ନୂଆଦିଲ୍ଲୀ: ବିଧାନସଭାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଛି। ଦିଲ୍ଲୀର ବିରୋଧୀ ଦଳ ଆମ ଆଦମୀ ପାର୍ଟି (ଆପ) ଏହି ଦାବି କରିଛି । ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି ଯେ, ଏହା ବିଜେପିର ଦଳିତ ବିରୋଧୀ ରାଜନୀତିକୁ ପର୍ଦ୍ଦାଫାସ କରୁଛି।
ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି ଯେ, "ଦିଲ୍ଲୀ ସରକାରରେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ଲଗାଯାଇଥିଲା। କିନ୍ତୁ ଆଜି ଯେତେବେଳେ ଆମେ ବିଧାନସଭାରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଭେଟିବାକୁ ଯାଇଥିଲୁ, ଆମେ ଦେଖିଲୁ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି ଫଟୋ ହଟାଇ ଦିଆଯାଇଛି । ଏହାକୁ ନେଇ AAP ବିଧାନସଭାରେ ଏହାର ଦୃଢ଼ ବିରୋଧ କରୁଛି। ଆପ ଦାବି କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଅଛି।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଫଟୋ ହଟାଇବା ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି,"ଦିଲ୍ଲୀର ନୂତନ ବିଜେପି ସରକାର ବାବା ସାହେବଙ୍କ ଫଟୋକୁ ହଟାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲଗାଇଛି।" ଏହା ଠିକ୍ ନୁହେଁ।
"ଏହା ବାବା ସାହେବଙ୍କ କୋଟି କୋଟି ଅନୁଗାମୀଙ୍କୁ ଆଘାତ ଦେଇଛି।" ମୋର ବିଜେପିକୁ ଗୋଟିଏ ଅନୁରୋଧ ଅଛି। ତୁମେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇପାର କିନ୍ତୁ ବାବା ସାହିବଙ୍କ ଫଟୋ ହଟାଅ ନାହିଁ। ତାଙ୍କ ଫଟୋ ସେଠାରେ ରହିବାକୁ ଦିଅ। ଫଟୋଗ୍ରାଫ ଗୁଡ଼ିକୁ ନେଇ ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି।