ଗର୍ଭବତୀ ମହିଳା, ହେପାଟାଇଟିସ୍-ବି ଧାରଣକାରୀ ମା’ଠାରୁ ଜନ୍ମିତ ଶିଶୁ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ରୋଗୀ ସହ ଗୋଟିଏ ଘରେ ଚଳପ୍ରଚଳ ହେଉଥିବା ଲୋକେ, ବହୁଲୋକଙ୍କ ଚଳିବା ସ୍ଥାନରେ ରହୁଥିବା ଲୋକେ, ନିଶାଖୋର ବ୍ୟକ୍ତି, ଅସୁରକ୍ଷିତ ଯୌନ କାରବାରରେ ଲିପ୍ତ ବ୍ୟକ୍ତିବିଶେଷ ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବେଶୀ ଥାଏ ବୋଲି କହିବାକୁ ହେବ ।
ବେଶ୍ କିଛି ବର୍ଷ ତଳେ ମୋର ଜଣେ ଆତ୍ମୀୟ ତଥା ସହରର ଜଣେ ନାମଜାଦା ଡାକ୍ତରଙ୍କ ମୃତ୍ୟୁଶଯ୍ୟା ପାଖରେ ଛିଡ଼ା ହୋଇ ରହିଥିବାବେଳେ କଳାକାଠ ପଡ଼ିଯାଇଥିବା ତାଙ୍କର କ୍ଷୀଣ ଶରୀର, ଅହେତୁକ ଫୁଲିଯାଇଥିବା ପେଟକୁ ଦେଖି ଜମାରୁ ସମ୍ଭାଳି ହେଉନଥାଏ। ମନେ ପଡ଼ିଯାଉଥାଏ ପରିଜନଙ୍କ ଦିପୁରିଆ ଗୋରା ତକତକ ସଦା ହସହସ ଚେହେରାଟି । କିଏ ଜଣେ କହୁଥାନ୍ତି ଡାକ୍ତରଙ୍କ କଥା । ବାପ ମରିବାର କ୍ରିୟା-କର୍ମ ସରିବାର ତିନି ମାସ ଭିତରେ ଆରମ୍ଭ ହୁଏ ତାଙ୍କର ଜଣ୍ଡିସ୍ ରୋଗ ଆଉ ବର୍ଷକ ଭିତରେ ସବୁ ଶେଷ । ପରେ ହେପାଟାଇଟିସ୍ ବିଷୟରେ ନାନାଦି କଥା ଜାଣିଲା ପରେ ଆଖିଆଗରେ ଭାସିଉଠିଥିଲା ସେ ଘାଟର ଦୃଶ୍ୟ, ଜଣକ ପରେ ଜଣକୁ ବସେଇଦେଇ ମୁଣ୍ଡ ଅବା ଦେହରେ ଚର୍ଚର୍ ଧାଉଁଥିବା ସେଇ ଗାଉଁଲୀ ନାପିତର ଅଣଧୁଆ ହାତପୋଛା ଖୁର କଥା । ମତେ ଲାଗୁଥିଲା ଯେ ହୁଏତ ଦଶା ତୁଠରୁ ହିଁ ସଇତାନଟି ଆସିଯାଇଥିଲା ଡାକ୍ତରଙ୍କ ଘଟ ଭିତରକୁ ତାଙ୍କ ଅଜାଣତରେ । ସେଇ ପୁରୁଣା କଥା ଗୋଟି ହଠାତ୍ ମନକୁ ଚହଲାଇ ଦେବା ହେତୁ, ଶରୀରରେ ଥରେ ପ୍ରବେଶ କରି ରହିଗଲେ ବହୁ ସମୟରେ ଭିତରେ ଭିତରେ ଆମ ଯକୃତ ବା ଲିଭର୍ ରୂପକ ଅମୂଲ୍ୟ ଅଙ୍ଗଟିକୁ ନଷ୍ଟ କରି ଆମକୁ ମୃତ୍ୟୁମୁଖକୁ ନେଇଯାଉଥିବା ସେଇ ମାରାତ୍ମକ ହେପାଟାଇଟିସ୍ ଭୂତାଣୁ ସମ୍ପର୍କରେ କିଛି ଲେଖିବା ପାଇଁ ମନ ବଳେଲି ।
ସାଧାରଣ ଭାବରେ କହିବାକୁ ଗଲେ ‘ହେପାଟାଇଟିସ୍' ଶବ୍ଦଟି ବିଭିନ୍ନ କାରଣରୁ ହେଉଥିବା ଦେହର ସବୁଠୁ ବଡ଼ ଗ୍ରନ୍ଥି ବା ଲିଭର୍ର ସଂକ୍ରମଣକୁ ବୁଝାଇଥାଏ । ସ୍ଥଳବିଶେଷରେ ଜନ୍ମିତ ଶିଶୁଙ୍କଠାରେ ଦେଖାଯାଉଥିବା ଏ ସଂକ୍ରମଣ, ଅତ୍ୟଧିକ ମଦ୍ୟପାନ, ସ୍ୱ-ପ୍ରତିରୋଧକ ଶକ୍ତିଜନିତ ରୋଗ, ଓଷଦ ବା କୌଣସି ବିଷକ୍ରିୟାଜନିତ ହେବାରେ ଆଶ୍ଚର୍ଯ୍ୟ ହେବାର କାରଣ ନଥିଲେ ହେଁ ସବୁଠୁ ବେଶୀ ହେପାଟାଇଟିସ୍ ଯେ ଭାଇରସ୍ ବା ଭୂତାଣୁମାନଙ୍କ ଦ୍ୱାରା ହୋଇଥାଏ ଏହା ପ୍ରାୟତଃ ନିଶ୍ଚିତ । ହେପାଟାଇଟିସ୍-ଏ, ବି, ସି, ଡି ଏବଂ ଇ ନାମରେ ନାମିତ ଏହି ଭାଇରସ୍ଗୁଡିକ ମୁଖ୍ୟତଃ ପାଞ୍ଚ ପ୍ରକାରର ହୋଇଥାନ୍ତି । କ୍ଲିନିକ୍ସ ଇନ୍ ଲାବୋରେଟରି ମେଡିସିନ୍ ନାମକ ଜର୍ଣ୍ଣାଲ୍ରେ ପ୍ରକାଶିତ ପ୍ରିୟା ଆବ୍ରାହମ୍ଙ୍କ ଆଲେଖ୍ୟରୁ ଜଣାଯାଏ ଯେ, ପାଞ୍ଚଟିଯାକ ଭାଇରସ୍ ଆମ ଦେଶରୁ ମିଳିସାରିଥିଲେ ହେଁ ହେପାଟାଇଟିସ୍-ଡି’କୁ ଛାଡ଼ି ଅନ୍ୟ ଚାରି ପ୍ରକାରର ଭାଇରସ୍ ମୁଖ୍ୟଭାବରେ ହେପାଟାଇଟିସ୍ ରୋଗ ପାଇଁ ଦାୟୀ । ଉଭୟ ହେପାଟାଇଟିସ୍-ଏ ଏବଂ ହେପାଟାଇଟିସ୍-ଇ ଭୂତାଣୁ ରୋଗୀର ମଳରେ ନିଷ୍କାସିତ ହୋଇ ଖାଦ୍ୟ-ପାନୀୟ ଆଦିକୁ ମାଧ୍ୟମ କରି ସୁସ୍ଥ ମନୁଷ୍ୟ ଦେହରେ ପ୍ରବେଶ କରିଥାଏ ।
ଟିକିଏ ସାବଧାନ ହୋଇ ସ୍ୱଚ୍ଛ ପାନୀୟ ଏବଂ ଖାଦ୍ୟ ବ୍ୟବହାର କଲେ ଏମାନଙ୍କଠାରୁ ଯେ ଆରାମରେ ବଞ୍ଚିଯାଇହେବ, ସେକଥାଟି କେହି ନକହିଲେ ବି ଆପେ ଆପେ ମନକୁ ଚାଲିଆସେ । ହେଲେ ଥରେ ଆସିବା ପରେ ଚୁପ୍ଚାପ୍ ଶରୀର ମଧ୍ୟରେ ଘର କରି ଆମର ସର୍ବନାଶ କରୁଥିବା ହେପାଟାଇଟିସ୍-ବି, ସି ରୂପକ ଅନ୍ୟ ଦୁଇ ଭୂତାଣୁଙ୍କ ମାରାତ୍ମକତା ବିଷୟରେ ଯେତେ କହିଲେ ବି କମ୍ ହେବ । ଆମ ଦେଶରେ ଭୂତାଣୁ ହେପାଟାଇଟିସ୍ ଜନିତ ମୃତ୍ୟୁର ପ୍ରାୟ ୯୬% ହେପାଟାଇଟିସ୍-ବି ଏବଂ ସି ସଂକ୍ରମଣ କାରଣରୁ ହୋଇଥାଏ ବୋଲି ନାସନାଲ୍ ଭାଇରାଲ ହେପାଟାଇଟିସ୍ କଣ୍ଟ୍ରୋଲ ପ୍ରୋଗ୍ରାମ ଆନୁକୂଲ୍ୟରେ ଏବଂ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରକାଶିତ ଏକ ଲେଖାରୁ ଜଣାଯାଏ । କଳେବର ଦୃଷ୍ଟିରୁ ଏ ସଂକ୍ରନ୍ତୀୟ ଆଲୋଚନାଟିକୁ ମୁଁ କେବଳ ଲୁଚାଛୁପା-ଶତ୍ରୁ ହେପାଟାଇଟିସ୍-ବି ଭାଇରସ୍ ମଧ୍ୟରେ ହିଁ ସୀମିତ ରଖିବା ଉଚିତ ହେବ ବୋଲି ଭାବୁଛି ।
ଅଷ୍ଟ୍ରେଲିଆର ଆଦିବାସୀ ଲୋକଙ୍କଠାରେ ସର୍ବପ୍ରଥମେ ଆବିଷ୍କୃତ ହେପାଟାଇଟିସ୍-ବି ଭୂତାଣୁ ବିଷୟରେ ଅନେକ ତଥ୍ୟ ଏଣ୍ଟିଭାଇରାଲ ରିସର୍ଚ୍ଚ ନାମକ ଏକ ଜର୍ଣ୍ଣାଲରେ ୨୦୨୦ ମସିହାରେ ପ୍ରକାଶିତ ସୁକୁଡା ଏବଂ ୱାଟାସିଙ୍କ ଲେଖାରୁ ଜଣାଯାଏ । ଏହା ଏକ ଗୋଲାକାର ଭୂତାଣୁ, ଯାହାର ମଧ୍ୟଭାଗରେ ଏକ ବୃତ୍ତାକାର ଡିଏନ୍ଏ ରହିଥାଏ ଗୋଟିଏ ଏନ୍ଜାଇମ୍କୁ ଧରି, ଏକ ଅନ୍ତଃ-ପ୍ରୋଟିନ୍ ସ୍ତର ଏବଂ ବାହାର ଲିପିଡ ଅଣୁର ଘୋଡଣି ଭିତରେ । ଏହି ଭୂତାଣୁ ଆମ ଲିଭରର ମୁଖ୍ୟକୋଷ ବା ହେପାଟୋସାଇଟଗୁଡ଼ିକର ସଂସ୍ପର୍ଶରେ ଆସିଲେ ଯାଇ ପହଞ୍ଚିଯାଏ ତା’ ନ୍ୟଷ୍ଟି ମଧ୍ୟରେ ଏବଂ ପରେ ନ୍ୟଷ୍ଟିରୁ ବାହାରି ଆସି ଏକ ପୂର୍ଣ୍ଣାଙ୍ଗ ଭୂତାଣୁରେ ପରିଣତ ହୋଇ ବାହାରକୁ ଆସି ଅନ୍ୟ ଭଲ ଥିବା କୋଷମାନଙ୍କର ସଂକ୍ରମଣର କାରଣ ହୋଇଥାଏ । ଏହି ପ୍ରକ୍ରିୟା ସବୁ ନିରନ୍ତର ଚାଲିଲେ ଆମ ଲିଭରର କୋଷସବୁ ସାଂଘାତିକ ଭାବରେ ପ୍ରଭାବିତ ହୋଇଥାନ୍ତି ଏବଂ ଭୂତାଣୁ ଆମ ରକ୍ତରେ ଘୂରିବୁଲେ ତାର ନୂଆ ଶିକାର ଉଦ୍ଦେଶ୍ୟରେ । ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ୯୦ରୁ ୯୫ଭାଗ ବଡ଼ ଲୋକଙ୍କଠାରେ ଭୂତାଣୁର ପ୍ରାଦୁର୍ଭାବ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଏ ଅତି ବେଶୀରେ ଛଅ ମାସ ସମୟ ଭିତରେ, ଏହାକୁ କୁହାଯାଏ ‘ଏକ୍ୟୁଟ୍ ହେପାଟାଇଟିସ୍-ବି' । ହେଲେ, ବାକି ୫ରୁ ୧୦ ପ୍ରତିଶତ ବଡ଼ ଲୋକ, ୫୦ ପ୍ରତିଶତ ୧ରୁ ୫ବର୍ଷିଆ ଶିଶୁ ଏବଂ ୯୦ ପ୍ରତିଶତ ଜନ୍ମିତ ଶିଶୁଙ୍କଠାରେ ହେପାଟାଇଟିସ୍ବି ଭୂତାଣୁଟି ଆଜୀବନ ଆବୋରି ବସେ ଏବଂ ଏହାକୁ କୁହାଯାଏ ‘କ୍ରୋନିକ୍ ହେପାଟାଇଟିସ୍-ବି' ବୋଲି ।
ଏବେ ଟିକିଏ ଆଖି ପକାଇବା ଭୂତାଣୁଟି ଆମ ଶରୀରକୁ ଆସିବା ମାଧ୍ୟମ ଉପରେ । ଏଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରକାଶନ ‘ଦ ଇନ୍ଫେକ୍ସିଅସ୍ ଇଟିଓଲୋଜି ଅଫ୍ କ୍ରୋନିକ୍ ଡିଜିଜେସ୍’ ପୁସ୍ତକରେ ପ୍ରକାଶିତ ମେସନ୍ ୱିଲାମ୍ଙ୍କ ଲେଖା ଆଦିକୁ ବିଚାରକୁ ନିଆଯାଇପାରେ ପ୍ରକୃତ ତଥ୍ୟ ଜାଣିବା ପାଇଁ । ବିଶେଷତଃ ସଂକ୍ରମିତ ମା’ଠାରୁ ଜନ୍ମିତ ଶିଶୁଠାରେ ଏଭଳି ସଂକ୍ରମଣର ସମ୍ଭାବନା ବହୁ ଅଧିକ । ପୁନଶ୍ଚ ଭୂତାଣୁଟି ସଂକ୍ରମିତ ବ୍ୟକ୍ତିର ରକ୍ତ ତଥା ଲାଳ, ପ୍ରଜନନ ରସ ପରି ଶରୀରରୁ ନିର୍ଗତ ତରଳ ପଦାର୍ଥରେ ଭରି ରହିଥିବା ହେତୁ ଏହାର ସଂସ୍ପର୍ଶରେ ସୁସ୍ଥ ବ୍ୟକ୍ତି ଆସିଲେ ସଂକ୍ରମଣର ଭୟ ନିଶ୍ଚିତରେ ରହିଥାଏ । ସଂକ୍ରମିତ ରକ୍ତ ବହନ କରିଥିବା ଯେକୌଣସି ଜିନିଷ ଯେପରିକି ଛୁଞ୍ଚି ବା ଇଞ୍ଜେକ୍ସନ ଅବା ଅପରେସନ ଆଦିରେ ଲୋଡ଼ା ହେଉଥିବା ଉପକରଣ, ଟାଟୋ କରିବା ପାଇଁ ବ୍ୟବହୃତ ଯନ୍ତ୍ର, କାନ ନାକ ଆଦି କଣା କରିବା ଅସ୍ତ୍ର, ଖିଅର ହେବା ସରଞ୍ଜାମ ଆଦିର ବ୍ୟବହାର ହେତୁ ଏହାର ସଂକ୍ରମଣ ହେଉଥିବାର ଉଦାହରଣ ଏ ସମାଜରେ କାହିଁରୁ କେତେ ।
ଏହାଛଡ଼ା ଅସୁରକ୍ଷିତ ଯୌନ ସମ୍ପର୍କ, ଭୂତାଣୁ ବହନକାରୀର ଜିନିଷ ଯେପରିକି ଟୁଥ୍ବ୍ରସ୍, ବ୍ଲେଡ୍, ନେଲ୍ କଟର୍, ଗହଣା ଆଦିର ଉପଯୋଗ ଦ୍ୱାରା ମଧ୍ୟ ଏହା ଯେ ସୁସ୍ଥ ମନୁଷ୍ୟ ଦେହରେ ପହଞ୍ଚିପାରେ ଏଥିରେ ସନ୍ଦେହ ନାହିଁ । ମାତ୍ର ୨୦୦୨ ମସିହାରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏମ୍ସ୍ର