"ମୋ ଶୂନ୍ୟ କୋଳ ତୋ ଅପେକ୍ଷାରେ... । ତୁ ଫେରିଆ ମା'... । ତୁ ଯାହା କହିବୁ ମୁଁ ମାନିନେବି । ଦରକାର ନାହିଁ ସେ ହାୟର ଷ୍ଟଡିଜ । ଲୋଡ଼ା ନାହିଁ ସେ କ୍ୟାରିଅର, ବଡ଼ ଚାକିରି... । ମୋର ଦରକାର ମୋ ଝିଅ... ତୁ ଯେଉଁଠି ଅଛୁ ଫେରିଆ... ।' ଏ ଥିଲା ଗୋଟିଏ ମା'ର ହୃଦୟଭିଜା ଆକୁଳ ନିବେଦନ । ସ୍ୱପ୍ନଭଙ୍ଗର ମୁହୂର୍ତ୍ତକୁ ସାମ୍ନା କରିପାରିନଥିଲା ଅଲିଅଳି ଝିଅର କୋମଳ ମନ । ସେଥିପାଇଁ ନିଜ ହାତରେ ମୃତ୍ୟୁର ପଥକୁ ବାଛିନେଲା । ଫୁଟିବା ପୂର୍ବରୁ ଝଡ଼ିପଡ଼ିଲା । ସନ୍ତାନର ନିରବ, ନିଶ୍ଚଳ ଶରୀରକୁ ଦେଖି ନିଜକୁ ସମ୍ଭାଳି ପାରୁନି ମା' । ଏ କରୁଣ କାହାଣୀ ଗୋଟିଏ ମା'ର ନୁହେଁ । ଏମିତି କେତେ ମା'ର ଲୁହ ଏ ମାଟିକୁ ଭିଜାଇ ସାରିବଣି, କେତେ ବାପାଙ୍କ କୋହ ଏ ପବନକୁ ବତୁରେଇ ସାରିବଣି ତାର ହିସାବ ନାହିଁ । ହେଲେ କାହିଁକି ଆଜିର ଯୁବପିଢ଼ି ଏମିତି ଆତ୍ମହତ୍ୟାପ୍ରବଣ ହୋଇପଡୁଛନ୍ତି? କିଏ ପରୀକ୍ଷା ନୋଟିସ ବାହାରିବା ଦେଖି କଲେଜ ଛାତରୁ ଡେଇଁ ପଡୁଛି । ପୁଣି କିଏ ପରୀକ୍ଷା ହଲ୍ରୁ ଫେରିବା ପରେ ଚରମ ନିଷ୍ପତ୍ତି ନେଉଛି । ପାଠ କଷ୍ଟ ଲାଗିଲେ କିଏ ହଷ୍ଟେଲ ଫ୍ୟାନରେ ଝୁଲିପଡୁଛି ତ ପ୍ରେମରେ ପ୍ରତାରଣା ସହିନପାରି କିଏ ଆତ୍ମହତ୍ୟା କରିଦେଉଛି।
ଗଣମାଧ୍ୟମ, ସୋସିଆଲ ମିଡିଆରେ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କର ଏପରି ଆତ୍ମହତ୍ୟା ଖବର ସବୁ ବାପାମା'ଙ୍କ ଚିନ୍ତା ବଢ଼େଇ ଦେଇଛି । ହେଲେ କାହିଁକି? ଏ ତ ବୟସ ମୁକ୍ତ ଆକାଶରେ ଡେଣା ମେଲି ଉଡ଼ିବାର । ଏ ତ ସମୟ ସାତ ସମୁଦ୍ର ତେର ନଦୀ ଲଂଘି ଲକ୍ଷ୍ୟସ୍ଥଳରେ ପହଞ୍ଚି ଯିବାର । ହେଲେ ସାମାନ୍ୟ ବିଫଳତା ତୁମର ପକ୍ଷଛେଦନ କରିଦେଉଛି କିପରି? ସାମାନ୍ୟ ପରୀକ୍ଷାର ଫଳ ତୁମକୁ ଏତେ ଦୁର୍ବଳ କରିଦେଉଛି