ପ୍ରଥମରୁ ପଞ୍ଚମ ଶ୍ରେଣୀଯାଏଁ ଆଦିବାସୀ ଭାଷା ଓ ଓଡ଼ିଆରେ ବହିପତ୍ର ତ ହେଲା, ହେଲେ ପାଠ୍ୟପୁସ୍ତକ ମୁଦ୍ରଣ, ସ୍କୁଲରେ ଏହାର ପ୍ରୟୋଗ ତଥା ଭାଷା ଶିକ୍ଷକ ନିଯୁକ୍ତି ଦେବାରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଶିକ୍ଷା ବ୍ୟବସ୍ଥାରେ ସ୍ଥାୟୀ କରିବା ପାଇଁ ଶ୍ରୀମତୀ ଉଷା ପାଢ଼ୀଙ୍କ ଭାଷା ପଲିସୀ କ୍ୟାବିନେଟ ଦ୍ୱାରା ମଞ୍ଜୁର କରିବା ଏକ ବଳିଷ୍ଠ ପଦକ୍ଷେପ ଥିଲା । ଏମାନଙ୍କ ଯୋଗୁଁ ବହୁଭାଷିକ ଶିକ୍ଷା ଓଡ଼ିଶାରେ ଶକ୍ତିଶାଳୀ ହେଲା ।
ରାଜ୍ୟର ମୋଟ୍ ଲୋକସଂଖ୍ୟାର ଏକ-ଚତୁର୍ଥାଂଶ ଆଦିବାସୀ । ମୋଟ୍ ୬୨ ପ୍ରକାର ଆଦିବାସୀ । ୧୦୮ଟି ବ୍ଲକରେ ଏମାନଙ୍କ ସଂଖ୍ୟା ୫୦%ରୁ ଅଧିକ । ମହିଳା ସାକ୍ଷରତା କ୍ଷେତ୍ରରେ ପୁରୁଷ ତୁଳନାରେ ଆଦିବାସୀ ପଛରେ । ଦେଶର ସମ୍ବିଧାନରେ ଆଦିବାସୀ ଓ ହରିଜନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ୧୯୫୦ରୁ ପ୍ରସ୍ତାବିତ । ହେଲେ ଓଡ଼ିଶା କାହିଁକି, ଦେଶର ଅନେକ ଅଞ୍ଚଳରେ ଆଦିବାସୀ ସାକ୍ଷରତା ହାର କମ୍ । ଶିକ୍ଷା କ୍ଷେତ୍ରରେ ମାନବୀୟ ମୂଲ୍ୟ ଓ ବିକାଶର ପରିଭାଷା ଏବେ ଶିକ୍ଷଣ ପରିମାଣକୁ ନେଇ ଗଣାଯାଉଛି । ଶ୍ରେଣୀରେ ଶିକ୍ଷକଙ୍କ ତାଲିମରେ, ସଂସ୍କୃତି ଆଧାରିତ ପାଠ୍ୟଚର୍ଯ୍ୟାରେ ଓ ଲୋକଙ୍କ ସାମଗ୍ରିକ ବିକାଶରେ ଶିକ୍ଷା କିପରି ସମସ୍ତଙ୍କ ପାଇଁ ଯୋଗ୍ୟ ହୋଇପାରିବ ସେ ପ୍ରକାର ଲକ୍ଷ୍ୟ ପଛରେ ଏକ ଆଦର୍ଶ, ଭବିଷ୍ୟ ଦୃଷ୍ଟି ତଥା ମାନବ ବିକାଶର ସଂକଳ୍ପନା ଥାଏ ।
ଏବେ ସେହି ସଂକଳ୍ପନା ବଦଳରେ ପିଲାଏ ପରୀକ୍ଷା ଫଳରେ କେତେ ନମ୍ବର ରଖି ନିଜର ତଥା ଦେଶର ଶିକ୍ଷା ପ୍ରତିଫଳକୁ ଆଖିଦୃଶିଆ କରିବେ ସେଥିପାଇଁ ସମସ୍ତେ ବ୍ୟସ୍ତ । ୧୯୩୫ରେ ମହାତ୍ମା ଗାନ୍ଧୀ ଶିକ୍ଷା ସଂପର୍କରେ କହିଥିଲେ ଯେ, ଶିକ୍ଷା ଅନଭିଜ୍ଞ ଅନେକ ଲୋକଙ୍କ ହାତରେ ପଡ଼ିଯାଇଛି, ଯେଉଁମାନେ ଶିକ୍ଷାର ଲକ୍ଷ୍ୟକୁ ବୁଝିବା ଯୋଗ୍ୟତା ରଖିନାହାନ୍ତି । ତାହାଛଡ଼ା ସେ ମଧ୍ୟ କହିଥିଲେ ଯେ, ମୋତେ ଲାଗୁଛି ଯେମିତି ଏକ କଂପାନି ନିଜ ଲୋଭ ପାଇଁ ବା କେଉଁ ଏକ ବ୍ୟାଙ୍କ ନିଜ ଦେଣନେଣ ପାଇଁ କାମ କରେ, ଶିକ୍ଷା କ୍ଷେତ୍ରଗୁଡ଼ିକ ସେହିପରି କର୍ପୋରେଟ ବ୍ୟବସ୍ଥା ଦ୍ୱାରା ନିୟନ୍ତ୍ରିତ ପରି ମନେହେଉଛି । ଏକଥା ଗାନ୍ଧିଜୀ କହିଛନ୍ତି ବୋଲି ଆମେ ସୁରକ୍ଷିତ । କେହି ଶିକ୍ଷକ ତଥା ଶିକ୍ଷାବିତ୍ ଯଦି ଏହା କହିଥାନ୍ତେ, ତେବେ ଏହା ଏବେ ଧର୍ତ୍ତବ୍ୟ ଅପରାଧ ହୋଇଯାଇଥାନ୍ତା ।
ପ୍ରଶ୍ନ ହେଉଛି, ଲକ୍ଷ୍ୟ ଓ ପ୍ରକ୍ରିୟାକୁ ମଜଭୁତ ନକରି ଆମେ ଶିକ୍ଷାର ପ୍ରତ୍ୟାଶିତ ଫଳାଫଳକୁ ଆଶା କରିବା କିପରି? ଏଥିରେ ଶିକ୍ଷକ ଜାତିର ଭୂମିକା ଆଗ ନା ବ୍ୟବସ୍ଥାର ଶିକ୍ଷା ସହାୟକମାନଙ୍କ ନିଷ୍ପତ୍ତି ଆଗ? ଓଡ଼ିଶାରେ ଆଦିବାସୀ ପିଲା ପ୍ରାଥମିକ ସ୍ତରରେ ୧୭ଲକ୍ଷ । ତନ୍ମଧ୍ୟରୁ ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ପିଲାଙ୍କ ସଂଖ୍ୟା ୮ଲକ୍ଷ । ବିଶେଷତଃ ପ୍ରଥମ ୩ଟି ଶ୍ରେଣୀର ପିଲା ବେଶୀ ଶିକ୍ଷା କ୍ଷେତ୍ରରେ କଠିନ ପରୀକ୍ଷାର ସମ୍ମୁଖୀନ ହୁଅନ୍ତି । କାରଣ ବହିର ଭାଷା, ଶିକ୍ଷକଙ୍କ ପଢ଼େଇବାର ଭାଷା ଓ ପିଲାଙ୍କ କହିବା ଓ ବୁଝିବାର ଭାଷା ମଧ୍ୟରେ ବିଶେଷ ପାର୍ଥକ୍ୟ ଅଛି । ଆଦିବାସୀ ପିଲାଙ୍କ ଭାଷା ମୁଣ୍ଡାରୀ ଓ ଦ୍ରାବିଡ଼ ଭାଷା ପରିବାରର ଆଉ ପାଠବହିର ଭାଷା ଭାରତୀୟ ଭାଷା ପରିବାରର । ରାଜ୍ୟର ୯୦% ଶିକ୍ଷକ ଆଦିବାସୀ ପିଲାଙ୍କ ଭାଷା ବୁଝନ୍ତି ନାହିଁ । ଏପରିକି ପିଲାଙ୍କ ପାଠ୍ୟପୁସ୍ତକରେ ସେମାନଙ୍କ ସଂସ୍କୃତି, ସାହିତ୍ୟ, ଆଦିବାସୀ ମୂଲ୍ୟବୋଧର କଥା ନାହିଁ କହିଲେ ଚଳେ । ବୀର ସୁରେନ୍ଦ୍ର ସାଏ ଓ ଲକ୍ଷ୍ମଣ ନାୟକଙ୍କ ଛଡ଼ା ଆଉ କେହି ପାଠ୍ୟପୁସ୍ତକ ଭିତରେ ସ୍ଥାନ ପାଇଲେନାହିଁ । ଏ ସଂପର୍କରେ ଗତ ୭୦ବର୍ଷ ଭିତରେ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଯାହା ସବୁ ପ୍ରସ୍ତାବିତ ତାହା ଏବେବି ରୂପାୟନ ହୋଇପାରିନାହିଁ ।
