, ନିଜେ ନିଜ ଦାୟିତ୍ୱରୁ ସ୍ୱାଧୀନ । ସତରେ କ’ଣ ଏହା ହିଁ ବାର୍ଦ୍ଧକ୍ୟର ସମାଧାନ? ଅନେକେ କହିବେ, ପିଲାମାନେ ପିତା କିମ୍ବା ମାତାଙ୍କର ମୁହଁ ଚାହିଁଲେ ନାହିଁ । ହେଲେ ଏହା ହିଁ ତ ପ୍ରକୃତ ବାନପ୍ରସ୍ଥ ସମୟ ଜୀବନର । ସମବୟସୀମାନଙ୍କ ମେଳରେ ସୁଖ ଦୁଃଖ ବାଣ୍ଟିବାର ଅବସର । ରୋଗବୈରାଗ୍ୟ ପାଇଁ ଲୋକ ଅଛନ୍ତି । ଖାଦ୍ୟପେୟର ଅସୁବିଧା ନାହିଁ । ଏମିତି ଯୁକ୍ତି ଆସେ, ପୁରୁଣା ଲୋକଟିର ପୁରୁଣା ଘରେ ଚାକର ବାକର ବା ସହାୟତା ପାଇଁ ଦୂରସମ୍ପର୍କୀୟଙ୍କୁ ରଖାଯାଇପାରେ । ଏଠାରେ ସେହି ବିଶ୍ୱାସର ଅଭାବ । କେବଳ ଧନ ସମ୍ପତ୍ତି ପାଇଁ କେତେ କେତେ ଦୁର୍ଘଟଣା, ହତ୍ୟାର ସାମ୍ନା କରୁଛନ୍ତି ବୃଦ୍ଧ ବୃଦ୍ଧାମାନେ । ସତେ ଯେମିତି ମାନବିକତା ମରିଯାଇଛି । ପୂର୍ବ ପିଢ଼ିକୁ ଆଦର ସମ୍ମାନ ବଦଳରେ ଶୋଷଣ ହିଁ ମୁଖ୍ୟ ଘଟଣା ହେଉଛି ।
ଏହି ବୃଦ୍ଧାଶ୍ରମରେ ରହିବାକୁ ସ୍ୱଚ୍ଛଳବର୍ଗ ହୁଏତ ସକ୍ଷମ। କିନ୍ତୁ ଯେଉଁମାନେ ଦାରିଦ୍ର୍ୟର କଷାଘାତରେ ପାକଳ ହୋଇଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ଦାମୀ ବୃଦ୍ଧାଶ୍ରମ କ’ଣ ଉପଲବ୍ଧ । ଏଇଠି ସରକାରଙ୍କର ଦାୟିତ୍ୱ ଆସେ । କିଭଳି ସୁଲଭ ଓ ସୁନ୍ଦର ଜରାଶ୍ରମ ନିର୍ମାଣ ହୋଇପାରିବ ଏବଂ ଗରିବ ପୁରୁଣା ଲୋକମାନେ ଶେଷ ଜୀବନ ଆରାମରେ କଟାଇ ପାରିବେ, ସେ ବିଷୟରେ ଧ୍ୟାନଦେବା ଆବଶ୍ୟକ । ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇବା ଏବଂ ଉଚ୍ଚ ପଦ ପଦବିରେ ବସାଇବା ସବୁ ପିତାମାତାଙ୍କ ଲକ୍ଷ୍ୟ । ସେମାନେ ସଫଳ ହେଲେ ତ ଦୂରରେ ରହିବେ । ଚଢ଼େଇର ପର ଲାଗିଗଲେ ସେ ତ ଉଡ଼ିବ ଏବଂ ପୁରୁଣା ଘର ଛାଡ଼ି ନୂଆ ନୀଡ଼ ରଚନା କରିବ । ତାହେଲେ ଆମେ କ’ଣ ପିଲାମାନଙ୍କୁ ମୂର୍ଖ କରିବା? ତାହେଲେ କେମିତି ଗର୍ବ କରିବା, ମୋ ପୁଅକୁ ମାଜିଷ୍ଟ୍ରେଟ କରାଇଲି, ଝିଅକୁ ଇଞ୍ଜିନିୟର ଡାକ୍ତର କରାଇଲି । ଏସବୁ ସମସ୍ୟା ଆଗରୁ ନଥିଲା । କାରଣ ସେତେବେଳେ ଯୌଥ ପରିବାରରେ ବଞ୍ଚୁଥିଲେ । ଏବେକାର ଏକକ ପରିବାର ବା ନିଉକ୍ଲିୟସ୍ ଫେମିଲିର ବୋଲ୍ବାଲା । ମୁଁ ଏବଂ ମୋ ସ୍ତ୍ରୀ ତଥା ପିଲାମାନେ । କେହି ଜଣେ କ’ଣ ଭାବି ‘ମୋର ନଇଁ ପଡ଼ିଥିବା ବୟସଲତାକୁ ସାହାରା ଦେବା ପାଇଁ ଗୋଟିଏ ମୂର୍ଖ ପୁଅର ମଞ୍ଚା ଦରକାର’ ? ଆମ ଦେଶରେ ଏସବୁ ଆଚମ୍ବିତ କଥା ହେଇପାରେ।
ମାତ୍ର ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ସାଧାରଣ କଥା। କାନାଡ଼ା, ଆମେରିକାରେ ପିଲା ଅଠର ବର୍ଷ ବୟସ ହେଇଗଲେ ସେମାନେ ସ୍ୱାଧୀନ । ଦୂରରେ ରହିଲେ ମଧ୍ୟ ସମ୍ପର୍କ ତ ରୁହେ । କିନ୍ତୁ କିଏ କେତେ ସମୟ ବାହାର କରି ବୃଦ୍ଧ ପିତାମାତାଙ୍କ ସହ ରହିପାରିବ । ପୁରୁଣା ଘର ଏକ ସ୍ମୃତିର ସଂଗ୍ରହାଳୟ । ପୁରୁଣା ମଣିଷଟି ସେହି ଘରେ କ’ଣ ଏକା ଏକା ବହୁଦିନ ରହିପାରିବ? ଯେତେବେଳେ ସାହାରାର ଆବଶ୍ୟକତା ଆସିବ, ସେତେବେଳେ ଏହି ନୂଆ ଘର ବୃଦ୍ଧାଶ୍ରମ ବରଂ ଶ୍ରେୟସ୍କର । ପୁରୁଣା ଲୋକଙ୍କ ଭିତରେ ନୂଆ ସମ୍ପର୍କ, ନୂଆ ଅନୁଭୂତି ଏବଂ ନୂଆ ଘର ପୁରୁଣା ହେଉ ହେଉ ଜୀବନ କାଳର ସମାପ୍ତି ଘଟିବ । ଏଠାରେ କହି ରଖିବା ଉଚିତ, ସମସ୍ତଙ୍କ କ୍ଷେତ୍ରରେ, ସବୁ ଜାଗାରେ ହୁଏତ ଆମର ତର୍ଜମା ସଠିକ୍ ହେଇନପାରେ, କିନ୍ତୁ ବହୁସ୍ଥଳରେ ଏହା ପ୍ରଯୁଜ୍ୟ । ପୁରୁଣା ଘର ଯଦି କଷ୍ଟ ଦେଲା, ଅସମ୍ଭାଳ ପରିସ୍ଥିତି ଆସିଲା ବରଂ ଭଲ ନୂଆ ଘର । ବୋଧହୁଏ ଏଇଥିପାଇଁ ଜୀବନକୁ ଗୃହସ୍ଥ ପର୍ଯ୍ୟାୟ ପରେ ବାନପ୍ରସ୍ଥର କଥା ଉଲ୍ଲିଖିତ ଆମର ପୋଥି ପୁରାଣରେ ।