କିପରି? ଏ ପଳାତକ ମାନସିକତା ପାଇଁ କିଏ ଦାୟୀ? ଆମେ ବାପା-ମା' ନୁହେଁ ତ? ଶିଖାଇବାରେ କେଉଁଠି ଆମର ତ୍ରୁଟି ରହିଗଲା କି? ବୋଧହୁଏ ହଁ । ଅଙ୍କ, ଇଂରାଜୀ ପଢେଇଲୁ । ଫିଜିକ୍ସ, କେମେଷ୍ଟ୍ରି ବୁଝେଇଲୁ । ହେଲେ ବିଫଳତାକୁ କେମିତି ସାମ୍ନା କରିବାକୁ ହେବ ସେକଥା କେବେ ଶିଖେଇଲୁ ନାହିଁ । ପ୍ରତିକୂଳ ସ୍ଥିତି ସହ ଲଢ଼ିବାର କୌଶଳ କେବେ କହିଲୁ ନାହିଁ।
ଜୀବନର ମହାର୍ଘ ମନ୍ତ୍ରଟିକୁ ପଢ଼େଇଲୁ ନାହିଁ । ଏହି ପ୍ରସଙ୍ଗରେ ମହାଭାରତର ଏକ ଉପାଖ୍ୟାନ ମନେପଡ଼େ । ପାଣ୍ଡବଙ୍କ ବନବାସ ସମୟର କଥା । ହଠାତ୍ ଦିନେ ପାଣ୍ଡବ ପାଞ୍ଚଭାଇ ଶ୍ରୀକୃଷ୍ଣଙ୍କୁ କଳିଯୁଗରେ ସାମାଜିକ ସ୍ଥିତି କେମିତି ରହିବ ସେ ବିଷୟରେ ପଚାରିଥିଲେ । ଶ୍ରୀକୃଷ୍ଣ ପାଞ୍ଚଜଣଙ୍କୁ କହିଲେ, ସମସ୍ତେ ବିଭିନ୍ନ ଦିଗକୁ ଯାଅ । ଫେରି ଆସିବା ପରେ କ'ଣ ଦେଖିଲ ମୋତେ କହିବ। ସେହି ଅନୁସାରେ ମୁଁ ତୁମ ପ୍ରଶ୍ନର ଉତ୍ତର ବୁଝାଇ ଦେବି । ଭୀମ ଯାଉ ଯାଉ ବାଟରେ ଦେଖିଲେ ଗୋଟିଏ ଗାଈ ତାର ନବଜାତ ବାଛୁରୀକୁ ଚାଟି ଚାଟି ସଫା କରୁଛି । ହେଲେ ଏତେ ଚାଟୁଛି ଯେ ବାଛୁରୀଟି ରକ୍ତାକ୍ତ ହୋଇପଡୁଛି । ଏ ଦୃଶ୍ୟ ଭୀମଙ୍କୁ ବଡ଼ ଅଦ୍ଭୁତ ଲାଗିଲା । ସେ କିଛି ବୁଝିନପାରି ସେଠାରୁ ଚାଲିଆସିଲେ । ଫେରି ଆସି ଶ୍ରୀକୃଷ୍ଣଙ୍କୁ ସବୁକଥା କହିଲେ । ଶ୍ରୀକୃଷ୍ଣ ଭୀମଙ୍କୁ ବୁଝାଇ କହିଲେ ‘ଏ ଦୃଶ୍ୟର ଅର୍ଥ ହେଉଛି, କଳିଯୁଗରେ ପିଲାଙ୍କ ପାଇଁ ବାପା-ମା'ଙ୍କର ମମତା ଏତେ ବେଶୀ ବଢ଼ିଯିବ ଯେ ବିକାଶ ପାଇଁ ପିଲାଙ୍କୁ ଅବସର ମିଳିବ ନାହିଁ । ବାପା-ମା' ଏତେ ଅଧିକ ଭଲପାଇବେ, ଯାହା ପିଲାଙ୍କ ଜୀବନ ପାଇଁ ତାହା ବିପଦର କାରଣ ସାଜିବ' । ଜଗତଗୁରୁ ଶ୍ରୀକୃଷ୍ଣଙ୍କର ସେଇ ଭବିଷ୍ୟବାଣୀ ଆଜି ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି । ଉଡ଼ି ବୁଲିବାର ବୟସରେ ଆଜି ପିଲାମାନେ ଝଡ଼ି ପଡୁଛନ୍ତି । ପିଲାଙ୍କୁ ଆମେ ଏତେ ଯୋଗ୍ୟ କରାଇ ଦେଉଛୁ ଯେ, ସେମାନେ ଫିଜିକ୍ସ, ମ୍ୟାଥମାଟିକ୍ସର ଜଟିଳରୁ ଜଟିଳତମ ତତ୍ତ୍ୱର ସମାଧାନ କରିପାରୁଛନ୍ତି । ହେଲେ ବଞ୍ଚିବାର ସରଳ ବାଟଟି ଶିଖିବାକୁ ଭୁଲି ଯାଉଛନ୍ତି ।
କେମେଷ୍ଟ୍ରିର ରାସାୟନିକ ପ୍ରତିକ୍ରିୟାକୁ ବୁଝିପାରୁଛନ୍ତି, ହେଲେ ବାପାମା'ଙ୍କ ହୃଦୟକୁ ବୁଝିପାରୁ ନାହାନ୍ତି, କେଉଁ ସମ୍ପର୍କକୁ ସଜାଡ଼ିବା ଦରକାର, କେଉଁ ସମ୍ପର୍କକୁ ଛିଡ଼ାଇବା ଦରକାର ତାହା ଜାଣିପାରୁ ନାହାନ୍ତି । ଭଲଭାବେ ଥରେ ଭାବି ଦେଖନ୍ତୁ, ପ୍ରତିଷ୍ଠିତ ମଣିଷ ହେବାର ନିଷ୍ଠା ପାଖରେ ପରୀକ୍ଷାର କମ୍ ପର୍ସେଣ୍ଟେଜ, ବିଫଳ ପ୍ରେମ ବା ତିକ୍ତ ବନ୍ଧୁତା କିଛି ବି ପ୍ରତିବନ୍ଧକ ସାଜିବ ନାହିଁ । ଏ ପରିପ୍ରେକ୍ଷୀରେ ଏକ ଛୋଟ ଅଥଚ ଅଙ୍ଗେନିଭା ଘଟଣା କହିବାକୁ ଚାହିଁବି । ଘରର ବଡ଼ପୁଅ ପ୍ରଶାନ୍ତ ବାବୁ । କ'ଣ ଅଘଟଣ ଘଟିଲା କେଜାଣି, ତାଙ୍କ ବାପାଙ୍କ ଚାକିରି ଚାଲିଗଲା । ତା’ପରେ ମାଡ଼ି ଆସିଥିଲା ବିପତ୍ତି । ପାଞ୍ଚ ପୁଅଝିଅଙ୍କୁ ଗାଁରେ ଚଳେଇବା କଷ୍ଟକର ହୋଇପଡ଼ିଲା । ଆସ୍ତେ ଆସ୍ତେ ଯାହା କିଛି ସ୍ୱଳ୍ପ ଜମି, ଘର ଥିଲା ସବୁ ବିକି ଦୁଇଓଳି ଆହାର ଯୋଗାଡ଼ କରିଥିଲେ ବାପା । ସେତକ ସରିବା ପରେ ଆଉ କିଛି ହିଁ ନଥିଲା । ଶେଷରେ ବଡ଼ପୁଅ ଭାବେ ପ୍ରଶାନ୍ତ ବାବୁ ଅଧାରୁ ପାଠପଢ଼ା ଛାଡ଼ି ଗାଁରୁ ରାଜଧାନୀ ଚାଲି ଆସିଥିଲେ । ଅଳ୍ପ କିଛି ଟଙ୍କାକୁ ପୁଞ୍ଜିକରି ରାଜଧାନୀ ରାସ୍ତାକଡ଼ରେ ଏକ ଛତା ତଳେ ବିକ୍ରି କଲେ ଚଷମା ଆଉ ପେନ୍ ।
