ଆମ ମାତୃଭାଷା ଆମର ଅସ୍ତିତ୍ୱ ଆଉ ଭବିଷ୍ୟତ । ‘ଓଡ଼ିଆ’ ଭାଷାକୁ ନେଇ ଆମର ଏବେ ଅସହାୟ ଅବସ୍ଥା । ନା ନୂଆ ଶବ୍ଦ ସୃଷ୍ଟି କରୁଛୁ। ନା ଯାହା ଅଛି ତାକୁ ସୁରକ୍ଷା ଦେଇ ପାରୁଛୁ । ନିଜ ଜନ୍ମମାଟିର ଭାଷା ପାଇଁ ଓକିଲାତି କରିବାକୁ କାହାର ବା ବେଳ ଅଛି? ପୁଞ୍ଜି, ପ୍ରତିଷ୍ଠା ପାଇଁ ଆମେ ଏକମୁହାଁ ହୋଇ ଧାଇଁଛୁ ଯେ ଧାଇଁଛୁ... ।
ଭାଷା ହିଁ ଭବିଷ୍ୟତ । ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଆମ ମାତୃଭାଷା ଓଡ଼ିଆ ହେଉଛି ସମୃଦ୍ଧ ଓ ପ୍ରାଚୀନ ଭାଷା । କାହିଁ କେଉଁ କାଳରୁ ଆମ ଭାଷା ଆମ ବୀର ଜାତିର ସ୍ୱାଭିମାନ ଓ ଗୌରବକୁ ଅଧିକ ସମୃଦ୍ଧ କରି ଆସିଛି । ଆମ ମାତୃଭାଷା ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା କମ୍ ଗର୍ବ ଓ ଗୌରବ ନୁହେଁ । ହେଲେ ଆମ ମାତୃଭାଷାକୁ ଆମେ କେତେ ଭଲ ପାଉଛେ? ଆମ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଆମର ନିଷ୍ଠାପଣ ଓ ଆନ୍ତରିକତା କେତେ? ଏହି ପ୍ରଶ୍ନକୁ ନେଇ ବିତର୍କ ସରୁନି । ଧୀରେଧୀରେ ଆମ ଭାଷା ପ୍ରତି ଆମ ନୂଆ ପିଢ଼ିର ଆଦର ଯେ କମି ଚାଲିଛି ଏହା ଆମକୁ ସ୍ୱୀକାର କରିବାକୁ ହେବ । କେତେଦିନ ଆମେ ଏମିତି ହାତବାନ୍ଧି ବସିବା? ମା’, ମାଟି ଓ ମାତୃଭାଷା ପାଇଁ ଆମର କ’ଣ କିଛି ଦାୟିତ୍ୱ ନାହିଁ?
କମୁଛି ଆଦର, ବଢ଼ୁଛି ଆଶଙ୍କା
ସଂସ୍କୃତ ଓ ଲାଟିନ୍ ଭାଷା ଥିଲା ବିଶ୍ୱର ଶ୍ରେଷ୍ଠ ଭାଷା । ମାତ୍ର ଆଜି ଏ ଦୁଇ ମହାନ ଭାଷା ମୃତ ପ୍ରାୟ । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ନଥିଲେ ଆମ ସଂସ୍କୃତ ଭାଷା କେବେଠୁ ସମାଧି ନେଇ ସାରନ୍ତାଣି । ଏହା କହିଲେ କ’ଣ ଭୁଲ ହେବ? ଓଡ଼ିଆ ଭାଷାର ସ୍ଥିତି ‘ନେଡ଼ି ଗୁଡ଼ କହୁଣୀକୁ ବୋହିନି’ । ପରିସଂଖ୍ୟାନ କିନ୍ତୁ କହୁଛି, ପ୍ରତି ୧୦ ବର୍ଷରେ ତିନି ଦଶମାଂଶ ପ୍ରତିଶତ ଲୋକ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବାରୁ ବିରତ ହେଉଛନ୍ତି । ଏହା ଆମ ଭାଷାକୁ ନେଇ ଆଶଙ୍କା ଆଣୁନି କି? ନୂଆ ପିଢ଼ି ଆମ ମାତୃଭାଷାର ବହୁଳ ବ୍ୟବହାର କରୁନାହାନ୍ତି । ଆଧୁନିକ ଡିଜିଟାଲ ଦୁନିଆରେ ‘ଓଡ଼ିଆ’ ନିଜ ସ୍ଥିତିକୁ ଆଖିଦୃଶିଆ ଉପସ୍ଥାପିତ କରିପାରିନି ।
