ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ଗସ୍ତରେ ଅଛନ୍ତି। ଭାଗଲପୁରଠାରେ ଆୟୋଜିତ ଏକ ରାଲିରେ ଯୋଗଦେଇ ପିଏମ ମୋଦି ମଖାନା ସମ୍ପର୍କରେ କିଛି ରୋଚକ ମନ୍ତବ୍ୟ ଦେଇଛନ୍ତି। ସେ ନିଜ ଭାଷଣରେ ପ୍ରତିଦିନ ମଖାନା ଖାଆନ୍ତି ଯାହା ତାଙ୍କୁ ସ୍ୱାସ୍ଥ୍ୟଗତ ଉପକାର ପ୍ରଦାନ କରିବା ସହ ଚିନ୍ତାରୁ ମୁକ୍ତ ରଖିଥାଏ ବୋଲି କହିଛନ୍ତି। ଏହା ସହ ମଖାନାକୁ ବୈଶ୍ୱିକ ସ୍ତରରେ ଉତ୍ପାଦନ କରାଯିବା କଥା ବୋଲି ମଧ୍ୟ ସେ କହିଛନ୍ତି।
ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାଗଲପୁରଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ପିଏମ ମୋଦି ଯୋଗ ଦେବା ସହ ମଖାନାର ସ୍ୱାସ୍ଥ୍ୟଗତ ଉପକାର ସମ୍ୱନ୍ଧରେ ନିଜ ଭାଷଣରେ କହିଥିଲେ। ତେବେ ସେ ଏହି ସଭାରେ ପହଞ୍ଚିବା ପରେ ତାଙ୍କୁ ସମ୍ୱର୍ଦ୍ଧନା କରିବା ପାଇଁ ମଖାନାରୁ ପ୍ରସ୍ତୁତ ଏକ ମାଳା ପିନ୍ଧାଯାଇଥିଲା।
ରାଲିରେ ଯୋଗ ଦେଇ ପିଏମ୍ ମୋଦି ମାଖନାକୁ ନେଇ ଅନେକ କଥା କହିଥିଲେ। “ବର୍ତ୍ତମାନ ଭାରତର ସମସ୍ତ ସହର ଓ ରାଜ୍ୟରେ ମଖାନାକୁ ଜଳଖିଆ ଭାବେ ଗ୍ରହଣ କରାଯାଉଛି। ବର୍ଷକ ୩୬୫ ଦିନ ମଧ୍ୟରୁ ମୁଁ ୩୦୦ ଦିନ ମଖାନା ଖାଇଥାଏ। ଏହା ଏକ ସୁପର ଫୁଡ। ଯାହା ଶରୀରରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ” ବୋଲି ସେ କହିଛନ୍ତି। ପିଏମ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ “କେନ୍ଦ୍ର ବଜେଟରେ ମଧ୍ୟ ମାଖନାକୁ ପ୍ରାଧାନ୍ୟ ଦିଆଯାଇ ବିହାରରେ ଏକ ମାଖନା ବୋର୍ଡ ଗଠନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ଯୋଗୁଁ ମାଖନା ବର୍ତ୍ତମାନ ସାରା ବିଶ୍ୱରେ ପହଞ୍ଚିବ।”
ସୂଚନା ମୁତାବକ ଗତ ଫେବୃଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାରରେ ଏକ ମାଖନା ବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହା ମଖାନା ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ ଓ ମଖାନାର ମାର୍କେଟିଂ କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଆସନ୍ତା ଅକ୍ଟୋବର ଓ ନଭେମ୍ୱର ମାସରେ ବିହାରରେ ହେବାକୁ ଥିବା ନିର୍ବାଚନ ପାଇଁ ଭୋଟରମାନଙ୍କୁ ଖୁସି କରିବାକୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ବିରୋଧି ଦଳ ଦାବି କରୁଛି।
ବିହାର ଭାରତର ସର୍ବବୃହତ୍ତମ ମଖାନା ଉତ୍ପାଦନ କରୁଥିବା ରାଜ୍ୟ ଭାବେ ପରିଗଣିତ। କାରଣ ଭାରତରେ ଉତ୍ପାଦିତ ହେଉଥିବା ମଖାନା ମଧ୍ୟରୁ ବିହାରର ଅବଦାନ ୮୦ ପ୍ରତିଶତ ରହିଛି। ତେବେ ମଖାନା ପାଇଁ ଏକ କେନ୍ଦ୍ରିୟ ସହାୟକ ବୋର୍ଡ ଆଜିଯାଏ ସ୍ଥିର ହୋଇପାରିନଥିବାରୁ ବିହାର ଏହାର ବୈଶ୍ୱିକ ଆବଶ୍ୟକତାକୁ ମେମ୍ଟାଇ ପାରୁନାହିଁ।