ଆମ ଦେଶରେ ୨୨ଟି ଅନୁସୂଚିତ ଭାଷା ଓ ୯୯ଟି ଅଣ-ଅନୁସୂଚିତ ଭାଷା । ୨୨ଟି ଅନୁସୂଚିତ ଭାଷା ରାଜ୍ୟମାନଙ୍କର ଶିକ୍ଷାର ମାଧ୍ୟମ ତଥା ପ୍ରଶାସନିକ ଭାଷା । ଏଇ ୯୯ଟି ଅଣ-ଅନୁସୂଚିତ ଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ଏବେବି ସ୍ୱୀକୃତି ଦିଆଯାଇ ପାରିନାହିଁ । ଓଡ଼ିଶାରେ ଗତ ୧୯୯୭ରୁ ଏଯାବତ୍ ଯେଉଁ ଆଦିବାସୀ ଶିକ୍ଷା ଚାଲିଛି ତାହାର ଲକ୍ଷ୍ୟ, ରୂପରେଖ, ପ୍ରକ୍ରିୟା ଓ ଫଳାଫଳ ଉପରେ ଗତ ୨୦ବର୍ଷ ଭିତରେ ଦେଶର ବିଶ୍ୱବିଦ୍ୟାଳୟ ଓ ରାଷ୍ଟ୍ରୀୟ ଅନୁଷ୍ଠାନମାନେ ଗବେଷଣା କରିନାହାନ୍ତି । ଯଦି ଓଡ଼ିଶାରେ ଆଦିବାସୀ ଗୋଷ୍ଠୀ ନିଜ ନିଜ ଭାଷାକୁ ଶିକ୍ଷା କ୍ଷେତ୍ରରେ ସ୍ୱୀକୃତି ପାଇଁ ସରକାରଙ୍କ ପାଖରେ ଦାବି କରୁନଥାନ୍ତେ ତେବେ ସମ୍ଭବତଃ ଯାହା ହୋଇଛି ତାହା ବି ସମ୍ଭବ ହୋଇପାରିନଥାନ୍ତା ।
ଓଡ଼ିଶାରେ ସାନ୍ତାଲୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଲା ପରେ ଏହି ଭାଷା ଦେଶର ହିନ୍ଦୀ, ଓଡ଼ିଆ, ବଙ୍ଗଳା, ମରାଠୀ, କନ୍ନଡ଼ ଭାଷା ପରି ଶିକ୍ଷାର ଭାଷା ହେଇଯିବା କଥା । ପିଲାଏ ସାନ୍ତାଲୀରେ ଆଇଏଏସ୍ ପରୀକ୍ଷା ଦେଇପାରୁଛନ୍ତି, ଅଥଚ ପ୍ରଥମରୁ ପଞ୍ଚମ ଯାଏଁ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତିତ ବହୁଭାଷିକ ଶିକ୍ଷାରେ ସାନ୍ତାଲୀ ଏକ ବିଷୟ ଓ ମାଧ୍ୟମ ରୂପେ ଚାଲିଲା । ତା’ପରେ ଷଷ୍ଠ ଶ୍ରେଣୀର ଦ୍ୱାଦଶ ଶ୍ରେଣୀ ଯାଏଁ ଏହାର ପାଠ୍ୟକ୍ରମ ୨୦୧୪ ପରେ ଆରମ୍ଭ କରାଯାଇପାରିଥାନ୍ତା । ତାହା ହେଲାନାହିଁ । ଏ ସମ୍ପର୍କରେ ମୟୂରଭଞ୍ଜର ସାନ୍ତାଲୀ ନେତାଙ୍କ ସହିତ ଅନେକ ଆଲୋଚନା ହୋଇଛି, ହେଲେ କାମଟି ଆରମ୍ଭ ହୋଇପାରୁନାହିଁ । ଯଦି ଏକ ଅନୁସୂଚିତ ଭାଷାର ସ୍ଥିତି ଏମିତି, ତେବେ ସଉରା, କୋୟା, କନ୍ଧ, ଓରାମ, କିଷାନ, ପରଜା ପ୍ରଭୃତି ଅସ୍ୱୀକୃତ ଭାଷାମାନଙ୍କ ଅବସ୍ଥା କ’ଣ ହେବ ।
ଓଡ଼ିଶାର ଆଦିବାସୀ ଶିକ୍ଷା ହିଁ ୨୦୦୫ରେ ବହୁଭାଷିକ ଶିକ୍ଷାରୂପେ ପରିଚିତ ହେଲା । ଏହାର ପାଠ୍ୟକ୍ରମ ଆଦିବାସୀ ଗୋଷ୍ଠୀମାନଙ୍କ ନିଜ ନିଜ ପ୍ରକୃତି, ସମାଜ, ପରମ୍ପରା ଓ ସଂସ୍କୃତିର ପାଠ୍ୟକ୍ରମକୁ ନେଇ ପ୍ରସ୍ତୁତ ହେଲା । ସ୍ଥାନୀୟ ଆଦିବାସୀ ଶିକ୍ଷକ ତଥା ଆନ୍ତର୍ଜାତିକ ଓ ଜାତୀୟ ଭାଷାବିଦ୍ମାନଙ୍କୁ ନେଇ ଏ କାମଟିକୁ ମାତୃଭାଷା ଆଧାରିତ ବହୁଭାଷିକ ଶିକ୍ଷା ନାମ ଦିଆଗଲା । ବିଶ୍ୱର ଅନ୍ୟ କ୍ଷେତ୍ରରେ ଆଦିବାସୀଙ୍କ ଜ୍ଞାନ ବ୍ୟବସ୍ଥାକୁ ନେଇ ଯେଉଁ ସଫଳ ପ୍ରୟୋଗ ହୋଇଥିଲା, ସେହି ସିଦ୍ଧାନ୍ତ ଓ ପଦ୍ଧତିକୁ ନେଇ ଓଡ଼ିଶାରେ ସଂସ୍କୃତି ଓ ଭାଷା ଆଧାରିତ ପାଠ୍ୟପୁସ୍ତକ ପ୍ରଥମରୁ ପଞ୍ଚମ ଶ୍ରେଣୀଯାଏଁ ପ୍ରସ୍ତୁତ ହେଲା । ସ୍ଥାନୀୟ ସମୁଦାୟର ପରାମର୍ଶରେ ୧୦ଟି ଭାଷାରେ ୧୦ଟି ପାଠ୍ୟକ୍ରମ ଆଦିବାସୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେଲା ଓ ସମୟକ୍ରମେ ୨୦୦୭ରୁ ୨୦୧୩ ଭିତରେ ପାଞ୍ଚବର୍ଷରେ ପାଞ୍ଚଟି ଶ୍ରେଣୀରେ ଏହି ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକର ପ୍ରୟୋଗ ହେଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ କଥା ଥିଲା, ପିଲାଙ୍କ ପରିବେଶ ଓ ସଂସ୍କୃତିର ଜ୍ଞାନବ୍ୟବସ୍ଥାକୁ ନେଇ ବା ଶିକ୍ଷାର ଭାଷାରେ କହିଲେ ପିଲାଙ୍କ ପୂର୍ବ ଜ୍ଞାନକୁ ନେଇ ପାଠଗୁଡ଼ିକ ତିଆରି ହୋଇଥିଲା । ମୁଣ୍ଡାରୀ ଓ ଦ୍ରାବିଡ଼ ଭାଷା ଗୋଷ୍ଠୀର ଶିକ୍ଷକମାନେ ବ୍ୟବସ୍ଥା ଭିତରୁ ଏହି ସ୍କୁଲମାନଙ୍କରେ ଶିକ୍ଷାଦାନ କଲେ । ଏହା ୨୦୧୪ ଯାଏଁ ଠିକ୍ ଚାଲିଲା ।
