ସାପ ଛୋଟ ହେଉ କି ବଡ଼, ଏହାର ନାମ ଶୁଣିଲା ମାତ୍ରେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସଭିଙ୍କୁ ଭୟ ଲାଗେ । ରାତିରେ ସାପର ନାମ ନନେବା ପାଇଁ ପିଲାମାନଙ୍କୁ ତାଗିଦ୍ କରାଯାଇଥାଏ । ଯଦି ଭୁଲ୍ରେ କେହି ଏହା କରେ, ତୁରନ୍ତ ଆସ୍ତିକ, ଆସ୍ତିକ, ଆସ୍ତିକ ତିନିଥର ଉଚ୍ଚାରଣ କରିବାକୁ ପଡ଼ିଥାଏ, ନହେଲେ ଘରକୁ ସାପ ପଶିଆସିବାର ଭୟ । ସେହି କାରଣରୁ ଘରେ ବାହାରେ ଯିଏ ଯେଉଁଠି ସାପ ଦେଖେ ତୁରନ୍ତ ତାଙ୍କୁ ମାରିବା ପାଇଁ ସଭିଏଁ ଲାଗିପଡ଼ନ୍ତି । ଏହାର କାରଣ ହେଉଛି ଆମମାନଙ୍କର ମନ ଭିତରେ ଥିବା ସାପ ପ୍ରତି ଅହେତୁକ ଭୟ । ତେବେ ନିମ୍ନରେ ବର୍ଣ୍ଣିତ ଆମ ଦେଶର ଏକ ଗ୍ରାମ ଓ ସେଠାକାର ଅଧିବାସୀଙ୍କର ଜୀବନ ଯାପନର ବିବରଣୀ ପଢ଼ିସାରିଲେ ଅନ୍ତତଃ ଏହି ନିରୀହ ଜୀବଟି ପ୍ରତି ଆପଣମାନଙ୍କର ଧାରଣା କିଛିଟା ବଦଳିଯିବ ନିଶ୍ଚୟ ।
ସେହି ସ୍ଥାନଟିର ନାମ ହେଉଛି ‘ସେତପାଲ' ଗ୍ରାମ । ଏହା ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ପୁନେ ମହାନଗରୀ ଠାରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ସେହି ଗ୍ରାମର ପ୍ରତିଟି ଅଧିବାସୀ ଶିବଭକ୍ତ ଏବଂ ପ୍ରତି ଘରେ କାଳ କାଳ ଧରି ସାପକୁ ପୂଜା କରାଯାଉଅଛି । ପ୍ରତିବର୍ଷ ନାଗପଞ୍ଚମୀ ଦିନ ଦେଶ ବିଦେଶରୁ ବହୁସଂଖ୍ୟାରେ ଭକ୍ତ ଏଠାକୁ ଆସି ଏହି ସାପମାନଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ସେମାନଙ୍କୁ କ୍ଷୀର ପିଇବାକୁ ଦେଇ ଆଶୀର୍ବାଦ ଭିକ୍ଷା କରିଥାଆନ୍ତି । ଗ୍ରାମର ପ୍ରତିଟି ଘର ଭିତର ଓ ବାହାରେ ହଜାର ହଜାର ସଂଖ୍ୟାରେ ବିଷଧର ନାଗସାପ ଚଳପ୍ରଚଳ ହେଉଥାନ୍ତି । ସମଗ୍ର ବିଶ୍ୱରେ ସେତପାଲ ହିଁ ଏଭଳି ଏକ ସ୍ଥାନ ଯେଉଁଠାରେ ଏହି ବିଷଧର ସାପମାନେ ମନୁଷ୍ୟମାନଙ୍କ ମେଳରେ କାଳ କାଳ ଧରି ବାସ କରିଆସୁଛନ୍ତି । ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଏହି ନାଗସାପମାନେ ଆଜିପର୍ଯ୍ୟନ୍ତ ଗ୍ରାମରେ ରହୁଥିବା ୨୬୮୩ରୁ ଊର୍ଦ୍ଧ୍ୱ ଅଧିବାସୀଙ୍କର କୌଣସି କ୍ଷତି କରିନାହାନ୍ତି, ଯଦିଓ ଗ୍ରାମର ଲୋକସଂଖ୍ୟା ଅପେକ୍ଷା ସାପମାନଙ୍କର ସଂଖ୍ୟା ଅଧିକ । ଏହା ହିଁ ଆଶ୍ଚର୍ଯ୍ୟ ।
