ନୂଆଦିଲ୍ଲୀ: ଅଶ୍ଲିଳ ବୟାନ ଦେଇ ବିବାଦରେ ଛନ୍ଦି ହୋଇପଡିଥିବା ୟ୍ୟଟ୍ୟୁବର ରଣବୀର ଆହ୍ଲାବାଦିଆ ସୋମବାର ମହାରାଷ୍ଟ୍ର ସାଇବର ପୋଲିସ ନିକଟରେ ନିଜ ବୟାନ ରେକର୍ଡ କରିଛନ୍ତି। ତାଙ୍କ ସହ ଶୋରେ ଭାଗନେଇଥିବା ଅନ୍ୟ ୟୁଟ୍ୟୁବର ଆଶିଷ ଚଞ୍ଚଲାନି ମଧ୍ୟ ଏହି ମାମଲାରେ ନିଜ ବୟାନ ରେକର୍ଡ କରିଛନ୍ତି। ସମୟ ରାଇନାଙ୍କ କମେଡି ଶୋ ଇଣ୍ଡିଆଜ୍ ଗଟ ଲାଟେଣ୍ଡରେ ଦିଆଯାଇଥିବା ବିବାଦିୟ ବୟାନ ପାଇଁ ମହାରାଷ୍ଟ୍ର ସାଇବର ପୋଲିସ ପକ୍ଷରୁ ଏହା ଉପରେ ଏକ ମାମଲା ରୁଜୁ କରାଯାଇଥିଲା।
ଏନେଇ ଉଭୟ ଆହ୍ଲାବାଦିଆ ଓ ଚଞ୍ଚଲାନି ସାଇବର ସେଲ ଅଧିକାରିଙ୍କ ସହ ଯୋଗାଯୋଗରେ ରହିଥିଲେ। ତେବେ ସାଇବର ପୋଲିସ ପକ୍ଷରୁ ଉଭୟଙ୍କୁ ସୋମବାର ଦିନ ଥାନାରେ ହାଜର ହେବାକୁ ସମନ ଜାରି କରାଯାଇଥିଲା।
ସୂଚନା ମୁତାବକ, କମେଡିଆନ ସମୟ ରାଇନା ୟୁଟ୍ୟୁବରେ ନିଜର ଏକ କମେଡି କାର୍ଯ୍ୟକ୍ରମ ‘ଇଣ୍ଡିଆଜ୍ ଗଟ ଲାଟେଣ୍ଡ’ ଚଳାଉଥିଲେ। ଏହି କାର୍ଯ୍ୟକ୍ରମର ଏକ ଏପିସୋଡରେ ଜଜ୍ ହୋଇ ଆସିଥିବା ରଣବୀର ଆହ୍ଲାବାଦିଆ ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ପିତାମାତାଙ୍କ ଯୌନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଆଉ ଏହାପରେ ଏହାକୁ ନେଇ ସାରା ଭାରତରେ ବିବାଦ ଦେଖାଯିବା ଆରମ୍ଭ ହୋଇଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମର ଜଜ୍ ପ୍ୟନେଲରେ ସମୟ ରାଇନା, ରଣବୀର ଆହ୍ଲାବାଦିଆଙ୍କ ସହ ଆଶିଷ ଚଞ୍ଚଲାନି, ଜସପ୍ରିତ ସିଂ ଓ ଅପୂର୍ବା ଝା ମଧ୍ୟ ରହିଥିଲେ। ଏଣୁ ସମସ୍ତଙ୍କ ବିରୁଦ୍ଧରେ ଆସାମ ପୋଲିସ ଏକ ମାମଲା ରୁଜୁ କରିଥିଲା।
ଚଞ୍ଚଲାନି ସୁପ୍ରିମ କୋର୍ଟରେ ତାଙ୍କ ଉପରେ ଆସାମ ପୋଲିସ କରିଥିବା ମାମଲାକୁ ମୁମ୍ୱାଇ ନେଇ ଆସିବାକୁ ନିବେଦନ କରିଥିଲେ। ସୁପ୍ରିମ କୋର୍ଟ ଏହି ବିଚାର ଉପରେ ସମ୍ମତ୍ତି ଜଣେଇ ଉଭୟ ରାଜ୍ୟକୁ ଦୁଇଟି ନୋଟିସ ପଠାଇଥିଲେ। ତେବେ ଗତ ସପ୍ତାହରେ ଆହ୍ଲାବାଦିଆଙ୍କ ଓକିଲ ତାଙ୍କୁ ହତ୍ୟା ଧମକ ମିଲୁଥିବାରୁ ଥାନାରେ ହାଜର ହୋଇପାରିବେନାହିଁ ବୋଲି ସୂଚନା ଦେଇଥିଲେ। ପୂର୍ବରୁ ସାଇବର ସେଲ ପକ୍ଷରୁ ଆହ୍ଲାବାଦିଆଙ୍କ ପାଇଁ ଦୁଇଟି ସମନ ଜାରି କରାଯାଇଥିଲା। କିନ୍ତୁ ଶୁକ୍ରବାର ଜାରି କରାଯାଇଥିବା ସମନ ମୁତାବକ ଆହ୍ଲାବାଦିଆ ଥାନାରେ ପହଞ୍ଚି ନିଜ ବୟାନ ଜାରି କରିଛନ୍ତି।
ସୁପ୍ରିମ କୋର୍ଟ ଆହ୍ଲାବାଦିଆଙ୍କ ଏହି ମାମଲାକୁ ଭତ୍ସନା କରିବା ସହ ତାଙ୍କୁ ବିନା ଆଦେଶରେ ଦେଶ ଛାଡି ନଯିବା ପାଇଁ ଆଦେଶ ଦେଇଛନ୍ତି। ତେବେ ସମାନ ମାମଲା ପାଇଁ ଆଗକୁ ଆଉ ଆହ୍ଲାବାଦିଆଙ୍କ ଉପରେ ମାମଲା ରୁଜୁ ହେବ ନାହିଁ ବୋଲି ରାୟ ପ୍ରଦାନ କରିଛନ୍ତି।