ଡାକ୍ତର ଆରୋରାଙ୍କ ମତାମତକୁ ନେଇ ପ୍ରସ୍ତୁତ କଳ୍ପନା ଜୈନଙ୍କ ଲେଖାଟିରୁ ରୋଗୀର ପିନ୍ଧାଲୁଗା, ଗାମୁଛା, ଚାଦର, ରୁମାଲ ପରି କପଡ଼ା ସବୁ ବି ଭାଇରସ୍କୁ ଅନ୍ୟଠେଇଁ ନେଇଯିବାରେ ସକ୍ଷମ ବୋଲି ଜଣାଯାଏ । କିନ୍ତୁ ଏଥିରେ ସମସ୍ତେ ଏକମତ ଯେ ଆମ ଦେହ ଭିତରକୁ ସିଧା ପ୍ରବେଶ ପଥଟିଏ ନପାଇଲେ ଏହା ଆମକୁ ଆକ୍ରମଣ କରିପାରେନାହିଁ । ଏଣୁ ପ୍ରାୟତଃ ବିଶ୍ୱାସ କରାଯାଏ ଯେ କାଶିବା, ଛିଙ୍କିବା, ଚୁମା ଦେବା, ହାତ ମିଳେଇବା, ଆଲିଙ୍ଗନ କରିବା, ସ୍ତନ୍ୟପାନ, ଟୟଲେଟ୍ ଅବା ଖାଇବା ବାସନ ଆଦିରୁ ଏହାର ବ୍ୟାପିବାର ସମ୍ଭାବନା ନାହିଁ କହିଲେ ଚଳେ ।
ଏହି ପରିପ୍ରେକ୍ଷୀରେ ଗୋଟିଏ ଉଦାହରଣ ମୁଁ ନିହାତି ଦେବାକୁ ଚାହେଁ । ବିଭିନ୍ନ ଦେଶରେ କରାଯାଇଥିବା ଗବେଷଣାରୁ ଜଣାଯାଏ ଯେ, ବାରିକର ସେଲୁନ୍ଟି ଏଭଳି ସଂକ୍ରମଣର ଏକ ପ୍ରଧାନ ଉତ୍ସ ରୂପେ ଉଭା ହୋଇଛି । ତୁର୍କୀରେ ପ୍ରାୟ ୪୦ ପ୍ରତିଶତ ବାରିକଙ୍କ ଦେହରେ ଏ ଭୂତାଣୁ ରହିଥିବାର ଏକ ରିପୋର୍ଟ ୨୦୦୨ ମସିହାରେ କାନ୍ଦାନ୍ ଏବଂ ସାଥିଙ୍କ ତରଫରୁ ପ୍ରକାଶିତ ହେବାର ନଜିର ରହିଛି । ଏପରିକି ଭାରତରେ ମଧ୍ୟ ଏର୍ଣ୍ଣାକୁଲମ୍ର ରାମମଙ୍ଗଲମ୍ ପଞ୍ଚାୟତ ଠାରେ ଏପରି ହୋଇଥିବା କଥା ଡ. ଅରୁଣ କୁମାର ଏବଂ ସାଥୀଙ୍କ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧରେ ନ୍ୟୁ ଇଣ୍ଡିଏନ୍ ଏକ୍ସପ୍ରେସ୍ ଖବରକାଗଜକୁ ସୂଚନା ପ୍ରଦାନ କରି ଡ. କୁମାର ସେଲୁନ୍ରେ ବ୍ଲେଡ ହୋଲ୍ଡର, କଇଁଚି, ବ୍ରସ୍ ଆଦି ଯେ ଭୂତାଣୁର ଲୁଚିବା ଜାଗା ଖାଲି ସେକଥା କହିଛନ୍ତି ତା'ନୁହେଁ³ ଏହା ସାଙ୍ଗରେ କୀଟାଣୁନାଶକ ରୂପରେ ବାରିକ ବ୍ୟବହାର କରୁଥିବା ଫିଟିକିରି ବି ଭୂତାଣୁକୁ ଧରି ରଖିବାରେ ଯେ ସମର୍ଥ ତାହା ମଧ୍ୟ ଚେତେଇ ଦେଇଛନ୍ତି ଅତି ସ୍ପଷ୍ଟ ଭାବରେ ।
ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ହେପାଟାଇଟିସ୍-ବି ସଂକ୍ରମିତ ବ୍ୟକ୍ତିଠାରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ବିଷୟରେ ଜଣାଇଦିଏ ଯେ, ସଂକ୍ରମଣର ଆପାତତଃ ୯୦ଦିନ ପରେ ଲକ୍ଷଣଗୁଡ଼ିକ ପ୍ରକାଶ ପାଇଥାଏ, ଯାହାକି ସ୍ଥଳବିଶେଷରେ ୬୦ରୁ ୧୫୦ ଦିନ ହୋଇଥାଏ । ଏକ୍ୟୁଟ ହେପାଟାଇଟିସ୍ବିର ଲକ୍ଷଣଗୁଡ଼ିକ ମଧ୍ୟରେ ପେଟବ୍ୟଥା, ବାନ୍ତି ବାନ୍ତି ଲାଗିବା ବା ବାନ୍ତି ହେବା, ଗାଢ଼ ପରିସ୍ରା ବା ମାଟି ରଙ୍ଗର ଝାଡ଼ା, ହାଲିଆ ଲାଗିବା, ଜ୍ୱର, ଶରୀର ହଳଦିଆ ହେବା (କାମଳ), ଆଣ୍ଠୁଗଣ୍ଠି ପୀଡ଼ା ଏବଂ ଭୋକ ମରିଯିବା ଆଦି ପ୍ରଧାନ । ଏସବୁ ଲକ୍ଷଣ ଆପେ ଆପେ ଛଅ ସପ୍ତାହରୁ ଛଅ ମାସ ମଧ୍ୟରେ ଉଭେଇଯିବା ସ୍ୱାଭାବିକ ହେଇଥାଏ ଅଧିକାଂଶ ରେଗୀଙ୍କଠାରେ । କିନ୍ତୁ କିଛି ଅଭାଗା ରୋଗୀଙ୍କ କ୍ଷେତ୍ରରେ ଏହା କ୍ରୋନିକ୍ ହେପାଟାଇଟିସ୍-ବି, ପ୍ରାଥମିକ ଲିଭର କ୍ୟାନ୍ସର ବା ସିରୋସିସ୍କୁ ମଧ୍ୟ ଡାକିଆଣିଥାଏ ଜାଣିବାର ଅବକାଶ ନଦେଇ । ଆହୁରି ମଧ୍ୟ କିଛି ଏକ୍ୟୁଟ ହେପାଟାଇଟିସ୍-ବି ଏବଂ ପ୍ରାୟତଃ କ୍ରୋନିକ୍ ହେପାଟାଇଟିସ୍-ବି ରୋଗୀ ଲକ୍ଷଣହୀନ ହୋଇଥାନ୍ତି ରୋଗ ଅତ୍ୟଧିକ ବଢ଼ିନଯିବା ପର୍ଯ୍ୟନ୍ତ । କ୍ରୋନିକ୍ ହେପାଟାଇଟିସ୍-ବି’ର ସମୟୋପୋଯୋଗୀ ତଥା ଉପଯୁକ୍ତ ନିଦାନ ନହେଲେ ଏହା ସମୟକ୍ରମେ ଲିଭର୍ କ୍ୟାନ୍ସର ବା ସିରୋସିସ୍ର କାରଣ ହୋଇ ରୋଗୀକୁ ମୃତ୍ୟୁମୁଖକୁ ଠେଲି ଦେଇପାରେ ।
ଗର୍ଭବତୀ ମହିଳା, ହେପାଟାଇଟିସ୍-ବି ଧାରଣକାରୀ ମା’ଠାରୁ ଜନ୍ମିତ ଶିଶୁ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ରୋଗୀ ସହ ଗୋଟିଏ ଘରେ ଚଳପ୍ରଚଳ ହେଉଥିବା ଲୋକେ, ଜେଲ ବା ବୃଦ୍ଧାଶ୍ରମ ଭଳି ବହୁଲୋକଙ୍କ ଚଳିବା ସ୍ଥାନରେ ରହୁଥିବା ଲୋକେ, ନିଶାଖୋର ବ୍ୟକ୍ତି, ଅସୁରକ୍ଷିତ ଯୌନ କାରବାରରେ ଲିପ୍ତ ବ୍ୟକ୍ତିବିଶେଷ, ନାପିତ ବା ବିଉଟିସିଏନ୍ ଏବଂ ତାଙ୍କ ଗ୍ରାହକ ପରିକା ଲୋକମାନେ ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବେଶୀ ଥାଏ ବୋଲି କହିବାକୁ ହେବ । ହେପାଟାଇଟିସ୍-ବି ଟିକା ହିଁ ଏହାକୁ ରୋକିବାର ଯେ ଏକ ପ୍ରକୃଷ୍ଟ ମାଧ୍ୟମ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବିଶେଷକରି ପ୍ରତ୍ୟେକ ଗର୍ଭବତୀ ମହିଳା, ଜନ୍ମିତ ଶିଶୁ, ଶିଶୁବର୍ଗ ଓ ବୟସ୍କ ବ୍ୟକ୍ତିଙ୍କ ଟିକାକରଣକୁ ନିଶ୍ଚିତ କରିପାରିଲେ ଭଲ । ଏହା ସମ୍ଭବ ନହେଲେ ସଂକ୍ରମଣକୁ ଆମନ୍ତ୍ରଣ କରୁଥିବା ପୂର୍ବ ବର୍ଣ୍ଣିତ ବିଷୟଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଲେ ଅବା ଅନ୍ୟର ରକ୍ତ ବା ଶରୀରର ରସ ଯେପରି ନିଜ ଶରୀର ମଧ୍ୟକୁ ପ୍ରବେଶ ନକରେ ସେ ନେଇ ସଚେତନ ହେଲେ ଏହି ରୋଗର ପ୍ରସାରରେ ରୋକ୍ ଲାଗିପାରିବ ବୋଲି ମନେହୁଏ ।
ସେହିପରି ଅନ୍ୟ ଚାଳିଶ ମିଲିୟନ ଭାରତୀୟଙ୍କ ପରି ହେପାଟାଇଟିସ୍-ବି ଭୂତାଣୁ ନିଜ ଦେହରେ କ୍ରୋନିକ ସ୍ଥିତିରେ ରହିଥିବାର ଜଣାପଡ଼ିବା ମାତ୍ରକେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଆପଣେଇ ଏହାର ନିଦାନ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଟିକିଏ ବି ହେଳା ନକରି ନିୟମିତ ବ୍ୟବଧାନରେ ଭାଇରାଲ୍ ଲୋଡ୍, ଲିଭରର ସ୍ଥିତି ଆଦି ସୁନିଶ୍ଚିତ କରିପାରିଲେ ସୁସ୍ଥତା ସହ ଜୀବନକୁ ବି ଲମ୍ବା ଟାଣି ନେଇହେବ ବୋଲି ଡାକ୍ତରୀ ପାଠ କହିଥାଏ । ଶେଷ କଥା ପଦକ ହିସାବରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଜନସଚେତନତା ସହ ନିଜେ ହେପାଟାଇଟିସ୍-ବି ରୋଗୀ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିଲେ ଏହି ରୋଗର ମୂଳୋତ୍ପାଟନ ସମ୍ଭବ ହୋଇପାରେ ବୋଲ