ଗ୍ରାମବାସୀମାନେ ସାପକୁ ଏଭଳି ଭଲପାଆନ୍ତି ଯେ ସେମାନେ ପ୍ରତ୍ୟେକ ନିଜ ନିଜ ବାସଗୃହର ଏକ ନିର୍ଦ୍ଦିଷ୍ଟ କୋଣରେ ‘ସାପପୂଜା' ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥାଆନ୍ତି । ଘରର ଉକ୍ତ ସ୍ଥାନକୁ ସେମାନେ ‘ଦେବସ୍ଥାନମ୍' କହନ୍ତି । ସାପମାନେ ମଝିରେ ମଝିରେ ବିଶ୍ରାମ ନେବାପାଇଁ କିମ୍ବା ଅତ୍ୟଧିକ ରୌଦ୍ରତାପରୁ ରକ୍ଷାପାଇବା ପାଇଁ ସେଠାକୁ ନିଜ ଇଚ୍ଛା ମୁତାବକ ଆସନ୍ତି । ବିନ୍ତ୍ରାମ ନିଅନ୍ତି ଏବଂ ଚାଲିଯାଆନ୍ତି । ଗ୍ରାମବାସୀ ସେମାନଙ୍କୁ ନିଜର ପୋଷା ଜନ୍ତୁ ଭାବରେ ପାଳିଥାଆନ୍ତି । ଏପରିକି ସ୍କୁଲରେ ପିଲାମାନଙ୍କର କ୍ଲାସ ଚାଲିଥିଲା ବେଳେ ସାପମାନେ ଦଳ ଦଳ ହୋଇ ଶ୍ରେଣୀରେ ପଶି ବୁଲୁଥାଆନ୍ତି । ପିଲାମାନେ ସାପ ସହିତ ଖେଳନ୍ତି । ବେକରେ ପକାଇ ବୁଲନ୍ତି । ଛୋଟ ସାପକୁ ଦଉଡ଼ି ଭଳି ଗୁଡ଼ାଇ ଧରିଥାଆନ୍ତି । ଏଠାରେ ସାପ ମଣିଷକୁ କିମ୍ବା ମଣିଷ ସାପକୁ ଭୟ କରନ୍ତି ନାହିଁ ।
ପ୍ରତିବର୍ଷ ନାଗପଞ୍ଚମୀ ଦିନ ସାପମାନଙ୍କୁ ଦେଖିବା ଏବଂ ପୂଜା କରିବା ପାଇଁ ସେତପାଲ ଗ୍ରାମକୁ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାଆନ୍ତି । ସାଧାରଣ ଦିନମାନଙ୍କରେ ମଧ୍ୟ ପରିବେଶବିତ୍, ପଶୁପ୍ରେମୀ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଗବେଷଣାରତ ଛାତ୍ରଛାତ୍ରୀ ଏଠାକୁ ଆସି ସ୍ୱଚକ୍ଷୁରେ ଏହି ବିରଳ ଦୃଶ୍ୟ ଦେଖିଥାଆନ୍ତି । ସେତପାଲ ଗ୍ରାମର ନିକଟବର୍ତ୍ତୀ (ପ୍ରାୟ ୪ କି.ମି.) ରେଳଷ୍ଟେସନ ହେଉଛି ପଶ୍ଚିମ ରେଳପଥର ‘ମାଦନିମ୍ବ' ଷ୍ଟେସନ । ଅନ୍ୟଥା ପୁନେ ଏୟାରପୋର୍ଟରୁ ଟ୍ୟାକ୍ସିରେ ସିଧା ସେଠାକୁ ଯାତ୍ରା କରିବାର ସୁବିଧା ଅଛି । ପୁନେରୁ ସେତପାଲର ଦୂରତା ୨୦୦ କି.ମି । ଆପଣମାନଙ୍କୁ ବିଶେଷ ଅନୁରୋଧ, ଯିବା ସମୟରେ ସାଥିରେ ସାପମାନଙ୍କ ପାଇଁ ଦୁଗ୍ଧ ଓ ଅଣ୍ଡା ସହିତ ମନରେ ପୁଳାଏ ଭଲ ପାଇବା ଧରି ସେଠାକୁ ଯାଆନ୍ତୁ ଏବଂ ଏକ ଅମୃତ ଅନୁଭବ ସହ ଈଶ୍ୱରଙ୍କ ସତ୍ତାର ବିରଳ ଅନୁଭୂତି ନେଇ ଫେରିଆସନ୍ତୁ । ଭ୍ରମଣ ମାସ ସରିଯାଉଛି । ସମୟ କାଢ଼ି ଶୀତ ସକାଳର ଅମୃତ ବେଳାରେ ପିଲାମାନଙ୍କୁ ସାଥିରେ ଧରି ଚାଲନ୍ତୁ ଥରେ ସାପମାନଙ୍କ ଗାଁ ‘ସତପାଲ' ବୁଲିଯିବା ଓ ଦେଖିଆସିବା ସେଠାକାର ଗ୍ରାମବାସୀଙ୍କୁ, ସେମାନଙ୍କର ଘର, ସ୍କୁଲ ଓ ସାପଙ୍କ ମେଳରେ ଖେଳି ବୁଲୁଥିବା ଥିବା ଛୋଟ ଛୋଟ ପିଲାମାନଙ୍କୁ । ଭୟ କରିବାର କାରଣ ନାହିଁ । ମନରେ ଟିକିଏ ସାହସ ଲୋଡ଼ା ।