ନୂଆଦିଲ୍ଲୀ ୨୩/୦୨: ପ୍ରାଚୀନ ଗ୍ରୀକ୍ କବି ହୋମର୍ଙ୍କ ରଚିତ ମହାକାବ୍ୟ ‘ଅଡିଶୀ’ ସବୁ ସମୟରେ ହଲିଉଡ୍ର ଏକ ଆଲୋଚ୍ୟ ବିଷୟବସ୍ତୁ ରହି ଆସିଛି । ଏହି କାହାଣୀକୁ ଭିତ୍ତି କରି ହଲିଉଡ୍ରେ ଏକ ବ୍ଲକବଷ୍ଟର୍ ସିନେମା ତିଆରି ହୋଇଥିଲା ଯାହାର ଶୀର୍ଷକ ଥିଲା ‘ଟ୍ରୟ’ । ଏହା ଥିଲା ଇତିହାସ ନିର୍ଭର ସିନେମା । ଏହି ସିନେମା କଥା ମନେ ପଡିଲେ ବ୍ରାଡ ପ୍ରିଟ୍, ଅର୍ଲାଣ୍ଡୋ ବ୍ଲୁମ୍ଙ୍କ ଭଳି ଅଭିନେତାଙ୍କ ଚେହେରା ମନେ ପଡିଯାଏ । କିଭଳି ଏକ ବିଶାଳକାୟ କାଠ ଘୋଡ଼ା ମଧ୍ୟରେ ଶତ୍ରୁ ସୈନିକ ଟ୍ରୟ ନଗରୀ ମଧ୍ୟରେ ପ୍ରବେଶ କରି ଟ୍ରୋଜନ୍ ଯୋଦ୍ଧାମାନଙ୍କୁ ପରାସ୍ତ କରିଥିଲେ ଏହା ଥିଲା ସିନେମାର କଥାବସ୍ତୁ ।
ଟ୍ରୟ ନଗରୀର ଅଭେଦ୍ୟ ଦ୍ୱାର ମଧ୍ୟରେ ପ୍ରବେଶ କରିବାର କୌଶଳ ଓ ରଣନୀତି ଯେଉଁ ବ୍ୟକ୍ତିଜଣକ ଶିଖାଇଥିଲେ ତାଙ୍କ ନାଁ ଥିଲା ‘ଓଡେସିସ୍’ । ଗ୍ରୀକ୍ ମହାକାବ୍ୟ ‘ଅଡିଶୀ’ର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଥିଲେ ଏହି ବ୍ୟକ୍ତି । ଏହି କାହାଣୀକୁ ପୁଣି ଥରେ ନୂଆ ଶୈଳୀରେ, ନୂଆ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ଦର୍ଶକଙ୍କ ଆଗରେ ଉପସ୍ଥାପନ କରିବାକୁ ଚିନ୍ତା କରିଛନ୍ତି ବିଶିଷ୍ଟ ହଲିଉଡ ନିର୍ମାତା- ନିର୍ଦ୍ଦେଶକ କ୍ରିଷ୍ଟୋଫର୍ ନୋଲାନ । ୨୦୨୪ ମସିହାରେ ସେ ଏହି ସିନେମା ତିଆରି କରିବେ ବୋଲି ଘୋଷଣା କରିଥିଲେ । ସେହି ଅନୁସାରେ ସିନେମାର ପ୍ରାକ୍ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନୋଲାନଙ୍କ ଏହି ସିନେମାର ଶୀର୍ଷକ ‘ଦ ଅଡ଼ିଶୀ’ । ଆଜିକୁ ପ୍ରାୟ ୨୮୦୦ ବର୍ଷ ପୂର୍ବେ ‘ଓଡେସିସ୍’ଙ୍କୁ କେନ୍ଦ୍ରରେ ରଖି ହୋମର୍ ରଚନା କରିଥିଲେ ମହାକାବ୍ୟ ‘ଅଡିଶୀ’ । କ୍ରିଷ୍ଟୋଫର୍ ନୋଲାନ୍ ଏହି ମହାକାବ୍ୟକୁ ପୁଣି ଥରେ ରୁପେଲି ପରଦାକୁ ନେଇ ଆସିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ନୋଲାନ ଏପରି ଜଣେ ସିନେ ନିର୍ମାତା ଯାହାଙ୍କର ପ୍ରତ୍ୟେକ ନୂଆ ସିନେମା ତାଙ୍କ ପୁରୁଣା ସିନେମା ତୁଳନାରେ ଭିନ୍ନ ହୋଇଥାଏ । ସେ କୁହନ୍ତି ପ୍ରତିଥର ତାଙ୍କୁ କିଛି ନା କିଛି ନୂଆ ପରୀକ୍ଷା କରିବାରେ ଆନନ୍ଦ ମିଳିଥାଏ । ହଲିଉଡ୍ ସିନେମା ସମ୍ବନ୍ଧୀୟ ସମ୍ବାଦ ଜଣାଉଥିବା ଇ- ପତ୍ରିକା ‘ଭେରାଇଟି.