ଓଡ଼ିଶାର ଉତ୍ତରାଞ୍ଚଳ- ମୟୂରଭଞ୍ଜ, କେଉଁଝର ଓ ସୁନ୍ଦରଗଡ଼ରେ ଆଦିବାସୀ ବହୁଭାଷିକ ଶିକ୍ଷା ଭଲ ଚାଲିବାର କାରଣ ହେଲା, ଆଦିବାସୀ ସଂଗଠନର ନିରନ୍ତର ଉଦ୍ୟମ ଓ ଗୋଷ୍ଠୀ ପରିଚାଳନା । ଅନ୍ୟଥା, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଦିବାସୀ ଭାଷାସମୂହରେ ଗୋଷ୍ଠୀ ସମର୍ଥନ ନଥିବାରୁ ସଉରା, କୋୟା, କନ୍ଧ ପ୍ରଭୃତି ଭାଷାରେ ବହୁଭାଷିକ ଶିକ୍ଷା ଆଶାନୁରୂପ ରୂପାୟନ ହୋଇପାରିନାହିଁ । ଓଡ଼ିଶାରେ ଆଦିବାସୀ ଶିକ୍ଷା ଓ ଭାଷାର ପ୍ରୟୋଗ ଉପରେ ଯେଉଁ ଶିକ୍ଷା ସିଦ୍ଧାନ୍ତ ଓ ପଦ୍ଧତି ସବୁ ୨୦୦୬-୨୦୧୦ ଯାଏଁ କାମ ଚାଲିଥିଲା ତାହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା ପିଲାଙ୍କୁ ତାଙ୍କ ସଂସ୍କୃତି ଓ ଭାଷାରେ ଜ୍ଞାନ ମିଳିବ, ସେମାନେ ପଢ଼ିବା ଲେଖିବା ଶିଖିବେ ତଥା ଆଦିବାସୀ ଜ୍ଞାନ ଓଡ଼ିଶାର ସାମଗ୍ରିକ ଶିକ୍ଷା ବିକାଶରେ ସୁନିର୍ଦ୍ଦିଷ୍ଟ ସ୍ଥାନ ପାଇବ ।
ଆଦିବାସୀ ଭାଷା ଜାଣିବା ଓ ଆଦିବାସୀ ଭାଷା ସଂପର୍କରେ ଜାଣିବା ଅଲଗା କଥା । ଭାଷା ସଂପର୍କରେ ଜାଣିବା ଅର୍ଥ ଭାଷାର ସଂରଚନା, ପ୍ରକାର୍ଯ୍ୟ ଓ ସ୍ୱରୂପ ଉପରେ ଜାଣି ତାକୁ ପିଲାଙ୍କ ପ୍ରଥମ ଭାଷା ରୂପେ ଶିକ୍ଷାରେ ସ୍ୱୀକୃତି ଦେବା ମୂଳ କଥା । ଖାଲି ଭାଷା ନୁହେଁ, ସେହି ଭାଷାରେ ସଂଚିତ ଜ୍ଞାନ ବି ପାଠ୍ୟକ୍ରମରେ ସ୍ଥାନ ପାଇବା ଗୁରୁତ୍ୱପୂର୍ଣ୍ଣ । ନିରୁତା ଭାବେ ବିଜ୍ଞାନୀମାନେ ଭାଷାର ବ୍ୟାକରଣ ଉପରେ ଗବେଷଣା କରନ୍ତି। ଏହି ଭାଷାବିଜ୍ଞାନର ଏକ ଶାଖା ହେଲା ପ୍ରାୟୋଗିକ ଭାଷାବିଜ୍ଞାନ । ପ୍ରାୟୋଗିକ ଭାଷାବିଜ୍ଞାନରେ ପ୍ରଥମ ଓ ଦ୍ୱିତୀୟ ଭାଷାକୁ ନେଇ ଶିଖି ଶିଖାଇବା ସିଦ୍ଧାନ୍ତ ଓ ପଦ୍ଧତି ବହୁଭାଷୀ ଶିକ୍ଷାର ସାକ୍ଷରତାର ଦିଗ । ଏଠି ସାକ୍ଷରତା କହିଲେ ଲେଖିବା ପଢ଼ିବାର ଭାଷା କୌଶଳ ଶିଖିବା । ଏବେ ଏହାକୁ ମୌଳିକ ସାକ୍ଷରତା କୁହାଯାଉଛି । ହେଲେ ଭାଷା ପଢ଼ିବା ଲେଖିବା ପରି ଏକ କଠିନ କାର୍ଯ୍ୟ ପାଇଁ ସେହିପରି ଶିକ୍ଷକ ପ୍ରସ୍ତୁତ କରିବା ବହୁଭାଷିକ ଶିକ୍ଷାର ମୂଳଦୁଆ । ତେଣୁ ଓଡ଼ିଶା ବହୁଭାଷୀ ଶିକ୍ଷାରେ ୨୦୦ଜଣ ଆଦିବାସୀ ଶିକ୍ଷକ ୧୦ଟି