ଆମ ମୌଳିକ କଥାବାର୍ତ୍ତା ଓ ଲେଖାରୁ କ୍ରମଶଃ ବହୁ ଶବ୍ଦ ହଜି ଯାଉଛନ୍ତି । ସ୍ମୃତିର ଅଭିଧାନରୁ ମଧ୍ୟ ବହୁ ଶବ୍ଦ ହଜୁଛି । ଆମ ନୂଆ ପିଢ଼ି ମାତୃଭାଷାକୁ ଯେତିକି ଭଲ ପାଇବା କଥା ପାଉନି । ତା’ ଭିତରେ କେଉଁଠି ନା କେଉଁଠି ‘ଓଡ଼ିଆ’କୁ ନେଇ ଅନାଗ୍ରହ । କ’ଣ ଏହାର କାରଣ? ଏ ଦିଗରେ ସରକାର, ଭାଷାପ୍ରେମୀ, ବୁଦ୍ଧିଜୀବୀ ଓ ସମାଜବିଜ୍ଞାନୀଙ୍କୁ ଗଭୀର ଚିନ୍ତା କରିବାକୁ ହେବ । ସଂକଟ ହିଁ ସଂକଟମୋଚନ ପାଇଁ ମଣିଷକୁ ପ୍ରସ୍ତୁତ କରେ ।
ପ୍ରଚଣ୍ଡ ପ୍ରତିଭାଶାଳୀ ସ୍ରଷ୍ଟା ଗୋପୀନାଥ ମହାନ୍ତି କହିଥିଲେ, ମୋ ବୋଉର ଭାଷାରେ ମୁଁ ଲେଖେ । ନିଛକ ସତ । ପୃଥିବୀର ଶ୍ରେଷ୍ଠ ସାହିତ୍ୟିକମାନେ ମାତୃଭାଷାରେ ହିଁ ସାହିତ୍ୟ ରଚନା କରି ବିଶ୍ୱବିଖ୍ୟାତ ହୋଇଛନ୍ତି । ନିଜ ଜନ୍ମମାଟି, ମାତୃଭାଷାର ମଥାକୁ ଉଚ୍ଚା କରିଛନ୍ତି । ମାତୃଭାଷା ହେଉଛି ଭାବନା ଓ ଭାବପ୍ରବଣତା, ଜନ୍ମମାଟିର ସାହିତ୍ୟ, ସଂଗୀତ ଓ ସଂସ୍କୃତିର ମା’ । ଭାରତର ୧୦ଟି ଲୋକପ୍ରିୟ ଭାଷା ମଧ୍ୟରେ ଓଡ଼ିଆ ଅଛି । ମାତ୍ର ସବା ଶେଷରେ । ସାରା ପୃଥିବୀରେ ପ୍ରାୟ ୭ ହଜାର ଭାଷାରେ ଲୋକ କଥା ହୁଅନ୍ତି । ଏଥିରୁ ଅଧାରୁ ଅଧିକ ବିପଦରେ । ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । କିନ୍ତୁ ବିଶ୍ୱ ଭାଷା ସାମର୍ଥ୍ୟ ସୂଚକାଙ୍କରେ ଆମ ଭାଷାର ସ୍ଥାନ ୭୦ମ । ହିନ୍ଦୀ ୧୦ମ ସ୍ଥାନରେ ଅଛି । ପୃଥିବୀର ଶକ୍ତିଶାଳୀ ଭାଷାଭାଷୀଙ୍କ ସଂଖ୍ୟା ଦୃଷ୍ଟିରୁ ଆମେ ୩୨ରେ ଅଛୁ । ଆମ ଭାଷାର ସ୍ଥିତି ଅତି ଭଲ ନୁହେଁ ସତ, କିନ୍ତୁ ନୈରାଶ୍ୟଜନକ ମଧ୍ୟ ନୁହେଁ । ଆମ ଗୌରବଶାଳୀ ଭାଷାଠୁ ଆମ ପିଲାମାନେ ଦୂରେଇ ଯାଉଛନ୍ତି । ଆମେ କିନ୍ତୁ ହାତବାନ୍ଧି ବସିଛୁ । ଏହାଠାରୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ?
ଭାଗ୍ୟ ପଥର ତଳେ
ଭାଷା ହେଉଛି ଏକ ଜାତିର ମୁକୁଟ । ଆମ ଅସ୍ମିତାର ପରିଚୟ ଓଡ଼ିଆ ଭାଷା ଯେତିକି ବିଭବଶାଳୀ ସେତିକି ଗୌରବଶାଳୀ । ଆମ ଭାଷା ସଂକଟକୁ ଆସିନି ସତ, ଆମ ଉତ୍ତର ପିଢ଼ି ନିକଟରେ କିନ୍ତୁ ଆଦର ହରାଇଛି । ଜଗତୀକରଣ ପ୍ରଭାବରେ ଆମ ପିଲାମାନେ ବିଦେଶୀ ପ୍ରେମରେ ବାଇଆ । ସେ ଭାଷା ହେଉ, ଅବା ଖେଳନା । ପିଲାମାନଙ୍କ ପାଠପଢ଼ା ପାଇଁ ଆମର ପ୍ରଥମ ପସନ୍ଦ ଇଂରାଜୀ ମାଧ୍ୟମ ବିଦ୍ୟାଳୟ । ନିଜ ପିଲାଙ୍କୁ ସୁରକ୍ଷିତ ଭବିଷ୍ୟତ ଦେବାକୁ ଆମେ ମାତୃଭାଷାକୁ ମୁହଁ ମୋଡ଼ୁଛୁ । ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲ ଉପରେ ଅଭିଭାବକଟିଏ ଭରସା ମଧ୍ୟ କରିପାରୁନି । ଇଚ୍ଛା ଥାଉ ବା ନଥାଉ ପିଲାର ଶ୍ରୀଗଣେଶ ‘ଅ-ଆ’ ବଦଳରେ ‘ଏ-ବି-ସି-ଡି’ରୁ ହେଉଛି ।
ଭାଷା ଗବେଷକଙ୍କ ଯୁକ୍ତି ହେଉଛି, କୌଣସି ଭାଷାର ବିଲୋପ ପଛରେ ସାମାଜିକ ଓ ଅର୍ଥନୈତିକ ଚାପ ହେଉଛି ପ୍ରମୁଖ କାରଣ । ଜଣେ ବ୍ୟକ୍ତି ବା ଗୋଷ୍ଠୀ ସାମାଜିକ ନିରାପତ୍ତା ସହ ଆର୍ଥିକ ଉନ୍ନତି ପାଇଁ ପ୍ରଭାବଶାଳୀ ଭାଷା ଉପରେ ନିର୍ଭର କରେ । ନିଜର ଆଗାମୀ ପିଢ଼ିକୁ ସେଥିପାଇଁ ପ୍ରସ୍ତୁତ ମଧ୍ୟ କରିଥାଏ । କେବଳ ଓଡ଼ିଆରେ କଥାବାର୍ତ୍ତା ବା ସାହିତ୍ୟ ସୃଷ୍ଟି ହେଲେ ହେବ ନାହିଁ । ସୃଜନରୁ ଆରମ୍ଭ କରି ସରକାରୀ ଫାଇଲ, କୋର୍ଟ କଚେରି କାଗଜପତ୍ର, ପ୍ରଯୁକ୍ତିବିଦ୍ୟା, ଭେଷଜ ବିଜ୍ଞାନ, କମ୍ପ୍ୟୁଟର, ଉଦ୍ଭାବନ ଓ ଗବେଷଣାରେ ଓଡ଼ିଆ ଭାଷା ମୁଖ୍ୟ ଭାଷା ହେଉ । ଡିଜିଟାଲ ବିଶ୍ୱରେ ଓଡ଼ିଆ ଅଧିକ ଲୋକଙ୍କ ପାଖରେ ପହଞ୍ଚୁ ।