କମ୍’ ଅନୁସାରେ ‘ଦ ଅଡିଶୀ’ ନୋଲାନଙ୍କ ସବୁଠୁ ବଡ଼ ମହତ୍ୱାକାଂକ୍ଷୀ ସିନେମାର ରୂପ ନେବାକୁ ଯାଉଛି । ଯଦିଓ ସମାଲୋଚକମାନେ କହୁଛନ୍ତି, ବର୍ତ୍ତମାନ ସମୟରେ ଏଭଳି ସିନେମା ତିଆରି କଲେ ତାହା ବୁମେରାଂ ସାଜିପାରେ । ନୋଲାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡି଼ପାରେ । ହଲିଉଡ୍ର ଅନବଦ୍ୟ କଳାକାରମାନଙ୍କୁ ନେଇ ନୋଲାନଙ୍କର ଏହି ସିନେମା ତିଆରି ହେବାକୁ ଯାଉଛି । ସିନେମାଟି ତିଆରି ହେବା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କାରୁ ଅଧିକ ବଜେଟ ନିଶ୍ଚିତ କରାଯାଇଛି । ଅନେକଗୁଡି଼ଏ କାଳ୍ପନିକ ଚରିତ୍ରର ସମାହାର ଦେଖିବାକୁ ମିଳିବ ଏହି ସିନେମାରେ । ଏହି ସିନେମାରେ ଟ୍ରୟ ଯୁଦ୍ଧର ପରବର୍ତ୍ତୀ କାହାଣୀ ଉପରେ ଅଧିକ ଫୋକସ୍ କରାଯାଇଛି ।
ନୋଲାନଙ୍କ ଅନୁସାରେ ତାଙ୍କର ଏହି ସିନେମା ସବୁଠୁ ଖର୍ଚ୍ଚବହୁଳ ହେବାକୁ ଯାଉଛି । ଅର୍ଥାତ୍ ପୂର୍ବରୁ ସେ ନିର୍ମାଣ କରିଥିବା ସମସ୍ତ ସିନେମାର ରେକର୍ଡ ଭାଙ୍ଗିବାକୁ ଯାଉଛି ‘ଦ ଅଡିଶୀ’ । ଏକାଡେମୀ ପୁରସ୍କାରପ୍ରାପ୍ତ ନୋଲାନଙ୍କ ସିନେମା ‘ଓପେନାଇମର୍’ ପାଇଁ ୧୦୦ ମିଲିୟନ୍ ଡଲାର୍ ବଜେଟ୍ ଧାର୍ଯ୍ୟ ହୋଇଥିଲା । ଏବେ ‘ଦ ଅଡିଶୀ’ ପାଇଁ ନୋଲାନ୍ ୨୫୦ ମିଲିୟନ ଡଲାର୍ ବଜେଟ୍ ସ୍ଥିର କରିଛନ୍ତି । ଭାରତୀୟ ମୁଦ୍ରା ଅନୁସାରେ ଯାହା ଆନୁମାନିକ ଭାବେ ୨୧୮୫ କୋଟି ଟଙ୍କା ହେବ । କୁହାଯାଉଛି ଏଥିରେ ‘ସ୍ପାଇଡରମ୍ୟାନ୍’ ଫେମ୍ ଟମ୍ ହଲାଣ୍ଡ ‘ଓଡିସିସ୍’ ଚରିତ୍ରରେ ଅଭିନୟ କରିବେ । ତାଙ୍କ ବ୍ୟତୀତ ଜେଣ୍ଡାୟା, ମ୍ୟାଟ୍ ଡେମନ, ଆନ ହ୍ୟାଥୱେ, ଲୁପିତା ନ୍ୟୋଂଗୋ, ରବର୍ଟ ପ୍ୟାଟିନସନ୍, ଚାର୍ଲିଜ ଥେରନ, ମିଆ ଗୋଥ, ଜେସ୍ ଗ୍ରାସିଆ, ୱିଲ୍ ୟୁନ୍ ଲି, ବେନି ସାଫଡିଙ୍କ ସମେତ ଆହୁରି ଅନେକ ହଲିଉଡ୍ କଳାକାରଙ୍କୁ ଦେଖିବାକୁ ମିଳିବ । ‘ଭେରାଇଟି.କମ୍’ରେ ପ୍ରକାଶିତ ଏକ ଖବର ଅନୁସାରେ ନୋଲାନ ଏହି ସିନେମାର ସୁଟିଂ ଇଟାଲିର ସେହି ଗାଁରେ କରିବାକୁ ମନସ୍ଥ କରିଛନ୍ତି ଯାହାର ଉଲ୍ଲେଖ ହୋମରଙ୍କ ରଚିତ ‘ଅଡିଶୀ’ରେ ଥିଲା । ଏହା ବ୍ୟତୀତ ଇଂଲଣ୍ଡ ଏବଂ ମରୋକ୍କୋର କିଛି ସ୍ଥାନରେ ଏହି ସିନେମାର ସୁଟିଂ ହେବ । ସୂତ୍ର ଅନୁସାରେ ଫିଲ୍ମର ସୁଟିଂ ପାଇଁ ‘ଆଇମ୍ୟାକ୍ସ’ର ନୂଆ ଟେକ୍ନୋଲୋଜିର ପ୍ରୟୋଗ କରାଯିବ । ଶୁଣିବାକୁ ମିଳିଛି ୨୦୨୬ ମସିହା, ଜୁଲାଇ ୧୭ରେ ଏହି ସିନେମାର ୱାର୍ଲ୍ଡ ପ୍ରିମିୟର ହେବ । ସଦ୍ୟତମ ସୂଚନା ଅନୁସାରେ ଏହି ଫିଲ୍ମର କେନ୍ଦ୍ରୀୟ ଚରିତ୍ର ‘ଓଡିସିସ୍’ଙ୍କ ଭୂମିକାରେ ଦେଖିବାକୁ ମିଳିବେ ଅଭିନେତା ମ୍ୟାଟ୍ ଡେମନ । ସିନେମାରେ ତାଙ୍କର ଫାଷ୍ଟ ଲୁକ୍ ମଧ୍ୟ ପ୍ରକାଶ୍ୟକୁ ଆସିସାରିଛି।