ନୂଆଦିଲ୍ଲୀ,୨୪/୦୨ : ଚାଷୀଙ୍କ ମୁହଁରେ ଖୁସିର ଲହରୀ । ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି । ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ବ୍ଯୟ ବରାଦ କରିଛନ୍ତି ।
ପିଏମ୍ କିଷାନ ଯୋଜନାରେ ଦେଶର ଅନ୍ନଦାତାଙ୍କୁ ଆର୍ଥିକ ସହୟତା ପ୍ରଦାନ କରୁଛି । ପୂର୍ବରୁ ଏହି ଯୋଜନର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ପ୍ରଦାନ କରାଯାଇଥିଲା । ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାଶି ପ୍ରଦାନ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ପ୍ରତି ୪ ମାସ ବ୍ୟବଧାନରେ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । 'ପିଏମ କିଷାନ' ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା । ୨୦୧୯ରେ ମୋଦି ସରକାର ଏହାର ଶୁଭାରମ୍ଭ କରିଥିଲେ । ଯୋଜନାକୁ ନେଇ ବିଭିନ୍ନ ନିୟମ ମଧ୍ୟ ରହିଛି । ଯଦି ଜଣେ କୃଷକ ଜମିକୁ ଚାଷ କାର୍ଯ୍ୟରେ ବ୍ୟବହାର କରୁନାହାନ୍ତି ତେବେ ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହା ସହିତ ଯଦି ଜଣେ ଚାଷୀ ଚାଷ କରୁଛନ୍ତି ମାତ୍ର ଜମିଟି ତାଙ୍କର ନୁହେଁ ସେ ମଧ୍ୟ ଯୋଜନାରୁ ବଞ୍ଚିତ ରହିବେ ।
କେମିତି ଜାଣିବା ବ୍ୟାଙ୍କ ଷ୍ଟାଟର୍ସ- ୧୯ତମ ପିଏମ କିଷାନ ଟଙ୍କା ଆପଣଙ୍କ ଖାତାକୁ ଆସିଲା ନା ନାହିଁ ଘରେ ବସି ଜାଣିପାରିବେ । ହାତ ପାପୁଲିରେ ଦେଖି ପାରିବେ ବ୍ୟାଙ୍କ ଷ୍ଟାର୍ଟସ । ଜାଣିବାକୁ ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପୋର୍ଟାଲ https://pmkisan.gov.in/ ଯିବାକୁ ପଡିବ । ଏହା ପରେ "ଫାରର୍ମର କର୍ଣ୍ଣର"ସେକ୍ସନକୁ ଯାଇ "ନୋ ଇୟୋର ଷ୍ଟାର୍ଟସ" ଉପରେ କ୍ଲିକ କରିବାକୁ ପଡିବ । ଏହା ପରେ ରେଜିଷ୍ଟ୍ରେସନ ନମ୍ବର ଦେବେ । ଏହାପରେ ସ୍କ୍ରିନରେ ଆପଣଙ୍କୁ ବ୍ୟାଙ୍କ ଖାତା ସହ ଜଡିତ ସୂଚନା ମିଳିଯିବ ।