ଭୂତଳ ଜଳସ୍ତର ତଳକୁ ଖସିଯିବ । ଶୁଖିଯିବ ନଦୀ ନାଳ । ମିଳିବନି ପାଣି । ୨୦୫୦ ବେଳକୁ ଆମ ଦେଶ ଜଳ ସଂକଟରେ କଲବଲ ହେବ । ପାଣି ମୁନ୍ଦିଏ ପାଇଁ ଲୋକ ହେବେ ଡହଳବିକଳ । ଆମ ରାଜ୍ୟରେ ମଧ୍ୟ ଅବସ୍ଥା ହେବ ସଂଗୀନ୍ ।
ଜଳ ବହୁଳେ ସୃଷ୍ଟି ନାଶ । ଜଳ ବିହୁନେ ସୃଷ୍ଟି ନାଶ । ବଢ଼ି ଚାଲିଛି ଜଳର ବ୍ୟବହାର । ଭୂତଳ ଜଳ ଖସି ଚାଲିଛି ତଳକୁ ତଳକୁ । ଭାରତକୁ ଘନେଇ ଆସୁଛି ଜଳ ସଂକଟ । ଭୂତଳ ଜଳସ୍ତର ଢେର ତଳକୁ ଖସିବ । ଶୁଖିଯିବ ନଦୀ । ମିଳିବନି ପାଣି । ୨୦୫୦ ବେଳକୁ ଆମ ଦେଶ ଜଳ ସଂକଟରେ କଲବଲ ହେବ । ପାଣି ମୁନ୍ଦିଏ ପାଇଁ ଲୋକ ହେବେ ଡହଳବିକଳ । ମିଳିତ ଜାତିସଂଘର ଏକ ଅନୁଧ୍ୟାନକାରୀ ରିପୋର୍ଟ ଏମିତି ଭବିଷ୍ୟବାଣୀ କରିଛି । ଆମେ ସମସ୍ତେ କିନ୍ତୁ ଚିନ୍ତାଶୂନ୍ୟ ଓ ଦାୟିତ୍ୱଶୂନ୍ୟ । ଜଳକୁ ଆମେ ଅସରନ୍ତି ସଂପଦ ଭାବେ ଭାବିନେଇଛୁ । ଭବିଷ୍ୟତରେ ଯେ ଜଳ ସଂକଟ ଆସିବ ତାହା ଆମ କଳ୍ପନାର ବାହାରେ ।
ପ୍ରକୃତି ସହ ଖେଳ ହେଉଛି କାଳ
ହିମାଳୟର ଗ୍ଲେସିଅର୍ ଦ୍ରୁତ ଗତିରେ ତରଳୁଛି । ଏହା ଦକ୍ଷିଣ ଏସିଆର ପ୍ରାୟ ୧୯୦ କୋଟି ଲୋକଙ୍କୁ ବଡ଼ ସଂକଟକୁ ଠେଲିଦେବ । ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀର ଜଳସ୍ତର ବହୁତ ତଳକୁ ଖସିଯିବ । ଭାରତ, ଚୀନ, ପାକିସ୍ତାନକୁ ଜଳାଭାବ ଦେଖାଦେବ । ପୃଥିବୀ ପାଇଁ ଗ୍ଲେସିଅର ବା ହିମବାହ ଅତି ଗୁରୁତ୍ୱପୂର୍ଣ୍ଣ । ମାତ୍ର ୧୦ ପ୍ରତିଶତ ଅଞ୍ଚଳରେ ଏବେ ଗ୍ଲେସିଅର ଅଛି । କିନ୍ତୁ ବିଶ୍ୱ ତାପମାତ୍ରା ବଢ଼ିବାରୁ ଏହା ଏବେ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଆଣ୍ଟାର୍କଟିକା ଓ ଗ୍ରୀନଲାଣ୍ଡ୍ ଅପେକ୍ଷା ହିମାଳୟରୁ ଅଧିକ ପରିମାଣର ବରଫ ତରଳିବାରେ ଲାଗିଛି । ହିମାଳୟରୁ ୧୦ଟି ପ୍ରମୁଖ ନଦୀ ବାହାରିଛନ୍ତି, ଯେଉଁଗୁଡି଼କର ପାଣିରେ କୋଟି କୋଟି ଲୋକ ଉପକୃତ ହେଉଛନ୍ତି । ବିଶେଷ କରି ଏହା ପାନୀୟ ଜଳ ଭାବେ ବ୍ୟବହୃତ ହେଉଛି । ଜଳ ବ୍ୟବହାରରେ ଆମର ଦାୟିତ୍ୱହୀନତା ଓ ପ୍ରକୃତିର ଖେଳ ଆଗକୁ ଆମ ପାଇଁ କାଳ ହେବାକୁ ଯାଉଛି । ଏମିତି ସତର୍କ ଘଣ୍ଟି ବାଜିଲାଣି । ଆମେ କିନ୍ତୁ ହାତବାନ୍ଧି ବସିଛୁ ।
ଆମ ଗ୍ରହ ପୃଥିବୀରେ ମୋଟ ୧୩୦ କୋଟି ଘନ କିଲୋମିଟର ପରିମାଣର ଜଳ ମହଜୁଦ ଅଛି । ବୈଜ୍ଞାନିକଙ୍କ କହିବା କଥା, ଏଥିରେ ନା କିଛି ହ୍ରାସ ହେବ ନା ବଢ଼ିପାରିବ । ଏହା ଏକ ନିବୁଜ ବ୍ୟବସ୍ଥା । ଏହି ଜଳର ୯୭ ପ୍ରତିଶତ ରହିଛି ସମୁଦ୍ରରେ । ଯାହା ସଂପୂର୍ଣ୍ଣ ଲବଣାକ୍ତ । ଅବଶିଷ୍ଟ ୩ ପ୍ରତିଶତ ହେଉଛି ମଧୁର ଜଳ । ଏଥିରୁ ସିଂହଭାଗ ବରଫ ଆକାରରେ ବାନ୍ଧି ହୋଇ ଅଛି । ପୃଥିବୀର ନଦନଦୀ, ହ୍ରଦ, ଜଳଭଣ୍ଡାର ଆଦିରେ ଉପଲବ୍ଧ ଥିବା ମଧୁର ଜଳ ହେଉଛି ଏହାର ମାତ୍ର ୦.୦୩୬ ଶତାଂଶ । ଆକାଶରେ ବାଦଲ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ଆକାରରେ ଉପସ୍ଥିତ ଏହି ଜଳର ଅନୁପାତ ହେଉଛି ମାତ୍ର ୦.୦୦୧ ପ୍ରତିଶତ । ଏହି ମଧୁର ଜଳର କିଛି ଅଂଶ ମୃତ୍ତିକା ଆସ୍ତରଣ ଭେଦ କରି ଭୂତଳ ଜଳ ରୂପେ ସଞ୍ଚିତ ହୋଇଥାଏ । ପୃଥିବୀ ପୃଷ୍ଠରେ ନଗଣ୍ୟ ଅନୁପାତରେ ଉପଲବ୍ଧ ଏ ମଧୁର ଜଳ ହିଁ ହେଉଛି ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତର ଜୀବନ । ମଧୁର ଜଳ ଯେଉଁଠି ଉପଲବ୍ଧ ନ ଥାଏ, ସେ ଅଞ୍ଚଳ ପାଲଟିଯାଏ ମରୁଭୂମି ।
ଭାରତ: ସର୍ବାଧିକ ଭୂତଳ ଜଳ ଶୋଷଣକାରୀ