ଇତିମଧ୍ୟରେ ତାଙ୍କର ପ୍ରେମ ତାଙ୍କୁ ପ୍ରତାରିତ କରିଥିଲା । ଅନେକ ସାଙ୍ଗ ହାତ ଛାଡ଼ି ଚାଲିଯାଇଥିଲେ । ତଥାପି ସେ ତାଙ୍କ ସଂଘର୍ଷ ଜାରି ରଖିଥିଲେ । ଲାଭକ୍ଷତିର ହିସାବ ତ କେହି ଜାଣନ୍ତିନି । ହେଲେ ସମସ୍ତେ ଦେଖୁଥିଲେ, କ୍ରମେ ପରିବାର ସମସ୍ତେ ରାଜଧାନୀକୁ ଚାଲିଗଲେ । ସେଠାରେ ଭାଇ, ଭଉଣୀଙ୍କୁ ଯଥାସାଧ୍ୟ ପାଠ ପଢ଼ାଇଥିଲେ ପ୍ରଶାନ୍ତ ବାବୁ । ତା’ପରେ ରାସ୍ତାକଡ଼ରୁ ଉଠିଆସି ଦୋକାନଟିଏ କଲେ । ଏବେ ନିଜ ଚେଷ୍ଟାରେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଅର୍ଥ, ସମ୍ମାନ, ପ୍ରତିଷ୍ଠା, ପ୍ରତିପତ୍ତି କେଉଁଥିରେ କମ୍ ନାହିଁ । ହେଲେ ଏତେ ପ୍ରତିଷ୍ଠା ସମ୍ମାନ ଭିତରେ ବି ପ୍ରଶାନ୍ତ ବାବୁ ଭୁଲି ପାରିନାହାନ୍ତି ତାଙ୍କ ଦୁଃଖ ସମୟରେ ସହାନୁଭୂତିର ହାତ ବଢ଼ାଇଥିବା ମଣିଷମାନଙ୍କୁ । ଏବେ ବି ସେ କୁହନ୍ତି- ଅଭାବୀ ମଣିଷଟିଏ ଦେଖିଲେ ତା’ ଭିତରେ ମୋ ପିଲାବେଳ ଦିଶିଯାଏ । ତେଣୁ ସହାୟତାର ହାତଟିଏ ସମସ୍ତଙ୍କ ପାଇଁ ତାଙ୍କର ଉନ୍ମୁକ୍ତ ରହିଛି ।
ଯଥାସାଧ୍ୟ ସାହାଯ୍ୟ କରି ସେ ଖୁସି ସାଉଣ୍ଟୁଛନ୍ତି । ଏହି ପ୍ରସଙ୍ଗରୁ ଏତିକି ଅନ୍ତତଃ ଶିଖିବା ଦରକାର ଯେ, ପିଲାଙ୍କୁ ଆମେ ଏମିତି ଗଢ଼ିବା, ଯେମିତି ସେ ସବୁ ସମୟରେ ସବୁ ପରିସ୍ଥିତିର ମୁକାବିଲା କରିପାରିବେ । ଆଉ ଏଥିପାଇଁ ପିଲାଙ୍କ ମାନସିକତାକୁ ସଜାଡ଼ିବା ନୁହେଁ, ବାପା-ମା’ଙ୍କ ଚିନ୍ତାଧାରାକୁ ବଦଳାଇବାର ସମୟ ଆସିଛି । ବାପା-ମା'ଙ୍କ ମାନସିକତାରେ ଏ ପରିବର୍ତ୍ତନ ଆଣିବାକୁ ପଡ଼ିବ ଯେ, ଆମ ପିଲା ପାଠମନସ୍କ ସହ ଜୀବନମନସ୍କ ହେବା ଦରକାର । ବଡ଼ ମଣିଷ ସହ ଭଲ ମଣିଷ ବି ହେବା ଦରକାର । ସୁଖରେ ରହିଲେ ବି ଦୁଃଖ ସହ ଲଢ଼ିପାରୁଥିବା ଦରକାର । ଦଉଡ଼ିବା ଦରକାର ହେଲେ, ଥରେ ଝୁଣ୍ଟପଡ଼ିଲେ କେମିତି ଉଠି ପୁଣି ଚାଲିବାକୁ ହେବ ସେ ଅଭ୍ୟାସ କରିବା ଦରକାର । ସ୍ୱପ୍ନ ପୂରଣ ହେବା ଭଲ, ହେଲେ ଅପୂରଣୀୟ ଇଚ୍ଛାକୁ ନିୟନ୍ତ୍ରଣ କରି କିପରି ଆଗକୁ ଯିବାକୁ ହେବ ତାହା ବି ଶିଖିବା ଦରକାର ।