ଭାଷାରେ ଯେପରି ୫ବର୍ଷ ଧରି କ୍ରମାଗତ କାମ କଲେ, ସେହି ଶିକ୍ଷମାନେ ଏହି ଭାଷା ଶିକ୍ଷାର ସିଦ୍ଧାନ୍ତ ଓ ପଦ୍ଧତି ସହ ବେଶ୍ ପରିଚିତ । ଏହି ଶିକ୍ଷକମାନେ ଝାଡ଼ଖଣ୍ଡର ବହୁଭାଷିକ ଶିକ୍ଷାର ପ୍ରସାର ପାଇଁ ସହାୟତା କଲେ ବୋଲି ସେଠି ୫ଟି ଭାଷାରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି ।
୨୦୦୬ରୁ ୨୦୧୦ ଯାଏଁ ଶିକ୍ଷା ବିଭାଗର ଅଫିସରମାନେ ବହୁଭାଷିକ ଶିକ୍ଷାର ଗୁରୁତ୍ୱ ବୁଝି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ଶ୍ରୀ ମଧୁସୂଦନ ପାଢ଼ୀ ସାରା ରାଜ୍ୟରେ ଭାଷା ସର୍ବେକ୍ଷଣ କରାଇଥିଲେ ଓ ତହିଁରୁ ମିଳିଥିବା ତଥ୍ୟକୁ ନେଇ ୧୦ଟି ଭାଷାରେ ବହୁଭାଷୀ ଶିକ୍ଷାର ମୂଳଦୁଆ ପକେଇଥିଲେ । ତାଙ୍କର ଏହି ସ୍କୁଲ ସର୍ବେକ୍ଷଣ ପାଇଁ ୨୦୦୧ରେ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ମାନ ମିଳିଥିଲା । ଏହି ଭାଷା ସର୍ବେକ୍ଷଣରୁ ଓଡ଼ିଶାରେ ସ୍କୁଲପିଲାଙ୍କ ଭାଷା ସମ୍ପର୍କରେ ଯେଉଁ ତଥ୍ୟ ମିଳିଥିଲା ତାକୁ ଭିତ୍ତିକରି ୧୦ଟି ଆଦିବାସୀ ଭାଷାରେ ମାତୃଭାଷା ଆଧାରିତ ବହୁଭାଷିକ ଶିକ୍ଷାର ମୂଳଦୁଆ ପଡ଼ିଥିଲା । ଶ୍ରୀ ପାଢ଼ୀ ୨୦୦୫-୦୬ରେ ଏହି ସର୍ବେକ୍ଷଣ କରାଇବା ଦ୍ୱାରା ରାଜ୍ୟ ସରକାର ଆଦିବାସୀ ପିଲାଙ୍କୁ ମାତୃଭାଷାରେ ଶିକ୍ଷାଦେବା ପ୍ରସ୍ତାବକୁ ସ୍ୱୀକାର କଲେ ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ପାଢ଼ୀଙ୍କ ପରେ ଆଗେଇନେଲେ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଓପେପାର ନିର୍ଦ୍ଦେଶକ । ସେ ଭାରତର ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଜଣେ ବିଶିଷ୍ଟ ବିଦ୍ୱାନ, ଅଥଚ ଆଇଆଇଟି ଦିଲ୍ଲୀର ଟପ୍ପର । ସେ ବହୁଭାଷିକ ଶିକ୍ଷାର ଐତିହାସିକ ମହତ୍ତ୍ୱକୁ ବୁଝି ଓଡ଼ିଶାରେ ଭାଷା ଶିକ୍ଷାରେ ଅଦିବାସୀ ପିଲାଙ୍କ ପାଇଁ ଯେଉଁ ମୂଳଦୁଆ ପକାଇଲେ ତାହା ଅମଲାତନ୍ତ୍ରରେ ଦୁର୍ମିଳ । ତାଙ୍କ ପରେ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏହି କାର୍ଯ୍ୟକ୍ରମକୁ ତୃତୀୟରୁ ପଞ୍ଚମ ଶ୍ରେଣୀ ଯାଏଁ ବୃଦ୍ଧି କରିବାରେ ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ ।
ପ୍ରଥମରୁ ପଞ୍ଚମ ଶ୍ରେଣୀଯାଏଁ ଆଦିବାସୀ ଭାଷା ଓ ଓଡ଼ିଆରେ ବହିପତ୍ର ତ ହେଲା, ହେଲେ ପାଠ୍ୟପୁସ୍ତକ ମୁଦ୍ରଣ, ସ୍କୁଲରେ ଏହାର ପ୍ରୟୋଗ ତଥା ଭାଷା ଶିକ୍ଷକ ନିଯୁକ୍ତି ଦେବାରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଶିକ୍ଷା ବ୍ୟବସ୍ଥାରେ ସ୍ଥାୟୀ କରିବା ପାଇଁ ଶ୍ରୀମତୀ ଉଷା ପାଢ଼ୀଙ୍କ ଭାଷା ପଲିସୀ କ୍ୟାବିନେଟ ଦ୍ୱାରା ମଞ୍ଜୁର କରିବା ଏକ ବଳିଷ୍ଠ ପଦକ୍ଷେପ ଥିଲା । ଏମାନଙ୍କ ଯୋଗୁଁ ବହୁଭାଷିକ ଶିକ୍ଷା ଓଡ଼ିଶାରେ ଶକ୍ତିଶାଳୀ ହେଲା ।
୨୦୧୩-୧୪ ପରେ ଏହି କାର୍ଯ୍ୟକ୍ରମରେ ଯେଉଁ ଗୁରୁତ୍ୱ ଓ ଗଭୀରତା ଥିଲା, ତାହା ରାଜନୈତିକ ଇଚ୍ଛାଶକ୍ତି ତଥା ପ୍ରାଶାସନିକ ଶିଥିଳତା ଯୋଗୁଁ କ୍ରମଶଃ ଦୁର୍ବଳ ହେବାରେ ଲାଗିଲା । ସଂପ୍ରତି ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ଆସାମ ପ୍ରଭୃତି ରାଜ୍ୟରେ ଏବେ ବହୁଭାଷୀ ଶିକ୍ଷା ପ୍ରଚଳନ ହୋଇଛି । ଭାଷା ଓ ଶିକ୍ଷଣ ସଂସ୍ଥାନ, ଦିଲ୍ଲୀ ତରଫରୁ ଏକାଡେମିକ ସହାୟତା ଦିଆଯାଉଛି । ଏବେବି ଓଡ଼ିଶାରେ ୧୧୪୮୯ ସ୍କୁଲ ଅଛି, ଯେଉଁଠି ସ୍କୁଲ ପିଲାଙ୍କୁ ମାତୃଭାଷାରେ ଶିକ୍ଷାଦେବାର ଆବଶ୍ୟକତା ରହିଛି । ଏବେ କେବଳ ୧୫୮୪ଟି ସ୍କୁଲରେ ୨୧ଟି ଭାଷାରେ ଯେଉଁ ଶିକ୍ଷା ମାତୃଭାଷାକୁ ନେଇ ଚାଲିଛି ତାହାର ବି ପୁନର୍ବିନ୍ୟାସର ଆବଶ୍ୟକତା ରହିଛି । ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକ । ଖାଲି ରାଜନୈତିକ ଇଚ୍ଛାଶକ୍ତି ଯଥେଷ୍ଟ ନୁହେଁ, ଅମଲାତନ୍ତ୍ର ଏ ଦିଗରୁ ଏହାର ଆବଶ୍ୟକତାକୁ ରୂପାୟନ କରିବା ଦରକାର । ପୁଣି ଅମଲାତନ୍ତ୍ର ଚାହିଁଲେ ବି ଯଦି ଏକ ଶକ୍ତ ଏକାଡେମିକ ଗୋଷ୍ଠୀ ଏହି ବହୁଭାଷିକ ଶିକ୍ଷାର ସିଦ୍ଧାନ୍ତ ଓ ପଦ୍ଧତିକୁ ସମୃଦ୍ଧ ରୂପେ ଓ ବାସ୍ତବ ରୂପେ ରାଜନୈତିକ ଓ ପ୍ରଶାସନକୁ ଠିକ୍ଭାବେ ଦିଗ୍ଦର୍ଶନ ଦେବେ, ତେବେ ତାହା ଓଡ଼ିଶାର ଲକ୍ଷ ଲକ୍ଷ ଆଦିବାସୀ ପିଲାଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇପାରିବେ ।
ଦୁଇବର୍ଷ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଇ ଓ ଦେଶିଆ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଉନ୍ମୋଚନ କରିଥିଲେ ଓ ସେହି ଆଦର୍ଶରେ ସାରା ଭାରତରେ ୧୨୧ଟି ଭାଷାରେ ପିଲାଙ୍କ ଭାଷାରେ ବର୍ଣ୍ଣମାଳା ପୁସ୍ତକ ଲେଖାଇ ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରିଥିଲେ। ଏବେ ପ୍ରଶ୍ନ ଉଠେ- କେନ୍ଦ୍ର, ରାଜ୍ୟ ତଥା ଆଦିବାସୀ ଗୋଷ୍ଠୀ କିପରି ଏହି କାର୍ଯ୍ୟକ୍ରମକୁ ଏକ ସଫଳ କାର୍ଯ୍ୟକ୍ରମ ରୂପେ ପିଲାଙ୍କ ଭାଷାରେ ରାଜ୍ୟ ଭାଷା ଶିକ୍ଷାକୁ ସେମାନଙ୍କ କଳ୍ପନା ଓ ସୃଜନକୁ ସ୍ଥାନ ଦେଇପାରିବେ, ତେବେ ଐତିହାସିକ ରୂପେ ନିରବିଥିବା ପିଲାଙ୍କ ମୁଖର ଭାଷା ଜୀବନ୍ତ ହୋଇପାରିବ । ଜ୍ଞାନ ଓ ବୌଦ୍ଧିକତା, ମୌଳିକ ସାକ୍ଷରତା ତଥା ଅର୍ଥପୂର୍ଣ୍ଣ ଅବବୋଧ ବୃଦ୍ଧିପାଇବ ।
ବିଶ୍ୱ ମାତୃଭାଷା ଦିବସ ୨୦୨୫ ଅବସରରେ ଓଡ଼ିଶା ତଥା ଭାରତର ଅସଂଖ୍ୟ ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ମାତୃଭାଷା ତଥା ରାଜ୍ୟ ଭାଷାର ବିକାଶ ହେଉ । ମାତୃଭାଷା ଜରିଆରେ ଶିଖିଥିବା ଦ୍ୱିତୀୟ ଭାଷା (ଓଡ଼ିଆ) ଶିକ୍ଷା ଯେତେ ସହଜ ହୁଏ, କେବଳ ରାଜ୍ୟ ଭାଷା ଶିକ୍ଷା ଆଦିବାସୀ ପିଲାଙ୍କ ପାଇଁ କଠିନ ହୁଏ । ତେଣୁ ଭବିଷ୍ୟତରେ ଓଡ଼ିଶାରେ ଏକ ସୁଦୃଢ଼ ବହୁଭାଷିକ ଶିକ୍ଷାର ପୁନଃନ୍ୟାସ ହେବାର ସମ୍ଭାବନାକୁ ସ୍ୱାଗତ କରିବା ଆବଶ୍ୟକ ।