୨୦୫୦ ସୁଦ୍ଧା ଭାରତ ଜଳାଭାବରେ କେମିତି ଛଟପଟ ହେବ, କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟକୁ ଦେଖିଲେ ଜଳଜଳ । ୧୯୫୧ରେ ଦେଶରେ ମୁଣ୍ଡ ପିଛା ଜଳର ପରିମାଣ ଥିଲା ୫,୦୦୦ ଘନ ମିଟର । ୨୦୨୩ ବେଳକୁ ଏହା ୧୪୮୬ ଘନ ମିଟରକୁ ହ୍ରାସ ପାଇଛି । ୨୦୩୧ରେ ଏ ପରିମାଣ ୧,୩୬୭ ଘନମିଟରକୁ ଛୁଇଁବ । ମୁଣ୍ଡପିଛା ଜଳ ଉପଲବ୍ଧତା କମିବାର କାରଣକୁ ନେଇ ଚାଲିଛି ତର୍ଜମା । ଜନସଂଖ୍ୟା ବୃଦ୍ଧି ସହ ଜଳର ଅତ୍ୟଧିକ ଶୋଷଣ ଓ ଉପଯୁକ୍ତ ସଞ୍ଚୟର ଅଭାବକୁ ବଡ଼ କାରଣ କୁହାଯାଉଛି । ଆସନ୍ତୁ, ଆମ ଦେଶରେ ବର୍ଷାର ପରିମାଣ ଓ ଜଳ ବ୍ୟବହାର ସଂପର୍କିତ ସରକାରୀ ହିସାବ ଉପରେ ଆଖି ପକାଇନେବା ।
ଦେଶରେ ଉତ୍ତୋଳନ କରାଯାଉଥିବା ଭୂତଳ ଜଳର ୮୯ ଶତାଂଶ କୃଷି କ୍ଷେତ୍ର ପାଇଁ ଭୂଗର୍ଭରୁ ନିଷ୍କାସନ କରାଯାଏ । ଭାରତର ୭୪% ଅଞ୍ଚଳରେ ଗହମ ଓ ୬୫% ଅଞ୍ଚଳରେ ହେଉଥିବା ଧାନ ଚାଷରେ ଏହି ଜଳସେଚନ ଆବଶ୍ୟକ । ପରିସଂଖ୍ୟାନ କହୁଛି, ପ୍ରାୟ ୨୧ କୋଟିରୁ ଅଧିକ ସଂଖ୍ୟକ ପାଣିପମ୍ପ ଭୂମିତଳେ ସଞ୍ଚିତ ଥିବା ଜଳ ଟାଣିବାରେ ବ୍ୟସ୍ତ । ଭୂତଳ ଜଳର ଅତି-ଶୋଷଣ ପ୍ରକ୍ରିୟା ଚାଲୁ ରହିଛି । ଅର୍ଥାତ୍ ବାର୍ଷିକ ଯେତିକି ପରିମାଣର ନୂତନ ଜଳ ଭୂଗର୍ଭରେ ପ୍ରବେଶ କରୁଛି (ରିଚାଜ୍ର୍), ତାହାଠାରୁ ଅଧିକ ପରିମାଣରେ ଜଳ ଶୋଷଣ କରାଯାଉଛି । ଭୂତଳ ଜଳର ଏପରି ଅବାଧ ଶୋଷଣ ଭାରତକୁ ବଡ଼ ସଂକଟ ଆଡ଼କୁ ନେଉଛି । ଭାରତ ହେଉଛି ପୃଥିବୀର ସର୍ବାଧିକ ଭୂତଳ ଜଳ ଶୋଷଣକାରୀ ଦେଶ ।
ଆମ ଦେଶରେ ହାରାହାରି ବାର୍ଷିକ ପ୍ରାୟ ୩,୮୮୦ ବିଲିଅନ୍ କ୍ୟୁବିକ୍ ମିଟର (ବିସିଏମ୍) ବୃଷ୍ଟିପାତ ଘଟିଥାଏ । କିନ୍ତୁ ଆମର ନିର୍ମିତ ଡ୍ୟାମ୍ଗୁଡ଼ିକର ମୋଟ ଜଳ ସଞ୍ଚୟ କ୍ଷମତା ହେଉଛି ଏହାର ଏକ-ଦଶମାଂଶରୁ ମଧ୍ୟ କମ୍ (୩୨୫ ବିସିଏମ୍) । ସେଥିରୁ ପୁଣି ପ୍ରକୃତ କାର୍ଯ୍ୟକ୍ଷମ ଜଳଧାରଣ କ୍ଷମତା ହେଉଛି ମାତ୍ର ୨୫୭ ବିସିଏମ୍ । ଯଦି ମୋଟ ବୃଷ୍ଟିପାତର ୫୦ ଶତାଂଶ ମଧ୍ୟ ବାଷ୍ପୀକରଣ ଯୋଗୁଁ ଅନ୍ତର୍ଦ୍ଧାନ ହୋଇଯାଏ, ତଥାପି ମଧ୍ୟ ସଞ୍ଚୟ ପାଇଁ ଆମକୁ ପ୍ରାୟ ୨,୦୦୦ ବିସିଏମ୍ ବୃଷ୍ଟି ଜଳ ଉପଲବ୍ଧ ହେବ । ବେଳ ଥାଉ ଥାଉ ପଦକ୍ଷେପ ନେବାକୁ ହେବ । କେନ୍ଦ୍ର ଓ ରାଜ୍ୟ ସରକାର ଜଳ ସଞ୍ଚୟ ପାଇଁ ଅଣ୍ଟା ଭିଡ଼ନ୍ତୁ । ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ । ଯେତିକି ବିଳମ୍ବ ହେବ, ଆମେ ସେତିକି ସଂକଟର ନିକଟତର ହେବା ।
ରାଜ୍ୟକୁ ମାଡ଼ି ଆସୁଛି ବିପଦ
ଦିଗହୀନ, ବାଟବଣା । ଆମ ରାଜ୍ୟରେ ଜଳ ସଂଚୟ କମ୍ । ଅପଚୟ ଅଧିକ । ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ପରେ ଅଣମୌସୁମୀରେ ରାଜ୍ୟରେ ହାହାକାର ପରିସ୍ଥିତି । ମହାନଦୀ ଟ୍ରିବ୍ୟୁନାଲର ଆୟୁଷ ବଢ଼ି ଚାଲିଛି । ଏଯାଏ ଆମକୁ ନ୍ୟାୟ ମିଳିଲାନି । ରାଜ୍ୟ ସରକାର ଏତେ ଲମ୍ବା ସମୟ ମଧ୍ୟରେ ଗୋଟିଏ ହେଲେ ବ୍ୟାରେଜ୍ ନିର୍ମାଣ କଲେନି । ଯେତିକି ପାଣି ଆସୁଛି, ସଂରକ୍ଷଣ ଅଭାବରୁ ସମୁଦ୍ରକୁ ଯାଉଛି । ରାଜ୍ୟ ପାଇଁ ମାଡ଼ିଆସୁଛି ଜଳ ସଂକଟ । ଓଡ଼ିଶାରେ ଭୂତଳ ଜଳର କମ୍ ବ୍ୟବହାର ହେଉଛି । ମାତ୍ର ୨୬ ପ୍ରତିଶତ ଭୂତଳ ଜଳ ଠିକଣା ଭାବେ ବ୍ୟବହାର ହେଉଛି । ରାଜ୍ୟରେ ମୋଟ ୧୬.୬୯ ବିଲିୟନ ଘନ ମିଟର ଭୂତଳ ଜଳ ଉତ୍ସ ରହିଛି । ସେଥି ମଧ୍ୟରୁ ଜଳ ସେଚନ, ଶିଳ୍ପ ଓ ଘରୋଇ ବ୍ୟବହାର ପାଇଁ ମୋଟ ୪.୩୬ ବିଲିୟନ ଘନ ମିଟର ଜଳ ବ୍ୟବହାର ହେଉଛି । ଯାହା ସମୁଦାୟ ଉତ୍ସର ୨୬.୧୪ ପ୍ରତିଶତ ।
ପରିସଂଖ୍ୟାନ ଅନୁସାରେ, ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୫୦ ସେଣ୍ଟି ମିଟର ହେଉଥିଲା ବେଳେ ଏଥିରୁ ୭୭ ପ୍ରତିଶତ ଜଳ କାମରେ ନ ଲାଗି ସିଧା ସମୁଦ୍ରକୁ ଚାଲିଯାଉଛି । ଭୂତଳ ଜଳ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ସରକାର ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ ଓ ପରିଚାଳନା ଆଇନ ଆଣିଛନ୍ତି । ଏ ଆଇନ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଭୂତଳ ଜଳର ବିନିଯୋଗ ସହ ସଂରକ୍ଷଣକୁ ଅଗ୍ରାଧିକାର ମିଳିବ । ଆଇନ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଦଣ୍ଡବିଧାନ ହେବ । ମାତ୍ର ଏ ଆଇନ ଶୀତଳ ଭଣ୍ଡାରରେ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ଶିଳ୍ପସଂସ୍ଥା ଯାଏ ମନଇଛା ଭୂତଳ ଜଳର ବ୍ୟବହାର କରି ଚାଲିଛନ୍ତି । ସରକାର ବି ‘ଚୋରଙ୍କୁ ସାହାଣମେଲା ନୀତି’ ଧରିଛନ୍ତି ।
ମହାନଦୀର ୪୮% ପାଣି ବ୍ୟବହାର ହେଉଥିଲା ବେଳେ ୫୨% ସମୁଦ୍ରକୁ ଯାଉଛି । କେବଳ ପାନୀୟ ଜଳ ନୁହେଁ ଚାଷୀର କ୍ଷେତକୁ ମଧ୍ୟ ପାଣି ମିଳୁନି । ବିଜୁଳି ଉତ୍ପାଦନ ମାଡ଼ ଖାଇଛି । ଛତିଶଗଡ଼ ଧକ୍କା ଖାଇବା ପରେ ସରକାର ମହାନଦୀର ତଳମୁଣ୍ଡରେ ୭ଟି ବ୍ୟାରେଜ୍ ନିର୍ମାଣ କରି ପାଣି ସଂରକ୍ଷିତ କରି ରଖିବାକୁ ନିଷ୍ପତ୍ତି ନେଲେ । ମାତ୍ର ଆନ୍ତରିକତା ଶୂନ । ସାରା ରାଜ୍ୟରେ ଦିନକୁ ଦିନ ଭୂତଳ ଜଳସ୍ତର ଖସିବାରେ ଲାଗିଛି ।
ରାଜ୍ୟରେ ସୁଷମ ଜଳ ପରିଚାଳନାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇନାହାନ୍ତି । ବର୍ଷା ଜଳ ଅମଳ କାର୍ଯ୍ୟକ୍ରମକୁ ମଧ୍ୟ ମିଶନ୍ ମୋଡରେ କରାଯାଉନି । ଏମିତି ସ୍ଥିତି ଲାଗି ରହିଲେ ଆଉ କିଛି ବର୍ଷ ପରେ ରାଜ୍ୟ ଗମ୍ଭୀର ଜଳ ସଂକଟର ସମ୍ମୁଖୀନ ହେବ । ବିଗିଡ଼ିଯିବ ରାଜ୍ୟର ଆର୍ଥିକ ଅଭିବୃଦ୍ଧି, ଜୀବନ ଜୀବିକା ସହ ପରିବେଶ ସନ୍ତୁଳନ । ନେଡ଼ି ଗୁଡ଼ କହୁଣୀକୁ ଗଲାଣି । ଏବେଠୁ ସରକାର ଜଳସଂକଟକୁ ଧ୍ୟାନ ଦିଅନ୍ତୁ।