‘ଓଡ଼ିଆ’ ଭାଷାକୁ ନେଇ ଆମର ଅସହାୟ ଅବସ୍ଥା । ନା ନୂଆ ଶବ୍ଦ ସୃଷ୍ଟି କରୁଛୁ । ନା ଯାହା ଅଛି ତାକୁ ସୁରକ୍ଷା ଦେଇ ପାରୁଛୁ । ନିଜ ମାଟିର ଭାଷା ପାଇଁ ଓକିଲାତି କରିବାକୁ, କଥା କହିବାକୁ, ଶୁଣିବାକୁ କାହାର ବା ବେଳ ଅଛି? ପୁଞ୍ଜି, ପ୍ରତିଷ୍ଠା ପାଇଁ ଆମେ ଏକମୁହାଁ ହୋଇ ଧାଇଁଛୁ ଯେ ଧାଇଁଛୁ । ମାତୃଭାଷା ପାଇଁ ସମୟ କାହିଁ ଯେ? ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରି ଆଇନ ଆଣିଲେ । ସରକାରୀ ନଥିପତ୍ରରୁ ରାସ୍ତାଘାଟର ସାଇନ୍ବୋର୍ଡ ଯାଏ କିନ୍ତୁ ସବୁଠି ଓଡ଼ିଆ ଭାଷା ଅବହେଳା ଓ ଅଣଦେଖାର ଶିକାର।
ଦିନ ଥିଲା ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବାକୁ ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଶିଖିଲେ । ଏବେ କିନ୍ତୁ ଓଡ଼ିଆ ଶିଖି ମଧ୍ୟ ଆମେ ଠିକ୍ରେ ନା ଲେଖୁଛୁ ନା କହୁଛୁ । ଗଣମାଧ୍ୟମରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ସବୁଠି ଓଡ଼ିଆ-ଇଂରାଜୀ-ହିନ୍ଦୀ ମିଶା କିମ୍ଭୂତ କିମାକାର ଶବ୍ଦର ଅବାଧ ପ୍ରବେଶ । ବହୁ ଓଡ଼ିଆ ଶବ୍ଦର ଆକସ୍ମିକ ମୃତ୍ୟୁ କିମ୍ବା ଅପମୃତ୍ୟୁ ହେଉଛି । ଗଣମାଧ୍ୟମରେ ଓଡ଼ିଆ ଅକ୍ଷର ଅଛି, ଭାଷା କିନ୍ତୁ ହଜିଗଲାଣି ।
ନକହିଲେ କୁଳ ଭାସିଯାଉଛି
ଆମ ମାତୃଭାଷା ଆମ ଜାତିର ମୁକ୍ତିମନ୍ତ୍ର । ଓଡ଼ିଆ ଭାଷା ହେଉଛି ବୀଣାପାଣିଙ୍କ ବୀଣାର ଝଙ୍କାର । ଯାହା ଜିଭରେ, ତାହା ପୋଥିରେ। ଅପୂର୍ବ ଶ୍ରୀମଣ୍ଡିତ ଆମ ଓଡ଼ିଆ ଭାଷା । ଅତୀତ ଯେତିକି ଗୌରବମୟ ସେତିକି ପ୍ରାଚୀନ । ‘କହିଲେ କୁଳ କୁଟୁମ୍ବଙ୍କୁ ଲାଜ, ନକହିଲେ କୁଳ ଭାସିଯାଉଛି’ । ଆମ ଭାଷାର ଅବସ୍ଥା ଦେଖିଲେ ଏମିତି ହିଁ ଲାଗୁଛି । ଭାଷା ହେଉଛି ସ୍ୱାଭିମାନ ଓ ସ୍ୱାଧୀକାରର ପ୍ରତୀକ । ମାତୃଭାଷା ଜୀବନ ଓ ଜୀବିକାର ଭାଷା ହେବା ଦରକାର । ଓଡ଼ିଆ ଘରର ପିଲା ଓଡ଼ିଆ ପଢ଼ିଲେ ଚାକିରି କ୍ଷେତ୍ରରେ ଅଧିକ ସୁଯୋଗ ମିଳୁନି । ଜୀବିକାର ଭାଷା ନହେଲେ ନୂଆ ପିଢ଼ି କାହିଁକି ଆଗ୍ରହ ଦେଖାଇବେ? ଏ ଦିଗକୁ ସରକାର ଧ୍ୟାନ ଦିଅନ୍ତୁ ।
ଭାଷାଟିଏ ମରିଗଲେ, ଜାତିଟିଏ ମରିଯାଏ । ହଜିଯାଏ ପରିଚୟ । ଭାଷା କେବଳ ଜୀବିତ ହୋଇ ରହିଲେ ହେବନି । ଭାଷା ଜୀବନ୍ତ ହେବା ଜରୁରି । ଆମେ ଦୈନନ୍ଦିନ କହୁଥିବା, ଲେଖୁଥିବା ଶବ୍ଦ ଓଡ଼ିଆ ଅଭିଧାନରେ ସ୍ଥାନିତ ହେଉ । ଆମେ ସାରା ବିଶ୍ୱରେ ଗୋଟିଏ ଜାତି ବୋଲି ପରିଚୟ ପାଇଛୁ ଏ ‘ଓଡ଼ିଆ ଭାଷା’ ପାଇଁ । ଆମ ଉପରେ ଯଦି ଅନ୍ୟ ଭାଷାକୁ ଲଦି ଦିଆଯାଇଥାନ୍ତା? ଜାତି ହିସାବରେ ଆମେ କେଉଁଠି ଥାଆନ୍ତୁ? ଆମ ଭାଷାର ବିଭବ ଓ ସମ୍ଭାର ସାତ ଦରିଆ ପାର ହୋଇ ବିଦେଶ ମାଟିକୁ ଛୁଉଁ । ସୋସିଆଲ ମିଡିଆରେ ବ୍ୟବହାର ବଢ଼ୁ । ଡିଜିଟାଲ ଯୁଗରେ ଆମ ଭାଷା ତିଆରି କରୁ ସମ୍ଭାବନାର ଉଜ୍ୱଳ ଭବିଷ୍ୟତ ।
ମଧୁସୂଦନଙ୍କ ଅମର ‘ବର୍ଣ୍ଣବୋଧ’ ଆମ ସମସ୍ତଙ୍କୁ ପରିଚୟ ଦେଇଛି, ପ୍ରତିଷ୍ଠା ବି । ଆମକୁ ଏବେ ଋଣ ପରିଶୋଧ କରିବାର ବେଳ । ଆମ ଭାଷା ପାଇଁ ଯେଉଁ ଯୋଗଜନ୍ମା ନିଷ୍ଠା ଦେଖାଇଥିଲେ, ଧନ୍ୟ ତାଙ୍କ ଓଡ଼ିଆପଣ । ଆସନ୍ତୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା । ଆମ ଭାଷା ପାଇଁ ଆମେ ନିଷ୍ଠାର ସହ କାମ କରିବା । ମାତୃଭାଷାର ମହକ, ମହିମା ଓ ଓଡ଼ିଆ ଅସ୍ମିତା ଊଦ୍ଧ୍ୱର୍ ଉଡ଼ାଣ ଧରୁ ।